Category: ଜିଲ୍ଲା

  • ଯାଜପୁର: ପୂଜାଙ୍କ ପାଇଁ ସାହାରା ବନିଲା ସ୍ୱଧାର ଗୃହ, ଧୁମଧାମରେ ବିବାହ ସମ୍ପନ୍ନ

    ଯାଜପୁର: ପୂଜାଙ୍କ ପାଇଁ ସାହାରା ବନିଲା ସ୍ୱଧାର ଗୃହ, ଧୁମଧାମରେ ବିବାହ ସମ୍ପନ୍ନ

    ବାଜିଲା ଯୋଡ଼ି ମହୁରୀ, ବାଜିଲା ଶେହନାଇ । ଭୋଜିଭାତ ସହ ସମସ୍ତଙ୍କ ମନରେ ଥିଲା ଉତ୍ସାହ । ସ୍ୱଧାର ଗୃହ ପାଲଟିଲା ବିବାହ ମଣ୍ଡପ । ଆୟୋଜିତ ହୋଇଥିଲା ପୂଜାରାଣୀଙ୍କ ବିବାହ ଉତ୍ସବ । ୨୦୧୮ରେ ଏହି ସ୍ୱଧାର ଗୃହକୁ ଆସିଥିଲେ ପୂଜାରାଣୀ । ତାଙ୍କୁ ନିଜର କରିଥିଲେ ଅପରିଚିତ ଚେହେରା । ଏହାକୁ ନିଜର ଶେଷ ଆଶ୍ରୟସ୍ଥଳୀ ଭାବି ନେଇଥିଲେ ପୂଜା । ଶେଷରେ ତାଙ୍କୁ ବିବାହ କରାଇଛନ୍ତି ସ୍ୱଧାର ଗୃହ ସମ୍ପାଦକ ପରେଶ ମଲ୍ଲିକ ।

    ପୂଜାରାଣୀଙ୍କୁ ବିବାହ କରିଛନ୍ତି ଦଶରଥପୁର ବ୍ଲକ୍ ସିନ୍ଦୁରାଇମୁହଁ ଅଞ୍ଚଳର ବିଜୟ ଓଝା । ଏହି ମାଙ୍ଗଳିକ କାର୍ଯ୍ୟରେ ସାମିଲ ହୋଇଥିଲା ପୁରା ଜିଲ୍ଲା ପ୍ରଶାସନ । ସାଧାରଣ ବିବାହ ପରି ଏଥିରେ ଥିଲେ ବରଯାତ୍ରୀ । ପଡ଼ୋଶୀମାନେ ମଧ୍ୟ ସାମିଲ ହୋଇ ଭୋଜିଭାତ ଖାଇବା ସହ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ । ଏଥିସହ ଏଭଳି ଏକ ନିଆରା ପଦକ୍ଷେପ ପାଇଁ ସ୍ୱଧାର ଗୃହ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ଏହା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ସାଜିବ ବୋଲି ଅତିଥିମାନେ କହିଛନ୍ତି ।

    ଯାଜପୁର ବାହବଳପୁରସ୍ଥିତ ଲକ୍ଷ୍ମୀ ନାରାୟଣ ସ୍ୱଧାର ଗୃହରେ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ, ଧୁମଧାମରେ ସମ୍ପନ୍ନ ହୋଇଛି ପୂଜାଙ୍କ ବିବାହ କାର୍ଯ୍ୟ । ସ୍ୱଧାର ଗୃହ କର୍ମକର୍ତ୍ତାଙ୍କ ସମେତ ରୋଟାରୀ କ୍ଲବ୍ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଥିଲେ ।

  • ଅନଲାଇନରେ ଜଗନ୍ନାଥଙ୍କୁ ନେଇ ଚାଲିଛି ବେପାର, ହଜାର ହଜାର ଭକ୍ତ ଠକାମିର ଶିକାର

    ଅନଲାଇନରେ ଜଗନ୍ନାଥଙ୍କୁ ନେଇ ଚାଲିଛି ବେପାର, ହଜାର ହଜାର ଭକ୍ତ ଠକାମିର ଶିକାର

    ମହାପ୍ରଭୁଙ୍କ ନାମରେ ଭକ୍ତଙ୍କୁ ଠକେଇ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ  ଭୋଗ ଲଗେଇବାକୁ କହି ଭକ୍ତଙ୍କୁ ଲଗାଯାଉଛି ଚୂନ। ଅନ୍‌ଲାଇନ  ବିଜ୍ଞାପନରେ ଚାଲିଛି ଏହି କେଳେଙ୍କାରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସାରା ବିଶ୍ବରେ ରହିଛନ୍ତି ଭକ୍ତ। ଭକ୍ତ ନିଜ ଭକ୍ତି ଅର୍ଘ୍ୟ ପ୍ରଭୁଙ୍କ ନିକଟରେ ଅର୍ପଣ କରିବାକୁ ବ୍ୟାକୁଳ। ଏହାର ସୁଯୋଗ ନେଇ ଅନଲାଇନ ଠକ, ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ‘ଉତ୍ସବ’ ନାମକ ଏକ ଆପ୍‌ ଦ୍ୱାରା ପଶ୍ଚିମବଙ୍ଗରର ଜଣେ ବ୍ୟକ୍ତି ହଜାର ହଜାର ଭକ୍ତଙ୍କୁ ଠକିବାର ହେଉଛନ୍ତି ଅଭିଯୋଗ।

    ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ପୂଜା ଓ ଭୋଗ ଲାଗି ପାଇଁ ପୃଥକପୃଥକ ରେଟ୍ ଚାର୍ଟ ରହିଛି ଆପରେ । ଶ୍ରୀବିଗ୍ରହଙ୍କ  ମାସିକିଆ ପୂଜା ପାଇଁ ୮,୧୦୦ ଟଙ୍କା,  ରଥଯାତ୍ରାରେ ସ୍ବତନ୍ତ୍ର ଭୋଗ ପାଇଁ ୪, ୫୦୧ ଟଙ୍କା,  ଶ୍ରୀମନ୍ଦିରରେ ଧ୍ଵଜା ବାନ୍ଧିବାକୁ ୨,୧୫୧ ଟଙ୍କା ପରି ବିଭିନ୍ନ ପୂଜା ବିଧି ପାଇଁ ରହିଛି ଭିନ୍ନ ଭିନ୍ନ ରେଟ। ବର୍ତ୍ତମାନ ସୁଦ୍ଧା ଏହି ଆପ୍ ମାଧ୍ୟମରେ ଅନ୍‌ଲାଇନ ଭୋଗ ଲଗାଇବାକୁ ୩,୭୦୦ରୁ ଅଧ‌ିକ ଭକ୍ତ ନାମ ପଞ୍ଜିକରଣ କରିଥିବା ଆପରୁ ଜଣାପଡିଛି। କାଳିଆ ନାମରେ ଏପରି ମହା ଠକେଇର ଖୁଲାସା ହେବା ପରେ ଆରମ୍ଭ ହୋଇଛି ତମ୍ବିତୁଫାନ। ଶ୍ରୀମନ୍ଦିରର ଛାମୁ ଖୁଣ୍ଟିଆ ସେବାୟତ, ଶମ୍ଭୁନାଥ ଖୁଣ୍ଟିଆ ଏନେଇ ଆପତ୍ତି ଉଠାଇବା ସହ ସିଂହଦ୍ଵାର ଥାନାରେ କରିଛନ୍ତି ଅଭିଯୋଗ । ଆପର ମୁଖ୍ୟ   ସୌରଜିତ ବାସୁ,  ପ୍ରଜତ ସାମନ୍ତ ଏବଂ  ଅଙ୍କିତା ଦେଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେଉଛି ଦାବି। 

    ତେବେ  ଏହି ଏତଲା ପରେ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ ଓଡିଆଙ୍କ ଭାବାବେଗ ସହ ଜଡିତ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ କରାଯାଇଥିବା ପାପ ପାଇଁ କି ପଦକ୍ଷେପ ନେଉଛି ? କେବେ ଏହି ମହାଠକଙ୍କୁ ନିଆଯାଉଛି କାଠଗଡାକୁ?

  • ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

    ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

    ଆଡ଼ପ ମଣ୍ଡପ ରେ ବିଜେ କରିଛନ୍ତି ଶ୍ରୀଜୀଉ। ଆଡ଼ପ ମଣ୍ଡପରେ ମହାପ୍ରଭୁ ଙ୍କ ଦୁର୍ଲ୍ଲଭ ଦର୍ଶନ ନିମନ୍ତେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଲାଗିଚି ଭକ୍ତଙ୍କ ଭିଡ। ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ପରେ ଶ୍ରୀ ଜିଉଙ୍କ ଦର୍ଶନ ଆରମ୍ଭ ହୋଇଛି । ଏହି ଦର୍ଶନ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହିବ। ଦିତୀୟ ଭୋଗ ମଣ୍ଡପ ନିତି ପରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଆରମ୍ଭ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲି ମହାପ୍ରଭୁଙ୍କ ହେରା ପଞ୍ଚମୀ ନିତି ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ମହାପ୍ରଭୁ ଙ୍କ ପ୍ରଥମ ଆଡ଼ପ ଅବଢ଼ା ବାହାରିବ। ଯାହାକୁ ପାଇବାକୁ ହଜାର ହଜାର ଭକ୍ତ ଅପେକ୍ଷା ରେ ଅଛନ୍ତି। ଶ୍ରୀ ମନ୍ଦିର ରେ ଯେଉଁ ଅବଢ଼ା ବାହାରି ଥାଏ ତାହା ଲକ୍ଷ୍ନୀ ଠାକୁରାଣୀ ତିଆରି କରିଥାନ୍ତି। କୁନ୍ତୁ ଶ୍ରୀ ଗୁଣ୍ଡିଚା ମନ୍ଦିର ହେଉଚି ମହାପ୍ରଭୁ ଙ୍କ ଜନ୍ମ୍ ସ୍ଥାନ। ଏଠାରେ ମା ହାତ ରେ ଅବଢ଼ା ପ୍ରସ୍ତୁତି ହେଇଥାଏ। ଯାହାର ସ୍ୱତନ୍ତ୍ରତା ରହିଚି। ଭକ୍ତ ମାନେ ଆଡ଼ପ ଅବଢ଼ା ବ୍ରାହ୍ମଣ ଙ୍କୁ ସେବନ କରିବାକୁ ଦିଅନ୍ତି। ଯାହା ଦ୍ଵାରା ଅନେକ ପୁଣ୍ୟ ମିଳିଥାଏ।

  • ଭିଜିଲାନ୍ସ ଜାଲରେ ଅଧିକାରୀ, ପଡ଼ୋଶୀଙ୍କ ଛାତରୁ ମିଳିଲା କୋଟିକୋଟି ଟଙ୍କା

    ଭିଜିଲାନ୍ସ ଜାଲରେ ଅଧିକାରୀ, ପଡ଼ୋଶୀଙ୍କ ଛାତରୁ ମିଳିଲା କୋଟିକୋଟି ଟଙ୍କା

    ପଡ଼ୋଶୀଙ୍କ ଛାତରୁ ମିଳିଲା କୋଟି କୋଟି ଟଙ୍କା । ଭିଜିଲାନ୍ସ ଚଢ଼ାଉ ଦେଖି ଟଙ୍କା ବିଡ଼ା ପ୍ୟାକେଟ୍ ପଡ଼ୋଶୀଙ୍କ ଛାତକୁ ଫୋପାଡ଼ି ଦେଲେ ଅତିରିକ୍ତ ଜିଲ୍ଲାପାଳ ବାବୁ । ଆଉ ଟଙ୍କା ସବୁ ଗୋଟାଇ ଭିଜିଲାନ୍ସ ଗଣିବା ବେଳକୁ ଏହା ତିନି କୋଟି ପାର୍ ହୋଇସାରିଥିଲା । ସରକାରୀ ଅଧିକାରୀ କେତେ ମାତ୍ରାରେ ଦୁର୍ନୀତି କରିପାରନ୍ତି,ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ।

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ବର କାନନବିହାରସ୍ଥିତ ଦୁଇତାଲା ବଙ୍ଗଳା, ନବରଙ୍ଗପୁରସ୍ଥିତ ବାସଭବନ, ନବରଙ୍ଗପୁରସ୍ଥିତ ସରକାରୀ କାର୍ଯ୍ୟାଳୟ, ଭଦ୍ରକସ୍ଥିତ ପୈତୃକ ଗାଁ ଠାରେ ଏହି ଚଢ଼ାଉ କରାଯାଇଛି । ଏହାକୁ ଛାଡ଼ି ଅନ୍ୟ ୫ଟି ସ୍ଥାନରେ ବି ଚଢ଼ାଉ ହୋଇଛି । ତେବେ ଶ୍ରୀ ରାଉତ ଭୁବନେଶ୍ଵର କାନନବିହାରସ୍ଥିତ ନିଜ ଘରେ କାଗଜ ପେଟି ଭିତରେ ପାଞ୍ଚ ଶହ ଟଙ୍କିଆ ନୋଟ୍ ବିଡ଼ା ସବୁ ଲୁଚାଇ ରଖିଥିଲେ । ୬ଟି ପେଟିରେ ୨ କୋଟି ୨୫ ଲକ୍ଷ ଟଙ୍କା ରଖା ହୋଇଥିଲା ।

    ଭିଜିଲାନ୍ସ ଚଢ଼ାଉ ହେବା ଜାଣିବା ପରେ ଶ୍ରୀ ରାଉତ ଏହି ଟଙ୍କା ପେଟି ନିଜ ପଡ଼ୋଶୀଙ୍କ ଛାତକୁ ଫୋପାଡ଼ି ଦେଇଥିଲେ । ହେଲେ ତଳେ ଥିବା ଭିଜିଲାନ୍ସ ଅଧିକାରୀ ଓ ଟିମ୍ ଏହାକୁ ଦେଖି ନେଇଥିଲେ । ତୁରନ୍ତ ପଡ଼ୋଶୀଙ୍କ ଛାତକୁ ଯାଇ ଏହି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଆବଶ୍ୟକସ୍ଥଳେ ପଡ଼ୋଶୀଙ୍କ ଘରେ ଆହୁରି ଯାଞ୍ଚ ହେବ ବୋଲି ଜଣାପଡ଼ିଛି । ସେହିପରି ଶ୍ରୀ ରାଉତଙ୍କ ନବରଙ୍ଗପୁରସ୍ଥିତ ଘରୁ ବି ନଗଦ ୭୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ସେଠାରେ ବି ରାଉତ ବାବୁ ନଗଦ ଟଙ୍କା ଲୁଚାଇ ରଖୁଥିଲେ । ଟଙ୍କାକୁ ଛାଡ଼ିଦେଲେ ଘରୁ ସୁନା ବିସ୍କୁଟ,ବିପୁଳ ପରିମାଣର ସୁନା ଅଳଙ୍କାର ଜବତ ହୋଇଛି ।

    WATCH VIDEO:

  • ଯାଜପୁର: ମଣ୍ଡିରେ ଧାନ ଦେଇ ହଟହଟା, କାର୍ଯ୍ୟାନୁଷ୍ଠାନ ଦାବି କଲେ ଚାଷୀ

    ଯାଜପୁର: ମଣ୍ଡିରେ ଧାନ ଦେଇ ହଟହଟା, କାର୍ଯ୍ୟାନୁଷ୍ଠାନ ଦାବି କଲେ ଚାଷୀ

    ମଣ୍ଡିରେ ବିକ୍ରି କରି ଏଯାଏ ଧାନ ମୂଲ୍ୟ ପାଇନାହାଁନ୍ତି ଚାଷୀ । ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ତଥାପି ବାହାରିପାରୁନି ସମାଧାନ ରାସ୍ତା । କେବେ ମିଳିବ ବକେୟା ଟଙ୍କା ସେ ନେଇ ଚିନ୍ତାରେ ଚାଷୀ ସଂଘ ।

    ଯାଜପୁରରେ ବଢୁଛି ଚାଷୀଙ୍କ ଅସନ୍ତୋଷ । ନା ମିଳୁଛି ବକେୟା ଟଙ୍କା ନା ପ୍ରତିଶ୍ରୁତି । କେବଳ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି ଚାଷୀ । ଗତବର୍ଷ ମାର୍ଚ୍ଚ ମାସରେ ଯାଜପୁର ଦଶରଥପୁର ବ୍ଲକ ଛତ୍ରପଡ଼ା ସେବା ସମବାୟ ସମିତି ମଣ୍ଡିରେ ଧାନ ବିକ୍ରି କରିଥିଲେ ଚାଷୀ । ହେଲେ ଏଯାଏ ଧାନ ବିକ୍ରି ଟଙ୍କା ମିଳିନି । ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଯୁବ ଭାରତ କୃଷକ ସଙ୍ଘ । କୋର୍ଟଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ ଆଲୋଚନା କରିଥିଲେ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରିନଥିଲା । ଶେଷରେ ଏହାର ସମାଧାନ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସେପଟେ ତୁରନ୍ତ ପ୍ରାପ୍ୟ ପ୍ରଦାନ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ ।

    ଚାଷୀ କଠିନ ପରିଶ୍ରମ କରି ବିଲରୁ ଧାନ ଉତ୍ପାଦନ କରିଥାଏ । ପରିବାର ପ୍ରତିପୋଷଣ ପାଇଁ ଧାନ ବିକ୍ରି କରି ଦି ପଇସା ପାଇବାକୁ ଲକ୍ଷ୍ୟ ରଖିଥାଏ । ହେଲେ ଦୀର୍ଘ ୧୫ ମାସ ହେଲା ଧାନ ମୂଲ୍ୟ ପାଇବାରୁ ସେମାନେ ବଞ୍ଚିତ । ଏଭଳି ଘଟଣାକୁ ନିନ୍ଦା କରାଯିବା ସହ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

  • ଯାଜପୁର: ମହାବୀର ମଠଛନ୍ଦା ଘାଟରେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ

    ଯାଜପୁର: ମହାବୀର ମଠଛନ୍ଦା ଘାଟରେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ

    ଯାଜପୁର ସଦର ଥାନା ବୁଢ଼ାନଦୀର ମହାବୀର ମଠଛନ୍ଦା ଘାଟରେ ଅଘଟଣ । ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଯୁବକ । ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତଦେହ ।

    ଘାଟରେ ଗାଧୋଇବା ହେଲା କାଳ । ଗାଧୋଇବାକୁ ଯାଇ ଜୀବନ ହାରିଲେ ରାଜେଶ ମିଶ୍ର । ଯାଜପୁର ବ୍ଳକ୍ ଜାହାନପୁର ପଞ୍ଚାୟତ ଶଙ୍ଖନାଳୀ ଗାଁର ରାଜେଶଙ୍କ ମୃତ୍ୟୁ । ମହାବୀର ମଠଛନ୍ଦା ଘାଟରେ ଅଧିକ ଗଭୀର ଥିବାରୁ ଗାଧୋଇବା ବେଳେ ଯୁବକଙ୍କ ଗୋଡ଼ ଖସିଯାଇଥିଲା । ଶେଷରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଯାଜପୁର ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ପରେ ଉଦ୍ଧାର ହୋଇଛି ମୃତଦେହ । ସଦର ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

    ସେପଟେ,ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ନଦୀରୁ ବାରମ୍ବାର ବାଲି ଚାଲାଣ ହେଉଥିବାରୁ ଘାଟ ଅଞ୍ଚଳରେ ଗଭୀର ଅଧିକ ରହିଛି । ଲୋକେ ଗାଧୋଇବା ବେଳେ ସାମାନ୍ୟ ଗୋଡ଼ ଖସିଗଲେ ମୃତ୍ୟୁ ନିଶ୍ଚିତ ବୋଲି ଅଭିଯୋଗ ହୋଇଛି । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ କୌଣସି ପଦକ୍ଷେପ ନିଆଯାଉନଥିବା କହିଛନ୍ତି ସ୍ଥାନୀୟ ଲୋକେ ।

  • ମହାକାଳପଡ଼ା: ରାତିରେ ମାରିଲା ଚୋଟ, ସକାଳେ ସାପ ସହ ମେଡିକାଲରେ ମହିଳା

    ମହାକାଳପଡ଼ା: ରାତିରେ ମାରିଲା ଚୋଟ, ସକାଳେ ସାପ ସହ ମେଡିକାଲରେ ମହିଳା

    ସାପ ନାଁ ଶୁଣିଲେ ମନରେ ସୃଷ୍ଟି ହୁଏ ଭୟ । ଆଉ ବିଷଧର ସାପ ବିଷୟରେ ନ କହିବା ଭଲ । ସାମାନ୍ୟ ଭୁଲ୍ ହୋଇଗଲେ ଜୀବନ ଯିବା ନିଶ୍ଚିତ । କୁହାଯାଏ ସାପ କାମୁଡ଼ିଲେ ହୁଏତ ବଞ୍ଚିଯାଇ ପାରନ୍ତି କିନ୍ତୁ ଚୋଟ ମାରିଲେ ବଞ୍ଚିବା ଭାରି କଷ୍ଟକର । ଏଭଳି ଏକ ଘଟଣା ମହାକାଳପଡ଼ା ବ୍ଲକ୍ ପେଟଛିଲା ପଞ୍ଚାୟତର ଶବରପଡ଼ାରୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

    ସମୟ ରାତି ପ୍ରାୟ ୧୨ଟା । ଗାଁର କଳ୍ପନା ନାୟକ ଶୌଚ ହେବା ପାଇଁ ଘରୁ ବାହାରକୁ ଯାଇଥିଲେ । ଅନ୍ଧାର ରାତିରେ ଯାଉଥିବା ବେଳେ ଅଜାଣତରେ ସାପ ଉପରେ ପଡ଼ିଗଲା ମହିଳାଙ୍କ ପାଦ । ବିଷଧର ରଣା ସାପକୁ ଆଘାତ ଦେଲେ ପରିସ୍ଥିତି କେତେ ଭୟଙ୍କର ଆପଣ ଜାଣିଛନ୍ତି । ପୁଣି ରାତିରେ ପାଦ ପଡ଼ିବାରୁ ଆଟାକିଂ ମୁଡକୁ ଆସିଥିଲା ରଣା । ଆଉ ମହିଳାଙ୍କ ପାଦକୁ ଚୋଟ ପରେ ଚୋଟ ମାରି ଚାଲିଲା । ଯନ୍ତ୍ରଣା ସହିନପାରି ଚିତ୍କାର କରିବା ସହ ପରିବାର ଲୋକଙ୍କୁ ଡାକିଥିଲେ କଳ୍ପନା । ଘଟଣାସ୍ଥଳରୁ ଉଦ୍ଧାର ହୋଇଥିଲେ ମହିଳା । ଆଦିବାସୀ ହୋଇଥିବାରୁ ଘରେ ଚିକିତ୍ସା କରିଥିଲେ ।

    ଏତିକିରେ ଶାନ୍ତ ହୋଇନଥିଲେ ପରିବାର ଲୋକେ । ଆରମ୍ଭ ହୋଇଥିଲା ରଣା ଧରିବା ଅଭିଯାନ । ଶେଷରେ ବିଷଧର ସାପକୁ ଧରିବାରେ ସକ୍ଷମ ହେଲେ ପରିବାର ଲୋକେ । ସକାଳ ହେଲା ପରେ ସାପକୁ ଧରି ଗୋଷ୍ଠୀ ସ୍ୱାସ୍ଥ୍ଯକେନ୍ଦ୍ର ଯାଇଥିଲେ ଗୁରୁତର ଥିବା କଳ୍ପନା । ସାପ ସହ ମହିଳାଙ୍କୁ ଦେଖି ଡାକ୍ତର ଓ ମେଡିକାଲ ଷ୍ଟାଫ୍ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

  • ଯାଜପୁର: ଶିକ୍ଷା ସଚେତନତା ରଥ ଶୁଭାରମ୍ଭ, ବୁଲିବୁଲି ଦେଉଛି ବାର୍ତ୍ତା

    ଯାଜପୁର: ଶିକ୍ଷା ସଚେତନତା ରଥ ଶୁଭାରମ୍ଭ, ବୁଲିବୁଲି ଦେଉଛି ବାର୍ତ୍ତା

    ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଲା ଶିକ୍ଷା ସଚେତନତା ରଥ । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ । ସମଗ୍ର ଶିକ୍ଷା ଯୋଜନାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରୀ, ମୁଖ୍ୟ ଅତିଥି ଭାବେ ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଲୋଚନ ମହାନ୍ତ ଯୋଗ ଦେଇଥିଲେ । ପତାକା ଦେଖାଇ ଶୁଭାରମ୍ଭ ହୋଇଥିଲା ସଚେତନତା ରଥ । ଯାଜପୁର ବ୍ଳକ୍ ଶିକ୍ଷାଧିକାରୀ ସ୍ମତିରେଖା ନାୟକଙ୍କ ସମେତ ବିଭିନ୍ନ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

    ଏହି ଅବସରରେ ସମସ୍ତଙ୍କ ପାଇଁ ଦିଆଯାଇଥିଲା ଶିକ୍ଷାର ବାର୍ତ୍ତା । ଏହି ବାର୍ତ୍ତା ନେଇ ୧୦ଟି ବ୍ଲକ୍ ଅଭିମୁଖେ ବାହାରିଥିଲା ୧୦ଟି ସଚେତନତା ରଥ । ଆଗାମୀ ୭ ଦିନ ଯାଏ ଜିଲ୍ଲାର ୧୦ଟି ବ୍ଳକ୍ ବୁଲିବ ରଥ । ଭିନ୍ନଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜନସଧାରଣଙ୍କୁ ଦିଆଯିବ ସଚେତନତା ବାର୍ତ୍ତା ।

  • ସମ୍ବଲପୁର: ଲାଞ୍ଚ ନେଇ ଧରାପଡ଼ିଲେ ମାନେଶ୍ୱର ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ

    ସମ୍ବଲପୁର: ଲାଞ୍ଚ ନେଇ ଧରାପଡ଼ିଲେ ମାନେଶ୍ୱର ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ

    ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ନେଇ ଗିରଫ ହୋଇଛନ୍ତି ସମ୍ବଲପୁର ମାନେଶ୍ବର ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ । ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ଜେଇ ।

    ସୂଚନା ଅନୁସାରେ କିଛି ଦିନ ହେଲା ବତେମୁରା ଓ ବରଗାଁ ପଞ୍ଚାୟତ ଦାୟିତ୍ବ ନେଇଛନ୍ତି କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ । ଏହାପୂର୍ବରୁ ବଦୁଆପାଲି ପଞ୍ଚାୟତ ଦାୟିତ୍ବରେ ଥିଲେ ଜେଇ । ଅନ୍ତାପାଲିରୁ ବଦୁଆପାଲି ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା ୫ ଲକ୍ଷ ଟଙ୍କା । ବିଲ୍‌ ପାସ୍ କରିବାକୁ ଗାଁ ସାଥୀ ଦୟାନିଧି ଭୋଇ, ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସେପଟେ କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ବିଲ୍‌ ପାସ୍ ନକରି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜେଇ । ଶେଷରେ ଅନ୍ୟ ଉପାୟ ନପାଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଗାଁ ସାଥୀ ଦୟାନିଧି ।

    ଜେଇ ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ଥିବା ଘର ସମେତ ୩ଟି ଜାଗା‌ରେ ରେଜ୍ କରିଥିଲା ଟିମ୍ । ସମ୍ବଲପୁର କୁଲୁଥକାନିସ୍ଥିତ ବାସଭବନ,ଗୋବିନ୍ଦତୋଲାରେ ଥିବା ଭଡ଼ାଘର, ସପିଂ ମଲ୍ ଓ ଅନୁଗୁଳ ଜିଲ୍ଲା ଡେରେଙ୍ଗ ଥାନା ବୋଲଗଣ୍ଠିଆନାଳିରେ ଥିବା ଶ୍ୱଶୁର ଘରେ ଯାଞ୍ଚ କରିଥିଲା ଭିଜିଲାନ୍ସ ବିଭାଗ ।

  • ବାହାନଗା ରେଳ ଦୁର୍ଘଟଣା ପାଇଁ ଦାୟୀ କିଏ ? ଦୋଷୀକୁ ଧରିବାକୁ ଚାଲିଛି ଖୋଳତାଡ଼

    ବାହାନଗା ରେଳ ଦୁର୍ଘଟଣା ପାଇଁ ଦାୟୀ କିଏ ? ଦୋଷୀକୁ ଧରିବାକୁ ଚାଲିଛି ଖୋଳତାଡ଼

    ବାହାନଗା ରେଳ ଦୁର୍ଘଟଣାର ପ୍ରକୃତ ଦୋଷୀ କିଏ । ଘଟଣାର ଖୋଳତାଡ଼ ଜାରି ରଖିଛି CBI ଟିମ୍ । ଶହ ଶହ ଯାତ୍ରୀଙ୍କ ମୃତ୍ୟୁ ପରେ କାରଣ ଖୋଜୁଛି CBI ।

    ଜୁନ୍ ୨ ତାରିଖରେ ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ତେବେ ଏଥିପାଇଁ ଦାୟୀ କିଏ । କିଏ ପ୍ରକୃତ ଦୋଷୀ । ପ୍ରକୃତ କାରଣ କଣ ସେ ନେଇ ତଦନ୍ତ ଜାରି ରଖିଛି CBI ଟିମ୍ । ସେ ଦିନ ବାହାନଗା ସିଗ୍ନାଲ ଦାୟିତ୍ୱରେ ଥିଲେ ରେଲୱେ ସେକ୍ସନ ଜେଇ ଅମିର ଖାନ । ସେଥିପାଇଁ ତାଙ୍କ ଘରେ ଖୋଳତାଡ଼ କରିଛି CBI ।

    ସୋର କମରପୁର ଠାରେ ଥିବା ଭଡ଼ା ଘରେ ଅମିର ଖାନଙ୍କୁ ୬ ଘଣ୍ଟା ପଚରାଉଚୁରା କରିଛି ଟିମ୍ । ଏଥିସହ ଘରେ ଥିବା କାଗଜପତ୍ର ଅନ୍ୟାନ୍ୟ ଦସ୍ତାବିଜ ମଧ୍ୟ ଯାଞ୍ଚ ହୋଇଛି । ଘର ସିଲ୍ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି CBI ଟିମ୍ । ତେବେ ତଦନ୍ତ ନେଇ କୌଣସି ତଥ୍ୟ ମିଡିଆ ଆଗରେ ପ୍ରକାଶ କରିନାହାଁନ୍ତି ଅଧିକାରୀ ।


    ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି । ଘଟଣାରେ ୧୨ ଶହରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଏବେ ବି କିଛି ଲୋକ ଚିକିତ୍ସିତ ହେଉଛନ୍ତି ।