Category: ଜିଲ୍ଲା

  • ଦୋଳିରୁ ମିଳିଲା ଶବ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

    ଦୋଳିରୁ ମିଳିଲା ଶବ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

    ସରିଛି ରଜ , ତା ସହ ଚାଲିଯାଇଛି ଏକ ଜୀବନ । ରଜ ମହୋତ୍ସବ ଚାଲିଥିବା ବେଳେ ଆଜି ସକାଳେ ଏକ  ରଜ ଦୋଳିରୁ ମୃତ ଦେହ  ଉଦ୍ଧାର ହୋଇଛି । ,ମୃତକ ହେଲେ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ସାହାଡ଼ାପଦା ଗାଁର ଅନୀଲ ବେହେରା (୨୨)। ସୂଚନା ଅନୁଯାୟୀ   ଗତକାଲି ରାତିରେ ଅନୀଲ ସାଙ୍ଗମାନଙ୍କ ସହିତ ଥିଲେ । ଆଜି ସକାଳୁ  ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମମେହୀଙ୍କ ପୀଠରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବା ବେଳେ ଅନିଲ ଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତ  ଅନୀଲଙ୍କ ଦାଦା ସପନା ବେହେରା କହିଛନ୍ତି, ସେ ଆତ୍ମହତ୍ୟା କରିନାହିଁ। ତାକୁ ହତ୍ୟା କରାଯାଇଛି। ତା’ପାଦ ମାଟିରେ ଲାଗିଥିଲା। ତାକୁ ହତ୍ୟା କରାଯାଇ ଦୋଳିରେ ଝୁଲାଇ ଦିଆଯାଇଥିଲା। ରାତିରେ ତା’ର କିଛି ପିଲାଙ୍କ ସହିତ ଝଗଡ଼ା ହୋଇଥିଲା। ସେହିମାନେ ତାକୁ ମାରି ଦୋଳିରେ ଝୁଲାଇ ଦେଇଥିବା ନେଇ କହିଥିବା ବେଳେ ।ବାଙ୍କୀ ଥାନା ଆଇଆଇସି ସୌମେନ୍ଦ୍ର ଶେଖର ତ୍ରିପାଠୀ କହିଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଘଟଣାର ସବୁ ଦିଗକୁ ନେଇ ତଦନ୍ତ କରାଯିବ। ଯେଉଁ ଝଗଡ଼ା କଥା କୁହାଯାଉଛି, ସେ ନେଇ ମଧ୍ୟ ତଦନ୍ତ କରାଯିବ।

  • ପୁଣି ଶିକାରୀଙ୍କ ଗୁଳିରେ ଗଲା ବନ କର୍ମଚାରୀଙ୍କ ଜୀବନ 

    ପୁଣି ଶିକାରୀଙ୍କ ଗୁଳିରେ ଗଲା ବନ କର୍ମଚାରୀଙ୍କ ଜୀବନ 

    ପୁଣି ଶାକାରୀଙ୍କ ଗୁଳିରେ ଗଲା ଜଣେ ବନ କର୍ମଚାରୀଙ୍କ ଜୀବନ  I   ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା ।  ମୃତ ବନକର୍ମଚାରୀ ଜଣକ ହେଲେ ବାରାହକାମୁଡ଼ାର ଫରେଷ୍ଟର ମାଟି ହାଁସଦା ।ସୂଚନା ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ଗତକାଲି ରାତି ପ୍ରାୟ ୨ଟା ବେଳେ ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ମୋଟ ୬ ଜଣ ଶିକାରୀ ଥିଲେ। ସେମାନଙ୍କ ହାତରେ ବନ୍ଧୁକ ଥିଲା। ଶିକାରୀମାନଙ୍କୁ କାବୁ କରିବା ସମୟରେ କୁ ବନକର୍ମଚାରୀ ଏବଂ ଶୀକାରୀଙ୍କ ମଧ୍ୟରେ ହାତାହାତୀ ହୋଇଥିଲା । ଏପରିକି ଗୁଳିବିନିମୟ ମଧ୍ୟ ହୋଇଥିଲା। ସେହି ସମୟରେ ଜଣେ ଶୀକାରୀର ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ଘଟିଥିଲା।ଗୁଳି ତାଙ୍କ ଛାତିରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

