Category: ଜିଲ୍ଲା

  • ପାରିବାରିକ କଳହକୁ ନେଇ ମହିଳାଙ୍କ ଆତ୍ମହତ୍ୟା

    ପାରିବାରିକ କଳହକୁ ନେଇ ମହିଳାଙ୍କ ଆତ୍ମହତ୍ୟା

    ପାରିବାରିକ କଳହ ପରେ ଶେଷରେ ଆତ୍ମହତ୍ୟାକୁ ଆପଣାଇ ନେଇଛନ୍ତି ମହିଳା। ବେକରେ ଫାଶୀ ଦେଇ ନିଜ ଜୀବନ ନେବା ପରେ ପରିବାର ବର୍ଗ ହତ୍ୟା ଅଭିଯୋଗ ଆଣିଛନ୍ତି ଶ୍ୱଶୁର ଘର ଲୋକଙ୍କ ବିରୋଧରେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଧୀନ  ମୁଳିଦା ଗ୍ରାମ ରେ।

    ସୂଚନା ଅନୁସାରେ ବରୁଣଗଡିଆ ପଞ୍ଚାୟତର ନାଇକୁଡି ଗ୍ରାମର ବରେନ୍ଦ୍ର ନାଥ ଦାସଙ୍କର ପଞ୍ଚମ କନ୍ୟା ଜ୍ଯୋତିଶ୍ରୀ  ବ୍ରାହ୍ମଣଦା ପଞ୍ଚାୟତ ଅନ୍ତର୍ଗତ ମୁଳିଦା ଗ୍ରାମର ଝାଡେଶ୍ବର ଦାସ ଅଧିକାରୀଙ୍କ ପୁତ୍ର ଜଗଦୀଶ ଦାସ ଅଧିକାରୀ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଜଗଦୀଶ ପେସାରେ ଜଣେ ଗାଡ଼ି ଡ୍ରାଇଭର। ଗାଡି ଚଳାଇ ସେ ପରିବାରର ଗୁଜୁରାଣ ବଡ କଷ୍ଟରେ ମେଣ୍ଟାଉ ଥିଲେ। ବିବାହକୁ ଏହା ମଧ୍ୟରେ ଅଢେଇ ବର୍ଷ ବିତି ଗଲାଣି। କିନ୍ତୁ ସବୁ ସମୟରେ ଘରେ ଅଭାବ ଅନାଟନ ଲାଗି ରହୁଥିଲା ଓ ସବୁ ସମୟରେ  ଛୋଟ ମୋଟ କଥାକୁ ନେଇ ପରିବାରରେ ସର୍ବଦା ଅଶାନ୍ତି ଲାଗି ରହିଥିଲା। ଜଗଦୀଶ ଓ ଜ୍ୟୋତିଶ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଏଥିରେ ପରିବାରର ଅନ୍ୟମାନେ ମଧ୍ୟ ଥିଲେ।

    ତେବେ ଗତ ଚାରି ଦିନ ତଳେ ଜଗଦୀଶଙ୍କ ଜଣେ ସମ୍ପର୍କୀୟ ଝିଆରୀରର ଜନ୍ମ ଦିନ ଥିଲା। ବିଭିନ୍ନ କାରଣ ପାଇଁ  ଜଗଦୀଶ ଙ୍କ ମା ସେଠାକୁ ଯିବାକୁ ବୋହୂକୁ ମନା କରିଥିଲେ। ହେଲେ ବୋହୂ  ଜ୍ୟୋତି ଶାଶୂଙ୍କ ବାରଣ ନ ମାନି ସେଠାକୁ ଚାଲିଯାଇଥିଲେ। ଫଳରେ ଘରେ ଆହୁରି ଅଶାନ୍ତି ସୃଷ୍ଚି ହୋଇଥିଲା ଓ ଜ୍ୟୋତିଙ୍କୁ ସମସ୍ତେ ବହୁ କଥା ଶୁଣାଇଥିଲେ। ଏହାକୁ ନେଇ ଘରେ ଜୋରଦାର ଯୁକ୍ତିତର୍କ ମଧ୍ୟ ଲାଗିରହିଥିଲା।

