Category: ଜିଲ୍ଲା

  • କଳିଙ୍ଗ ବାଲିଯାତ୍ରା ମହୋତ୍ସବପାଇଁ ପ୍ରସ୍ତୁତି ବୈଠକ

    କଳିଙ୍ଗ ବାଲିଯାତ୍ରା ମହୋତ୍ସବପାଇଁ ପ୍ରସ୍ତୁତି ବୈଠକ

    ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା ମହୋତ୍ସବ -୨୦୨୩ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ବୈଠକ l ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷର କଳିଙ୍ଗ ବାଲିଯାତ୍ରା ମହୋତ୍ସବକୁ ମହା ଆଡମ୍ବରରେ ପାଳନ କରାଯିବ । ଏନେଇ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟାୱାରୀଙ୍କ ଅଧ୍ୟକ୍ଷତାରେ ପାରାଦୀପ ଅଫିସର୍ସ କ୍ଳବରେ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଏହି ବୈଠକରେ ଜିଲ୍ଲପାଳଙ୍କ ସହିତ ଜଗତସିଂହପୁର ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପାରାଦୀପ ଡିଏସପି ସନ୍ତୋଷ କୁମାର ଜେନାଙ୍କ ସହିତ ପ୍ରଶାସନିକ ଅଧିକାରୀ ଓ କମିଟି ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l

    ଚଳିତ ବର୍ଷର ବାଲିଯାତ୍ରା ମହୋତ୍ସବ କୁ କିଭଳି ସୁଚାରୁରୂପେ ସମ୍ପାଦନ କରାଯିବ ଏ ନେଇ ଜିଲ୍ଲାପାଳ ସମସ୍ତ ସଦସ୍ୟ ମାନଙ୍କ ମତାମତ ଲୋଡ଼ିଥିଲେ l ସାତଦିନ ଧରି ଆୟୋଜିତ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବରେ କିପରି ସ୍ଥାନୀୟ କଳାକାର ମାନଙ୍କୁ ସୁଯୋଗ ପ୍ରଦାନ କରାଯିବ, ପାରାଦୀପ ର ପ୍ରମୁଖ ସମସ୍ୟା ପାଲଟିଥିବା ଅଠରବାଙ୍କୀ ଠାରୁ ଦୋଛକି ପର୍ଯ୍ୟନ୍ତ ରାସ୍ତାକୁ କିପରି ବାଲିଯାତ୍ରା ପୂର୍ବରୁ ଏହାର ମରାମତି କରାଯିବ ଏ ନେଇ କମିଟି ର ସଦସ୍ୟ ମାନେ ଭିନ୍ନ ଭିନ୍ନ ମତ ରଖିଥିଲେ l

    କମିଟି ସଦସ୍ୟ ମାନଙ୍କ ମତକୁ ଜିଲ୍ଲପାଳ ଗ୍ରହଣ କରିବା ସହିତ ଏ ବିଷୟରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ଚଳିତ ବର୍ଷର କଳିଙ୍ଗ ବାଲିଯାତ୍ରା ମହୋତ୍ସବ କୁ ସରସ ସୁନ୍ଦର କରାଯିବା ନେଇ ଜିଲ୍ଲା ପ୍ରଶାସନ ଓ କଳିଙ୍ଗ ବାଲିଯାତ୍ରା କମିଟି ତରଫରୁ ପ୍ରୟାସ କରାଯିବା ନେଇ ଜିଲ୍ଲପାଳ ସୂଚନା ଦେଇଥିଲେ l

  • ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ନକୁଳ ଓ ତାଙ୍କ ପରିବାର

    ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ନକୁଳ ଓ ତାଙ୍କ ପରିବାର

    ଗୋଟିଏ ପଟେ ଦାରିଦ୍ର୍ୟ, ଅନ୍ୟପଟେ ଜନ୍ମରୁ ସେ ଦିବ୍ୟାଙ୍ଗ। ଗୋଡ ବଙ୍କା ଥିବାରୁ ଠିକ ଭାବେ ଚାଲବୁଲ କରିପାରନ୍ତି ନାହିଁ। ହେଲେ ହାରିଯାଇନାହାନ୍ତି କି ଅନ୍ୟମାନଙ୍କ ପରି ପେଟପାଟଣା ପାଇଁ ଭୀକ୍ଷାବୃତ୍ତିକୁ ଆପଣେଇ ନାହାନ୍ତି। ବହୁ ଅନଟନ ଭିତରେ ବି ଛଅ ପ୍ରାଣୀ କୁଟୁମ୍ବ ପୋଷିବାକୁ ଟ୍ରାଇ ସାଇକେଲ ଧରି ବାହାରିଯାଆନ୍ତି ଘରୁ। ସେଇ ଟ୍ରାଇ ସାଇକେଲରେ ଛୋଟ ଛୋଟ ଡବାରେ କିଛି ବିସ୍କୁଟ ଚକଲେଟ,କୁରକୁରି ଧରି ଖରା ବର୍ଷାକୁ ଖାତିର ନ କରି ବୁଲି ବୁଲି ବିକନ୍ତି। କିଏ କିଣେ କିଏ ମୁହଁ ବୁଲେଇ ଚାଲିଯାଏ। ତଥାପି ହତୋତ୍ସାହିତ ହୋଇନାହାନ୍ତି ସେ। ଦିନ ଯାକ ବୁଲିବା ପରେ ସନ୍ଧ୍ୟା ସମୟରେ ଘରେ ଇଲେକ୍ଟ୍ରି ବଲବ ଠିକ କରିବା କାମ କରି ବି କିଛି ରୋଜଗାର କରନ୍ତି। ଯୋଉ ଦୁଇ ପଇସା ରୋଜଗାର କରନ୍ତି ସେଥିରେ ପରିବାର ମୁହଁରେ ଦାନା ଦେଇଥାନ୍ତି। ଏତେ ସବୁ କହିବା ପରେ ବି ଆମେ କାହା କଥା କହୁଛୁ ବୋଲି ଆପଣଙ୍କ ମନରେ ପ୍ରଶ୍ନଉଠୁଥିବ।

    ତେବେ ଆମେ କହୁଛୁ ଯାଜପୁର ଜିଲ୍ଲା କୋରେଇ ବ୍ଲକ ହଳଦିଗଡ଼ିଆ ପଂଚାୟତ ବନ୍ତଳା ଗ୍ରାମର ନକୁଳ ବୋଇତେଇଙ୍କ କଥା। ବୃଦ୍ଧ ବାପା ମା, ସ୍ତ୍ରୀ ଓ ଦୁଇ କୁନି ଝିଅଙ୍କୁ ନେଇ ନକୁଳଙ୍କ ପରିବାର। ଘର କହିଲେ ଝାଟିମାଟି ଦୁଇ ବଖରା । ତାରି ଭିତରେ ଗାଈ ଗୁହାଳ, ରୋଷେଇବାସ, ଶୁଆବସା ସବୁକିଛି ହୁଏ। ଭିନ୍ନକ୍ଷମ ହୋଇଥିବାରୁ ଖାଲି ତାଙ୍କୁ ଭିନ୍ନକ୍ଷମ ଭତ୍ତା କେଇଟା ମିଳୁଛି, ଯାହା ପରିବାର ଚଳାଇବାକୁ ସମୁଦ୍ରକୁ ଶଙ୍ଖେ ସଦୃଶ। ସେଥିପାଇଁ ଟ୍ରାଇସାଇକେଲରେ କିଛି ଜିନିଷ ବିକି ଦି ପଇସା ରୋଜଗାର କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଛଅ ପ୍ରାଣୀ କୁଟୁମ୍ବ ଚଳାଇବା ତାଙ୍କ ପାଇଁ ଅସମ୍ଭବ ହୋଇପଡିଛି।

    ସେପଟେ ସରକାର ତାଙ୍କୁ ଭତ୍ତା ଗଣ୍ଡେ ଦେଇ ନିଜ ଦାୟିତ୍ବ ତୁଲାଇଦେଇଛନ୍ତି ସିନା ହେଲେ ଏହି ଗରିବ ପରିବାରକୁ ମିଳିନି ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘରଟିଏ। ତେଣୁ ଏହି ପରିବାରକୁ ଘରଟିଏ ଯୋଗାଇ ଦେବା ସହ ନକୁଳଙ୍କୁ ସ୍ବାବଲମ୍ବୀ କରିବାକୁ ସରକାର ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେଲେ ତାଙ୍କ ପରିବାର ଉପକୃତ ହେବେ ବୋଲି କହିଛନ୍ତି ନକୁଳ ଓ ତାଙ୍କ ପରିବାର।

  • ସିଟି ବସ ପରି ଇ-ବସ ସେବାର ହେବନି ତ ସ୍ଥିତି ?

    ସିଟି ବସ ପରି ଇ-ବସ ସେବାର ହେବନି ତ ସ୍ଥିତି ?

    ଯେଉଁଠି ଆରମ୍ଭ ସେଇଠି ଶେଷ। ଏ ହେଉଛି ବାଲେଶ୍ୱର ସହରବାସୀଙ୍କ ପ୍ରତି ରାଜ୍ୟ ତଥା ଜିଲ୍ଲା ପ୍ରଶାସନର ପ୍ରିତି। ଲୋକଙ୍କ ଯାତାୟାତ ସୁବିଧା ପାଇଁ ଆରମ୍ଭ ହୋଇଥିଲା ଇ-ବସ ସେବା। ହେଲେ ମାତ୍ର ୨ ଦିନ ଚାଲିବା ପରେ ଏହି ସେବା ବନ୍ଦ । ଠିକ ୬ ବର୍ଷ ପୂର୍ବେ ସିଟି ବସ ସେବା ପରି। କିନ୍ତୁ ଏଥିରେ ରାଜକୋଷରୁ ଯାଇଛି କୋଟିକୋଟି ଟଙ୍କା, ଯାହାକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଲେଣି। ଆସନ୍ତୁ ବାଲେଶ୍ଵରରୁ ଦେଖିବା ଏହି ରିପୋର୍ଟ।

    ବାଲେଶ୍ୱର ସହରବାସୀଙ୍କ ଗମନାଗମନ ସୁବିଧା ଯୋଗାଇବାକୁ ୨୦୧୭ରେ ଆରମ୍ଭ ହୋଇଥିଲା ସିଟି ବସ ସେବା। କିନ୍ତୁ ମାସ ଛଅଟାରେ ଏହାକୁ ବନ୍ଦ କରିଦିଆଗଲା। କୋଟି କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ଏହି ସିଟି ବସ ଏବେ ସହରର ଗାନ୍ଧିସ୍ମୃତିଭବନରେ ଖତ ଖାଉଛି। ବସର ବିଭିନ୍ନ ଅଂଶ ଜଙ୍କ ଲାଗିବା ସହ ସିଟ ନଷ୍ଟ ହେବାରେ ଲାଗିଲାଣି। ସେପଟେ ସହରବାସୀ ପୁଣି ଘରୋଇ ବସ ମାଲିକଙ୍କ ଦ୍ୱାରା ହେଉଛନ୍ତି ହନ୍ତସନ୍ତ। ପୁଣି ସିଟି ବସ ଚଳାଇବାକୁ ଲୋକଙ୍କ ଦାବି ଭିତରେ ଗତ ସେପ୍ଟେମ୍ବର ୧୯ ରେ ସହରରେ ଆରମ୍ଭ ହେଲା ଇ ବସ ସେବା। ବାଲେଶ୍ୱର-ଭଦ୍ରକ ଅରବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ନିଷ୍ପତ୍ତି ଅନୁଯାୟୀ ବାଲେଶ୍ଵର ସହରକୁ ପ୍ରଥମେ ଗୋଟିଏ ବସ ଆସିଥିଲା। ପରିବର୍ତି ସମୟରେ ଆଉ ୫ ବସ ଆସିବାର ଯୋଜନା ଥିଲା। ୩୩ ସିଟ ବିଶିଷ୍ଟ ଏହି ବସ ସହରର ବିଭିନ୍ନ ସ୍ଥାନରେ ମଧ୍ୟ ଗଡିଥିଲା। ମାତ୍ର ୨ ଦିନ ଗଡିବା ପରେ ଏହି ସେବାରେ ଲାଗିଲା ଡୋରି। ବାଲେଶ୍ୱର ପାଇଁ ଆସିଥିବା ଇ-ବସ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ରହିଛି। ହେଲେ ଇ-ବସ ସେବା କାହିଁକି ବନ୍ଦ ହୋଇଗଲା ଏ ନେଇ ପ୍ରଶ୍ନ ଉଠାଇଛନ୍ତି ସହରବାସୀ। ଏହାକୁ ନେଇ ପୌରାଧ୍ୟକ୍ଷା କହିଛନ୍ତି, ସିଟି ବସ ବହୁତ ଲମ୍ବା ଥିବାରୁ ସହର ଭିତରେ ଚଳାଚଳରେ ସମସ୍ୟା ଦେଖାଦେଲା। ତେଣୁ ଏହାକୁ ବନ୍ଦ କରିବାକୁ ପଡିଲା

    ଇ-ବସ ସେବା ବନ୍ଦକୁ ନେଇ ପୌରାଧ୍ୟକ୍ଷ କହିଛନ୍ତି, ସେବା ବନ୍ଦ ହୋଇନି। ବସ ରିଚାର୍ଜ ପରି ଅନ୍ୟାନ୍ୟ ଟେକ୍ନିକାଲ ସମସ୍ୟା ପାଇଁ ବନ୍ଦ ହୋଇଛି ସତ କିନ୍ତୁ ଏହା ପୁଣି ଚାଲିବ। ଏସମ୍ପର୍କରେ ବିଧାୟକ କହିଛନ୍ତି, ଇ ବସ ଟେଣ୍ଡରରେ କେହି ସାମିଲ ହୋଇ ନଥିଲେ ଏହାର ମୂଲ୍ୟକୁ ନେଇ। ଆଉ ଦୁଇଟି ଟେଣ୍ଡର ପ୍ରକ୍ରିୟା ରହିଛି। ପରବର୍ତ୍ତୀ ସମୟରେ ଟେଣ୍ଡର କରି ଖୁବ ଶୀଘ୍ର ଇ-ବସ ସେବା ଆରମ୍ଭ ହେବ।

    ଅନ୍ୟପଟେ ଇ-ବସ ସେବା ତୁରନ୍ତ ଆରମ୍ଭ କରିବାକୁ ସାଧାରଣରେ ଦାବି ହେଉଛି। ଏହାଦ୍ୱାରା ସହର ସମେତ ସହରକୁ ଦୈନିକ ଆସୁଥିବା ଜନ ସାଧାରଣ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଉଛି।

