Category: ଜିଲ୍ଲା

  • ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ ଉପଲକ୍ଷେ ୭୩ ୟୁନିଟ୍ ରକ୍ତଦାନ

    ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ ଉପଲକ୍ଷେ ୭୩ ୟୁନିଟ୍ ରକ୍ତଦାନ

    ଗତକାଲି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମ ଦିନ । ଏହି ଉପଲକ୍ଷେ ଆଜି ଅନୁଗୋଳ ବିଜେପି ପକ୍ଷରୁ ମୁନିସିପାଲିଟି ଟାଉନ ହଲ୍ ଠାରେ ବିଜେପି ତରଫରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୭୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

    ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ଏହା ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ବିଜେପି ନେତା ଦିଲୀପ ପ୍ରଧାନ, ବିଜେପି ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଭାରୀ ଯଯାତି ପଟ୍ଟନାୟକଙ୍କ ସମେତ ଭାରତୀୟ ଜନତା ପାର୍ଟିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

  • ୧୦ ମାସର ଝିଅର ବାପାକୁ ଖୋଜୁଛି ୧୬ ବର୍ଷୀୟା ମା’

    ୧୦ ମାସର ଝିଅର ବାପାକୁ ଖୋଜୁଛି ୧୬ ବର୍ଷୀୟା ମା’

    କଅଁଳ ବୟସରେ ପ୍ରେମରେ ପଡ଼ିଥିଲେ । ଆଉ ଆଗପଛ ନଭାବି ସବୁ କିଛି ପ୍ରେମିକକୁ ଦେଇଦେଲେ । କିନ୍ତୁ ଶେଷରେ ତାଙ୍କୁ ମିଳିଲା ଧୋକା ଓ ଅକଥନୀୟ ନିର୍ଯାତନା । ଆଉ ଏବେ ୧୦ ମାସର ଶୁଶୁକୁ ଧରି ନ୍ୟାୟ ମାଗୁଛି ୧୬ ବର୍ଷୀୟା ମା’ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ । ଦଶମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ସହ ଏମିତି କିଛି ଘଟିଛି ଯାହା ନଶୁଣିଲେ ବିଶ୍ବାସ କରିହେବ ନାହିଁ । ଘଟଣା ଭିତରକୁ ଯିବା ପୂର୍ବରୁ ଥରେ ଶୁଣିନିଅନ୍ତୁ ପୀଡିତାଙ୍କ କଥା ।

    ଶୁଣିଲେ ତ ଜଣେ ୧୬ ବର୍ଷରେ ମାତୃତ୍ଵ ଲାଭ କରିଥିବା ନାବାଳିକା କଥା । ସୂଚନା ଅନୁଯାୟୀ, ଫୋନରେ କଥା ହେଉ ହେଉ ଗଢି ଉଠିଲା ପ୍ରେମ ସମ୍ପର୍କ, ସମ୍ପର୍କ ନିବିଡ଼ ହେଲା, ୟାଭିତରେ ପ୍ରେମିକା ସଙ୍ଗରେ ଶାରୀରିକ ସମ୍ପର୍କ ରଖିଲା ପ୍ରେମିକ, ନାବାଳିକା ଆଦିବାସୀ ଝିଅ କିଛି ବୁଝିବା ପୂର୍ବରୁ ହେଲା ଅନ୍ତସତ୍ୱା । ଏକଥା ପ୍ରେମିକକୁ କହିବା ପରେ ପୋଲିସ କେସ ଭୟରେ ନାବାଳିକା ଅନ୍ତସତ୍ୱା ପ୍ରେମିକାକୁ ଘରକୁ ନେଲା ପ୍ରେମିକ ଏବଂ ସେଟାରେ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଲା ନାବାଳିକା। ଏହା ପରେ ନିରୀହ ନାବାଳିକା ମା’ଟି ଉପରେ ପ୍ରେମିକ ଓ ତା ପରିବାରର ନିର୍ଯାତନା ଆରମ୍ଭ ହୋଇଗଲା। ଶେଷରେ ନିର୍ଯାତନା ଅସହ୍ୟ ହେବାରୁ କିଛି ଉପାୟ ନପାଇ ନିଜ ବାପ ଘରକୁ କଅଁଳ ଶିଶୁ କନ୍ୟାକୁ ଧରି ପଳାଇଆସିଲା । ଦଶମାସ ହେଲାଣି ବାପ ଘରେ ରହିବା ପରେ ମଧ୍ୟ ସ୍ତ୍ରୀ କୁ ଦେଖିବାକୁ ମଧ୍ୟ ଆସିଲା ନାହିଁ ଧୋକାବାଜ ପ୍ରେମିକ । ଏବେ, ଦଶ ମାସର ଶିଶୁ କନ୍ୟାକୁ ଧରି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛି ୧୬ ବର୍ଷୀୟା ନାବାଳିକା ।