  • ବୀର ସହିଦ ନୁନ୍ଦୁରାମଙ୍କ ବଳୀଦାନ ଦିବସ ପାଳୁଛି ରାଇରଙ୍ଗପୁର

    ବୀର ସହିଦ ନୁନ୍ଦୁରାମଙ୍କ ବଳୀଦାନ ଦିବସ ପାଳୁଛି ରାଇରଙ୍ଗପୁର

    ରାଇରଙ୍ଗପୁରରେ ଶହୀଦ ନୁନ୍ଦୁରାମ ସୋରେନଙ୍କ ତୃତୀୟ ଶହୀଦ ବାର୍ଷିକୀ ଦିବସ ପାଳିତ ହୋଇଯାଇଛି।  ୧୬ ଜୁନ ୨୦୨୦ ମସିହାରେ ଚୀନ ସହ ଗଲୱାନ ଘାଟିରେ ଯୁଦ୍ଧକରୁଥିବା ସମୟରେ ନୁନ୍ଦୁରାମ ସହିଦ ହୋଇଥିଲେ।  ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ବଡ଼ଚମ୍ପାଉଦାରେ ନୁନ୍ଦୁରାମ ସୋରେନଙ୍କ ଜନ୍ମ ହୋଇଥିଲା।

    ଦେଶ ମାତୃକା ପାଇଁ ତାଙ୍କ ପ୍ରାଣବଳୀକୁ ମନେ ପକାଇ ଆଜି ତୃତୀୟ ବର୍ଷରେ ଶହୀଦ ଦିବସ ପାଳନ କରୁଛନ୍ତି ସ୍ଥାନୀୟ ଜନସାଧାରଣ। କେବଳ ସେତିକି ନୁହେଁ ନୁନ୍ଦୁରାମଙ୍କ ସ୍ମୃତିରେ ବୀର ଗାଥା ଲୋକାର୍ପଣ କରିବା ସହ ଫୁଟବଲ ଖେଳର ଆୟୋଜନ ମଧ୍ୟ କରାଯାଉଛି।  ଯେଉଁଥିରେ ବିଭିନ୍ନ ସ୍ଥାନରୁ ୮ଟି ଟିମ ଯୋଗ ଦେଇଛନ୍ତି। ଏହି ପ୍ରତିଯୋଗୀତାରେ  ଯେଉଁ ଟିମ ପ୍ରଥମ ହେବ ତାକୁ  ନୁନ୍ଦୁରାମ ସୋରେନ  ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପୁରସ୍କୃତ କରାଯିବ।

    ନୁନ୍ଦୁରାମଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ   BJD ନେତ୍ରୀ  ଭାରତୀ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡଃ ଦେବାଶିଷ ମାରାଣ୍ଡି, ଅଭିଷେକ ପଟ୍ଟନାୟକ, କାଶୀନାଥ ହେମ୍ବ୍ରମଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି  ଉପସ୍ଥିତ ଥିଲେ।

  • ବ୍ରହ୍ମପୁର: କେମିତି ମଲେ MKCG ଛାତ୍ରୀ ? ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

    ବ୍ରହ୍ମପୁର: କେମିତି ମଲେ MKCG ଛାତ୍ରୀ ? ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

    ବ୍ରହ୍ମପୁର MKCG ମେଡିକାଲ କଲେଜରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ତାଙ୍କ ନାଁ ସୁଭାନୀ ପଟ୍ଟନାୟକ । ସେ ପିଜି ପ୍ରଥମ ବର୍ଷ ଚର୍ମ ବିଭାଗର ଛାତ୍ରୀ ଥିଲେ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ । ସେ ହଷ୍ଟେଲରେ ରହୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ତେଣୁ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଛି ।