    ତେବେ ଆଜି ଦିନ ବାରଟା ସମୟରେ ଘରେ କେହି ନଥିବା ବେଳେ ଜ୍ୟୋତିଶ୍ରୀ ନିଜର ଶୋଇବା ଘରେ ଲାଗିଥିବା ଫ୍ୟାନରେ ଦଉଡ଼ି ଲଗାଇ ଫାଶୀ ଲଗାଇ ଦେଇଥିଲେ। ଏହା ଜାଣି ଶ୍ବଶୁର, ଦିଅର,ଶାଶୁ  ଓ  ଗ୍ରାମବାସୀ ମାନେ ମିଶି ଜ୍ଯୋତିଶ୍ରୀକୁ ଉଦ୍ଧାର କରି ବସ୍ତା ମେଡିକାଲକୁ ନେଇଯାଇଥିଲେ। କିନ୍ତୁ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇ ସାରିଥିଲା। ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ। ପରେ ଜ୍ୟୋତିଙ୍କ ମୃତ୍ୟୁ ନେଇ ତାଙ୍କ ବାପ ଘରକୁ ଖବର ଦିଆଯାଇଥିଲା।

    ଏହାକୁ ନେଇ ମୃତ ଜ୍ୟୋତିଙ୍କ ବାପା ଥାନାର ଦ୍ୱାରସ୍ଥ ହୋଇଛନ୍ତି।  ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ  ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ପ୍ରାଥମିକ ତଦନ୍ତ  ଆରମ୍ଭ କରି ଦେଇଛି। ଘଟଣାରେ ମୃତକଙ୍କ ଦିଅରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ।

  • ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

    ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

    ଶୌଚ ହେବାକୁ ଯାଇ କୁମ୍ଭୀର ମୁହଁରେ ପଡିଲେ ବୃଦ୍ଧ। ମାତ୍ର ୧୫ ଦିନ ଅନ୍ତରରେ ତୃତୀୟ କୁମ୍ଭୀର ଆକ୍ରମଣ ଘଟଣାରେ ହତବାକ ଜିଲ୍ଲାବାସୀ। କେତେବେଳେ କେଉଁଠି କୁମ୍ଭୀର ଟାଣିନେବ ସେ ଭୟରେ ନଦୀକୂଳରେ ବସବାସ କରୁଥିବା ଓ ନଦୀ ଉପରେ ନିର୍ଭର କରି ଜୀବନଯାପନ କରୁଥିବା ଲୋକେ। ଆଜି ଭୋର ସାଢ଼େ ଚାରିଟା ସମୟରେ କେନ୍ଦ୍ରାପଡା ନିକିରାଇ ଥାନା ଅଧୀନ ଘାଗରାଡିଆ ଗାଁର ୫୬ ବର୍ଷୀୟ ଗଙ୍ଗାଧର ତରାଇ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳକୁ ଶୌଚ ହେବାକୁ ଯାଇଥିଲେ। ଶୌଚ ସାରି ଗାଧୋଇବା ସମୟରେ ଏକ କୁମ୍ଭୀର ତାଙ୍କୁ ଝାମ୍ପ ପକାଇ ନଦୀକୁ ଟାଣି ନେଇଥିଲା। ଗଙ୍ଗାଧର ଚିତ୍କାର କରି ଡାକ ପକାଇଥିଲେ। ତାଙ୍କ ଚିତ୍କାର ଶୁଣି ଶୌଚ ହେଉଥିବା ଦୁଇଜଣ ଲୋକ ଦୌଡ଼ି ଆସିଥିଲେ।  କିନ୍ତୁ କୁମ୍ଭୀରକୁ ଦେଖି ଭୟଭୀତ ହୋଇଯାଇଥିଲେ। ପାଟି କରି ଗାଁ ଲୋକଙ୍କୁ ଡାକଛାଡିଥିଲେ।  ଗାଁ ଲୋକେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ସୂଚିତ କରିବା ସହ  ଡଙ୍ଗା ସହାୟତାରେ ଗଙ୍ଗାଧରଙ୍କୁ  ଖୋଜାଖୋଜି କରିଥିଲେ। ଉଦ୍ଧାର କାର୍ଯ୍ୟ ରେ ଅଗ୍ନିଶମ ବାହିନୀ, ବନବିଭାଗ ମଧ୍ୟ ସାମିଲ ହୋଇଥିଲା।  କିନ୍ତୁ ଗଙ୍ଗାଧର ମିଳିନଥିଲେ, ମିଳିଥିଲା  ତାଙ୍କ ମୃତଦେହ।  

    ଅଭିଯୋଗ ପାଇ ପଟ୍ଟାମୁଣ୍ଡାଇ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ।  | ସେହିପରି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଘଟଣାସ୍ଥଳରେ ପହଞ୍ଚି ବନବିଭାଗର ଉଦାସୀନତା ପାଇଁ ମାତ୍ର ୧୫ ଦିନ ଅନ୍ତରରେ ତିନୋଟି ମୂଲ୍ୟବାନ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ବନବିଭାଗ ଉତ୍ତରଦାୟୀ ବୋଲି ଅଭିଯୋଗ କରିଛନ୍ତି।ରାଜ୍ୟ ସରକାର ଏହି ଆକ୍ରମଣ ଯୋଗୁଁ ବନବିଭାଗ କର୍ତ୍ତୃପକ୍ଷଙ୍କୁ ଜବାବତଲବ କରିବା ସହ ନଦୀକୂଳ ଘାଟ ମାନଙ୍କରେ ବ୍ୟାରିକେଡ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି। ସେପଟେ ପଟ୍ଟାମୁଣ୍ଡାଇ ତହସିଲଦାର ବନବିଭାଗକୁ ପୁର୍ବରୁ ସୂଚନା ଦିଆଯାଇଥିଲେ ସୁଦ୍ଧା ଏହାର ପ୍ରତିକାର ବ୍ୟବସ୍ଥା ନକରିବା କାରଣରୁ ଜୀବନ ହାନି ହେଉଥିବା ସ୍ୱୀକାର କରିଛନ୍ତି।  ପୁଣିଥରେ ବନବିଭାଗକୁ ନଦୀକୂଳ ଗାଁ ମାନଙ୍କରେ ମାଇକ ଜରିଆରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାବା ଓ  ବ୍ୟାରିକେଡ ବ୍ୟବସ୍ଥା ଖୁବଶୀଘ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ତହସିଲଦାର ଦିଲ୍ଲୀପ ସେଠୀ।

    ଏଠାରେ ସୂଚନାଯୋଗ୍ୟ, ରଜର ପ୍ରଥମ ଦିନରେ ଜଣେ ନାବାଳକକୁ ବ୍ରାହ୍ମଣୀ ନଦୀରେ ମାରିଥିଲା କୁମ୍ଭୀର। ସେହିପରି ୨୧ ତାରିଖରେ ମଧ୍ୟ ରାଜନଗର ଚାନ୍ଦି ବାଉଁଶମୂଳ ହାତିଆଗଡ଼ି ଗାଁରେ ଜଣେ ମହିଳା କୁମ୍ଭୀର ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ଆଜି ପୁଣି ସମାନ ଘଟଣା ନଦୀକୂଳିଆ ଲୋକଙ୍କ ଭିତରେ ପୂରାଇଛି ଛନକା ।

  • ସୁନାବେଶ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ସମୟ ଅନୁସାରେ ଚାଲିଛି ନୀତିକାନ୍ତି

    ସୁନାବେଶ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ସମୟ ଅନୁସାରେ ଚାଲିଛି ନୀତିକାନ୍ତି

    ଆଜି ସନ୍ଧ୍ୟା ୫ଟାରେ ମହାପ୍ରଭୁଙ୍କ ସୁନା ବେଶ ଆରମ୍ଭ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁଯାୟୀ ଏହି ସମୟ ନିର୍ଦ୍ଧାରଣ କରଯାଇଛି । ରଥ ଉପରେ ବିରାଜମାନ କରିଥିବା ଶ୍ରୀଜିଉଙ୍କ ସମସ୍ତ ନୀତି ଅନୁଷ୍ଠିତ ହେଉଛି । ପରମ୍ପରା ଅନୁଯାୟୀ ରଥ ଉପରେ ଶ୍ରୀଜିଉଙ୍କୁ ଶୁଖିଲା ଭୋଗ ଅର୍ପଣ ହେଉଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା । ରଥ ସମ୍ମୁଖରେ ଭକ୍ତମାନେ ଦୀପ ଜାଳି ନିଜର ମନ କଥା ମହାପ୍ରଭୁଙ୍କୁ ଜଣାଇଛନ୍ତି । ମହାପ୍ରଭୁଙ୍କ ଚିତାକର୍ଷକ ସୁନା ବେଶ ଦର୍ଶନ ପାଇଁ ରଥ ନିକଟରେ ଭକ୍ତଙ୍କ ଭିଡ଼ ଜମିଲାଣି ।