  • ସ୍ୱଚ୍ଛତା ହିଁ ସୁସ୍ଥତା

    ସ୍ୱଚ୍ଛତା ହିଁ ସୁସ୍ଥତା

    କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ଇଣ୍ଡିଆନ ଲିଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ ଓ କେନ୍ଦ୍ରର ଛାତ୍ରଛାତ୍ରୀ, କାଉନସିଲର, ଭାରପ୍ରାପ୍ତ ଅଧକ୍ଷ ସନ୍ତୋଷ ବାଗ, ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ସତ୍ୟ ପ୍ରକାଶ ମହାପାତ୍ର, ପ୍ରଭାତ ସାହୁ, ଗଣେଶ ଜେନା, ଓ ଘୁ.ଉଦୟଗିରି ପ୍ରେସ କ୍ଲବର ସଭାପତି ଅରୁଣ କୁମାର ଷଡ଼ଙ୍ଗୀ, ସମ୍ପାଦକ ଅନିଲ ଦଳବେହେରା, ସଂଗଠନ ସମ୍ପାଦକ ଗଗନ କୁମାର ପ୍ରଧାନ, ସଦସ୍ୟ ଏନ ରାଜା ରାଓ, ଚିନ୍ମୟ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ପୋଷ୍ଟ ଅଫିସ ଛକ ଠାରୁ ନୂଆଁସାହି ପର୍ଯ୍ୟନ୍ତ ସଫେଇ କରି ଜନସାଧାରଣଙ୍କୁ ସଚେତନ କରି ଥିଲେ ।ଏହି ସାମୁହିକ ସଫେଇ କାର୍ଯ୍ୟକ୍ରମରେ ବହୁ ସ୍ଵେଚ୍ଛାସବୀ, ସ୍ଥାନୀୟ ଜନସାଧାରଣ, ଏବଂ କାଉନସିଲର ଯୋଗ ଦେଇଥିଲେ।

  • ଦେବଶିଳ୍ପୀଙ୍କ ଆଗମନକୁ ନେଇ ଚଳଚଞ୍ଚଳ ବନ୍ଦର ନଗରୀ

    ଦେବଶିଳ୍ପୀଙ୍କ ଆଗମନକୁ ନେଇ ଚଳଚଞ୍ଚଳ ବନ୍ଦର ନଗରୀ

    ଦେବଶିଳ୍ପୀଙ୍କ ଆଗମନକୁ ନେଇ ସଜେଇ ହେଉଛି ବନ୍ଦର ନଗରୀ ପାରାଦୀପ । ୩ ବର୍ଷ ଧରି କୋଭିଡ କଟକଣା ପାଇଁ ବନ୍ଦ ରହିଥିଲା ବିଶ୍ବକର୍ମାଙ୍କ ପୂଜା। ଚଳିତ ବର୍ଷ ହେଉଛି ପୂଜା। ଏଥିପାଇଁ ପାରାଦୀପର ବିଭିନ୍ନ ସଂସ୍ଥା ତରଫରୁ ମୂର୍ତ୍ତି ନିର୍ମାଣ ସହ ତୋରଣ ସଜ୍ଜା କାମ ଜୋରସୋରରେ ଆଗେଇ ଚାଲିଛି। ବନ୍ଦର ନଗରୀ ପାରାଦୀପ ହୋଇଉଠିଛି ଚଳଚଞ୍ଚଳ । ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟରେ ବନ୍ଦର ନଗରୀରେ ବିଶ୍ୱକର୍ମା ପୂଜାକୁ ଗଣପର୍ବ ଭାବରେ ପାଳନ କରାଯାଇଥାଏ । ଏଥିପାଇଁ ମଣ୍ଡପ ମଣ୍ଡପ ମଧ୍ୟରେ ଚାଲେ ପ୍ରତିଯୋଗିତା। ତେଣୁ ଓଡିଶା ତଥା ଓଡିଶା ବାହାରର ମୂର୍ତ୍ତି କାରିଗର ଓ ଟେଣ୍ଡ ବ୍ୟବସାୟୀଙ୍କୁ ମୋଟା ଅଙ୍କରେ ଆଣିଥାନ୍ତି ବିଭିନ୍ନ ସଂସ୍ଥା। ତେବେ ୩ ବର୍ଷ ବ୍ୟବଧାନରେ ବିଶ୍ବକର୍ମା ପୂଜା ହେଉଥିବାରୁ ଚଳିତ ବର୍ଷ ଲୋକଙ୍କ ଭିଡ ହେବା ନେଇ ଆଶାବାଦୀ ବିଭିନ୍ନ ସଂସ୍ଥାର କର୍ମକର୍ତ୍ତା।