    ଆଜି ସକାଳେ ସାଙ୍ଗମାନେ ହସ୍ପିଟାଲ ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିବା ଦେଖିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଛାତ୍ରୀ ସୁଭାନୀଙ୍କ ବାପାଙ୍କ ବୟାନ ରେକର୍ଡ କରିଛି ପୋଲିସ । ବାପାଙ୍କ ସୂଚନା ଆଧାରରେ ସୁଭାନୀଙ୍କର ମାଇଗ୍ରେନ ସମସ୍ୟା ଥିବା କଥା କହିଛି ପୋଲିସ । ସେଥିପାଇଁ ଛାତ୍ରୀଜଣକ ଔଷଧ ଖାଉଥିଲେ । ଔଷଧର ଓଭରଡୋଜ ଯୋଗୁଁ ସମସ୍ୟା ହୋଇଥାଇପାରେ ବୋଲି ବାପା ଆଶଙ୍କା କରୁଛନ୍ତି । ତେବେ, ସୁଭାନୀ ଜଣେ ଡାକ୍ତରୀ ଛାତ୍ରୀ ହୋଇଥିବାରୁ ଓଭରଡୋଜ କେମିତି ନେଲେ, ସେ ନେଇ ପ୍ରଶ୍ନ ଉଠିଛି ।

    ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏଥିସହ ସୁଭାନୀଙ୍କ ହଷ୍ଟେଲ ରୁମ୍‌ ମଧ୍ୟ ଯାଞ୍ଚ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ସତ୍ୟାସତ୍ୟା ଜଣାପଡ଼ିବ ବୋଲି ପୋଲିସ କହିଛି ।

  • ଯାଜପୁର: ବୁଣାକାରମାନଙ୍କୁ ପ୍ରଶଂସା, ହସ୍ତତନ୍ତ ଶିଳ୍ପର ବିକାଶ ନେଇ CSଙ୍କ ପ୍ରତିଶ୍ରୁତି

    ଯାଜପୁର: ବୁଣାକାରମାନଙ୍କୁ ପ୍ରଶଂସା, ହସ୍ତତନ୍ତ ଶିଳ୍ପର ବିକାଶ ନେଇ CSଙ୍କ ପ୍ରତିଶ୍ରୁତି

    ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଦିନିକିଆ ଯାଜପୁର ଜିଲ୍ଳା ଗସ୍ତ । ଗୋପାଳପୁର ଏବଂ ଚକଗୋପାଳପୁର ଗାଁରେ ଥିବା ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀ ପରିଦର୍ଶନ କରିବା ସହ ସଦସ୍ୟମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟ ସଚିବ ।

    ଯାଜପୁର ଜିଲ୍ଲା ଗସ୍ତ କରି ରସୁଲପୁର ବ୍ଲକ୍ ଅଧୀନ ଗୋପାଳପୁର ଓ ଚକଗୋପାଳପୁର ଗାଁ ଯାଇଥିଲେ ମୁଖ୍ୟ ଶାସନ ସଚିବ । ଜାତୀୟ କୃଷି ଓ ଗ୍ରାମ୍ୟ ଊନ୍ନୟନ ବ୍ୟାଙ୍କ ନାବାର୍ଡର ସହାୟତା, ସଦସ୍ୟସଦସ୍ୟାଙ୍କ ଅଂଶଧନ ରାଶି ବିନିଯୋଗରେ ନିର୍ମିତ ତଥା ନେତାଜୀ ଯୁବକ ସଂଘ ଦ୍ୱାରା ପରିଚାଳିତ ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀ ବୁଲି ଦେଖିଥିଲେ ସିଏସ । ଉତ୍ପାଦକ କମ୍ପାନୀର ଆନୁସଙ୍ଗିକ ଭିତ୍ତିଭୂମି ସୁଦୃଢ଼ୀକରଣ ଦିଗରେ ବୁଣାକାର, ଜିଲ୍ଲାପାଳ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

    ଗୋପାଳପୁରର ହସ୍ତତନ୍ତ କାରୁକାର୍ଯ୍ୟ ଅତି ପୁରାତନ । ପ୍ରାୟ ୨ ହଜାର ବୁଣାକାର ଘରେଘରେ ବିଭିନ୍ନ ପ୍ରକାର ବସ୍ତ୍ର ତିଆରି କରୁଛନ୍ତି । ଟସର ସୂତାରେ ନିର୍ମିତ ହେଉଛି ଶାଢ଼ୀ,ଷ୍ଟଲ,ଲୁଙ୍ଗି,ବେଡସିଟ୍‌,ଶାଲ,ଧୋତି ଏବଂ ବିଭିନ୍ନ ପ୍ରକାରର ବସ୍ତ୍ର ।

    ଖାଣ୍ଟି ଟସର ଓ ସୂତାରେ ତିଆରି ହେଉଛି ଆକର୍ଷଣୀୟ ବସ୍ତ୍ର । ବୁଣାକାରମାନଙ୍କ ଟସର ହସ୍ତତନ୍ତ ସାମୁହିକ କଳାର ବିକାଶ, କମ୍ ଖର୍ଚ୍ଚରେ କମ୍ ସମୟ ମଧ୍ୟରେ ଅଧିକ ଉତ୍ପାଦନ କରାଯାଇପାରୁଛି । ଏବେ ସୁକିନ୍ଦା ଟସର ଉତ୍ପାଦନ କେନ୍ଦ୍ରରୁ କିଭଳି ଟସର ଯୋଗାଇ ଦିଆଯାଇପାରିବ ସେ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି ।

    ନାବାର୍ଡ ପକ୍ଷରୁ କମ୍ପାନୀକୁ ୫୦ ଲକ୍ଷ ଟଙ୍କା ଅନୁଦାନ ରାଶି ଦିଆଯାଇଛି । କମ୍ପାନୀ ତରଫରୁ ବିଭିନ୍ନ ପ୍ରକାର ଟ୍ରେନିଂ ଯେପରିକି ରଙ୍ଗ ଦେବା, ଡିଜାଇନ କରିବା, ସିଲାଇ ନେଇ ୧୫୦ ଜଣଙ୍କୁ ତାଲିମ ଦିଆଯାଇଛି ।

    ସେମାନଙ୍କ ମଧ୍ୟରୁ ୯୦ ଜଣଙ୍କୁ କମ୍ପାନୀରେ ନିଯୁକ୍ତି ମିଳିଛି । ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀକୁ ସୁଦୃଢ଼ୀକରଣ ପାଇଁ ଟସର ଅଭାବ ପୂରଣ,ବିପଣନ ବ୍ୟବସ୍ଥା, କାର୍ଯ୍ୟକ୍ଷେତ୍ରକୁ ବୃଦ୍ଧି କରାଇବା,ସାମୁହିକ ସହାୟକ କେନ୍ଦ୍ର କାର୍ଯ୍ୟକାରିତା କରିବା ଦିଗରେ ଜିଲ୍ଳାପାଳ ଗୁରୁତ୍ୱାରୋପ କରିଛନ୍ତି ।

    ଯାଜପୁର ଜିଲ୍ଲାରେ ହସ୍ତତନ୍ତ ଶିଳ୍ପର ବିକାଶ ହେଉଥିବାରୁ ବୁଣାକାରମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ ମୁଖ୍ୟ ଶାସନ ସଚିବ । ଉଭୟ ଗାଁର ବୁଣାକାରମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାବଲମ୍ବୀ କରିବା ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ସିଏସ୍ କହିଛନ୍ତି ।