  • ବସ୍ତାରେ ବିକଳ୍ପ ଖୋଜା, ସତ୍ୟକାମଙ୍କ ବଢୁଛି ଲୋକପ୍ରିୟତା

    ବସ୍ତାରେ ବିକଳ୍ପ ଖୋଜା, ସତ୍ୟକାମଙ୍କ ବଢୁଛି ଲୋକପ୍ରିୟତା

    ସୁଖ ଦୁଖର ସାଥି ଭାବେ ସେ ସର୍ବଦା ସେ ସାଧାରଣ ଲୋକଙ୍କ ପାଖେ ଛିଡା ହୋଇଛନ୍ତି । ଜନତା ତାଙ୍କୁ ଜନ ପ୍ରତିନିଧି ମାନି ନେଇଛନ୍ତି । ନା ସେ କୌଣସି ପଦବିରେ ଅଛନ୍ତି ନା ସେ କୌଣସି ରାଜନୈତିକ ଦଳ ସହ ଜଡିତ । କିନ୍ତୁ ତାଙ୍କର ସେବା କରିବାର ମନୋଭାବ ତାଙ୍କୁ ଜନତାଙ୍କ ପାଖେ ଏକ ଭିନ୍ନ ପରିଚୟ ଦେଇଛି । ସାଧାରଣ ଜନତାଙ୍କ ଆଶ୍ରିବାଦକୁ ପାଥେୟ କରି ବାଲିଆପାଳର ହକ୍, ନ୍ୟାର୍ଯ୍ୟ ଦାବୀ, ଅଧିକାରର ଦୃଢ଼ ସ୍ୱର ଉତ୍ତୋଳନ ଏବଂ ଏହାର ସମାଧାନ ଦିଗରେ ସଫଳ ଉଦ୍ୟମ ପାଇଁ ଅଗଣିତ ବାଲିଆପାଳବାସୀଙ୍କର ସ୍ୱର ସାଜିଛନ୍ତି ସତ୍ୟକାମ ମହାନ୍ତି। ନିକଟରେ ଶ୍ରୀଯୁକ୍ତ ମହାନ୍ତି ବାଲିଆପାଳ ବାସୀଙ୍କ ସ୍ବାର୍ଥ ପାଇଁ ଦୃଢ ସ୍ୱର ଉତ୍ତୋଳନ କରିଥିବା ଦାବୀକୁ ପ୍ରଶାସନ ଅତି ଗୁରୁତ୍ଵତା ର ସହ ନେଇ କାର୍ଯ୍ୟ ଆରମ୍ଭ କରିଛି ।

    ମରଣଯନ୍ତା ପାଲଟିଥିବା ବାଲିଆପାଳ ଚୌମୁଖ ରାସ୍ତା କାମ ପାଇଁ ଫେରି ଯାଇଥିବା ୨୫ କୋଟି ଟଙ୍କା ପୁନଶ୍ଚ ଅନୁମୋଦନ ହୋଇ ଫେରାଇ ଆଣିବାର ସଫଳ ପ୍ରଚେଷ୍ଟା, ଅବହେଳିତ ଇନ୍ଦିରା ଶିଶୁ ଉଦ୍ୟାନର ନବୀକରଣ ଓ ସୌନ୍ଦର୍ଯ୍ୟ କରଣ ଦିଗରେ ନିରନ୍ତର ପ୍ରୟାସ, ଡଗରା ବେଳାଭୂମିର ଭିତ୍ତିଭୂମି ବିକାଶ ଏବଂ ବାଲିଆପାଳ ହସ୍ପିଟାଲ ର ସର୍ବାଙ୍ଗୀନ ଉନ୍ନତି ଦିଗରେ ଆପ୍ରାଣ ଉଦ୍ୟମ ପାଇଁ ସବୁଠି ଚର୍ଚ୍ଚାର ଶିରୋନାମା ମଣ୍ଡନ କରିଛନ୍ତି ।

    ଦୀର୍ଘ ଦିନରୁ ଅବହେଳିତ ବାଲିଆପାଳର ବିକାଶଧାରାକୁ ଆଗେଇ ନେବା ପାଇଁ ଗୋଟିଏ ବର୍ଷ ଭିତରେ ଦୁଇ ଥର ଆମରଣ ଅନଶନ ର ଚରମ ନିଷ୍ପତ୍ତି, ସାଧାରଣ ଲୋକଙ୍କ ସମସ୍ୟାର ଦୃଢ଼ ସ୍ୱର ଉତ୍ତୋଳନ କରି ପ୍ରଶାସନିକ ସ୍ତର ରେ ସମାଧାନ ର ବାଟ ବାହାର କରିବା, ବାଲିଆପାଳ ବାସୀ ଙ୍କର ସାମୂହିକ ସ୍ବାର୍ଥ ପାଇଁ ନିରନ୍ତର ପ୍ରୟାସ ପାଇଁ, ପିଲାଙ୍କ ଠାରୁ ବରିଷ୍ଠ ପର୍ଯ୍ୟନ୍ତ ଅତି ଆପଣାର ହୋଇପାରିଛନ୍ତି। ଯେଉଁ ଭଳି ଭାବେ ଶ୍ରୀଯୁକ୍ତ ମହାନ୍ତିଙ୍କ ପ୍ରତି ଜନସମର୍ଥନ ଏବେ ଠାରୁ ଆରମ୍ଭ ହେଲାଣି, ତାହା ଆଗାମୀ ଦିନରେ ବାଲିଆପାଳ-ବସ୍ତା ରାଜନୀତିରେ ଏକ ବଡ ପରିବର୍ତ୍ତନ ହେବାର ସଂକେତ ଦେଉଛି।

  • ଜାଲ ସାର୍ଟିଫିକେଟ ଦ୍ୱାରା ଚାକିରୀ ଘଟଣାର ପର୍ଦାଫାଶ କଲେ ବରଗଡ଼ SDPO

    ଜାଲ ସାର୍ଟିଫିକେଟ ଦ୍ୱାରା ଚାକିରୀ ଘଟଣାର ପର୍ଦାଫାଶ କଲେ ବରଗଡ଼ SDPO

    ଜିଲ୍ଲାରେ ଜାଲ ସାର୍ଟିଫିକେଟ ଦ୍ୱାରା ଚାକିରୀ କରୁଥିବା ଘଟଣାର ପର୍ଦାଫାଶ କରିଛନ୍ତି ବରଗଡ଼ SDPO। ଏନେଇ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି । ଜାଲ ଜାତିଗତ ପ୍ରମାଣ ପତ୍ର ତିଆରି କରି ୫ ଜଣ ବ୍ୟକ୍ତି ଙ୍କୁ ଭଟଲି ପୋଲିସ ଗିରଫ କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଚାଲିଛି । ଉତ୍ତର ପ୍ରଦେଶ ରାଜ୍ୟ ରୁ ଭଟଲିକୁ ଆସି ୩ ଯୁବକ ନକଲି ଜାତିଗତ ପ୍ରମାଣପତ୍ର ତିଆରି କରିଥିଲେ ।ପରେ ଜାତିଗତ ପ୍ରମାଣ ପତ୍ର ନେଇ ଚାକିରୀ ପାଇଁ ଆବେଦନ ବେଳେ ଧରାପଡିଲେ । ଭଟଲି ଥାନାରେ ଜଣେ ଆର .ଆଇ, ଓ ସରପଞ୍ଚ ଙ୍କ ସମେତ ମୋଟ ୫ ଜଣ ଙ୍କୁ ଅଟକ ରଖିଛି ପୋଲିସ ।ଏହି ଜାଲ ଜାତିଗତ ପ୍ରମାଣ ପତ୍ର କରବାରରେ ଲିପ୍ତଥିବା ଉତ୍ତର ପ୍ରଦେଶର ବିରପାଳ ସିଂ, ବବ୍ଲେସ କୁମାର, ରବିକାନ୍ତ,ଭଟଲି ତହସିଲ ଅନ୍ତର୍ଗତ ସୁକୁଡା ଆରଆଇ ସନ୍ଦୀପ କୁମାର ଶତପଥି ଓ ଡ଼ୁମେଲପାଳିର ସରପଞ୍ଚ ମନୋରଞ୍ଜନ ଦୋରାକୁ ପୋଲିସ ଗିରଫ କରିବା ସହ ଅଧିକ ତଦନ୍ତ ଜାରିରଖିଥିବା ନେଇ ସୂଚନା ଦେଇଛନ୍ତି ବରଗଡ SDPO |

  • କେ ନୂଆଗାଁ ବ୍ଲକରେ ରାସନ୍ ଚାଉଳ ଦୁର୍ନୀତି ଅଭିଯୋଗ ଆଣି ବ୍ଲକ୍ କର୍ଯ୍ୟାଳୟ ଘେରିଲା ବିଜେପି

    କେ ନୂଆଗାଁ ବ୍ଲକରେ ରାସନ୍ ଚାଉଳ ଦୁର୍ନୀତି ଅଭିଯୋଗ ଆଣି ବ୍ଲକ୍ କର୍ଯ୍ୟାଳୟ ଘେରିଲା ବିଜେପି

    କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକରେ ରାସନ୍ ଚାଉଳ ଦୁର୍ନୀତି ଅଭିଯୋଗ । ଛଞ୍ଚେଡି ଗ୍ରାମ ପଞ୍ଚାୟତରେ ଛଅ ମାସର ରାସନ୍ ଚାଉଳ ହଡ଼ପ ଅଭିଯୋଗ କରି ଆଜି ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଛି। ଏନେଇ ପୂର୍ବରୁ ଗ୍ରାମବାସୀମାନେ କାର୍ଯ୍ୟାନୁଷ୍ଠାନ ଦାବିକରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳ ଦାବିପତ୍ର ଦେଇଥିଲେ। କିନ୍ତୁ ବ୍ଲକ୍ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କାର୍ଯାନୁଷ୍ଠନ ନ ନେବାରୁ ଏଥିରେ ଅତିଷ୍ଠ ହୋଇ ପୁଣି ଆଜି ବ୍ଲକ୍ କାର୍ଯ୍ୟାଳୟ ଘେରିବା ସହିତ ସମାନ ଅଭିଯୋଗ ଆଣିଛନ୍ତି ।

    ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ଗ୍ରାମର ବହୁ ପୁରୁଷ ମହିଳା ରାଲିରେ ସାମିଲ ହୋଇଥିଲେ। ଏହି ହେରଫେରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏ ନେଇ ବିଡିଓଙ୍କୁ ଦାବିପତ୍ର ଦିଆଯାଇଛି। ବିଡ଼ିଓ ଜୟଦେବ ଦାସ ତିନି ଦିନ ଭିତରେ ଏହାର ତଦନ୍ତ କରି ଚାଉଳ ଯୋଗାଣ ଓ ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାପାଇଁ ନିର୍ଭର ପ୍ରତିଶୃତି ଦେବାପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା ।

  • ମଦର ଟେରେସା ସେବା ସଂଘ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ ଦିବସ ପାଳିତ

    ମଦର ଟେରେସା ସେବା ସଂଘ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ ଦିବସ ପାଳିତ

    ଆମ ଆଖପାଖରେ ବେଳେବେଳେ ଏମିତି କିଛି ଘଟଣା ଘଟେ ଯାହା ଆମକୁ ଅନେକ ପ୍ରେରଣା ଦେଇଥାଏ । ଏ ଦୁନିଆକୁ ଭଲଭାବେ ଦେଖିପାରୁନଥିବା ଲୋକମାନେ ମଧ୍ୟ ସମାଜ କିପରି ସ୍ବଚ୍ଛ ରହିବ ତାକୁ ନେଇ ଚିନ୍ତା ପ୍ରକଟ କରନ୍ତି । ମାଟି, ପାଣି, ଗଛଲତା ଆଦି ଦେଖିପାରୁନଥିବା ଲୋକମାନେ ଯେତେବେଳେ ସମଜକୁ ସଫାସୁତୁରା ରଖିବାର ସଂଳ୍ପ ନିଅନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହଣ ପାଲଟିଯାଏ । ବାଲେଶ୍ବର ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ଗ୍ରାମରେ ଥିବା ମଦର ଟେରେସା ସେବା ସଂଘ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” ଆୱାରନେସ କାର୍ଯ୍ୟକ୍ରମ କରାଯାଇଛି । ଯେଉଁଥିରେ, ଡଗରା ବେଳାଭୂମିକୁ ସଫେଇ କରାଯାଇଥିଲା । ଏହି ସଂସ୍ଥା ତରଫରୁ ହୋଇଥିବା କାର୍ଯ୍ୟକ୍ରମରେ ସ୍କୁଲର ମୁକ-ବଧିର ପିଲାମାନେ ସ୍ୱଚ୍ଛତା ଉପରେ ଗୀତ ଗାଈ ଲୋକଙ୍କୁ ସଚେତନ କରାଇଥିଲେ ।

    ଡଗରା ପଞ୍ଚାୟତ ସରପଞ୍ଚ ସତ୍ୟାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅଥିତି ଭାବରେ ବାଲିଆପାଳ ଗୋଷ୍ଠି ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ଏଇ ଇଂ. ସୋମ୍ୟ ମୁକୁଳ ବାରିକ, ଜେଇ ପ୍ରେମାନନ୍ଦ ଚଇନି ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ସ୍କୁଲ କ୍ୟାମ୍ପସ ପରେ ରାଲେ କରି ଲୋକଙ୍କୁ ଗୀତ ଜରିଆରେ ସଚେତନ କରିବା ସହିତ ଡଗରା ବେଳାଭୂମିରେ ପହଞ୍ଚି ବେଳାଭୂମିକୁ ସଫେଇ କରାଇଥିଲେ ।

  • ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଭଦ୍ରକ ଉତ୍କଳ ସାମ୍ବାଦିକ ସଂଘ

    ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଭଦ୍ରକ ଉତ୍କଳ ସାମ୍ବାଦିକ ସଂଘ

    ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସବୁ ଜିଲ୍ଲାପଳଙ୍କୁ ଭେଟି ଦାବିପତ୍ର ଦିଆଯାଉଛି। ଭଦ୍ରକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ୫ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯାଇଛି। ଆଜି ୧୧ଟା ସମୟରେ ସଂଘର ଜିଲ୍ଲା ସଭାପତି ରବିନାରାୟଣ ଖିଲାରଙ୍କ ନେତୃତ୍ୱରେ ବହୁ ସାମ୍ବାଦିକ ଏହି ଦାବିପତ୍ର ଉପଜିଲ୍ଲାପାଳ କାର୍ତିକ ନାଥ ମଣ୍ଡଲଙ୍କୁ ପ୍ରଦାନ କରିଛନ୍ତି। ଏହି ୫ ଦଫା ଦାବି ମଧ୍ୟରେ ରହିଛି ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇଦେବା, ମାସିକ ପେନସନ ଦେବା, ରାଜ୍ୟ ସ୍ତରୀୟ ଆକ୍ରିଡେସନ କମିଟି ଗଠନ, ବ୍ଲକ ସ୍ତରରେ ସାମ୍ବାଦିକ ଚି଼ହ୍ନଟ କରିବା ପରି ପାଞ୍ଚଟି ଦାବି ରହିଥିବା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ରବିନାରାୟଣ ଖିଲାର ସୂଚନା ଦେଇଛନ୍ତି।

    ସମ୍ପ୍ରତି ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନେଇ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇ ଆସୁଛି। ଏହି ଦାବି ପୂରଣ ନ ହେଲେ ସାମ୍ବାଦିକମାନେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛି ସଂଘ।

  • ବସ୍ତିବାସିନ୍ଦା ଆପାର୍ଟମେଣ୍ଟ କେଳେଙ୍କାରୀ, ରଜଲକ୍ଷ୍ମୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲା କଟକ ଜିଲ୍ଲା ନୋଟାରୀ ସଙ୍ଘ

    ବସ୍ତିବାସିନ୍ଦା ଆପାର୍ଟମେଣ୍ଟ କେଳେଙ୍କାରୀ, ରଜଲକ୍ଷ୍ମୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲା କଟକ ଜିଲ୍ଲା ନୋଟାରୀ ସଙ୍ଘ

    କଟକ ଅନ୍ଦରପୁର ଠାରେ ସିଏମସି ପକ୍ଷରୁ ବସ୍ତି ସିନ୍ଦାଙ୍କ ପାଇଁ ଆବାସ ଓ ବସ୍ତି ଉନ୍ନୟନ ଯୋଜନାରେ ନିର୍ମାଣ ହୋଇଥିବା କୋଠାକୁ ଚଞ୍ଚକତା କରି ବିକ୍ରି କରିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା କରଣଙ୍କ ସ୍ବାମୀ ରାଜା କରଣ ଚୌଦ୍ବାର ଜେଲରେ ଅଛି । ତେବେ ଏହାର ମାଷ୍ଟରମାଇଣ୍ଡ ତଥା ଜାଲ ପଞ୍ଜିକରଣ ମାଧ୍ୟମରେ ଲୋକଙ୍କୁ ଭୂଆଁ ବୁଲାଉଥିବା ନୋଟାରୀ ରାଜଲକ୍ଷ୍ମୀ ପତି ଉପରେ କୌଣସି କାର୍ଯ୍ୟାନିଷ୍ଠାନ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

    ଅରୁଣୋଦୟ ମାର୍କେଟରେ ବେଆଇନ ଭାବେ ତିନୋଟି ଅଫିସ ଖୋଲି ବସିଥିବା ନୋଟାରୀ ରାଜଲକ୍ଷ୍ମୀକୁ ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ପରିସରଭୂକ୍ତ କରିଥଲେ । ଅନ୍ଦରପୁର ଠାରେ ସିଏମସି ନିର୍ମିତ ଘର ଗୁଡିକ ଆଇନଗତ ସମସ୍ୟା ଦୃଷ୍ଟିରୁ ବଣ୍ଟନ ହୋଇପାରୁ ନଥିବାରୁ ହିତାଧିକାରୀଙ୍କୁ ହସ୍ତାନ୍ତର ହୋଇନଥିବା ସୁଯୋଗରେ ରାଜା କରଣ, ରାଜଲକ୍ଷ୍ମୀ ପ୍ରତି ସହାୟତାରେ ଷ୍ଟାମ୍ପ ପେରପରେ ନୋଟାରାଇଜ ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରି ଘର ହସ୍ତାନ୍ତର କରିଥିଲା । ଟଙ୍କା ପଇସା ଧ୍ୟାର୍ଯ୍ୟ ପରେ ରାଜା, ରାଜଲକ୍ଷ୍ମୀ ପାଖକୁ ପଠାଉଥିଲା ଲୋକଙ୍କୁ । ଗରିବ, ନିରିହ ଲୋକଙ୍କୁ ଚଞ୍ଚକତା କରି ଜମି ହସ୍ତାନ୍ତର ନାମରେ ଷ୍ଟାମ୍ପ ପେପରରେ ଦସ୍ତଖତ ମାରୁଥିବା ରଜଲକ୍ଷ୍ମୀ । ଏହା ବିନିମୟରେ ଗରିବ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଅଣାଯାଇଥିଲା । ତେବେ ଆଶ୍ଚର୍ଯ୍ୟଜନ ଭାବେ ଏଭଳି ଜଘନ୍ୟ ଠକେଇ ଘଟଣାରେ ରାଜଲକ୍ଷ୍ମୀ ତଦନ୍ତ ପରିସରକୁ ଆସିଥିଲେ ମଧ୍ୟ ତା ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ସାଧାରଣରେ ସଂସୟ ସୃଷ୍ଟି କରିଛି ।

    ଅନ୍ୟପକ୍ଷରେ ଶହଶହ ଲୋକଙ୍କ ବିବିଧ ଚୁକ୍ତିନାମା ପଞ୍ଜିକରଣ ଜାଲିଆତିରେ ରାଜଲକ୍ଷ୍ମୀର ସମ୍ପୃକ୍ତିର ଗୁମର ଫିଟୁଛି । ରାଜଲକ୍ଷ୍ମୀ ନୋଟାରୀ ଲାଇସେନ୍ସର ବ୍ୟାପକ ଦୁରୁପୋଯୋଗ କରି କୌଣସି ପକ୍ଷର ବିନା ଉପସ୍ଥିତି ଓ ବିନା ଦସ୍ତଖତରେ ଚୁକ୍ତିନାମା ସବୁ ଉଚ୍ଚ ଦାମରେ ବିକ୍ରି କରି ବେଶ ମାଲାମାଲ ହେଉଛି । ସରକାରୀ ନିୟମ ବାହାରେ ଲାଇସେନ୍ସର ଅପବ୍ୟବହାର ଯୋଗୁଁ ରାଜଲକ୍ଷ୍ମୀ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ଖୋଦ କଟକ ନୋଟାରୀ ଆସୋସିଏସନର କର୍ମକର୍ତ୍ତା । ପଞ୍ଜିକୃତ ନୋଟାରୀ ସଂଘର ଅଭିଯୋଗ ଅନୁସୀରେ, ରାଜଲକ୍ଷ୍ମୀ ନୋଟାରୀ ରେଜିଷ୍ଟରରେ ନମ୍ବର ନଲେଖି, ଆବଶ୍ୟକୀୟ ଷ୍ଟାମ୍ପ ନମାରି, ପକ୍ଷ ମାନଙ୍କ ଦସ୍ତଖତ ନନେଇ, ସାକ୍ଷଙ୍କ ଦସ୍ତଖତ ନମାରି, ଅଧିକାଂଶ ପଞ୍ଜିକରଣ କରି ପେଶାଗତ ଶୃଙ୍ଖଳା ଭଙ୍ଗ କରିଛି । ନୋଟାରୀ ଆଇନ ଧାରା ୧୨ର ଉଲ୍ଲଙ୍ଘନ କରି ସେ ତାଙ୍କ ଷ୍ଟାମ୍ପରେ ଲାଇସେନ୍ସ ଏକ୍ସପାଏରୀ ତାରିଖ ନଲେଖିବା ଆଉ ଏକ ଚଞ୍ଚକତା । ଷ୍ଟାମ୍ପ ଭେଣ୍ଡରଙ୍କ ଠାରୁ ସମସ୍ତ ଷ୍ଟାମ୍ପ ପେପର ନିଜ ନାମରେ କିଣିଆଣି ରଜଲକ୍ଷ୍ମୀ ଉଚ୍ଚ ଦରରେ ପକ୍ଷ ମାନଙ୍କୁ ବିକ୍ରି କରିବା ଏକ ଅବୈଧ ଅଭ୍ୟାସ ବୋଲି କଟକ ଡିଷ୍ଟ୍ରିକ୍ଟ ନୋଟାରୀଜ ଆସୋସିଏସନ ପକ୍ଷରୁ କୁହାଯାଇଛି ।

  • ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ସମୀକ୍ଷା ବୈଠକ

    ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ସମୀକ୍ଷା ବୈଠକ

    ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅବସରରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନେଇ ଜିଲାପାଳ ସମୀକ୍ଷା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ବ୍ୟାପକ ଜନସଚେତନତା ସହିତ ଜିଲାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ପଂଚାୟତସ୍ତରିୟ ଶିଶୁ ସୁରକ୍ଷା କମିଟି ଗୁଡିକୁ ଅଧିକ କ୍ରୀୟାଶିଳ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଜିଲାରେ ବାଲ୍ୟ ବିବାହ ପ୍ରବଣ ଅଂଚଳ ଚିହ୍ନଟ କରିବା, ପ୍ରବାସୀ ଶ୍ରମିକଙ୍କ ପରିବାର ନେଇ ସର୍ଭେ କରାଯିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ , ଜିଲା ସମାଜ ମଂଗଳ ଅଧିକାରୀ ସୁବାସ ଚନ୍ଦ୍ର ସାମଲ, ଜିଲ୍ଲା ଚିକିତ୍ସା ମୁଖ୍ୟ ଡାକ୍ତର ସଂଘମିତ୍ରା ପଣ୍ଡା, ଜିଲା ବାଲ୍ୟ ବିବାହ ନିରାକରଣ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାସ , ସମସ୍ତ ସିଡିପିଓ ଓ ଅନ୍ୟମାନେ ସାମିଲ ହୋଇଥିଲେ ।