Category: ଜିଲ୍ଲା

  • ରାଜନଗର: ବାସନ ମାଜୁଥିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର

    ରାଜନଗର: ବାସନ ମାଜୁଥିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର

    ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡ଼ି ଗାଁରେ ଅଭାବନୀୟ ଘଟଣା । କୁମ୍ଭୀର ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ୪୫ ବର୍ଷୀୟ ସୀତାରାଣୀ ଦାସ । ପୋଖରୀରେ ବାସନ ମାଜୁଥିବା ବେଳେ ତାଙ୍କୁ ଟାଣି ନେଇଥିଲା କୁମ୍ଭୀର । କେନାଲରେ ଥିବା ଦଳ ଭିତରୁ ମିଳିଲା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ।

    ଆଜି ଅପରାହ୍ଣ ୨ଟା ବେଳେ ଘର ପଛପଟରେ ଥିବା ପୋଖରୀରେ ବାସନ ମାଜୁଥିଲେ ସୀତାରାଣୀ ଦାସ । ହାଠତ୍ ଏକ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ସେ ଚିତ୍କାର କରିଥିଲେ ସୁଦ୍ଧା ଆକ୍ରମଣରୁ ବର୍ତ୍ତିପାରି ନଥିଲେ । ଚଡ଼ଦିଆ କେନାଲରେ ଥିବା ଦଳ ଭିତରେ ମହିଳାଙ୍କୁ ରଖିଥିଲା । ରାଜନଗର ବନବିଭାଗ ଓ ଅଗ୍ନିଶମ ବାହିନୀ ଜେସିବି ସାହାଯ୍ୟରେ କେନାଲ ଦଳ ସଫା କରିଥିଲେ । ଆଉ ଶେଷରେ ଉଦ୍ଧାର ହୋଇଥିଲା ମହିଳାଙ୍କ ମୃତଦେହ ।

    ଘଟଣାକୁ ନେଇ ରାଜନଗର ଭିତରକନିକା ରାସ୍ତା ହାତିଆଗଡ଼ି ନିକଟରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକେ । କ୍ଷତିପୂରଣ ପ୍ରଦାନ ସହ ସମସ୍ୟାର ସମାଧାନ ପାଇଁ ସେମାନେ ଦାବି କରିଥିଲେ । ତହସିଲଦାର ପହଞ୍ଚି ବୁଝାସୁଝା କରିବା ପରେ ହଟିଥିଲା ରାସ୍ତାରୋକ । ଗତ ୧୪ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ୍ ନିମପୁର ଗାଁରୁ ଜଣେ ନାବାଳକକୁ କୁମ୍ଭୀର ଟାଣିନେଇ ମାରି ଦେଇଥିଲା । ରାଜନଗର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଆକ୍ରମଣ ଘଟଣା ବାରମ୍ବାର ଘଟୁଥିବା ବେଳେ ପ୍ରଶାସନର ନିରବତା ନେଇ ଉଠିଛି ପ୍ରଶ୍ନ ।

  • ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ

    ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ


    ପବିତ୍ର ରଥଯାତ୍ରା-୨୦୨୩ ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଗତକାଲି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଭୋଳାନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ସହିତ ଆୟୋଜିତ ଏହି ଫଟୋଚିତ୍ର ପ୍ରଦର୍ଶନୀରେ ଚନ୍ଦନ ଯାତ୍ରା ଠାରୁ ଆରମ୍ଭ କରି ଅଧରପଣା ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ନୀତି, ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ଭୋଗ ଓ ପର୍ବପର୍ବାଣି, ସମୟ ଚକ୍ରରେ ଶ୍ରୀମନ୍ଦିର ଏବଂ ବିଦେଶୀ ଓ ଭାରତୀୟ ମୁଦ୍ରାରେ ଶ୍ରୀମନ୍ଦିର ଆଦି ବିରଳ ଓ ଦୁର୍ଲ୍ଲଭ ଫଟୋ ପ୍ରଦର୍ଶିତ ହୋଇଛି ।