    ଆଜିର ନୀତି ନିର୍ଘଣ୍ଟ ଅନୁଯାୟୀ ସଠିକ୍ ଭାବେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଜାରି ରହିଛି । ଅପରାହ୍ମ ୩ଟା ସୁଦ୍ଧା ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଶେଷ ହେବ । ଏହା ପରେ ମଇଲମ, ଶାଢ଼ି, ଖଣ୍ଡୁଷ ଲାଗି, ସନ୍ଧ୍ୟା ଆଳତୀ,ଏକାଦଶୀ ସର୍ବାଙ୍ଗ ନୀତି ଶେଷ ପରେ ସନ୍ଧ୍ୟା ୫ଟାରୁ ସୁନା ବେଶ ଆରମ୍ଭ ହେବ । ରାତି ୧୨ଟାରେ ବଡ଼ ସିଂହାର ବେଶ, ବଡ଼ ସିଂହାର ଭୋଗ ଓ ରାତି ଗୋଟାଏରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ପୁସ୍ତିକାରେ ସୂଚନା ଦିଆଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ବିଳମ୍ୱିତ ରାତି ଯାଏ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହେବ ।

    ସେପଟେ ଭକ୍ତଙ୍କ ସୁରକ୍ଷା ପାଇଁ ପୁରୀରେ ୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ କାର୍ଯ୍ୟକାରୀ କରାଯାଇଛି । ଭକ୍ତମାନେ ବଡ଼ ଦାଣ୍ଡ ମାର୍କେଟ ଛକରୁ ବାରିକେଡରେ ଆସି ଶ୍ରୀମନ୍ଦିର ସିଂହ ଦ୍ଵାରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

  • ଯାଜପୁର: ଧୁମଧାମରେ ବାହୁଡ଼ା ଯାତ୍ରା ପାଳିତ, ଆନନ୍ଦର ସହ ରଥ ଟାଣିଲେ ଭକ୍ତ

    ଯାଜପୁର: ଧୁମଧାମରେ ବାହୁଡ଼ା ଯାତ୍ରା ପାଳିତ, ଆନନ୍ଦର ସହ ରଥ ଟାଣିଲେ ଭକ୍ତ

    ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ବାହୁଡ଼ା ଯାତ୍ରା ଶେଷ ହୋଇଛି । ଲକ୍ଷଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସମାଗମ ହୋଇଥିଲା । ସେହିପରି ଯାଜପୁର ଜିଲ୍ଲାରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥିଲା । ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତର କୁଟୁରିଆ ଗାଁରେ ଥିବା ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି ।

    କୁଟୁରିଆ ଗାଁ ଜଗନ୍ନାଥ ମନ୍ଦିର ପରିସରରେ ଘଣ୍ଟ ଓ ହୁଳହୁଳିର ଶବ୍ଦ । ବାହୁଡ଼ା ଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ଜମିଥିଲା । ପୂଜକ ଗଦାଧର ମିଶ୍ରଙ୍କ ତତ୍ତ୍ୱାବଧାନରେ ଭୋରୁ ଭୋରୁ ଆରମ୍ଭ ହୋଇଥିଲା ତିନି ଠାକୁରଙ୍କ ନୀତିକାନ୍ତି । ପୂଜକମାନେ ଠିକ୍ ସମୟରେ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ । ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରି ରଥାରୁଢ଼ କରାଯାଇଥିଲା । ଏହାପରେ ମନ୍ଦିର ଅଭିମୁଖେ ରଥ ଟାଣିଥିଲେ ଶ୍ରଦ୍ଧାଳୁ ।

    ସ୍ଥାନୀୟ ସରପଞ୍ଚ, ମନ୍ଦିର କମିଟି ସଭାପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ । ବାହୁଡ଼ା ଯାତ୍ରାରେ ଦୂରଦୂରାନ୍ତରରୁ ଭକ୍ତଙ୍କ ସୁଅ ଛୁଟିଥିଲା । ମହାପ୍ରଭୁଙ୍କ ଟିକିଏ ଆଶୀର୍ବାଦ ପାଇବା ପାଇଁ ବ୍ୟଗ୍ର ହୋଇଥିଲେ ଶ୍ରଦ୍ଧାଳୁ । ସମଗ୍ର ଅଞ୍ଚଳରେ ଘଣ୍ଟଘଣ୍ଟା, ହୁଳହୁଳି, ବାଜା ଶବ୍ଦରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସେପଟେ, ପ୍ରବଳ ଭିଡ଼କୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।

  • ବାହୁଡ଼ା’ରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଦଳାଚକଟା ପରିସ୍ଥିତି, ଏକାଧିକ ଗୁରୁତର

    ବାହୁଡ଼ା’ରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଦଳାଚକଟା ପରିସ୍ଥିତି, ଏକାଧିକ ଗୁରୁତର

    ବାହୁଡ଼ାଯାତ୍ରାରେ ରଥଟଣାବେଳେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ତାଳଧ୍ବଜ ରଥ ଦଉଡ଼ି ଛିଣ୍ଡି ଜଣେ ଭୋଇ ସେବକଙ୍କ ସମେତ ୮ ଜଣ ଗୁରୁତର ହୋଇଛନ୍ତି । ଗତ କିଛି ବର୍ଷ ଧରି କୌଣସି ରଥର ଦଉଡ଼ି ଛିଣ୍ଡି ନଥିବା ବେଳେ ଏବର୍ଷ ଏହି ଦଉଡ଼ି ଛିଣ୍ଡିଯାଇଥିଲା । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଳଧ୍ୱଜ ରଥ ଦଉଡ଼ିକୁ ଭୋଇ ସେବାୟତମାନେ ତାଣରେ ବାନ୍ଧିଥିଲେ ।

    ମାତ୍ର ତାଳଧ୍ୱଜ ରଥ ମାର୍କେଟ ଛକରେ ପହଞ୍ଚିବା ପରେ ଏହି ରଥ ଦଉଡ଼ିଟି ତାଣରୁ ଖସିଯାଇଥିଲା । ରଥ ଦଉଡ଼ି ଧରିଥିବା ଭୋଇ ସେବାୟତ ନକୁଳ ଭୋଇଙ୍କ ସମେତ ଆଉ କିଛି ଭକ୍ତ ତଳେ ପଡ଼ି ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ନକୁଳ ଗୁରୁତର ଆହତ ହୋଇଥିଲେ । ଏହାପୂର୍ବରୁ ବଳଗଣ୍ଡି ଛକରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଯାଇଥିଲା । ଏଥିରେ ୬ ଜଣ ମଧ୍ୟ ଗୁରୁତର ଆହତ ହୋଇଥିଲେ । ସଦର ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା ।

    ରଥଟଣା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମ୍ମୁଖରେ ଦଳାଚକଟା ପରିସ୍ଥିତି ଦେଖିବାକୁ ମିଳିଥିଲା । ଝାରସୁଗୁଡ଼ାର ସସ୍ମିତା ନାମକ ଜଣେ ଯୁବତୀ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସସ୍ମିତାଙ୍କ ସମ୍ମୁଖରେ ଥିବା ଜଣେ ଭକ୍ତ ପଡ଼ିଯିବାରୁ ସେ ମଧ୍ୟ ତାଙ୍କ ଉପରେ ଝୁଣ୍ଟି ବଡ଼ଦାଣ୍ଡରେ ପଡ଼ି ଯାଇଥିଲେ । ଫଳରେ ରଥ ଟାଣୁଥିବା ଭକ୍ତମାନେ ତାଙ୍କୁ ଦଳିଚକଟି ଆଗକୁ ମାଡ଼ି ଯାଇଥିଲେ । ସସ୍ମିତାଙ୍କ ମୁହଁ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ।

    ବାହୁଡ଼ାଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ଥିବାରୁ ତାମଜାନ ଆସି କୁମ୍ଭକାର ନିଯୋଗ ସମ୍ମୁଖରେ ରଖାଯାଇଥିଲା । ଗଜପତିଙ୍କୁ ତାମଜାନରେ ବସାଇ ତିନି ରଥ ନିକଟକୁ ନିଆଯାଉଥିବା ବେଳେ ତାମଜାନର ରୂପା ଚକ୍ର ବାଜି ଶ୍ରୀନହର ସେବାୟତ ରଜନୀକାନ୍ତ ପରିଡ଼ା ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ଫାଟି ଯାଇଥିବାରୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

    ଚଳିତଥର ବାହୁଡ଼ାଯାତ୍ରାରେ ଏଭଳି ଅଘଟଣକୁ ନେଇ ଭକ୍ତଙ୍କ ମନରେ ସାମାନ୍ୟ ଅସନ୍ତୋଷ ଦେଖାଦେଇଥିଲା । ଆଜି ମହାପ୍ରଭୁଙ୍କ ସୁନବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଛି ।

  • ପ୍ରଶାନ୍ତଙ୍କୁ ରିମାଣ୍ଡରେ ନେଲା ଭିଜିଲାନ୍ସ, ଖୋଳତାଡ଼ କରୁଛି ଟିମ୍

    ପ୍ରଶାନ୍ତଙ୍କୁ ରିମାଣ୍ଡରେ ନେଲା ଭିଜିଲାନ୍ସ, ଖୋଳତାଡ଼ କରୁଛି ଟିମ୍

    ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ପ୍ରଶାନ୍ତଙ୍କ ଠାରୁ ଅଧିକ ତଥ୍ୟ ହାସଲ କରାଯିବ । ସେଥିପାଇଁ ତାଙ୍କୁ ଏବେ ରିମାଣ୍ଡରେ ନେଇଛି ଭିଜିଲାନ୍ସ ଟିମ୍ ।

    ପ୍ରଶାନ୍ତ ରାଉତଙ୍କ ପାଇଁ ଅଡୁଆ ବଢୁଛି । ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଘର, ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ମୋଟ ୫ କୋଟି ୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ । ନଗଦ ୩ କୋଟି ୨ ଲକ୍ଷ ଟଙ୍କା,ବ୍ୟାଙ୍କ ଓ ଇନ୍ସ୍ୟୁରାନ୍ସ ଡିପୋଜିଟ ବାବଦରେ ୯୨ ଲକ୍ଷ ୩୪ ହଜାର ଟଙ୍କାର ତଥ୍ୟ ମିଳିଥିଲା । ସେହିପରି ତାଙ୍କ ନାଁରେ ୫ଟି ପ୍ଲଟ୍ ରହିଛି । ୩୭ ଲକ୍ଷ ଟଙ୍କାର ଯାନବାହନ, ୨୧ ଲକ୍ଷ ୩୫ ହଜାର ଟଙ୍କାର ସୁନା ଗହଣା ଜବତ କରାଯାଇଥିଲା । ଦୁଇ ପିଲାଙ୍କ ପାଠପଢ଼ା ବାବଦରେ ସେ ଖର୍ଚ୍ଚ କରିଛନ୍ତି ୮୭ ଲକ୍ଷ ଟଙ୍କା ।

    ସେପଟେ ବେନାମୀ ଆକାଉଣ୍ଟ କରି ଟଙ୍କା କାରବାର କରୁଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ନଗଦ ୩ କୋଟି ୨ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ବିଭାଗ । ପ୍ରଶାନ୍ତ ରାଉତ ନିଜ ଆୟ ଠାରୁ ୫୦୬ ପ୍ରତିଶତ ଅଧିକ ସମ୍ପତ୍ତି ରଖିଥିଲେ । ଦୀର୍ଘ ୨୦ ଘଣ୍ଟାର ମାରାଥନ୍ ରେଡ୍ କରିଥିଲା ଟିମ୍ । ଠାବ ସମ୍ପତ୍ତି ନେଇ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବା ପରେ ଶେଷରେ ତାଙ୍କୁ ଗିରଫ କରାଯାଇଥିଲା । ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ପରେ ଜାମିନ ଖାରଜ ହୋଇଥିଲା । ଶେଷରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

    ବେଆଇନ୍ ଭାବେ ସମ୍ପତ୍ତି ଠୁଳ କରିବା ଘଟଣାକୁ ନେଇ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର । ଏବେ ଘଟଣାର ଖୋଳତାଡ଼ ଜାରି ରହିଛି । ଆଜିଠାରୁ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଧିକ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ।

  • ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ୩ ଠାକୁର, ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

    ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ୩ ଠାକୁର, ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

    ଆଜି ବାହୁଡ଼ା ଯାତ୍ରାରେ ପୁରୀରେ ନାହିଁ ନଥିବା ଭିଡ଼ । ମହାପ୍ରଭୁଙ୍କ ଦର୍ଶନ କରି ଟିକିଏ ଆଶୀର୍ବାଦ ପାଇବା ପାଇଁ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ମହାବାହୁ । ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ଅପେକ୍ଷାରେ ରହିଛି । ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି ।

    ଧାଡ଼ି ପହଣ୍ଡିରେ ରଥରେ ବିଜେ ହୋଇଛନ୍ତି ବଡ଼ ଠାକୁର ପ୍ରଭୁ ବଳଭଦ୍ର । ଘଣ୍ଟଘଣ୍ଟା,ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି । ଟାହିଆ ହଲାଇ ଶରଧାବାଲିରେ ଝୁଲିଝୁଲି ଆସିଛନ୍ତି ବଡ଼ ଠାକୁର । ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଶେଷ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଜମିଛି । ଆଜି ବାହୁଡ଼ା ଯାତ୍ରା ସରିବା ପରେ ପୁଣି ଥରେ ଆସନ୍ତା ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ ।

    ଏହି ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଶ୍ରୀକ୍ଷେତ୍ରରେ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ଓ ଶୃଙ୍ଖଳିତ ରଥଟଣା ଉପରେ ଫୋକସ କରିଛି ପ୍ରଶାସନ । ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ହୋଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ବେଶ୍ ସମାଗମ ହେବ । ଏହାକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ପରେ ବାହୁଡ଼ା ଯାତ୍ରା,ଆଉ ତାପରେ ସୁନାବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ ।

  • କେନ୍ଦୁଝର: ଶୋଭାଯାତ୍ରା ଉପରେ ଚଢ଼ିଗଲା ଟ୍ରକ୍, ୬ ଜଣଙ୍କ ମୃତ୍ୟୁ, ୮ ଗୁରୁତର

    କେନ୍ଦୁଝର: ଶୋଭାଯାତ୍ରା ଉପରେ ଚଢ଼ିଗଲା ଟ୍ରକ୍, ୬ ଜଣଙ୍କ ମୃତ୍ୟୁ, ୮ ଗୁରୁତର

    କେନ୍ଦୁଝର ପୁରୁଣା ସହରର ଷଠିଘରସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୨୦ ନମ୍ବର ଜାତୀୟ ରାଜପଥରେ ବିବାହ ଶୋଭାଯାତ୍ରା ବେଳେ ବରଯାତ୍ରୀଙ୍କ ଉପରେ ଟ୍ରକ୍ ମାଡ଼ିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ୮ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।

    ଷଠିଘରସାହିର କାର୍ତ୍ତିକ ପାତ୍ରଙ୍କ ଝିଅଙ୍କ ବାହାଘର ଥିବାରୁ ହରିଚନ୍ଦନପୁର ବ୍ଲକ ମାନପୁର ଗାଁରୁ ବରଯାତ୍ରୀ ଆସିଥିଲେ । ରାତି ପ୍ରାୟ ଗୋଟାଏ ବେଳେ ବରଯାତ୍ରୀ ଦଳ ଜାତୀୟ ରାଜପଥ ଉପରେ ରୋଷଣି କରି ଆସୁଥିଲେ । ବାଜା, ନାଚଗୀତର ତାଳେତାଳେ ହସଖୁସିରେ ନାଚୁଥିଲେ ବରଯାତ୍ରୀ । ହେଲେ ଭାଗ୍ୟର ବିଡ଼ମ୍ବନା, ଝିଅ ଘର ଠାରୁ ମାତ୍ର କିଛି ଦୂରରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ବରଯାତ୍ରୀଙ୍କ ଉପରେ ଟ୍ରକ୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଲା । ଅନ୍ୟ ଜଣେ ଚିକିତ୍ସିତ ଅବସ୍ଥାରେ ଜୀବନ ହାରିଲେ । ମୃତକମାନଙ୍କ ମଧ୍ୟରେ ମାନପୁର ଗାଁର ଜିତ୍ ପାତ୍ର,କାଳିଆ ମହାନ୍ତ,ଲକ୍ଷ୍ମୀପାଦ ଗାଁର ରଥି ମୁଣ୍ଡା,ଷଠିଘର ଗାଁର ଅମିତ ପାତ୍ର,ବିଶୁ ପାତ୍ର, କେଉଟ ସାହିର ପାପୁନ ଦେହୁରୀଙ୍କ ମୃତ୍ଯୁ ହୋଇଛି । ମୃତକଙ୍କ ମଧ୍ୟରେ ବରର ପୁତୁରା ଥିବା ବେଳେ ବରଯାତ୍ରୀ ଦଳର ଜଣେ ବ୍ୟକ୍ତି ରହିଛନ୍ତି । ଏହି ଦୁର୍ଘଟଣାରେ ଷଠିଘର ସାହିର ୩ ଜଣଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଅଗ୍ନିଶମ ବାହିନୀ ୯ ଗୁରୁତରଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ଅନ୍ୟ ଜଣଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

    ଏଭଳି ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଓଭରବ୍ରିଜ ନିର୍ମାଣ ଦାବିରେ ସାହି ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ମୃତଦେହ ନେବାକୁ ଦିଆଯାଇନଥିଲା । ପୋଲିସ ଓ ତହସିଲଦାର ପହଞ୍ଚି ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଶେଷରେ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି । ଖୁସିର ଶୋଭାଯାତ୍ରା ଶେଷରେ ଶୋକଯାତ୍ରାରେ ପରିଣତ ହୋଇଥିଲା ।

  • ସରିଲା ଜନ୍ମବେଦୀରେ ଲୀଳାଖେଳା

    ସରିଲା ଜନ୍ମବେଦୀରେ ଲୀଳାଖେଳା

    ସରିଲା ଜନ୍ମବେଦୀରେ ଲୀଳାଖେଳା । ଆଜି ପୁଣି ରତ୍ନବେଦି ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ବାହୁଡ଼ା ଯାତ୍ରା ପାଇଁ ହୋଇଛି ନୀତିନିର୍ଘଣ୍ଟ । ଭୋର ୪ଟାରୁ ମଙ୍ଗଳ ଆଳତି କରାଯାଇଥିବାବେଳେ ୫ଟା୪୫ରୁ ୬ଟା ୪୫ ମଧ୍ୟରେ ହୋଇଛି ଗୋପାଳ ବଲ୍ଲଭ ଓ ସକାଳ ଧୂପ । ମଧ୍ୟାହ୍ନ ୧୨ଟାରୁ ସାଢେ ୨ଟା ମଧ୍ୟରେ ହେବ ବାହୁଡା ପହଣ୍ଡି । ଦିନ ଗୋଟାଏରୁ ସାଢେ ୨ଟା ମଧ୍ୟରେ ଶେଷ ହେବ ବେଶ । ପରେ ଅପରାହ୍ନ ସାଢେ ୨.୩୦ଟାରୁ ୩ଟା ୩୦ମଧ୍ୟରେ ଛେରା ପହଁରା କରାଯାଇ ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା ।ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ବାହୁଡ଼ାଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତିକୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ସେହିପରି ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କୁ ଆଖିଆଗରେ ରଖି ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏବଂ ଜରୁରୀକାଳୀନ ସେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ହୋଇଛି ।

  • ଭିଜିଲାନ୍ସ ସ୍କାନରରେ ଦିଗପହଣ୍ଡି ଫରେଷ୍ଟ ରେଞ୍ଜର

    ଭିଜିଲାନ୍ସ ସ୍କାନରରେ ଦିଗପହଣ୍ଡି ଫରେଷ୍ଟ ରେଞ୍ଜର

    ଆକ୍ସନ ମୋଡରେ ଭିଜିଲାନ୍ସ ।   ପୁଣି ଭିଜିଲାନ୍ସ ଜାଲରେ  ସରକାରୀ ବାବୁ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଘରେ ରେଡ୍ । ଦିଗପହଣ୍ଡି ରେଞ୍ଜରଙ୍କ ଗାଡ଼ିରୁ ମିଳିଲା 1 ଲକ୍ଷ ୫୮ ହଜାର ଟଙ୍କା । ଏତେ ଟଙ୍କା କେଉଁଠୁ ଆସିଲା, ଦେଇପାରିଲେନି ଉତ୍ତର । ଫଳରେ ଘରେ ଛାପା ମାରିଛି ଭିଜିଲାନ୍ସ । ରେଞ୍ଜନ କାହ୍ନୁଚରଣ ପଟ୍ଟନାୟକଙ୍କ ଘର ସମେତ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନରେ ଜାରି ରହିଛି  ଚଢ଼ାଉ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡିସ୍ଥିତ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ତାଙ୍କ ଗାଡିରୁ ନଗଦ 1 ଲକ୍ଷ ୫୮ହଜାର ଟଙ୍କା ଜବତ କରିଥିଲା   ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ । ତେବେ ଏହି ଟଙ୍କା ଅନୈତିକ ଉପାୟରେ ଅଣାଯାଇଥିବା ସନ୍ଦେହ କରି ଛଡ଼ାଉ କରିଛି  ଭିଜିଲାନ୍ସ। କେବଳ ଗାଡିରୁ ନୁବେଁ  ସରକାରୀ ବାସଭବନ ସମେତ ଘରୁ ମିଳିଛି ଟଙ୍କା । ରାତି ତମାମ ଭିଜିଲାନ୍ସ ଟିମ ତଦନ୍ତ କରୁଥିବା ବେଳେ ଦିଗପହଣ୍ଡି କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ରାତି ୨ଟା ବେଳେ ୬ ଜଣିଆ ଟିମ୍ ଆସି ଫେରିଛନ୍ତି । ବ୍ରହ୍ମପୁର ତୁଳସୀନଗର ୭ନମ୍ବର ଲାଇନରେ ଚଢ଼ାଉ ଜାରି ରହିଛି ।