    ଚଳିତବର୍ଷ ବିଶ୍ୱକର୍ମା ପୂଜା କୁ ନେଇ ମୂର୍ତ୍ତି କାରିଗର ହୁଅନ୍ତୁ ବା ତୋରଣ ନିର୍ମାଣ କରୁଥିବା ଟେଣ୍ଡ ହାଉସ କାରିଗର, ସମସ୍ତେ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି । ପାରାଦୀପ ବିଶ୍ୱକର୍ମା ପୂଜାରେ ଅର୍ଥକୁ ଗୁରୁତ୍ୱ ନ ଦେଇ କିଭଳି ଭଲ ମୂର୍ତ୍ତି ଗଢିବେ, ଭଲ ତୋରଣ ନିର୍ମାଣ କରି ପାରାଦୀପ ବିଶ୍ୱକର୍ମା ପୂଜାରେ ପୁରସ୍କୃତ ହେବେ ଏ ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ସମସ୍ତ।

    ତେବେ ୭ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପୂଜା କୁ ନେଇ ବନ୍ଦର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପାଳିକା ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରାୟତଃ ବିଭିନ୍ନ ପୂଜାକମିଟି ତରଫରୁ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ ଜନଗହଳିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସଜାଗ ରହିଛି। ଚଳିତବର୍ଷର ବିଶ୍ୱକର୍ମା ପୂଜା ମହା ଆଡମ୍ବର ସହକାରେ ପାଳନ କରିବା ସହ ବାହାରୁ ଆସୁଥିବା ଲୋକଙ୍କ ସମୁଦ୍ର ସ୍ନାନ ପ୍ରତି ଅଧିକ ଧ୍ୟାନ ଦିଆଯାଇଥିବା ସୂଚନା ରହିଛି।

  • ବାଇକ ପିକଅପ ମୁହାଁ-ମୁହିଁ, ଜଣେ ମୃତ

    ବାଇକ ପିକଅପ ମୁହାଁ-ମୁହିଁ, ଜଣେ ମୃତ

    ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଚିଟିଙ୍ଗ ଘାଟି ନିକଟସ୍ଥ ବୁଲାଣି ରାସ୍ତା ରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ସହ ମେକ୍ସ ପିକ ଅପ ମୁହାଁ ମୁହିଁ ଧକ୍କା ହେବା ଫଳରେ ରେ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

    ମୃତ ଯୁବକ ଜଣକ ହେଲେ ଆର.ଉଦୟଗିରି ଥାନା ଛେଳିଗଡ଼ ଗାଁର ଅନାଦି ନାୟକ (୩୫) l ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ । ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି l

    ଫଳରେ ମୋହନା ଠାରୁ ପାରଳାଖେମୁଣ୍ଡି ଯାତାୟତ ଠପ ହୋଇଯାଇଛି l ଆଜି ମଧ୍ୟାହ୍ନ ରେ ଅନାଦି ନିଜ ଗାଁ ଛେଳିଗଡ ରୁ ଶଶୁର ଘର ପାଢ଼ୀଗାଁ କୁ ଯାଉଥିବା ବେଳେ ସାମାନା ପଟୁ ଚନ୍ଦ୍ରଗିରି ର ମେକ୍ସ ପିକ ଅପ ଭ୍ୟାନ ଧକ୍କା ଦେଇଥିଲା । ଦୁର୍ଘଟଣା ସ୍ଥଳରୁ ମେକ୍ସପିକଅପ ଫେରାର ହୋଇଥିବା ବେଳେ କ୍ଷତିପୂରଣ ଦାବି ରେ ରାସ୍ତା ଅବରୋଧ ଜାରି ରହିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l

  • ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ଗୁରୁତର

    ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ଗୁରୁତର

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ମହାବିଦ୍ୟାଳୟର ୩ ଛାତ୍ର ସ୍କୁଟିରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର। ଏଥିରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ କଟକ ବଡମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ସୂଚନା ମୁତାବକ, ଚାନ୍ଦବାଲି କଲେଜ +୨ ର ତିନିଜଣ ଛାତ୍ର ଗୋଟିଏ ସ୍କୁଟିରେ କଲେଜରୁ ଫେରୁଥିଲେ। କଲେଜ ରୋଡ଼ ଇନଡୋର ଷ୍ଟାଡିୟମ ନିକଟରେ ସ୍କୁଟି ଚଳାଉଥିବା ଚାଳକ ଛାତ୍ର ସ୍କୁଟି ଉପରୁ ଭାରସ୍ୟମ ହରାଇବାରୁ ସ୍କୁଟି ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ଖାଇଥିଲା। ଧକ୍କା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଛାତ୍ରମାନଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲ ଭର୍ତି କରିଥିଲେ। କିନ୍ତୁ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ଡାକ୍ତର ରେଫର କରିଦେଇଥିଲେ। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଛାତ୍ର ଜଣକ ସତ୍ୟବ୍ରତ ନାୟକ ହୋଇଥିବା ବେଳେ ଗୁରୁତର ଦୁଇଜଣ ହେଉଛନ୍ତି ବିଜୟ ପରିଡା ଓ ଲକି ଦାସ। ଛାତ୍ରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

  • ଯାଜପୁର ରୋଡ ଧାମରା ରେଳପଥ ସଂଯୋଗ ପାଇଁ ଅର୍ଥ ମଞ୍ଜୁରୀ

    ଯାଜପୁର ରୋଡ ଧାମରା ରେଳପଥ ସଂଯୋଗ ପାଇଁ ଅର୍ଥ ମଞ୍ଜୁରୀ

    ଯାଜପୁର ରୋଡରୁ ଧାମରା ରେଳପଥ ସଂଯୋଗ ପାଇଁ କେନ୍ଦ୍ରର ଅର୍ଥ ମଞ୍ଜୁରୀ ଘୋଷଣା ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଏକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ବିରଜାକ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ଏହି ଦୀପଦାନ କରାଯାଇଛି। ମା’ ବିରଜାଙ୍କ ନିକଟରେ ପରିଷଦର ଆବାହକ ତପନ ମହାରଣ୍ୟ ଶର୍ମାଙ୍କ ନେତୃତ୍ୱରେ ଏହି ଦୀପଦାନ କରାଯାଇଥିବା ବେଳେ ଏଥିରେ ପୂର୍ବତନ ସାଂସଦ ଅଞ୍ଚଳ ଦାସ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ପ୍ରେସକ୍ଳବର ସଦସ୍ୟ ମାନେ ଉପସ୍ଥିତ ରହି ଆନନ୍ଦବ୍ୟକ୍ତ କରିଛନ୍ତି। ଏହି ଅବସରରେ କେନ୍ଦ୍ରକୁ ଧନ୍ୟବାଦ ଦେଇଛନ୍ତି ଦୀପଦାନରେ ଯୋଗଦେଇଥିବା ବ୍ୟକ୍ତିବିଶେଷ।

    ସେହିପରି ଯାଜପୁର ଶାନ୍ତିମଣ୍ଡପଠାରେ ଯାଜପୁର ରୋଡ଼ ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇ କେନ୍ଦ୍ରକୁ ଧନ୍ୟବାଦ ଦିଆଯାଇଛି। ଏହି ରେଳପଥ ନିର୍ମାଣ କରାଗଲେ ଓଡିଶାର ପ୍ରାଚୀନତମ ରାଜଧାନୀ ତଥା ଯାଜପୁର ଜିଲ୍ଲାର ସଦର ମହକୁମା ସହ ରେଳ ସଂଯୋଗ ହୋଇପାରିବ । ବ୍ୟାସ ସରୋବର, ବିରଜା କ୍ଷେତ୍ର, ଆରଡିର ଶୈବପୀଠ, ଧାମରାର ଧାମରାଇ ମନ୍ଦିର ଓ ଭିତର କନିକାର କୁମ୍ଭୀର ଅଭୟାରଣ୍ୟକୁ କେନ୍ଦ୍ରକରି ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବ । ତେବେ ରେଳପଥ ପାଇଁ ବଜେଟରେ ବ୍ୟବସ୍ଥା କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବା ପର୍ଯ୍ୟନ୍ତ ସଂଗଠନ ତାର ସଂଗ୍ରାମ ଜାରି ରଖିବ ବୋଲି ଉପସ୍ଥିତ ଅତିଥିବୃନ୍ଦ ଦାବି ଜଣାଇଛନ୍ତି।