  • ଆଜି ରଜ ସଂକ୍ରାନ୍ତି, ଧୁମଧାମରେ ରଜ ପର୍ବ ପାଳିତ

    ଆଜି ରଜ ସଂକ୍ରାନ୍ତି, ଧୁମଧାମରେ ରଜ ପର୍ବ ପାଳିତ

    ଆଜି ରଜ ପର୍ବର ଦ୍ୱିତୀୟ ଦିନ ମାନେ ରଜ ସଂକ୍ରାନ୍ତି । ଓଡ଼ିଆ ପରମ୍ପରା ଅନୁସାରେ ସବୁଠି ଧୁମଧାମରେ ପାଳିତ ହେଉଛି ରଜ ମହୋତ୍ସବ । ଆଜି ଦ୍ୱିତୀୟ ଦିନରେ ଘରେ ପିଠାପଣାର ଆସର । ପ୍ରସ୍ତୁତ ହୋଇଛି ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ।

    ଯାଜପୁର ବ୍ଲକ୍ ସାହାସପୁର ପଞ୍ଚାୟତରେ ଏହି ପର୍ବର ଟିକେ ନିଆରା ଅନୁଭୂତି । ଗାଁର ମୁରବୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି ମଉଜ କାର୍ଯ୍ୟକ୍ରମ । ରଜ ଦୋଳି,ପୁଚି ଖେଳ,ଦୌଡ଼ି ଡିଆଁ,ହୁଳହୁଳି,କାନ୍ଦଣା ଗୀତ, କବାଡ଼ି, ଲୁଡୁ ଓ ତାସ୍ ଭଳି ଖେଳ ଆୟୋଜନ କରାଯାଇଛି ।

    ଖେଳ ମାଧ୍ୟମରେ ରଜ ପରମ୍ପରାକୁ ମନେ ପକାଇବା ଏବଂ ନୂତନ ପିଢ଼ିଙ୍କୁ ଓଡ଼ିଆ ପରମ୍ପରା ସମ୍ପର୍କରେ ଅବଗତ କରିବା ପାଇଁ ଏଭଳି ନିଆରା ଉଦ୍ୟମ କରିଛନ୍ତି ପଞ୍ଚାୟତବାସୀ ।

    ଉପକୂଳ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ଗଣପର୍ବ ରଜ । ଏଥିପାଇଁ ଘରେ ଘରେ ପିଠା,ମିଠାର ଆସର । ଏହା ସାଙ୍ଗକୁ ତାସ,ଲୁଡୁ, ଦୋଳି ଖେଳ ସହ ବିଭିନ୍ନ ପ୍ରକାର ପାନର ସ୍ୱାଦ । ରଜ ଦୋଳି ଖେଳି ବେଶ୍ ମଉଜ କରୁଛନ୍ତି କୁଆଁରୀ ।

    ଯାଜପୁର ଦଶରଥପୁର ବ୍ଲକ୍ ମଙ୍ଗଳପୁରରେ କେବିକେ ଗ୍ରୁପ କଳାକାରଙ୍କ ପକ୍ଷରୁ ମହା ଆଡ଼ମ୍ବରରେ ପାଳିତ ହୋଇଛି ରଜ ମଉଜ । ଏହି ଅବସରରେ ନାଚଗୀତ ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବାର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି । ଆଜି ରଜ ପର୍ବର ଦ୍ୱିତୀୟ ଦିନ ।

    ଘରେ ଘରେ ପାଳିତ ହେଉଛି ରଜ ସଂକ୍ରାନ୍ତି । ଆସନ୍ତାକାଲି ରଜ ଉତ୍ସବ ବିଦାୟ ନେବ । ଗାଁଠୁ ସହର ସବୁଠି ରଜ ମହୋତ୍ସବର ମାହୋଲ ।

  • ବିଜେଡି ନେତାଙ୍କୁ ଗୁଳିମାଡ଼, କଟକରେ ଚିକିତ୍ସିତ

    ବିଜେଡି ନେତାଙ୍କୁ ଗୁଳିମାଡ଼, କଟକରେ ଚିକିତ୍ସିତ

    ବିଜେଡି ନେତାଙ୍କ ଉପରେ ଗୁଳିମାଡ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ହୋଇଛି ଗୁଳିମାଡ଼। ଗୁଳି ତାଙ୍କ ହାତ ଓ ଜଙ୍ଘରେ ବାଜିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି। ଏହି ଗୁଳିକାଣ୍ଡ ବୁଧବାର ରାତିରେ ଘଟିଛି।

    ଗତକାଲି ରାତି ପ୍ରାୟ ୧୧ଟାରେ କାହ୍ନୁଚରଣ କାରରେ ଘରକୁ ଫେରୁଥିଲେ। ସେ କାମାକ୍ଷାନଗର ମେନ୍‌ରୋଡ୍ ସ୍ଥିତ ମା’ ତାରିଣୀ ଅଳଙ୍କାର ନିକଟରେ ପହଞ୍ଚିବା ବେଳକୁ କିଛି ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇଥିଲେ। ସେ ଗାଡି ଅଟକାଇବାରୁ ଦୁର୍ବୃତ୍ତମାନେ  ତାଙ୍କ କାରର କାଚକୁ ଭାଙ୍ଗିଦେଇଥିଲେ ଓ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଦୁଇଟି ଗୁଳି ତାଙ୍କ ଗୋଡ ଓ ଜଙ୍ଘରେ ବାଜିଥିଲା।

    କାହ୍ନୁଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କେଉଁ ଘଟଣାକୁ ନେଇ ଏପରି ଗୁଳିମାଡ ହୋଇଥି ତାହା ଜଣାପଡିନାହିଁ। ତେବେ ସେ ଜଣେ ଠିକାଦାର ଓ ରାଜନେତା ହୋଇଥିବାରୁ ଗୁଳିମାଡ ପଛରେ ରାଜନୈତିକ ଶତ୍ରୁତା ତା ଠିକାଦାରୀ ଶତ୍ରୁତା ରହିଥିଲା ତାର କାରଣ ଖୋଜାଚାଲିଛି।

    ପୁଲିସ ଘଟଣାର ତଦନ୍ତ ଚଳାଇଛି। ସେଠାରେ ଥିବା ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହା ପୂର୍ବରୁ ମଧ୍ୟ କାହ୍ନୁଚରଣଙ୍କ ଉପରେ ଏକ ଗୁଳିମାଡ କରାଯାଇଥିଲା।

  • ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

    ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

    ଚିନ୍ତା ବଢାଉଛି ହାତୀ ମୃତ୍ୟୁହାର । ଅନେକ ସମୟରେ ଖାଦ୍ୟ ଜଙ୍ଗଲି ପଶୁମାନେ ଗାଁ ଅଭିମୁଖେ ଚାଲି ଆସୁଥିବା ବେଳେ ବ୍ୟାପକ କ୍ଷତି ମଧ୍ୟ କରୁଛନ୍ତି । ହେଲେ ସବୁଠୁ ଦୁଖର କଥା ହେଉଛି ଗାଁ ମୁହାଁ ହେଉଥିବା ଅନେକ ପଶୁଙ୍କ ଅକାଳରେ ବିୟୋଗ ହୋଇଯାଉଛି । ଆଜି ସେମିତି ଏକ ଦୁଖଦ ଖବର ଆସିଛି ବୌଦ୍ଧ ଜିଲ୍ଲା କଣ୍ଟାମଲ ରେଂଞ୍ଜ ଅନ୍ତର୍ଗତ ବରଗାଁ ପଞ୍ଚାୟତରୁ । ସେଠାରେ ଥିବା ଘୁଚାଙ୍ଗି ଜଙ୍ଗଲ ନିକଟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି ।

    ମିଳିଥିବା ସୂଚନା ମୁତାବକ ବଣୁଆ ହାତୀଟି ଜଙ୍ଗଲ ଛାଡି ଖାଦ୍ୟ ଅନୁସନ୍ଧାନରେ ଜଙ୍ଗଲ ଛାଡି ଗାଁ ଅଭିମୁଖେ ଆସୁଥିତା । ହେଲେ ବାଟରେ ଥିବା ୧୧ କେଭି ବିଦ୍ୟୁତ ତାର ସେହି ହାତୀର ମୃତ୍ୟୁର କାରଣ ପାଲଟିଥିଲା । ଖବର ପାଇ ବନ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ।

  • ମହାକାଳପଡ଼ା: ଅନାଥ’ପୂଜା’କୁ ବିବାହ କରି ଉଦାହରଣ ପାଲଟିଲେ ହିମାଂଶୁ

    ମହାକାଳପଡ଼ା: ଅନାଥ’ପୂଜା’କୁ ବିବାହ କରି ଉଦାହରଣ ପାଲଟିଲେ ହିମାଂଶୁ


    ଆଜିକାଲି ଗରିବ ଝିଅଙ୍କ ବିବାହ କରିବା ବଡ଼ ସମସ୍ୟା । ଯେଉଁଠି ଧନ ଓ ଯୌତୁକ ଦେବାର କ୍ଷମତା ନାହିଁ, ସୌନ୍ଦର୍ଯ୍ୟ ଓ ଶିକ୍ଷାର ଅଭାବ, ବାପାମା ନଥିବା ନିରୀହ ତଥା ଅନାଥ ଝିଅଟିଏ ବିବାହ କରିବ କିପରି ? ଏଭଳି ଅନେକ ପ୍ରଶ୍ନ ମନରେ ଆସୁଥିବା ବେଳେ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକରେ ଉଦାହରଣ ପାଲଟିଛନ୍ତି ଜଣେ ଯୁବକ । ଜଣେ ଅନାଥ ଝିଅକୁ ଜୀବନ ସାଥୀ ଭାବେ ବାଛି ନେଇ ଅଞ୍ଚଳରେ ପ୍ରଶଂସିତ ହୋଇଛନ୍ତି ହିମାଂଶୁ ।

    ସୁନୀତି ଗାଁର ଅନାଥ ଝିଅ ପୂଜା । ପିଲାଟି ବେଳରୁ ମାଙ୍କୁ ହରାଇଛନ୍ତି । ମା’ଉତ୍ତରପ୍ରଦେଶରେ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ କିଛି ବର୍ଷ ପରେ ମା ପୂର୍ଣ୍ଣିମାଙ୍କ ମୃତ୍ୟୁ ଘଟିଥିଲା । ସେତେବେଳେ ପୂଜାଙ୍କ ବୟସ ଥିଲା ୬ ମାସ । ମାମୁଙ୍କ ଘରେ ଲାଳନପାଳନ ହୁଅନ୍ତି ପୂଜା । ଏବେ ବିବାହ ବୟସ ହେବାରୁ ମାମୁଙ୍କ ପାଇଁ ବଢ଼ିଥିଲା ଚିନ୍ତା । କାରଣ ସେ ଗରିବ । ଯୌତୁକ ଦେଇ ଭାଣିଜୀଙ୍କ ବିବାହ ଦେବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ହେଲେ ସାହାରା ପାଲଟିଲେ ଗାଁର ଗୁରୁପଦ ଆଦକଙ୍କ ପୁଅ ହିମାଂଶୁ । ସେ ବିବାହ କରିବା ପାଇଁ ରାଜି ହେବାରୁ ଆରମ୍ଭ ହୋଇଥିଲା ପାଣ୍ଠି ସଂଗ୍ରହ ।

    ରାଜୀବ ଲୋଚନ ମୋଇତି ଏବଂ ଗାଁ ଲୋକଙ୍କ ଉଦ୍ୟମରେ ଯୋଗାଡ଼ ହୋଇଥିଲା କିଛି ଅର୍ଥ । ଶୀତଳା ମନ୍ଦିରରେ ଆରମ୍ଭ ହୋଇଥିଲା ପୂଜା ଏବଂ ହିମାଂଶୁଙ୍କ ବିବାହ ଉତ୍ସବ । ବୈଦିକ ରୀତିନୀତିରେ ସମ୍ପର୍ଣ୍ଣ ପୂଜାଙ୍କ ମଥାରେ ସିନ୍ଦୁର ଦେଇଥିଲେ ହିମାଂଶୁ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ ଭାବେ ବାଛି ନେଇଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିନା ଯୌତୁକରେ ପୂଜାକୁ ବିବାହ କରି ପ୍ରଶଂସା ସାଉଁଟିଛନ୍ତି ହିମାଂଶୁ ।

  • ପହିଲି ରଜ ପୂର୍ବରୁ ସମ୍ବଲପୁରରେ ଦନ୍ତା’ର ଗଲା ଜୀବନ, ବନ ବିଭାଗର ତଦନ୍ତ

    ପହିଲି ରଜ ପୂର୍ବରୁ ସମ୍ବଲପୁରରେ ଦନ୍ତା’ର ଗଲା ଜୀବନ, ବନ ବିଭାଗର ତଦନ୍ତ

    ଆସନ୍ତାକାଲି ରାଜ୍ୟର ଏକ ବଡ଼ ପର୍ବ ମାନେ ରାତି ପାହିଲେ ପହିଲି ରଜ । ଧୁମଧାମରେ ପାଳନ କରିବା ପାଇଁ ସବୁଠି ଜୋରଦାର ପ୍ରସ୍ତୁତି । ସେପଟେ ରଜ ପୂର୍ବରୁ ହାତୀ ମୃତ୍ୟୁ ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

    ଦିନକୁ ଦିନ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସେମାନେ ଅସୁରକ୍ଷିତ ଯୋଗୁଁ ଘଞ୍ଚ ଜଙ୍ଗଲରୁ ବାହାରି ଆସୁଛନ୍ତି । ପରିବେଶର ପ୍ରଭାବ ହେଉ ଅବା ମନୁଷ୍ୟକୃତ ହାତୀଙ୍କ ମୃତ୍ୟୁ ସଂଖ୍ୟା କିନ୍ତୁ ବଢ଼ୁଛି । ସମ୍ବଲପୁର ଜିଲ୍ଲାରେ ପୁଣି ଏକ ଦନ୍ତାର ମୃତ୍ୟୁ ଘଟିଛି । ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

    ସମ୍ବଲପୁର ବନଖଣ୍ଡ ବସିଆପଡ଼ା ସେକ୍ସନ ବସିଆପଡ଼ା ବିଟ୍ ଅଧୀନ ରପ୍ଟା ନିକଟରେ ଦନ୍ତାର ମୃତ୍ୟୁ ଘଟିଛି । ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ବନ ବିଭାଗ । ଏସିଏଫ୍ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସମ୍ବଲପୁର ଜିଲ୍ଲାରେ ଏଭଳି ହାତୀ ମୃତ୍ୟୁ ଘଟଣା ନୂଆଁ ନୁହେଁ । ପୂର୍ବରୁ ବିଭିନ୍ନ ସମୟରେ ଏକାଧିକ ହାତୀର ମୃତ୍ୟୁ ଘଟିଲାଣି । ବାରମ୍ବାର ହାତୀ ମୃତ୍ୟୁ ହେଉଥିବାରୁ ପରିବେଶବିତ୍ ଏବଂ ବନ୍ୟଜନ୍ତୁପ୍ରେମୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏ ଦିଗରେ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବା ଜରୁରୀ ।