
ସମୁଦ୍ର ସ୍ନାନର ମଜା ନେବାକୁ ପୁରୀ ଆସି ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ୫ ପର୍ଯ୍ଯଟକ। ଦିଗବାରେଣି ଛକ ବେଳାଭୂମିରେ ଗାଧୋଉଥିବା ବେଳେ କରେଣ୍ଟରେ ପଡ଼ି ୫ଜଣ ପର୍ଯ୍ୟଟକ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ତେବେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କ ପରିବାର ଲୋକେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ହରଚଣ୍ଡୀ ଲାଇଫ ଗାର୍ଡ ସଦସ୍ୟମାନେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ର ଭିତରକୁ ଯାଇଥିଲେ। ପାଣି ଭିତରେ ଥିବା କରେଣ୍ଟ ଏହି ପର୍ଯଟକ ମାନଙ୍କୁ ଅନେକ ଭିତରକୁ ଟାଣି ନେଇଥିଲେ ମଧ୍ୟ ଶେଷରେ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଲାଇଫ ଗାର୍ଡ ମାନେ।
ଉଦ୍ଧାର ହୋଇଥିବା ପର୍ଯ୍ୟଟକ ମାନେ ହେଲେ ଆଗ୍ରାର ହରି ସିଂହ, ହରିୟଣାର ବିକାଶ ରାୟ, ଝାଡଖଣ୍ଡର ବିଦେଶ ରାମ ରାୟ, ଅମନ୍ ରାୟ ଏବଂ ଆସାମର ନିରଜ୍ ବୋରା। ଉଦ୍ଧାର ପରେ ପର୍ଯ୍ୟଟକମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ସମୁଦ୍ରରେ କରେଣ୍ଟ ଥିବା ସମୟରେ ଲାଇଫ ଗାର୍ଡ ମାନଙ୍କ କଥା ପର୍ଯ୍ୟଟକ ମାନେ ମାନୁ ନ ଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘର ସଭାପତି ବାଡ଼ି ଶିବା ରାଓ କହିଛନ୍ତି। ସେହିଭଳି ବର୍ତ୍ତମାନ ସୁଦ୍ଧା ପୁରୀ ସମୁଦ୍ରରେ ଲାଇଫ ଗାର୍ଡମାନେ ସେହି ପାରମ୍ପରିକ ଜ୍ଞାନ କୌଶଳ ଆଧାରରେ ଲାଇଫ ଗାର୍ଡିଂ କରୁଥିବାରୁ ସେମାନଙ୍କୁ ଆଧୁନିକ ସୁବିଧା ଓ ଟ୍ରେନିଂ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ମହାସଂଘର ମୁଖ୍ୟ ଉପଦେଷ୍ଟା ସିଦ୍ଧାର୍ଥ ରାୟ କହିଛନ୍ତି।
୨୦୧୫ ମସିହାରୁ ଏପର୍ଯ୍ୟନ୍ତ ପ୍ରାୟ ୬୦ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଲେଣି। ଏଥି ମଧ୍ୟରୁ ଅନେକଙ୍କ ମୃତ୍ୟୁ ରିପ୍ କରେଣ୍ଟ ପାଇଁ ହେଉଥିବା ଲାଇଫ୍ଗାର୍ଡମାନେ କହୁଛନ୍ତି। ବାସ୍ତବ କଥା ହେଉଛି, ସମୁଦ୍ରରେ ପାଣି ଭିତରେ ବେଳେବେଳେ ରିପ୍ କରେଣ୍ଟ ସୃଷ୍ଟି ହୁଏ। ଏହା କ୍ଷୀପ୍ର ଗତି ଲହଡ଼ି ଭାଙ୍ଗି ସୃଷ୍ଟି ହୋଇଥାଏ। ଏହାକୁ ସାଧାରଣ ପର୍ଯ୍ୟଟକ ଚିହ୍ନଟ କରିବା ସମ୍ଭବ ହୋଇନଥିଲେ ହେଁ ଲାଇଫ୍ଗାର୍ଡମାନେ ଏଭଳି ସ୍ଥିତି ଦେଖିଲେ ପର୍ଯ୍ୟଟକଙ୍କୁ ସେହି ସ୍ଥାନକୁ ନ ଯିବାକୁ ବାରଣ କରନ୍ତି। କିନ୍ତୁ ଅଧିକାଂଶ ପର୍ଯ୍ୟଟକ ଲାଇଫ୍ଗାର୍ଡଙ୍କ ପରାମର୍ଶ ମାନନ୍ତି ନାହିଁ ଓ ମୃତ୍ୟୁମୁଖରେ ପଡନ୍ତି ବୋଲି ଲାଇଫଗାର୍ଡ କୁହନ୍ତି।

