    ତତ୍ ସହିତ, ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରମୁଖ ଜନହିତକର ଯୋଜନା ଓ ଉପଲବ୍ଧି, କୃଷି ବଜେଟ୍, ମୋ ଘର, ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କୁ ନଗଦ ଆକାରରେ ଅର୍ଥ ପ୍ରଦାନ, ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ରାଜ୍ୟ ସରକାରଙ୍କୁ ପ୍ରଦତ୍ତ ସମ୍ମାନ ସମ୍ପର୍କୀତ ତଥ୍ୟ ଓ ଫଟୋଚିତ୍ର ସ୍ଥାନିତ ହୋଇଛି । ଏଥି ସହିତ, ପ୍ରଦର୍ଶନୀ ମଣ୍ଡପର ବାହାର କାନ୍ଥରେ ନେତ୍ରୋତ୍ସବ ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି ନିର୍ଘଣ୍ଟର ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯାଇଛି ।

    ଏହି ପ୍ରଦର୍ଶନୀ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୦ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ ।ପ୍ରଦର୍ଶନୀ ଉଦଘାଟନ ସମୟରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅମାତଙ୍କ ସହିତ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ, ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ମାନ୍ୟବର ପୁରୀ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ମାନ୍ୟବର ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଦର୍ଶନୀରେ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

  • ଶ୍ରୀକ୍ଷେତ୍ର ଚଳଚଞ୍ଚଳ, ଅଟକି ରହିଥିବା ରଥ ଆଜି ଟାଣିଲେ ଶ୍ରଦ୍ଧାଳୁ

    ଶ୍ରୀକ୍ଷେତ୍ର ଚଳଚଞ୍ଚଳ, ଅଟକି ରହିଥିବା ରଥ ଆଜି ଟାଣିଲେ ଶ୍ରଦ୍ଧାଳୁ


    ପୁରୀ ବଡଦାଣ୍ଡରେ ପୁଣି ଗଡିଲା ରଥ । କାରଣ ଗତକାଲି ଅଧା ବାଟରେ ଅଟକି ରହିଥିଲା ଦେବଦଳନ ଏବଂ ନନ୍ଦିଘୋଷ ରଥ। କେବଳ ବଡ଼ଭାଇ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଶରଧାବାଲିରେ ଲାଗିଥିଲା। ଭଉଣୀ ଶୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଙ୍ଖ ଠାରେ ଅଟକି ଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ଅଟକି ରହିଥିଲା ।କାଲି ବଡଦାଣ୍ଡରେ ଅଟକିଥିବା ଦୁଇ ରଥକୁ ଟାଣି ନେଉଚନ୍ତି ସ୍ରଦ୍ଧାଳୁ । ଏବେ ନଦିଘୋଷ ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଆସନ୍ତାକାଲି ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୁରତି। ଶୁକ୍ରାବର ଦିନ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇପାରିବେ। ଏପଟେ ବଳଭଦ୍ରଙ୍କ ରଥ ସରଧାବାଲିରେ ଲାଗିବା ପୂର୍ବରୁ ରାତି ହୋଇଯାଇଥିବାରୁ ସନ୍ଧ୍ୟା ପରେ ରଥ ଟଣାଯିବାକୁ ନେଇଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।ନିର୍ଘଣ୍ଟ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଗତକାଲି ରଥ ନପହଞ୍ଚି ପାରିବା ନେଇ ବହୁ ଭକ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶାସ୍ତ୍ରରେ ଉଲ୍ଲେଖ ଥିବା ମତ ଓ ବହୁବର୍ଷ ଧରି ଚାଲି ଆସୁଥିବା ବ୍ୟବସ୍ଥା ଭିତରେ ଅନ୍ତର ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ ମତ ପ୍ରକାଶ କରିଛନ୍ତି।

  • ଯାଜପୁରରେ ଆନ୍ତର୍ଜାତିକ ଯୋଗ ଦିବସ ।

    ଯାଜପୁରରେ ଆନ୍ତର୍ଜାତିକ ଯୋଗ ଦିବସ ।


    ଆଜି ଆନ୍ତର୍ଜାତିକ ଯୋଗ ଦିବସ । ଏହି ଅବସରରେ ଯାଜପୁର ସଂସ୍କୃତି ଭବନ ପରିସରରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ପତଞ୍ଜଳି ଯୋଗ ସମିତି ପକ୍ଷରୁ ଆୟୋଜିତ ଏହି ଶିବିର କୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଦିବ୍ୟ ଲୋଚନ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯାଜପୁର ପୌରପାଳିକାର ଅଧକ୍ଷା ରଞ୍ଜୁଲତା ହୋତା ଯୋଗ ଦେଇ ଯୋଗ ର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ପୌର ଉପଧାକ୍ଷ ସନ୍ତୋଷ କୁମାର ମଲ୍ଲିକ ମଣିଷ ଜୀବନକୁ ସୁସ୍ଥ ଓ ନିରୋଗ ରଖିବାରେ ଯୋଗ ସହାୟକ ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ ।

    ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲାପାଳ କୁଳମଣି ନାୟକ, ଯୋଗ ସମିତିର ସଭାପତି ପ୍ରବୋଦ କୁମାର ନାୟକ ଙ୍କ ସମେତ ବହୁ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ଏହି ଶିବିରରେ ଯୋଗ ଗୁରୁ ସୁବାଷ ତ୍ରୀପାଠୀ,ମନ୍ମଥ ସାମଲ ଏବଂ ଗୋପିନାଥ ସେଠୀଙ୍କ ପରିଚାଳନା ରେ ବିଭିନ୍ନ ସ୍କୁଲ, କଲେଜ ଓ ସ୍କାଉଟ ଗାଇଡ ର ଛାତ୍ର ଛାତ୍ରୀ ,ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟଙ୍କ ସମେତ ଶତାଧିକ ସହରବାସୀ ଉପସ୍ଥିତ ରହି ସାମୁହିକ ଯୋଗାଭ୍ୟାସ କରିଥିଲେ। ଋତୁପର୍ଣା ସାହୁ ଓ କିରଣ କୁମାର ମଲ୍ଲିକ ମଞ୍ଚ ରେ ଯୋଗ ପ୍ରଦର୍ଶନ କରିଥିବା ବେଳେ ପରିଶେଷରେ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

  • ଘୋଷଯାତ୍ରା ପାଇଁ ରଥ-ପଥ-ଭକ୍ତ ପ୍ରସ୍ତୁତ

    ଘୋଷଯାତ୍ରା ପାଇଁ ରଥ-ପଥ-ଭକ୍ତ ପ୍ରସ୍ତୁତ


    ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। ସିଂହଦ୍ୱାର ଆଗରେ ଅପେକ୍ଷା କରିଛନ୍ତି ତିନି ରଥ। ଅପେକ୍ଷା କରିଛନ୍ତି ଅଗଣିତ ଭକ୍ତ। କେତେବେଳେ ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇବେ ପ୍ରଭୁ । ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ତିନି ଠାକୁର। ସିଂହଦ୍ବାର ବି ଅପେକ୍ଷାରତ କେତେବେଳ ମହାବାହୁ ତାଙ୍କ ବାଟ ଦେଇ ଯିବେ। ଏଣେ ବଡ଼ଦାଣ୍ଡକୁ ଅବତରିତ ହେବା ପୂର୍ବରୁ ଶ୍ରୀଜିଉଙ୍କ ନୀତିକାନ୍ତି ଆଗେଇ ଚାଲିଛି। ମଙ୍ଗଳବାର ସକାଳ ୬ଟାରେ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି ଓ ଅବକାଶ, ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଚାଲିଛି।ବେଶ ଶେଷ ହୋଇ ୮ଟାରୁ ୯ଟା ଖେଚୁଡ଼ି ଭୋଗ ହେବ। ଏହାପରେ ସକାଳ ୯ଟାରେ ରଥ ପ୍ରତିଷ୍ଠା ହେବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ଖୁଣ୍ଟିଆ ‘ମଣିମା’ ଡାକ ଦେବା ସହିତ ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହେବ। ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୧୨ଟାରେ ପହଣ୍ଡି ଶେଷ ହେବ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ଲାଗି ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯାଇଛି। ଏବେଠାରୁ ବଡ଼ଦାଣ୍ଡରେ ବହୁ ଭକ୍ତଙ୍କ ସମାଗମ ହେଲାଣି।ତିନିରଥରେ ଶ୍ରୀଜିଉଙ୍କ ରୁନ୍ଧା ସହ ଚାରମାଳ ଫିଟା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ରଥଯାତ୍ରା ନିମନ୍ତେ ପୁରୀରେ ହୋଇଛି ବ୍ୟାପକ ବନ୍ଦୋବସ୍ତ। ୧୮୦ ପ୍ଲାଟୁନ୍ ଫୋର୍ସ ସହିତ ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଓ ଜାହାଜ ମୁତୟନ ହୋଇଛି। ସିସିଟିଭି ଓ ଡ୍ରୋନ ଦ୍ୱାରା ପୂରା ସହର ଉପରେ ରଖାଯାଇଛି ନଜର।

  • ପୁରୀ: ଶ୍ରୀଜିଉଙ୍କ ବନକଲାଗି ନୀତି, ଶାନ୍ତିଶୃଙ୍ଖଳାର ସହ ଦର୍ଶନ

    ପୁରୀ: ଶ୍ରୀଜିଉଙ୍କ ବନକଲାଗି ନୀତି, ଶାନ୍ତିଶୃଙ୍ଖଳାର ସହ ଦର୍ଶନ

    ବନକଲାଗି ନୀତି ପରେ ନବଯୌବନ ପ୍ରାପ୍ତି ହୋଇଛନ୍ତି ଶ୍ରୀଜିଉ । ଶ୍ରୀମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ । ସ୍ନାନପୂର୍ଣ୍ଣିମାରେ ସ୍ନାନ କରି ୧୫ ଦିନ ପରେ ଭକ୍ତଙ୍କୁ ଦେଉଛନ୍ତି ଶ୍ରୀଜିଉ ।

    ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ । ମହାପ୍ରଭୁଙ୍କ ଅନନ୍ୟ ବେଶ ଦର୍ଶନ କରି କୋଟି ପୁଣ୍ୟ ପାଇଥାନ୍ତି ଶ୍ରଦ୍ଧାଳୁ । ପ୍ରାୟ ୩ ଘଣ୍ଟାର ଦର୍ଶନ ବ୍ୟବସ୍ଥା ଥିବାବେଳେ ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ । ପରିମାଣିକ ଟିକେଟ କିଣିଥିବା ଶ୍ରଦ୍ଧାଳୁମାନେ ଦକ୍ଷିଣ ଦ୍ୱାର ଦେଇ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ନବଯୌବନ ଦର୍ଶନ କରଛନ୍ତି । ସେହିପରି ସକାଳ ୯ଟାରୁ ଦିନ ୧୧ଟା ଯାଏ ସାହାଣ ମେଳା ଦର୍ଶନ କରିଛନ୍ତି ଭକ୍ତ । ଆସନ୍ତାକାଲି ରଥାରୂଢ଼ ହୋଇ ନବଦିନାତ୍ମକ ଯାତ୍ରାରେ ଯିବେ ଶ୍ରୀବିଗ୍ରହ ।

    ସେପଟେ ରଥଖଳାରେ ତିନି ରଥରେ ଆଜ୍ଞାମାଳ ପରେ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବ ରଥ । ଆଜ୍ଞାମାଳ ବିଜେ ପରେ ପୋଲିସ ପ୍ରଶାସନ,ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ନେବେ । ତିନି ରଥକୁ ଉତ୍ତରମୁହାଁ କରି ରଖାଯିବା ପରେ ତିନି ରଥରେ ଠାକୁରଙ୍କୁ ବିଜେ କରାଯିବ । ଏହାପରେ ଆରମ୍ଭ ହେବ ରଥଟଣା । ଆଜି ଶାନ୍ତିଶୃଙ୍ଖଳାର ସହ ନବଯୌବନ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।

    ଆସନ୍ତାକାଲି ଘୋଷଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ଟ୍ରାଫିକ ବ୍ୟବସ୍ଥା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ପୁରୀ ଏସପି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।

  • ଅନୁଗୁଳ: ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଧରିଲା ଅବକାରୀ ଟିମ୍

    ଅନୁଗୁଳ: ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଧରିଲା ଅବକାରୀ ଟିମ୍

    ଅନୁଗୁଳରେ ଅବକାରୀ ବିଭାଗକୁ ସଫଳତା ମିଳିଛି । ଜଣେ ବ୍ରାଉନସୁଗାର ବେପାରୀକୁ ଧରିବାରେ ସଫଳ ହୋଇଛି ଟିମ୍ । ତା ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି ।

    ଅନୁଗୁଳ ଜିଲ୍ଲା କନ୍ୟାବେଡା ଗାଁର ଅନିଲ ସାହୁ ଏବେ ଧରାପଡ଼ିଛି । ଦୀର୍ଘଦିନ ହେଲା ସେ ବ୍ରାଉନସୁଗାର ବେପାର କରି ଆସୁଥିବା ବେଳେ ଧରା ପଡୁନଥିଲା । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ତା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିଲା । ବ୍ରାଉନସୁଗାର ଧରି ବିକ୍ରି କରିବାକୁ ଯାଉଥିଲା ଅନିଲ ସାହୁ । ଖବର ପାଇ ଅବକାରୀ ଟିମ୍ ଜାଲ ବିଛାଇଥିଲା । ଅନିଲ ଏକ ଅଟୋରେ ଯାଉଥିବା ବେଳେ କୁକୁଡ଼ାଙ୍ଗ ନିକଟରେ ତାକୁ ଧରିଥିଲା ଟିମ୍ । ତା ନିକଟରୁ ୧୨୫ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୫୦ ହଜାର ଟଙ୍କା ହେବ ।

    ରାଜ୍ୟରେ ଏବେ ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ବେପାର ଜୋରସୋରରେ ଚାଲିଛି । ଏହାକୁ ରୋକିବା ପାଇଁ ଅବକାରୀ ଟିମ୍ ଏବଂ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି । ଏ ଦିଗରେ ସଫଳତା ମିଳୁଥିଲେ ସୁଦ୍ଧା ବେପାରୀମାନେ ବିଭିନ୍ନ ଉପାୟରେ ବ୍ରାଉନସୁଗାର ବିକ୍ରି କରି ବେଶ୍ ଲାଭବାନ ହେଉଛନ୍ତି । ତେଣୁ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଅଭିଯାନକୁ ଜୋରଦାର କରିଛି ଅବକାରୀ ଟିମ୍ ।

  • ରଥ ନିର୍ମାଣ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ

    ରଥ ନିର୍ମାଣ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ

    ଶେଷ ପର୍ଯ୍ୟାୟରେ ଏବେ ରଥ ନିର୍ମାଣ । ଆଉ ମଝିରେ ଗୋଟିଏ ଦିନ। ମଙ୍ଗଳବାର ଟଣାହେବ ରଥ। ତେଣୁ ସେବାୟତମାନେ ରଥର ପ୍ରତ୍ୟେକ ଅଂଶକୁ ତନ ତନ କରି ନିରୀକ୍ଷଣ କରି ତ୍ରୁଟି ସୁଧାରୁଛନ୍ତି। ଏଥିସହ ମହାରଣା ସେବକ ଏବଂ ଭୋଇ ସେବକମାନେ ରଥ ସମ୍ମୁଖ ଭାଗକୁ ଛାଡି ରଥ ତିନି ପାର୍ଶ୍ୱରେ ଲାଗିଥିବା ତିନୋଟି ଲେଖାଁଏ ୯ ଟି ଜଳଯନ୍ତ୍ରରେ ପାର୍ଶ୍ୱ ଦେବା- ଦେବୀ ଙ୍କୁ ଜଳଯନ୍ତ୍ର ଖାପରେ ସଂଯୋଗ କରି ସେଥିରେ କଣ୍ଟା ବାଡେଇ ଶିଖର ଡମ୍ବରୁ ସଂଯୋଗ କରିଛନ୍ତି। ଏତତ୍ ବ୍ୟତୀତ ତିନିରଥର ଠେକେରା ବାଡ଼ ଦାଢ଼ ଅଂଶରେ ହଂସ ପଟା ବାଡ଼ିଆ ଶେଷ ହୋଇଛି। ନିୟମ ଆନୁଯାୟୀ ଆଜି ତିନିରଥ ଉପରେ ଠେକେରା ବାଡ଼ ବୁଲବା କାର୍ଯ୍ୟ ଶେଷ ହେବ।
    ସେପଟେ ଦରଜି ସେବକମାନେ ତିନିରଥର କନା ଯୋଡ଼ା କାର୍ଯ୍ୟ ଶେଷ କରି କୋଠ ସୁଆଁସିଆ ସେବକ ମାନଙ୍କୁ ଯୋଗାଇଛନ୍ତି। କୋଠ ସୁଆଁସିଆ ସେବକମାନେ ରଥରେ କନା ପକା କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଥମେ ତାଳଧ୍ୱଜ ରଥର ଚାରି ପାର୍ଶ୍ୱ ଦୁଆର ବେଢ଼ାରେ କନା ପଡିବା ପରେ ରଥର ବତା ଏବଂ ପୋଟଳ ଆଦିରେ କନା ପଡିବ। ତିନିରଥର ଦୁଇଟି ଲେଖାଁଏ ବ୍ରେକ ପୁଲି ଲାଗିବା ସହ ବ୍ରେକ ଗୁଡିକର ତଳ ପାର୍ଶ୍ୱରେ ଆବଶ୍ୟକ ମରାମତି ପରେ ରବର ମ୍ୟାଟ ବାଡ଼ିଆ କାର୍ଯ୍ୟ ଶେଷ ହେବାକୁ ରହିଛି। ତିନିରଥର ଘୋଡା ଗୁଡିକର ଯଏଣ୍ଟ ସ୍ଥାନ ମାନଙ୍କରେ ଘୋଡ଼ା ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ହୋଇଛି। ସେହିପରି ତିନିରଥର ତିନି ସାରଥୀଙ୍କ ଜଙ୍ଘ, ହାତ ସଂଯୋଗ ସ୍ଥାନରେ ସାରଥୀ ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

    ରଥ ସିଂହ ଦ୍ୱାରରେ ଲାଗିବା ପରେ ତିନି ସାରଥୀ ରଥ ଉପରକୁ ଉଠିବେ। ଅନ୍ୟପଟରେ ଚିତ୍ରକାର ସେବକମାନେ ତିନିରଥ ପ୍ରଭାରେ ରଙ୍ଗ କାର୍ଯ୍ୟର ଶେଷ ସ୍ପର୍ଶ ଦେବାରେ ନିମଗ୍ନ। ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ବ୍ରେକ ଜାମିନି କଣ୍ଟା,୨୦ ଟି ଲେଖାଁଏ ସାରଥୀ ବାଗିଆ କଣ୍ଟା, ଘୋଡା ବାଗିଆ କଣ୍ଟା ଯୋଗାଇଛନ୍ତି। ପାହି ମହାରଣା ମାନେ ଘାଟୁଆରୀ ସେବକଙ୍କ ପାଇଁ ବନକ ପେଡି, ଚାଙ୍ଗଡ଼ା ବାକ୍ସ, ଅଳଙ୍କାର ବାକ୍ସ ନିର୍ମାଣ ଶେଷ କରି ଯୋଗାଇଛନ୍ତି। ସବୁ କାମକୁ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରି ଆଉ ମାତ୍ର କେଇ ଘଂଟା ପରେ ସିଂହଦ୍ୱାରେ ପହଞ୍ଚିବ ତିନିରଥ।

  • ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପାଇଁ ଜଗନ୍ନାଥ ସେନା ପକ୍ଷରୁ ଦାବି

    ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପାଇଁ ଜଗନ୍ନାଥ ସେନା ପକ୍ଷରୁ ଦାବି

    ମଙ୍ଗଳବାର ଘୋଷଯାତ୍ରା ପାଇଁ ବେଶ୍ ଚଳଚଞ୍ଚଳ ରହିଛି ଶ୍ରୀକ୍ଷେତ୍ର ପୁରୀ । ମହାପ୍ରଭୁ ପ୍ରାୟ ୧୨ ଦିନ ଯାଏ ଶ୍ରୀମନ୍ଦିର ରତ୍ନ ସିଂହାସନ ଛାଡ଼ି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଏଭଳି ସ୍ଥିତିରେ କିଛି ଦାବି ଉପସ୍ଥାପନ କରିଛି ଜଗନ୍ନାଥ ସେନା । ରତ୍ନଭଣ୍ଡାର କାର୍ଯ୍ୟ ମରାମତି ପାଇଁ ଏହା ପ୍ରକୃଷ୍ଠ ସମୟ । ତେଣୁ ଏହି ସମୟରେ ପ୍ରତ୍ନତତ୍ତ୍ୱ ବିଭାଗ, ଶ୍ରୀମନ୍ଦିର ଭିତରେ ସମସ୍ତ କାର୍ଯ୍ୟର ତଦାରଖ କରିପାରିବ ।

    ତେଣୁ ରତ୍ନଭଣ୍ଡାର ମରାମତିରେ କୌଣସି ପ୍ରତିବନ୍ଧକ ନାହିଁ । ଖୁବଶୀଘ୍ର ମରାମତି ଓ ଗଣତି ପାଇଁ ଦାବି ହୋଇଛି । ଭକ୍ତମାନଙ୍କ ପାଇଁ ଧର୍ମ,ଅର୍ଥ,କାମ,ମୋକ୍ଷ ଚାରି ଦୁଆର ଖୋଲାଯାଉ ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ଜଗନ୍ନାଥ ସେନା । ସ୍ୱଚ୍ଛ ରଥଯାତ୍ରା ଅଭିଯାନରେ ଶ୍ରୀଜଗନ୍ନାଥ ସେନା ସାମିଲ ହେବ । ଏଥିସହ ରଥଯାତ୍ରା ସମୟରେ ସମୁଦ୍ରକୂଳ ସଫାସୁତୁରା ରଖିବାକୁ ପ୍ରତିଶ୍ରୁତି ଦେଇଛି ଜଗନ୍ନାଥ ସେନା ।

    ଏହି ଦାବିଗୁଡ଼ିକ ସହ ରୁପାଇଟା ଶ୍ରୀମନ୍ଦିରକୁ ଫେରିବା, ଦଶଅବତାର ମୂର୍ତ୍ତି ସିଂହଦୁଆରେ ଲାଗିବା, ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟର ଡିପିଆର ପ୍ରକାଶ କରିବା, ରଥଚକ ଦାନ କରିବା, ପବିତ୍ର ପୁରୀ ଗର୍ବ ଆମରୀ ଲେଖିବା ବଦଳରେ ପବିତ୍ର ପୁରୀ ଗୌରବ ଆମରୀ ଲେଖିବା ଭଳି ଦାବି ପୂରଣ ପାଇଁ କହିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

  • ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା

    ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା

    ଆସନ୍ତା ମଙ୍ଗଳବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଭକ୍ତଙ୍କ ପ୍ରବଳ ଭିଡ଼ ଜମିବ । ସେମାନଙ୍କ ସୁରକ୍ଷା କେମିତି ହେବ ସେ ନେଇ ପୂର୍ବ ପ୍ରସ୍ତୁତି ହୋଇଛି । ପୁରୀରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା କରାଯାଇଛି । ଏଥିପାଇଁ ୪୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି । ୨୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀବାସୀଙ୍କ ସହଯୋଗରେ ଟ୍ରାଫିକ ଭଲ ଭାବେ ନିୟନ୍ତ୍ରଣ ହେବ ବୋଲି ଆଶା ରହିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ରଥଯାତ୍ରା ଭଲଭାବରେ ଶେଷ ହେବା ବୋଲି କହିଛି ପ୍ରଶାସନ । ଭଲ୍ୟୁଣ୍ଟିଅର ଭାବେ ପ୍ରତି ସାହିରେ ଜଣେ ସ୍ଥାନୀୟ ଲୋକଙ୍କୁ ମୁତୟନ କରାଯିବ । ସାତସାହିବାସୀଙ୍କ ପାଇଁ ସେମିତି କୌଣସି କଟକଣା ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

    ପୁରୀ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣକୁ ୩ ଭାଗରେ ବିଭକ୍ତ କରାଯାଇଛି । କୁମ୍ଭାରପଡ଼ା ଥାନାରେ ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି । ସେହିପରି ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବାକୁ ଥିବାବେଳେ କୋଣାର୍କ ଆଡ଼ୁ ଆସୁଥିବା ଗାଡ଼ି ତାଳବଣିଆରେ ରହିବ । ତାଳବଣିଆର ୬ ପାର୍କିଂ ପ୍ଲେସରେ ରହିବ ୪ ଚକିଆ ଗାଡ଼ି । ବ୍ରହ୍ମଗିରି ଆଡ଼ୁ ଆସୁଥିବା ଗାଡ଼ି ଲୋକନାଥ ମନ୍ଦିର ପାଖେ ରହିବ ବୋଲି କହିଛି ପ୍ରଶାସନ ।

    ସେହିପରି ଆମ୍ବୁଲାନ୍ସ ପାଇଁ ଇ-କରିଡର ବ୍ୟବସ୍ଥା ଓ ଜରୁରୀ ସେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା ହୋଇଛି । ସ୍ବର୍ଗଦ୍ବାରକୁ ଆସୁଥିବା ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି । ସେହିପରି ଦୁଇ ଚକିଆ ଗାଡ଼ି ଜଗନ୍ନାଥବଲଭ ପାର୍କିଂରେ ରହିବାକୁ ନିଷ୍ପତ୍ତି ହୋଇଛି । ମାଟିତୋଟା କ୍ରିକେଟ୍ ଫିଲ୍ଡ, ମଶାଣି ଚଣ୍ଡୀରେ ରହିବ ସବୁ ବାଇକ୍ । ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ତଥା ସାହାଯ୍ୟ ଓ ସହଯୋଗ ପାଇଁ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛି ପୋଲିସ ।