    ଏଥିସହ ଶୀଘ୍ର ସର୍ଭେ କାମ ସାରି ନିର୍ମାଣ ଆରମ୍ଭ କରିବା ପାଇଁ ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଥିଲା। ଆସନ୍ତା ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଦିବସରେ ଅଭିଯାନକୁ ଆହୁରି ବ୍ୟାପକ ରୂପ ଦେବାପାଇଁ ଚୂଡାନ୍ତ ନିଷ୍ପତ୍ତି ହୋଇଛି।

  • କରଞ୍ଜିଆରେ ହାତୀ ଆତଙ୍କ, ଲୋକେ ଭୟଭୀତ

    କରଞ୍ଜିଆରେ ହାତୀ ଆତଙ୍କ, ଲୋକେ ଭୟଭୀତ

    କେନ୍ଦୁଝର ଓ ମୟୂରଭଞ୍ଜରେ ଆତଙ୍କ ଖେଳାଇଚାଲିଛନ୍ତି ହାତୀପଲ । ଆଜି ସକାଳୁ ସକାଳୁ ୨୨ ଟିକିଆ ହାତୀ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ପଶିବା ପରେ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ। ଏହି ହାତୀପଲ ଗତ କିଛି ଦିନ ହେଲା କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ବ୍ଯାପକ ଫସଲ ନଷ୍ଟ କରି ଅଞ୍ଚଳବାସୀଙ୍କୁ ଆତଙ୍କିତ କରି ରଖିବା ପରେ କରଞ୍ଜିଆ ମୁହାଁ ହୋଇଛନ୍ତି। ଆଜି ପାଟଣା ବନାଞ୍ଚଳରୁ ଦେଓ ନଦୀ ପାର ହୋଇ ୨୨ ଟିକିଆ ଦଳ ପଶିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ । ବର୍ତ୍ତମାନ କରଞ୍ଜିଆର ବଡ ଦେଉଳି ଜଙ୍ଗଲରେ ରହିଥିବା ଜଣାପଡିଛି । ହେଲେ ହାତୀଙ୍କ ଗତିବିଧିରୁ ଦେଖିବାକୁ ମିଳିଛି କି, ହାତୀ ପଲ ଦିନ ବେଳେ ଜଙ୍ଗଲରେ ଲୁଚି ରହୁବା ସହ ସଞ୍ଜ ହେଲେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇଥାନ୍ତି। ଗାଁ କଡରେ ଥିବା ଲୋକଙ୍କ ଚାଷଜମିରେ ଖାଦ୍ୟ ଶସ୍ୟ ଖାଇବା ସହ ବହୁ ନଷ୍ଟଭ୍ରଷ୍ଟ କରିଥାନ୍ତି। ତେବେ ହାତୀ ପଲ ଏହି ଅଞ୍ଚଳକୁ ଆସିବା କିଛି ନୂଆ କଥା ହୋଇ ନ ଥିବା ବେଳେ କିନ୍ତୁ ବର୍ତ୍ତମାନ ଚାଷବାସ ସମୟ ହୋଇଥିବାରୁ ହାତୀଙ୍କ ଦ୍ୱାରା ଏକର ଏକର ଚାଷର କ୍ଷତି ହେବା ସମ୍ଭାବନା ଦେଖାଦେଇଛି କରଞ୍ଜିଆ ବନଖଣ୍ଡ ଅଧୀନରେ। ତେଣୁ ଏହି ବନଖଣ୍ଡ ନିକଟରେ ରହୁଥିବା ବାସିନ୍ଦା ଭୟଭୀତ ଅବସ୍ଥାରେ ରହୁଛନ୍ତି। ତୁରନ୍ତ ବନବିଭାଗ ହାତୀପଲଙ୍କୁ ଘଉଡାଇବାକୁ ସାଧାରଣରେ ଦାବି ହେଉଛି। ସେପଟେ ହାତୀ ପଲଙ୍କ ଗତି ବିଧି ଉପରେ ନଜର ରଖିଛି ବନବିଭାଗ।

  • ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନକୁ ନେଇ ମୁଣ୍ଡ ଟେକିଲା ଅସନ୍ତୋଷ

    ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନକୁ ନେଇ ମୁଣ୍ଡ ଟେକିଲା ଅସନ୍ତୋଷ

    ରାଜ୍ୟର ବିତ୍ତଶାଳୀ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ, ହାଇକୋର୍ଟଙ୍କ ଆଦେଶ ମୁତାବକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରକାଶ ସହ ଅଗଷ୍ଟ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ମଧ୍ୟ ଶେଷ ହୋଇସାରିଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବିଜ୍ଞପ୍ତି ମୁତାବକ ସେପ୍ଟେମ୍ବର ୩ ତାରିଖ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶିତ ଭୋଟର ତାଲିକାକୁ ଚ୍ୟାଲେଞ୍ଜ କରି ସଂଘ ସଦସ୍ୟ ଛବିନ୍ଦ୍ର କୁମାର ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଗ୍ରହଣ କରି ଅଗଷ୍ଟ ୩୧ ତାରିଖରେ ଶୁଣାଣୀ ଆରମ୍ଭ ହୋଇ ସେପ୍ଟମ୍ବର ୪ ତାରିଖକୁ ପରବର୍ତ୍ତୀ ଶୁଣାଣୀ ନିମନ୍ତେ ସ୍ଥିର ହୋଇଥିବାରୁ ଆଡଭୋକେଟ ଜେନେରାଲ ଓଡିଶା, କଟକଙ୍କ କାର୍ଯ୍ୟାଳୟ ଚିଠି ନଂ୪୮୮୮୭(୨) ତା ୩୧/୦୮/୨୦୨୩ ରିଖ ଯୋଗେ ଅତିରିକ୍ତ ସରକାରୀ ଅଧିବକ୍ତା ପ୍ରଭାତ କୁମାର ମୁଦୁଲିଙ୍କ ଦସ୍ତଖତ ଥାଇ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ସେପ୍ଟେମ୍ବର ୪ ତାରିଖ ଶୁଣାଣୀ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ ସଂକ୍ରାନ୍ତ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ ଆଦେଶ କରିଥିଲେ ।

    ଏହି ଆଦେଶ ପରେ ତୁରନ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ ଚିଠି ନଂ ୨୯୫୦ ତା ୧/୮/୨୦୨୩ ରିଖ ଅନୁଯାୟୀ, ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ସଂକ୍ରାନ୍ତୀୟ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ ସଂଘ ଉପଦେଷ୍ଟାଙ୍କୁ ଚିଠି କରିବା ପରେ ସେପ୍ଟେମ୍ବର ୩ ତାରିଖରେ ପ୍ରକାଶିତ ହେବାକୁ ଥିବା ଚୂଡାନ୍ତ ପ୍ରାର୍ଥୀ ତାଲିକାକୁ ଆଉ ପ୍ରକାଶ କରାଗଲା ନାହିଁ । ସେପ୍ଟେମ୍ବର ୪ ତାରିଖରେ ଆବେଦନର ଶୁଣାଣୀ ନହୋଇ ସେପ୍ଟେମ୍ବର ୧୨ ତାରିଖକୁ ପରବର୍ତ୍ତୀ ଶୁଣାଣୀ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବେଳେ ୧୨ ତାରିଖରେ ମଧ୍ୟ ଶୁଣାଣୀ ନହୋଇ ସେପ୍ଟେମ୍ବର ୧୩ ତାରିଖକୁ ପରବର୍ତ୍ତୀ ଶୁଣାଣୀ ନିମନ୍ତେ ଧାର୍ଯ୍ୟ ହୋଇଥିଲେ ହେଁ ୧୩ରେ ଶୁଣାଣୀ ନହୋଇ ପୁଣିଥରେ ସେପ୍ଟେମ୍ବର ୧୮ ତାରିଖକୁ ଧାର୍ଯ୍ୟ ହୋଇଛି ।

    ନିର୍ବାଚନ ପ୍ରକ୍ରିୟାକୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ଅତିରିକ୍ତ ଜିଲ୍ଲାପାଳ ସଂଘ ଉପଦେଷ୍ଟାଙ୍କୁ ଚିଠି କରିଥିବା ବେଳେ ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ କିମ୍ବା ଅଦାଲତଙ୍କ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ବନ୍ଦ ପାଇଁ କୌଣସି ରହିତାଦେଶ ନଥାଇ ସୁଦ୍ଧା କାହା ସ୍ୱାର୍ଥରେ ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ ରଖାଯାଇଛି ସେନେଇ ସଂଘର ବରିଷ୍ଠ ସଦସ୍ୟ ତଥା ସଭାପତି ପ୍ରାର୍ଥୀ ରାମଚନ୍ଦ୍ର ଭୂୟାଁ ପ୍ରଶ୍ନ କରିଛନ୍ତି । ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଭୂୟାଁ ଏହି ପ୍ରଶ୍ନ କରିବା ସହ ପୂର୍ବ ବିଜ୍ଞପ୍ତି ଅନୁଯାୟୀ, ଚଳିତ ମାସ ୨୪ ତାରିଖରେ ଭୋଟ ଗ୍ରହଣ କିଭଳି କରାଯିବ ସେନେଇ ଉଭୟ ଜିଲ୍ଲା ପ୍ରଶାସନ ଓ ସଂଘ ଉପଦେଷ୍ଟାଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂଘର ଅନ୍ୟତମ ବରିଷ୍ଠ ସଦସ୍ୟ ତଥା ଉପସଭାପତି ପ୍ରାର୍ଥୀ ରାମଚନ୍ଦ୍ର ରାଉତ ଓ ଯୁଗ୍ମ ସମ୍ପାଦକ ପ୍ରାର୍ଥୀ ଅୟସକାନ୍ତ ପଟ୍ଟନାୟକ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରହିତାଦେଶ ନଥାଇ କିଭଳି ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରାଯାଇ ଗଣତନ୍ତ୍ରରେ ସଂଘୀୟ ବ୍ୟବସ୍ଥାକୁ ଉଲଂଘନ କରାଉଛି ସେନେଇ କ୍ଷୋଭ ପ୍ରକଟ କରିବା ସହ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଧାର୍ଯ୍ୟ ସମୟରେ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ଅନୁରୋଧ କରିଛନ୍ତି ।

  • ପୂର୍ବତନ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାର

    ପୂର୍ବତନ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାର

    କୂଅ ଭିତରୁ ଉଦ୍ଧାର ହେଲା ପୂର୍ବତନ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ମୃତଦେହ । ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କର ଚୌକିଦାର ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ନିରଞ୍ଜନ ବଉଳା ଫାଣ୍ଡିର ଚୌକିଦାର ଥିବା ବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ. ବାଲିପାଳ ପଂଚାୟତର ସରପଞ୍ଚ ଥିଲେ । ମଙ୍ଗଳବାର ରାତିରୁ ଉଭୟଙ୍କୁ କେହି ଦୁର୍ବୁତ୍ତ ହତ୍ୟାକରି ଘର ପାଖ କୂଅରେ ପକାଇ ଦେଇଥିଲେ ।

    ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସ୍ବାମୀ ଉଭୟ ମୟୂରନଚା ଗାଁରେ ରହୁଥିଲେ । ବୁଧବାର ଗାଁ ଲୋକ ତାଙ୍କ ଘରକୁ ଯାଇଥିବା ବେଳେ ଘରେ କେହି ନଥିଲେ । ଗ୍ରାମରକ୍ଷୀଙ୍କୁ ଡାକ ପକାଇଥିଲେ ବି କେହି ନଶୁଣିବାରୁ ଗେଟ ଖୋଲି ବାଡି ଭିତରକୁ ପଶିଥିଲେ । ବାଡି ଭିତରେ ରକ୍ତ ପଡ଼ିଥିବା ଦେଖିବା ସହିତ କୂଅରେ ରମ୍ଭା ପାତ୍ରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ସୋସୋ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରେ ୨ଟି ଯାକ ଶବ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ନିରଞ୍ଜନଙ୍କ ପୁତୁରା ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ଆଜି ସକାଳୁ ପୋଲିସ ଶବ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି ।