Category: ଜିଲ୍ଲା

  • ଯାଜପୁର: ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା, ଆରଟିଆଇ କର୍ମୀଙ୍କ ବିକ୍ଷୋଭ

    ଯାଜପୁର: ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା, ଆରଟିଆଇ କର୍ମୀଙ୍କ ବିକ୍ଷୋଭ

    ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଦୁର୍ନୀତିକୁ ବିରୋଧ କରୁଥିବା ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ପରେ ଜୋରଦାର ବିରୋଧ ହୋଇଛି । ପୋଲିସ ଜାଣିଶୁଣି ରାଜନୈତିକ ଚାପରେ ସୂଚନା ଅଧିକାର କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ଅଭିଯୋଗ ହୋଇଛି ।

    ପୋଲିସ ଉପରେ ରାଜନୈତିକ ଚାପ ରହୁଛି । ଦୁର୍ନୀତି ବିରୋଧରେ ଆନ୍ଦୋଳନ କଲେ କି ପ୍ରତିବାଦ କଲେ ଆକ୍ସନ ନେଉଛି ପୋଲିସ । ବିନା କାରଣରେ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି । ପୂର୍ବରୁ ଦୁର୍ନୀତି ବିରୋଧରେ ଲଢ଼େଇ କରୁଥିବା ଆରଟିଆଇ କର୍ମୀ ସୀମାନ୍ତ ପାତ୍ରଙ୍କ ସମେତ ବହୁ କର୍ମୀଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଛି । ଏବେ ଧର୍ମଶାଳାର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

    ଏହାର ପ୍ରତିବାଦରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ବାହାରିଥିଲା ପ୍ରତିବାଦ ଶୋଭାଯାତ୍ରା । କିଆନାଳୀ ଛକରୁ ଜିଲ୍ଲାପାଳ ଅଫିସ ଯାଏ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶତାଧିକ ଆରଟିଆଇ କର୍ମୀ । ବିନା କାରଣରେ ଏଭଳି ପଦକ୍ଷେପକୁ ନିନ୍ଦା କରାଯାଇଛି । ପୋଲିସର ଏଭଳି ଉଦ୍ୟମ ବନ୍ଦ ହେବା ଆବଶ୍ୟକ ବୋଲି ବିକ୍ଷୋଭକାରୀ କହିଛନ୍ତି । ଏ ନେଇ ସେମାନେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

  • ଯାଜପୁର: ଦାବି ପୂରଣ ପାଇଁ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

    ଯାଜପୁର: ଦାବି ପୂରଣ ପାଇଁ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

    ରାଜ୍ୟସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଆନ୍ଦୋଳନ । ଦାବି ପୂରଣ କର ନଚେତ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ । ଗ୍ରେଡ୍ ପେ ୪୨୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ସେମାନେ ଦାବିକରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

    ଯାଜପୁର ଜିଲ୍ଲାରେ ଅମଲା ମଞ୍ଚ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ । ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଦରମା ନିର୍ଦ୍ଧାରଣ କରାଯାଉ । ଏଥିସହ ବେସିକ ଦରମା ୧୯୦୦ରୁ ୪୨୦୦କୁ ବୃଦ୍ଧି କରିବା ପାଇଁ ଜିଦ୍ ଧରିଛି ରାଜ୍ୟ ଅମଲା ସଂଘ । ରାଜ୍ୟ ଅମଲା ସଂଘର ଆହ୍ୱାନକ୍ରମେ ଗତ ୧ ତାରିଖରୁ ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ସେମାନଙ୍କ ଆନ୍ଦୋଳନ ଯୋଗୁଁ ଯାଜପୁର ଜିଲ୍ଲାରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାପାଳ ଅଫିସ ପରିସରରେ ସେମାନେ ଜୋରଦାର ପ୍ରତିବାଦ କରିଛନ୍ତି ।

    ବାରମ୍ବାର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦିଆଯାଉଛି । ହେଲେ ଏଯାଏ ଦାବି ପୂରଣ ହେଉନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେଣୁ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

  • ଯାଜପୁର: ରାଜନୈତିକ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ୫ ଗୁରୁତର

    ଯାଜପୁର: ରାଜନୈତିକ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ୫ ଗୁରୁତର

    ଯାଜପୁର ବ୍ଳକ୍ ଏରବାଙ୍କ ଅଞ୍ଚଳରେ ଗଣ୍ଡଗୋଳ । ରାଜନୈତିକ ଶତ୍ରୁତାକୁ ନେଇ ଆକ୍ରମଣ । ଯାଜପୁର ଜିଲ୍ଲାର ୩୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁମାର ମାଝିଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

    ଆକ୍ରମଣରେ ବିନୋଦଙ୍କ ପରିବାରର ୩ ଜଣ, ଗ୍ରାମରକ୍ଷୀ ଏବଂ ବିପକ୍ଷ ଗୋଷ୍ଠୀର ଜଣେ ଗୁରୁତର ଆହତ ହୋଇଛନ୍ତି । ରାଜନୈତିକ ପୂର୍ବ ଶତ୍ରୁତାକୁ ନେଇ ଜିଲ୍ଲା ପରିଷଦ ସଭ୍ୟଙ୍କୁ ବିପକ୍ଷ ଗୋଷ୍ଠୀର କିଛି ଲୋକ ରାସ୍ତାରେ ଥଟ୍ଟାମଜା କରିଥିଲେ । ତେବେ ଘଟଣା ଗ୍ରାମରକ୍ଷୀଙ୍କ ଜରିଆରେ ସମାଧାନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଯୁକ୍ତିତର୍କ ଶେଷ ସୀମାରେ ପହଞ୍ଚିବା ପରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପରିବାର ଉପରେ ୩୦ରୁ ଅଧିକ ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ ।

    ଏଥିରେ ତାଙ୍କ ସାନ ଭାଇ ପ୍ରଶାନ୍ତ,ବଡ଼ବାପା ନାରାୟଣ ଓ ବାପା ବୀର କିଶୋରଙ୍କ ସହ ଗ୍ରାମରକ୍ଷୀ ସୁରେନ୍ଦ୍ର ମଲ୍ଲିକ ଗୁରୁତର ହୋଇଥିଲେ । ଆକ୍ରମଣକାରୀଙ୍କ ପକ୍ଷରୁ ବ୍ରଜ କିଶୋର ମଲ୍ଲିକ ମଧ୍ୟ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

  • ମାହାଙ୍ଗା: ବରାହୀପୁରରେ ଶ୍ୱାସରୁଦ୍ଧ ହୋଇ ଶିଶୁର ମୃତ୍ୟୁ !

    ମାହାଙ୍ଗା: ବରାହୀପୁରରେ ଶ୍ୱାସରୁଦ୍ଧ ହୋଇ ଶିଶୁର ମୃତ୍ୟୁ !

    କାର୍‌ ଭିତରେ ଶ୍ୱାସରୁଦ୍ଧ ହୋଇ ୫ ବର୍ଷୀୟ ଶିଶୁର ଜୀବନ ଯାଇଛି । କଟକ ଜିଲ୍ଲା ମାହାଙ୍ଗା ଥାନା ବରାହୀପୁରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବରାହୀପୁର ଗାଁର ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ଘର ଆଗରେ ଏହି କାର୍‌ ଥିବାବେଳେ ଅଘଟଣ ଘଟିଛି । ସୁବାସଙ୍କ ପାଞ୍ଚ ବର୍ଷୀୟ ପୁଅ ସତ୍ୟବ୍ରତ, କାର୍‌ ଚାବି ଆଣି ଡୋର୍‌ ଖୋଲିଥିଲା । ଗାଡ଼ି ଭିତରେ ପଶିବା ପରେ ଆଉ ବାହାରିପାରି ନଥିଲା । ଶିଶୁଟି ସେଇ କାର୍‌ ମଧ୍ୟରେ ପଡ଼ିଯାଇଥିବା ବେଳେ ଅସହ୍ୟ ଗରମ ଯୋଗୁଁ ମୃତ୍ୟୁ ହୋଇଥିଲା ।

    ସେପଟେ, ଶିଶୁକୁ ନପାଇ ଘର ଲୋକ ବହୁ ଖୋଜାଖୋଜି କରିଥିଲେ । ଅପରାହ୍ଣ ୨ଟା ବେଳେ କାର୍ ଭିତରେ ଶିଶୁ ପଡ଼ିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ଅଚେତ ଅବସ୍ଥାରେ କାର୍‌ ମଧ୍ୟରୁ ଉଦ୍ଧାର କରି ମାହାଙ୍ଗା ମେଡିକାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ମାହାଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ମାହାଙ୍ଗା ଥାନା ପୋଲିସ । ଏଥିସହ ଶବ ବ୍ୟବଚ୍ଛେଦ କରାଇଛି ପୋଲିସ । ସାମାନ୍ୟ ଅସାବଧାନତା ହେତୁ ଶିଶୁଟିର ଜୀବନ ଚାଲିଗଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେଣୁ କୁହାଯାଏ ମୃତ୍ୟୁ କେତେବେଳେ ଓ କିପରି ଆସିବ କେହି ଜାଣନ୍ତି ନାହିଁ । ଶିଶୁର ମୃତ୍ୟୁ ଏଭଳି ସ୍ଥିତିରେ ଘଟିବ ବୋଲି ପରିବାର ଲୋକେ ବିଶ୍ୱାସ କରିପାରୁ ନାହାଁନ୍ତି ।

  • ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରୁ ଆୟ ବହିର୍ଭୂତ ୨୬୮% ସମ୍ପତ୍ତି ଠାବ

    ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରୁ ଆୟ ବହିର୍ଭୂତ ୨୬୮% ସମ୍ପତ୍ତି ଠାବ

    ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରୁ ଆୟ ଠାରୁ ୨୬୮%ରୁ  ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏହାର ଯଥେଷ୍ଠ ପ୍ରମାଣ ପାଇବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ  ଶନିବାର ଗିରଫ କରିଛି ଭିଜିଲାନ୍ସ। ଏନେଇ ଭିଜିଲାନ୍ସ ପକ୍ଷରୁ ଦିଆଯାଇଛି ବିସ୍ତୃତ ବିବରଣୀ।

    ତଥ୍ୟ ଅନୁସାରେ,  ବ୍ରଜେନ୍ଦ୍ର ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ୱରର ନାମୀ ଦାମୀ ଅଞ୍ଚଳରେ ମୋଟ୍ ୫ଟି କୋଠା ରହିଛି। ଭୀମଟାଙ୍ଗୀ ହାଉସିଂ କଲୋନୀ ଓ ଶିଶୁପାଳଗଡ଼ରେ ତାଙ୍କର ଗୋଟିଏ ଲେଖାଏ ଦୁଇ ମହଲା କୋଠା ଥିବା ବେଳେ ରାଜାରାଣୀ କଲୋନୀ ପାଖରେ ଦୁଇଟି ତିନି ମହଲା ବିଶିଷ୍ଟ କୋଠା ଅଛି। ସେହିଭଳି ଲୁଇସ ରୋଡ୍‌ର ଗ୍ୟାରେଜ ଛକରେ ତାଙ୍କର ଆଉ ଗୋଟିଏ ତିନି ମହଲା କୋଠା ଅଛି।

    ଏହା ବ୍ୟତୀତ ତାଙ୍କର ୭ଟି ପ୍ଲଟ ବା ଜମି ରହିଛି। ଏଥିରୁ ୨ଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ଥିବା ବେଳେ ଅନ୍ୟ ୫ଟି ନିଜ ଗ୍ରାମ ନିମାପଡ଼ା ଅଞ୍ଚଳରେ ରହିଛି। ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗରଡ଼ିରେ ଗ୍ରାମରେ ତାଙ୍କର ଏକ ଫାର୍ମ ହାଉସ ରହିଛି। ଏହା ସହ ନିମାପଡ଼ା ବଜାରରେ ତାଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ଅଛି, ଯେଉଁଥିରେ ୧୦ଟି ଦୋକାନ ଅଛି।

    ବ୍ୟାଙ୍କ ଓ ବୀମା ଜମା ବାବଦକୁ ବ୍ରଜେନ୍ଦ୍ର କୁମାର ନାୟକ ୧ କୋଟି ୫୦ ଲକ୍ଷ ଟଙ୍କା ରଖିଛନ୍ତି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି। ଏହା ବାଦ୍ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରେ ଥିବା ୟୁକୋ ବ୍ୟାଙ୍କ୍ ଲକରରେ ୬୪୪ ଗ୍ରାମ ଓଜନର ଗହଣା ଆଜି ଜବତ କରିଛି ଭିଜିଲାନ୍ସ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୫ଲକ୍ଷ ଟଙ୍କା ହେବ।

  • ରାୟଗଡ଼ା: ଅମ୍ବାଦଳା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

    ରାୟଗଡ଼ା: ଅମ୍ବାଦଳା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

    ବାହାନଗା ଦୁର୍ଘଟଣା ପର ଠାରୁ ରେଳ ବିଭାଗରେ ଅଘଟଣ ଘଟିବାରେ ଲାଗିଛି । କେଉଁଠି ନା କେଉଁଠି ରେଳ ବିଭାଗରେ ସମସ୍ୟା ଦେଖାଦେଉଛି । ଆଜି ପୁଣି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଷ୍ଟେସନ ନିକଟରେ ବେଦାନ୍ତର ବକ୍ସାଇଟ୍ ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଏହି ଟ୍ରେନ୍ ଲାଞ୍ଜିଗଡ଼ ବେଦାନ୍ତ ପ୍ଲାଣ୍ଟକୁ ଯାଉଥିବା ବେଳେ ତିନିଟି ବଗି ରେଳ ଧାରଣରୁ ଖସି ପଡ଼ିଛି ।

    ଷ୍ଟେସନ ନିକଟରେ ବଗି ଲାଇନଚ୍ୟୁତ୍ ଯୋଗୁଁ ରେଳ ଯାତାୟାତ ବ୍ୟାହତ ହୋଇଥିଲା । ଦୁର୍ଘଟଣାରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ତେବେ ପ୍ରତିଦିନ କିଛିନା କିଛି ଟ୍ରେନ୍ ଦୁର୍ଘଟଣା ଘଟୁଛି । କେଉଁଠି ବଗି ଲାଇନଚ୍ୟୁତ ତ ଆଉ କେଉଁଠି ଇଞ୍ଜିନ ଓ ବଗି ଅଲଗା ହେଉଛି । ଏଭଳି କ୍ରମାଗତ ଟ୍ରେନ୍ ଦୁର୍ଘଟଣା ଯାତ୍ରୀଙ୍କୁ ଅଡୁଆରେ ପକାଇଛି । ରେଳରେ ଯାତ୍ରା କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି ଯାତ୍ରୀ । ସେମାନଙ୍କ ଭୟ ଓ ଆତଙ୍କ ଦୂର କରିବା ପାଇଁ ରେଳ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇଛି । ସେପଟେ, ଦୁର୍ଘଟଣାଗ୍ରସ୍ତ ମାଲବାହୀ ଟ୍ରେନକୁ ଖୁବଶୀଘ୍ର ଲାଇନ ଉପରକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ।

    ଜୁନ୍ ୨ ତାରିଖରେ ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା । ଏସସିବିରେ ଚିକିତ୍ସିତ ଜଣେ ବାହିରୀ ଯାତ୍ରୀଙ୍କ ଆଜି ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୧ ଛୁଇଁଛି । ବିଭିନ୍ନ ମେଡିକାଲରେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କ ମଧ୍ୟରୁ କେହି କେହି ଜୀବନ ହାରୁଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।

  • ଖୁବଶୀଘ୍ର ସ୍ପେଶାଲ ଡ୍ରାଇଭ୍, ପାଇନଥିବା ହିତାଧିକାରୀ ପାଇବେ BSKY କାର୍ଡ

    ଖୁବଶୀଘ୍ର ସ୍ପେଶାଲ ଡ୍ରାଇଭ୍, ପାଇନଥିବା ହିତାଧିକାରୀ ପାଇବେ BSKY କାର୍ଡ

    ଆସନ୍ତା ୬ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପେଶାଲ ଡ୍ରାଇଭ କରିବେ । ଯେଉଁମାନେ BSKY କାର୍ଡ ପାଇନାହାଁନ୍ତି,ସେମାନଙ୍କୁ କାର୍ଡ ମିଳିବ ବୋଲି କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । କନ୍ଧମାଳ ଦାରିଙ୍ଗବାଡ଼ି ମିନି ଷ୍ଟାଡିଅମରେ ଲୋକଙ୍କୁ ଏଭଳି ସୂଚନା ଦେଇଛନ୍ତି 5T ସଚିବ । ଲୋକଙ୍କ ସମସ୍ୟା ଓ ସୁଖଦୁଃଖ ବୁଝିବା ପାଇଁ 5T ସଚିବଙ୍କୁ କନ୍ଧମାଳ ପଠାଇଥିଲେ ମୁଖ୍ୟମନ୍ତ୍ରୀ ।

    ହିତାଧିକାରୀଙ୍କ ନିକଟରୁ ଯେତିକି ଦରଖାସ୍ତ ମିଳିଛି ସେସବୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଜଳସେଚନ କାମ ଶେଷ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଜଗନ୍ନାଥ ମନ୍ଦିର,ମା’ମନ୍ଦିର,କମ୍ୟୁନିଟି ସେଣ୍ଟର,ସାଇବାବା ମନ୍ଦିର,ହନୁମାନ ମନ୍ଦିର, ଚର୍ଚ୍ଚ ଏବଂ ମସଜିଦର ଉନ୍ନତି ପାଇଁ ଦାବିପତ୍ର ଦେଇଛନ୍ତି ସେଠିକାର ବାସିନ୍ଦା । ଖୁବଶୀଘ୍ର ଏ ନେଇ ଖୁସି ଖବର ମିଳିବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ ।

    ଦାରିଙ୍ଗବାଡ଼ିର ଘରେ ଘରେ ପାନୀୟ ଜଳ ପହଞ୍ଚାବାକୁ ୧୧୨ କୋଟି ମଞ୍ଜୁର କରିଛନ୍ତି ସରକାର । ଆସନ୍ତା ଡିସେମ୍ବର ଅର୍ଥାତ୍ ୬ ମାସ ମଧ୍ୟରେ ହସ୍ପିଟାଲ ରୂପାନ୍ତର କାର୍ଯ୍ୟ ସରିବ । 5T ସ୍କୁଲ ରୂପାନ୍ତର, ପର୍ଯ୍ୟଟନ କ୍ଷେତ୍ରର ବିକାଶ, ବସଷ୍ଟାଣ୍ଡ ଓ ୩ଟି ସେତୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିବେ । ଦାରିଙ୍ଗବାଡ଼ି ଓଡ଼ିଶାର ସବୁଠାରୁ ସୁନ୍ଦର ଜାଗା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମଧୁବାବୁ ଭତ୍ତା ପାଇଁ ଆଉ ଦୂର ବ୍ୟାଙ୍କକୁ ଯିବାକୁ ପଡ଼ିବ ନାହିଁ । ତେଣୁ ଏହାକୁ ପଞ୍ଚାୟତରେ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଲୋକଙ୍କ ସହ ହାତ ମିଳାଇ ସେଲ୍ଫି ନେଇଥିଲେ 5T ସଚିବ ଭି.କେ.ପାଣ୍ଡିଆନ ।

  • ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଅଡୁଆରେ ରାମଚନ୍ଦ୍ର

    ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଅଡୁଆରେ ରାମଚନ୍ଦ୍ର

    ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ । ଅଡୁଆରେ ମୟୂରଭଞ୍ଜ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ୱ ସହାୟକ ରାମଚନ୍ଦ୍ର ସେନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ଏକକାଳୀନ ବିଭିନ୍ନ ସ୍ଥାନରେ ଛାପା ମାରିଛି ବିଭାଗ ।

    କୁଳିଅଣା ବ୍ଲକ୍ ପଢ଼ିଆରୀପୁରସ୍ଥିତ ୪ ମହଲା କୋଠା, ରଘୁନାଥଗଞ୍ଜରେ ଥିବା ୩ ମହଲା କୋଠା, ଉପଜିଲ୍ଲାପାଳଙ୍କ ଅଫିସ, ରାମଚନ୍ଦ୍ରଙ୍କ ଶ୍ୱଶୁର ଘର ଏବଂ ଶାମାଖୁଣ୍ଟା ବ୍ଲକ ଅଧୀନ ଖଣ୍ଡିଆସ୍ଥିତ ବାସଭବନ ଓ ସମଖୁଣ୍ଟା ତହସିଲଦାରଙ୍କ କାର୍ଯ୍ୟାଳୟ ସମେତ ସେନଙ୍କ ପୁଅଙ୍କ ଅଫିସ୍ ରୁମରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।

    ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିଲେ ରାମଚନ୍ଦ୍ର ସେନ । ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଶେଷରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ସର୍ଚ୍ଚ ୱାରେଣ୍ଟ ଜାରି କରିବା ପରେ ରେଡ୍ କରିଛି ଟିମ୍ । ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୫ ଡିଏସପି, ୭ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

  • ପୁରୀ: ୨୦ ତାରିଖରେ ରଥଯାତ୍ରା, ଦର୍ପଦଳନ ରଥ ଅଖରେ ଫାଟ

    ପୁରୀ: ୨୦ ତାରିଖରେ ରଥଯାତ୍ରା, ଦର୍ପଦଳନ ରଥ ଅଖରେ ଫାଟ

    ଆସନ୍ତା ୨୦ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ରଥ କାମ ଶେଷ ପର୍ଯ୍ୟାୟରେ ଥିବାବେଳେ ରଥ ଅଖରେ ଫାଟ ଦେଖାଦେଲାଣି ।


    ଦେବଦଳନ ରଥ ଅଖରେ ଫାଟ ଦେଖାଦେବା ପରେ ଟେନସନ ବଢ଼ିଛି । ରଥ ଅଖରେ ଫାଟ ଅଧିକ ଦିଶୁଛି । ଫାଟ ଥିବାରୁ ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି । ସେପଟେ, ଅଖରେ ଥିବା ବଟମ୍ ପ୍ୟାକିଂ ଓ କ୍ଲାମ୍ପ୍ ଫିଟିଂ କରାଯାଇଛି । ଖୁବଶୀଘ୍ର ଦେବଦଳନ ରଥ ମରାମତି କାମ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ମହାରଣା ସେବକ ।

    ଏହା ଏକ ସାଧାରଣ ଘଟଣା ବୋଲି ସେମାନେ କହିଛନ୍ତି । ଏହାଦ୍ବାରା କୌଣସି ଅସୁବିଧା ହେବ ନାହିଁ ବୋଲି ଦଇତାପତି ସେବାୟତମାନେ କହିଛନ୍ତି । ରଥ ଯାଞ୍ଚ କମିଟି ତଦାରଖ କରିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଉଛି । ୨୦ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହାପୂର୍ବରୁ ସୁଭଦ୍ରାଙ୍କ ରଥକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଲାଣି। ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସୁଧାରିବାକୁ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହୋଇଛି ।

    ସେପଟେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି । କଳା,ଧଳା,ନାଲି,ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଏବେ ରଥ ଖଳାରେ ଚିତ୍ରକର ସେବକ ରଙ୍ଗ କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପାର୍ଶ୍ବଦେବଦେବୀ ଲଗାଯିବା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

  • କେନ୍ଦୁଝର: ଚମ୍ପୁଆ ରେଞ୍ଜରେ ଏକର ଏକର ଧାନ ଫସଲ ନଷ୍ଟ କଲେ ହାତୀପଲ

    କେନ୍ଦୁଝର: ଚମ୍ପୁଆ ରେଞ୍ଜରେ ଏକର ଏକର ଧାନ ଫସଲ ନଷ୍ଟ କଲେ ହାତୀପଲ

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ବଢୁଛି ହାତୀପଲଙ୍କ ଉପଦ୍ରବ । କେତେବେଳେ ଫସଲ ତ ଆଉ କେତେବେଳେ ନଷ୍ଟ କରୁଛନ୍ତି ଘରଦ୍ୱାର । ବେଳେବେଳେ ହାତୀ ଆକ୍ରମଣରେ ଜୀବନ ହରାଉଛନ୍ତି ଲୋକେ । ଗାଁ ନିକଟ ଜଙ୍ଗଲରେ ହାତୀପଲ ଡେରା ପକାଇଥିବାରୁ ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକେ ।

    କୁଗୁରୁବାର ଅଞ୍ଚଳରେ ବୁଲୁଛନ୍ତି ୨୨ଟି ହାତୀ । ଗାଁ ଲୋକେ ଖରାଟିଆ ଧାନ ଫସଲ କରି ଚିନ୍ତାରେ । କାରଣ ନଷ୍ଟ ହେଉଛି ଏକର ଏକର ଧାନଫସଲ । ବିଲରେ ଧାନ ଖାଇବା ସହ ଦଳ ଚକଟି ଏହାକୁ ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି ହାତୀ । କେବଳ ଏତିକି ନୁହଁ, ଖରାଦିନ ଥିବାରୁ ଆମ୍ବ, ପଣସ ଖାଇବା ପାଇଁ ଗଛ ଭାଙ୍ଗି ଦେଉଛନ୍ତି । ଗାଁ ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି ହାତୀ ପଲ । କେଉଁ ମୁହୂର୍ତ୍ତରେ ଗାଁ ଭିତରେ ପଶିବେ ସେ ନେଇ ଭୟଭୀତ ଅଛନ୍ତି ଲୋକେ ।

    ଗାଁ ନିକଟରେ ହାତୀ ପଲ ଥିବାରୁ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ତୁରନ୍ତ ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି ।