Category: ଜିଲ୍ଲା

  • ରତ୍ନଭଣ୍ଡାର ବୈଠକ, ଅଳଙ୍କାର ଗଣନା ପାଇଁ ମୁଖ୍ୟ ଆଲୋଚନା

    ରତ୍ନଭଣ୍ଡାର ବୈଠକ, ଅଳଙ୍କାର ଗଣନା ପାଇଁ ମୁଖ୍ୟ ଆଲୋଚନା

    ଶ୍ରୀମନ୍ଦିରର ରତ୍ନଭଣ୍ଡାର ସଂପର୍କିତ ମାମଲାରେ ଆଗାମୀ ୨୭ ତାରିଖରେ ହେବାକୁ ଥିବା ବୈଠକକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟ ସମାପ୍ତ ହୋଇଥିବା ସହ ଭିତରେ ସଞ୍ଚିତ ସମସ୍ତ ମୂଲ୍ୟବାନ ଅଳଙ୍କାରକୁ ପୁନଃ ସୁରକ୍ଷିତ ଭାବେ ସ୍ଥାପିତ କରାଯାଇଛି।

    ପ୍ରଶାସନିକ ସୂତ୍ର ଅନୁଯାୟୀ, ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରତ୍ନଭଣ୍ଡାରରେ ରହିଥିବା ସୁନା, ଚାନ୍ଦି ଓ ଅନ୍ୟାନ୍ୟ ମୂଲ୍ୟବାନ ଅଳଙ୍କାରର ଗଣତି–ମଣତି ପ୍ରକ୍ରିୟା କେମିତି କରାଯିବ, ସେଥିପାଇଁ ଏକ ସ୍ପଷ୍ଟ ଓ ପାରଦର୍ଶୀ SOP (Standard Operating Procedure) ପ୍ରସ୍ତୁତ କରିବା। ଗଣନା ସମୟରେ କେଉଁ କେଉଁ ସେବାୟତ ଓ ଅଧିକାରୀ ଉପସ୍ଥିତ ରହିବେ, କେମିତି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ଏବଂ କେଉଁ ନିୟମ–ନୀତିକୁ ଅନୁସରଣ କରାଯିବ, ସେସବୁ ଉପରେ ଏହି ବୈଠକରେ ଆଲୋଚନା ହେବ।

    ରତ୍ନଭଣ୍ଡାର ତଦନ୍ତ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ସମଗ୍ର ପ୍ରକ୍ରିୟା ପରମ୍ପରା, ଶାସ୍ତ୍ର ଓ ଶ୍ରୀମନ୍ଦିର ନୀତିନିୟମ ମାନି କରାଯିବ। ଏହି ସମୟରେ ଦର୍ଶନା ଅଭିଳାଶେ ଆସିଥିବା ଭକ୍ତ ମାନଙ୍କୁ ଦର୍ଶନ ପାଇଁ ଅସୁବିଧାର ସମୁଖୀନ ହେବାକୁ ପଡିବ। ସେଥିପାଇଁ ଜଗନ୍ନାଥ ପ୍ରେମୀ ଓ ଭକ୍ତମାନଙ୍କୁ ଧୈର୍ଯ୍ୟ ଓ ସହଯୋଗ ରଖିବାକୁ ଅନୁରୋଧ କରିଛନ୍ତି।

    ଉଲ୍ଲେଖଯୋଗ୍ୟ ଯେ, ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଅଳଙ୍କାରଗୁଡିକୁ ସଂରକ୍ଷିତ ଭାବେ ରଖାଯାଇଥିଲା। ବର୍ତ୍ତମାନ ମରାମତି ସମାପ୍ତ ହେବା ସହ ସମସ୍ତ ଅଳଙ୍କାର ପୁନଃ ରତ୍ନଭଣ୍ଡାରରେ ରଖାଯାଇଛି।

    ୨୭ ତାରିଖର ବୈଠକ ପରେ ଗଣତି–ମଣତି ପ୍ରକ୍ରିୟା କେବେ ଆରମ୍ଭ ହେବ ଓ ତାହାର ରୂପରେଖା କ’ଣ ରହିବ, ସେନେଇ ସ୍ପଷ୍ଟ ନିଷ୍ପତ୍ତି ଆସିବ ବୋଲି ଆଶା କରାଯାଉଛି। ଏହାକୁ ନେଇ ସେବାୟତ, ପ୍ରଶାସନ ଓ ଭକ୍ତମହଳରେ ଉତ୍ସୁକତା ବଢ଼ିଛି।

  • ରାଜସ୍ଵ ବିଭାଗ ଜାରି କଲା ନୂତନ SOP

    ରାଜସ୍ଵ ବିଭାଗ ଜାରି କଲା ନୂତନ SOP

    ଓଡ଼ିଶାରେ ଜମି ବେଞ୍ଚମାର୍କ ମୂଲ୍ୟ ବୃଦ୍ଧି ପାଇଁ ରାଜସ୍ଵ ବିଭାଗ ତୁରନ୍ତ ପଦକ୍ଷେପ ନେଇଛି। ରାଜସ୍ଵ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୃଦ୍ଧି କୌଣସି ସମସ୍ତ ଜମି ଓ ସ୍ଥାବର ସମ୍ପତ୍ତିର ମୂଲ୍ୟରେ ପ୍ରଭାବ ପକାଇବାରୁ ଏହା ସାମ୍ପ୍ରତିକ ଭାବେ ସବୁ ପାଇଁ ଗୁରୁତ୍ଵପୂର୍ଣ୍ଣ ଘଟଣା ଭାବରେ ଦେଖାଯାଉଛି।

    ସୂଚନା ଅନୁଯାୟୀ, ଜମିଗୁଡ଼ିକର ସ୍ଥିତି, ପ୍ରକାର ଏବଂ ରାଜପଥ ନିକଟତାକୁ ଧ୍ୟାନରେ ରଖି ବେଞ୍ଚମାର୍କ ମୂଲ୍ୟ ନିର୍ଣ୍ଣୟ କରାଯିବ। ଏହି ପଦକ୍ଷେପ ରାଜସ୍ଵ ବିଭାଗ ଦ୍ୱାରା ଡିସେମ୍ବର ୧୯ ରେ ଜାରି କରାଯାଇଥିବା ଏସ୍‌ଓପି ଅନୁସାରେ କରାଯିବ। ଏସ୍‌ଓପି ଅନୁଯାୟୀ, ପ୍ରତି ଦୁଇ ବର୍ଷରେ ଜମି ଓ ସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ମୂଲ୍ୟାୟନ ହେବାକୁ ନିର୍ଦ୍ଧାରିତ।

    ରାଜସ୍ଵ ବିଭାଗ ପକ୍ଷରୁ ଏହାକୁ ନିୟମିତ କରିବା ପାଇଁ ସମସ୍ତ ଜିଲ୍ଲା ଚିଠି ପଠାଇ ଏବଂ ଜମି ମୂଲ୍ୟାୟନରେ କିଛି ମୂଳଭୂତ ଦିଗକୁ ଗୁରୁତ୍ଵ ଦିଆଯିବ। ଏଥିରେ ଜମିର ରକ୍ଷା, ଅବସ୍ଥିତି, ପ୍ରକାର, ସହର ନିକଟତା ଓ ବିକାଶ ସମ୍ଭାବନା ସମ୍ମିଳିତ।

    ଏହି ଏସ୍‌ଓପି ଜାରି ହେବାର ଲକ୍ଷ୍ୟ ହେଉଛି ଜମି ଓ ସ୍ଥାବର ସମ୍ପତ୍ତିର ନିୟମିତ ମୂଲ୍ୟାୟନ କରି, ଗୁରୁତ୍ଵ ସଂଗ୍ରହ ଓ ଆଇନ-ଶୃଙ୍ଖଳାରେ ସମସ୍ତ ବ୍ୟବସ୍ଥା କରିବା। ଏହାର ଫଳରେ ଜମି ବିକ୍ରୟ ଓ ଅନ୍ୟାନ୍ୟ ସମ୍ପତ୍ତି ଲେନଦେନରେ ସଠିକ୍ ମୂଲ୍ୟ ନିର୍ଣ୍ଣୟ ହେବାକୁ ସାହାଯ୍ୟ ମିଳିବ।

    ଓଡ଼ିଶାର ସମସ୍ତ ଜିଲ୍ଲାରେ ଏହି ଏସ୍‌ଓପି କାର୍ଯ୍ୟକାରୀ ହେବା ସହ, ଜମି ବେଞ୍ଚମାର୍କ ମୂଲ୍ୟର ସମସ୍ତ ଅଦ୍ୟତନ ସୂଚନା ସଂଗ୍ରହ ଓ ପ୍ରଚାର କରାଯିବ।

  • ଅନୁଗୁଳରେ ଆଇନ-ଶୃଙ୍ଖଳାକୁ ଚାଲେଞ୍ଜ, ପୁଲିସ ଅଧିକାରୀଙ୍କ ଉପରେ ହତ୍ୟା ଉଦ୍ୟମ

    ଅନୁଗୁଳରେ ଆଇନ-ଶୃଙ୍ଖଳାକୁ ଚାଲେଞ୍ଜ, ପୁଲିସ ଅଧିକାରୀଙ୍କ ଉପରେ ହତ୍ୟା ଉଦ୍ୟମ

    ଅନୁଗୁଳ ଜିଲ୍ଲାରେ ଆଇନ-ଶୃଙ୍ଖଳାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି ଏକ ଚାଞ୍ଚଳ୍ୟକର ଘଟଣା। ଗତ ୧୮ ତାରିଖ ରାତିରେ ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍ସପେକ୍ଟର ଖଲେଶ୍ୱର ସେଠୀଙ୍କ ଉପରେ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

    ସୂଚନା ଅନୁଯାୟୀ, ଇନ୍ସପେକ୍ଟର ଖଲେଶ୍ୱର ସେଠୀ ଗତ ୧୮ ତାରିଖ ରାତି ପ୍ରାୟ ସାଢେ ୧୧ଟା ସମୟରେ ଡ୍ୟୁଟି ସାରି ଥାନାରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବୁଢ଼ୀ ଠାକୁରାଣୀ ଛକ ନିକଟରେ ହଠାତ୍‌ ଏକ ବସ୍‌ ତାଙ୍କ ଦିଗକୁ ଦ୍ରୁତ ଗତିରେ ଆସିଥିଲା। ଡ୍ରାଇଭର୍‌ ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଇନ୍ସପେକ୍ଟର ସେଠୀ ସଚେତନ ହୋଇ ରାସ୍ତା କଡ଼କୁ ଚାଲିଯିବାରୁ ଅଳ୍ପକେ ଜୀବନରକ୍ଷା ପାଇଥିଲେ।

    ଘଟଣା ପରେ ବସ୍‌ରୁ ଡ୍ରାଇଭର୍‌ ସହ ଅନ୍ୟ ଦୁଇ ଜଣ ସହଯୋଗୀ ଓହ୍ଲାଇ ତାଙ୍କୁ ଗାଳିଗୁଲଜ କରିବା ସହ ଜାତିକୁ ନେଇ ଆକ୍ଷେପ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ଏହା ପରେ ଇନ୍ସପେକ୍ଟର ସେଠୀ ତୁରନ୍ତ ଅନୁଗୁଳ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା।

    ଏହି ଘଟଣାକୁ ନେଇ ପୁଲିସ ଥାନାରେ ଏତଲା ଦାଖଲ ହେବା ପରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ପରିଚୟ ଓ ଘଟଣାର ପୃଷ୍ଠଭୂମି ଖୋଜିବା ପାଇଁ ପୁଲିସ ତଦନ୍ତ ଜୋରଦାର କରିଛି।

  • ସନ୍ଦେହଜନକ ଖାଦ୍ୟରେ ଅନୁଗୋଳରେ ଅଭାବନୀୟ ଘଟଣା

    ସନ୍ଦେହଜନକ ଖାଦ୍ୟରେ ଅନୁଗୋଳରେ ଅଭାବନୀୟ ଘଟଣା

    ଢେଙ୍କାନାଳ ଜିଲ୍ଲାରୁ ଏକ ମର୍ମାନ୍ତିକ ଘଟଣା ସାମ୍ନାକୁ ଆସିଛି। ସନ୍ଦେହଜନକ ଖାଦ୍ୟ ଖାଇବା ପରେ ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା ଅନ୍ତର୍ଗତ ଇଟାପା ଗାଁରେ ଘଟିଛି। ଘଟଣା ପରେ ସମଗ୍ର ଗାଁରେ ଶୋକର ପରିବେଶ ଦେଖାଦେଇଛି।

    ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଅନ୍ତର୍ଯ୍ୟାମୀ ସାହୁଙ୍କ ପରିବାର ଚିକେନ୍ ସହ ପାଳଙ୍ଗ ଶାଗ ରନ୍ଧି ଖାଇଥିଲେ। ଖାଇବା ପରେ ସମସ୍ତେ ଶୋଇପଡ଼ିଥିଲେ। କିନ୍ତୁ ସକାଳ ହେଲେ ମଧ୍ୟ ଘରର କବାଟ ଖୋଲା ନହେବାରୁ ପଡୋଶୀମାନଙ୍କର ସନ୍ଦେହ ବଢ଼ିଥିଲା। ପଡୋଶୀମାନେ କବାଟ ଖୋଲି ଭିତରକୁ ପ୍ରବେଶ କରିବା ପରେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିଥିଲେ।

    ତୁରନ୍ତ ତିନିଜଣଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେତେବେଳେକୁ ବହୁତ ବିଳମ୍ବ ହୋଇସାରିଥିଲା। ଡାକ୍ତରମାନେ ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ଓ ତାଙ୍କ ଦୁଇ ପୁଅ ପିଣ୍ଟୁ ସାହୁ ଓ ଲିଣ୍ଟୁ ସାହୁଙ୍କୁ ମୃତ ଘୋଷଣା କରିଥିଲେ।

    ବର୍ତ୍ତମାନ ସମସ୍ତଙ୍କ ମୃତଦେହ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହଗୁଡ଼ିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏହା ଖାଦ୍ୟ ବିଷାକ୍ତତା (ଫୁଡ୍ ପଏଜନିଂ) ଯୋଗୁଁ ଘଟିଛି କିମ୍ବା ଅନ୍ୟ କୌଣସି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ।

    ଘଟଣାକୁ ନେଇ ଅନୁଗୋଳ ଓ କଣ୍ଟାବଣିଆ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

  • ପ୍ରଦୂଷଣ କଲେ ପେଟ୍ରୋଲ୍ ବନ୍ଦ, ନୂଆ ନିୟମ

    ପ୍ରଦୂଷଣ କଲେ ପେଟ୍ରୋଲ୍ ବନ୍ଦ, ନୂଆ ନିୟମ

    ରାଜ୍ୟରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ରୋକିବା ଓ ପରିବେଶ ସୁରକ୍ଷାକୁ ମଜବୁତ କରିବା ଲକ୍ଷ୍ୟରେ ରାଜ୍ୟ ପରିବହନ ପ୍ରାଧିକରଣ (STA) ଏକ କଡ଼ା ଓ ଚରମ ପଦକ୍ଷେପ ନେଇଛି। ଏହି ନୂଆ ନିୟମ ଅନୁସାରେ, ବୈଧ ପ୍ରଦୂଷଣ ପ୍ରମାଣପତ୍ର ଅର୍ଥାତ୍ PUCC (Pollution Under Control Certificate) ନଥିବା କୌଣସି ଯାନକୁ ପେଟ୍ରୋଲ୍ କିମ୍ବା ଡିଜେଲ୍ ଦିଆଯିବ ନାହିଁ। ଏନେଇ STA ପକ୍ଷରୁ ସମସ୍ତ ତୈଳ କମ୍ପାନୀଙ୍କୁ ଆଧିକାରିକ ଭାବେ ଚିଠି ଲେଖାଯାଇଛି।

    STA ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପରିବହନ ଯୋଗୁଁ ବାୟୁ ପ୍ରଦୂଷଣ ଦିନକୁ ଦିନ ଗମ୍ଭୀର ରୂପ ନେଉଛି। ବିଶେଷକରି ପୁରୁଣା ଓ ନିୟମିତ ରକ୍ଷାବେକ୍ଷଣ ନହୋଇଥିବା ଯାନମାନେ ଅଧିକ ପରିମାଣରେ ଧୂଆଁ ଛାଡ଼ି ପରିବେଶକୁ ଦୂଷିତ କରୁଛନ୍ତି। ଏହାର ପ୍ରଭାବ ସାଧାରଣ ଜନଜୀବନ ଓ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି।

    ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି STA ଏଭଳି କଡ଼ା ନିଷ୍ପତ୍ତି ନେଇଥିବା କହିଛି। ଆଗାମୀ ଦିନରେ ପେଟ୍ରୋଲ୍ ପମ୍ପରେ ଯାନ ମାଲିକଙ୍କୁ PUCC ପ୍ରମାଣପତ୍ର ଦେଖାଇବାକୁ ପଡ଼ିପାରେ। ଯଦି ପ୍ରମାଣପତ୍ର ବୈଧ ନଥାଏ, ତେବେ ତେଲ ଦିଆଯିବ ନାହିଁ।

    ଏହାସହ ସମସ୍ତ ଟୋଲଗେଟରେ ଥିବା ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ PUCC ଯାଞ୍ଚକୁ ସାମିଲ କରାଯାଇଛି। ମୋଟର ଯାନ ଆଇନ ଉଲ୍ଲଙ୍ଘନ କରି ପ୍ରଦୂଷଣ କରୁଥିବା ଯାନମାନଙ୍କ ବିରୋଧରେ ଜରିମାନା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

    ରାଜ୍ୟ ସରକାର ଆଶା କରୁଛନ୍ତି ଯେ, ଏହି ନୂଆ ବ୍ୟବସ୍ଥା ଦ୍ୱାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାୟୁ ଗୁଣାବତ୍ତାରେ ସୁଧାର ଆସିବ ଏବଂ ପରିବହନ କ୍ଷେତ୍ରରୁ ହେଉଥିବା ପ୍ରଦୂଷଣ ଅନେକ କମିବ। STA ପକ୍ଷରୁ ଯାନ ମାଲିକମାନଙ୍କୁ ସମୟ ସମୟରେ ନିଜ PUCC ନବୀକରଣ କରି ନିୟମ ମାନିବାକୁ ଅନୁରୋଧ କରାଯାଇଛି।

  • ପୁଣି ଝୁଣି ଖାଇଲେ ମଣିଷ ରୁପି ରାକ୍ଷସ,ଧଉଳି ପରେ ସହିଦନଗରରେ ସମାନ ଘଟଣା

    ପୁଣି ଝୁଣି ଖାଇଲେ ମଣିଷ ରୁପି ରାକ୍ଷସ,ଧଉଳି ପରେ ସହିଦନଗରରେ ସମାନ ଘଟଣା

    ରାଜଧାନୀ ଭୁବନେଶ୍ୱର ପୁଣି ଏକ ଲଜ୍ଜାଜନକ ଘଟଣାରେ କମ୍ପି ଉଠିଛି। ଲିଙ୍ଗିପୁର ଦୟା ନଦୀପଠା ଘଟଣାର ଆଘାତ ସରିନଥିବାବେଳେ ସହିଦନଗର ଅଞ୍ଚଳରୁ ଆସିଥିବା ଗଣଦୁଷ୍କର୍ମ ଅଭିଯୋଗ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ପୁଣି ପ୍ରଶ୍ନବିଦ୍ଧ କରିଛି। ଚାକିରି ଦେବା ନାମରେ ଜଣେ ନାବାଳିକାଙ୍କୁ ଭୁବନେଶ୍ୱରକୁ ଡାକି ଅମାନବୀୟ କାଣ୍ଡ ଘଟାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି।

    ସୂଚନା ଅନୁଯାୟୀ, ପୀଡ଼ିତା ଜଣେ ଅଭିଯୁକ୍ତଙ୍କୁ ପୂର୍ବରୁ ଜାଣିଥିଲେ। ସେ ଡାଟା ଏଣ୍ଟ୍ରି ଅପରେଟର ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଭୁବନେଶ୍ୱର ଡାକିଥିଲା। ଗତ ୧୮ ତାରିଖରେ ସହିଦନଗର ଅଞ୍ଚଳରେ ଥିବା ଏକ ଭଡ଼ାଘରକୁ ନେଇ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ନେଇ ପୀଡ଼ିତା ଅଭିଯୋଗ କରିଛନ୍ତି।

    ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଚାକିରି ଦେବାର ଆଶା ଦେଖାଇ ନାବାଳିକାଙ୍କୁ ଫାନ୍ଦରେ ପକାଇଥିଲେ। ଘଟଣା ପରେ ପୀଡ଼ିତା କୌଶଳକ୍ରମେ ସେଠାରୁ ପଳାଇ ଆସି ସହିଦନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସହିଦନଗର ଥାନାର ପୋଲିସ ତତ୍ପରତା ପ୍ରଦର୍ଶନ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

    ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି ଏବଂ ମାମଲାର ସମସ୍ତ ଦିଗକୁ ଗଭୀର ଭାବେ ତଦନ୍ତ କରାଯାଉଛି। ରାଜଧାନୀରେ ପୁଣି ଏପରି ଘଟଣା ଘଟିବା ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ସୃଷ୍ଟି କରିଛି। ନାବାଳିକାଙ୍କ ସୁରକ୍ଷା ଓ ଚାକିରି ଲୋଭ ଦେଖାଇ, ହେଉଥିବା ଅପରାଧ ଉପରେ କଠୋର ପଦକ୍ଷେପ ନେବାକୁ ସମସ୍ତ ମହଲରୁ ଦାବି ହେଉଛି।

  • ଶାଶୁକୁ ମାରିଦେଲେ ବୋହୂ ସମୁଦୁଣୀ, ଅଭିଯୋଗ ଆଣିଲା ପୁଅ

    ଶାଶୁକୁ ମାରିଦେଲେ ବୋହୂ ସମୁଦୁଣୀ, ଅଭିଯୋଗ ଆଣିଲା ପୁଅ

    ମୋ ମା’କୁ ମାରିଦେଲେ । ମୁଁ ଘରେ ନଥିଲାବେଳେ ମୋ ସ୍ତ୍ରୀ ଆଉ ଶାଶୁ ମିଶି ମୋ ମା’କୁ ମାରି ଦେଇଛନ୍ତି । ମୁଁ ଘରକୁ ଆସିବା ପରେ ମା’କୁ ଖୋଜିଲି । ବହୁତ ସମୟ ଖୋଜିବା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମା’କୁ ପାଇଲି ସତ କିନ୍ତୁ ତା ଦେହରେ ଆଉ ଜୀବନ ନଥିଲା । ମୋ ସ୍ତ୍ରୀ ଆଉ ଶାଶୁ ହିଁ ମୋ ମା’ର ଜୀବନ ନେଇଛନ୍ତି । ଏମିତି କୋହଭରା କଣ୍ଠରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପୁଅ ।

    ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ ଘଟିଛି ଭୟଙ୍କର ହତ୍ୟାକାଣ୍ଡ । ପଥରରେ ଛେଚି ଜଣେ ମହିଳାଙ୍କ ହତ୍ୟା କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଘରର ବୋହୂ ନିଜ ମା’ ସହ ମିଶି ଶାଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜାମୁବନ୍ଧ ଛକ ନିକଟରେ ଏକ ଭଡା ଘରେ ସଦର ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ପରେ ସାରା ଗାଁରେ ଖେଳିଯାଇଛି ଚାଞ୍ଚଲ୍ୟ । ମୃତ ମହିଳା ଜଣଙ୍କ କୁନି ନାୟକ ବୋଲି ଜଣା ପଡିଛି । ପୋଲିସର ପ୍ରାଥମିକ ତଦନ୍ତରୁ କୁନିଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି I ଏହି ଘଟଣାରେ କୁନିଙ୍କ ବୋହୂ ଏବଂ ସମୁଦୁଣିଙ୍କୁ ଅଟକ ରଖିଛି ପୋଲିସ ।

    ସୂଚନା ଅନୁସାରେ, ଗତ କାଲି ରାତି ୧୦ଟା ବେଳେ କୁନିଙ୍କ ପୁଅ କାହ୍ନୁ ନାୟକ ନିଜ ମା’ଙ୍କୁ ଖାଇବା ପାଇଁ ଡାକିଥିଲେ । କିନ୍ତୁ ଘରର କବାଟ ବନ୍ଦ ରହିଥିବା ବେଳେ କୌଣସି ଉତ୍ତର ଦେଇନଥିଲେ କୁନି । ସନ୍ଦେହ ହେବାରୁ କବାଟ ଖୋଲି ଦେଖିଥିଲେ କାହ୍ନୁ । ରକ୍ତ ଜୁଡୁବୁଡ଼ୁ ଅବସ୍ତାରେ ମା’ ତଳେ ପଡ଼ିଥିବା ଦେଖି ତାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା । ସଙ୍ଗେ ସଙ୍ଗେ ସଦର ପୋଲିସକୁ କାହ୍ନୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଁଚି ଆରମ୍ଭ କରିଛି ତଦନ୍ତ I ଆଜି ସକାଳୁ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ଅଧିକ ପଚରାଉଚରା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଛି ।


    ମାକୁ ଖୋଜି ଖୋଜି ପାଉନି ପୁଅ। କୋହଭରା କଣ୍ଠରେ ଡାକୁଛି ମା କୁଆଡେ ଗଲୁ ମା’କୁ ପାଇଲା ବେଳକୁ ମା’ର ନଥିଲା ଜୀବନ। ଏଭଳି ମର୍ମାହତ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ । ହତ୍ୟାକାରୀ କେହି ପର ଲୋକ ନୁଁହନ୍ତି ନିଜ ଝିଅ ଭଳି ଭାବୁଥିବା ବୋହୂ ଆଉ ନିଜର ସମୁଦୁଣୀ । ଶାଶୁ ପାଇଁ କଲା ସାଜିଲା ବୋହୂ ।
    ତେବେ କୁନିଙ୍କ ହତ୍ୟା ପଛରେ କିଏ ଦାୟୀ ? ସତରେ କଣ ବୋହୂ ଏମିତି ହତ୍ୟାକାଣ୍ଡ କରିଛି ନା ଆଉ କିଏ ଏଥିରେ ସାମିଲ ଅଛି । ତେବେ ଘରୋଇ କଳିରୁ ଏମିତି ହୋଇଥିବା ସନ୍ଦେହ କରାଯାଉଛି ସତ କିନ୍ତୁ ତଦନ୍ତ ପରେ ହିଁ ସବୁ ସତ ପଦାକୁ ଆସିବ ।

  • ଦିଲ୍ଲୀ ଗସ୍ତ ପରେ ରାଜ୍ୟ ବିଜେପିର ବଡ଼ ବୈଠକ

    ଦିଲ୍ଲୀ ଗସ୍ତ ପରେ ରାଜ୍ୟ ବିଜେପିର ବଡ଼ ବୈଠକ

    ଆଜି ରାଜ୍ୟ ରାଜନୀତିରେ ବିଜେପିର ବଡ଼ ଦିନ। ଭୁବନେଶ୍ୱର ସ୍ଥିତ ବିଜେପି ପାର୍ଟି ମୁଖ୍ୟାଳୟରେ ସକାଳ ୧୦ଟାରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ଦଳର ସମସ୍ତ ବିଧାୟକ, ସମସ୍ତ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତ ରହିବେ। ଦଳର ଶୀର୍ଷ ନେତୃତ୍ୱ ଏକେ ମଞ୍ଚରେ ଥିବାରୁ ବୈଠକଟିକୁ ନେଇ ରାଜନୈତିକ ମହଳରେ ବିଶେଷ ଆଗ୍ରହ ସୃଷ୍ଟି ହୋଇଛି।

    କୁହାଯାଉଛି, ଏହି ବୈଠକ କେବଳ ସାଧାରଣ ଆଲୋଚନା ପାଇଁ ନୁହେଁ, ବରଂ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ମଜବୁତ କରିବା, ତଳସ୍ତରର ସ୍ଥିତି ସମୀକ୍ଷା କରିବା ଓ ଆଗାମୀ ଦିନର ରାଜନୈତିକ ରଣନୀତି ତୟାରି କରିବା ପାଇଁ ଗୁରୁତ୍ୱ ଦିଆଯିବ। ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ରୁଦ୍ଧଦ୍ୱାର ବୈଠକ ଏବଂ ଦିନକ ତଳେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପରେ, ଆଜିର ବୈଠକକୁ ଏକ ଫଲୋ-ଅପ୍ ମନ୍ଥନ ଭାବରେ ଦେଖାଯାଉଛି।

    ବୈଠକରେ ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ କିପରି ଦ୍ରୁତ ଭାବେ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଯିବ, ସଂଗଠନକୁ କିପରି ଆଉ ସକ୍ରିୟ କରାଯିବ ଓ ଦଳୀୟ ଶିଷ୍ଟାଚାର ନେଇ କଣ ପଦକ୍ଷେପ ନିଆଯିବ—ସେଥିରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ସେଥିସହ ଜନସମ୍ପର୍କ, ମାଇଦାନୀ କାର୍ଯ୍ୟ ଓ ସରକାର–ଦଳ ସମନ୍ୱୟ ଉପରେ ନୂଆ ନିର୍ଦ୍ଦେଶ ଆସିପାରେ।

    ସମଗ୍ର ଭାବେ, ଆଜିର ବୈଠକକୁ ରାଜ୍ୟ ବିଜେପିର ଭବିଷ୍ୟତ ଦିଗନିର୍ଦ୍ଦେଶ ନିର୍ଣ୍ଣୟ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ଦେଖାଯାଉଛି।

  • ରାତିର ଯାତ୍ରା ହେଲା ଶେଷ ଯାତ୍ରା

    ରାତିର ଯାତ୍ରା ହେଲା ଶେଷ ଯାତ୍ରା

    ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ NH-353 ତିଖାଲି ନିକଟରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ରାତି ପ୍ରାୟ ୮ଟା ସମୟରେ ଏକ କାର ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଗଛରେ ଜୋରଦାର ଧକ୍କା ହୋଇଥିଲା।

    ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ NH-353 ତିଖାଲି ଛକ ନିକଟରେ ଗତ ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ଅଞ୍ଚଳକୁ ଶୋକସନ୍ତପ୍ତ କରିଦେଇଛି। ଏକ କାର ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଗଛରେ ଜୋରରେ ପିଟିହେବାରୁ ଘଟଣାସ୍ଥଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଯୁବକଙ୍କୁ କୋମନା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

    ମୃତ ଯୁବକମାନେ ହେଲେ କୋମନା ଗାଁର ଅବରାର ଓରଫ ବିଟୁ ଖାନ (୨୪), ଅଜନାନ ମହମ୍ମଦ (୨୫) ଓ ମେହଫୁଜ ମହମ୍ମଦ (୨୩) ବୋଲି ଜଣାପଡିଛି। ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୪ ଜଣଙ୍କୁ ସ୍ଥାନୀୟ ଲୋକେ ଓ ପୋଲିସ ମିଶି ଉଦ୍ଧାର କରି ପ୍ରଥମେ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

    ସୂଚନା ଅନୁସାରେ, ଗତ ରାତି ପ୍ରାୟ ୮ଟା ସମୟରେ କୋମନା ଗାଁର ୭ ଜଣ ଯୁବକ ଏକ କାରରେ ଖଡ଼ିଆଳ ଅଭିମୁଖେ ଯାଉଥିଲେ। ତିଖାଲି ଛକ ନିକଟରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ସହ ଏକ ଗଛରେ ପିଟିହୋଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ କାରଟି ସମ୍ପୂର୍ଣ୍ଣ ଚୁର୍ଣ୍ଣବିଚୁର୍ଣ୍ଣ ହୋଇଯାଇଥିଲା।

    ଦୁର୍ଘଟଣା ଖବର ପାଇ କୋମନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର କାରଣ ଦ୍ରୁତ ଗତି ନା ଅନ୍ୟ କୌଣସି ଯାନ୍ତ୍ରିକ ତ୍ରୁଟି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣା ପରେ କୋମନା ଗାଁରେ ଶୋକର ଛାୟା ଖେଳିଯାଇଛି।

  • ଆଶ୍ରମ ବିଦ୍ୟାଳୟରେ ଅଘଟଣ, ସୂଚନା ଫଳକ ପଡି ଛାତ୍ର ମୃତ

    ଆଶ୍ରମ ବିଦ୍ୟାଳୟରେ ଅଘଟଣ, ସୂଚନା ଫଳକ ପଡି ଛାତ୍ର ମୃତ

    କୋରାପୁଟ ଜିଲ୍ଲା ଆଶ୍ରମ ସ୍କୁଲରେ ଆଉ ଏକ ଅଭାବନୀୟ ଘଟଣା । ପାଖାପାଖି ୯ଜଣ ଛାତ୍ର ଛାତ୍ରୀ ଏହି ତିନି ମାସ ଭିତରେ ମୃତ୍ୟୁବରଣ କରିସାରିଲେଣି । ଏବଂ ଆଜି ସଖାଳୁ ଗାନ୍ଧୀନଗର ଆଶ୍ରମ ସ୍କୁଲରେ ୩ଟି ଛାତ୍ର ବ୍ରସ କରୁଥିବା ସମୟରେ ଯାହା କର୍ତ୍ତୃପକ୍ଷ କହୁଛନ୍ତି । ସେ ଭିତରୁ ସୂଚନା ଫଳକ ପଡି ଜଣଙ୍କର ମୃତ୍ୟୁ ହେଇଗଲା। ଅନ୍ୟ ଜଣଙ୍କର ଗୋଡ଼ ଭାଙ୍ଗିଗଲା । ଏବଂ ଅନ୍ୟ ଜଣେ ସିରିୟସ କଣ୍ଡିସନରେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ । ପରିବାର ଲୋକ ଏବଂ ଗ୍ରାମବାସୀ ଯାହା ସନ୍ଦେହ କରୁଛନ୍ତି ଛାତ୍ର ଜଣକୁ ମର୍ଡର କରାଯାଇଛି । ଏବଂ ଗୋଟେ ସିମେଣ୍ଟ ସାଇନ ବୋର୍ଡ ପଡିଯାଇଛି ବୋଲି ମିଥ୍ୟା ତଥ୍ୟ ଦର୍ଶାଉଛନ୍ତି ଜିଲ୍ଲା ପ୍ରଶାସନ, ସ୍କୁଲ କର୍ତ୍ତୃପକ୍ଷ, ସରକାର । ଯାହାର ପ୍ରତିରୋଧରେ ବିଜେଡିର ରାସ୍ତାରୋକ । ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡି କର୍ମଚାରୀ। ସୂଚନା ଫଳକ ପଡି ଛାତ୍ର ମୃତ୍ୟୁ । କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ସରକାରୀ ଉନ୍ନିତ ଆଶ୍ରମ ବିଦ୍ୟାଳୟରେ ଅଘଟଣ ଘଟିଛି । ମୃତକ ଗୁମୁଡା ପଂଚାୟତ ସୁଉନିଗୁଡା ଗାଁର ପ୍ରେମାନନ୍ଦ ଭତ୍ରା । ସେ ତୃତୀୟ ଶ୍ରେଣୀରେ ପଢୁଥିଲେ । ସକାଳୁ ବ୍ରସ୍ କରିବା ସମୟରେ ଦୁଇ ଛାତ୍ରଙ୍କ ଉପରେ ସୂଚନା ଫଳକ ପଡିଯାଇଥିଲା । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

    ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଦାବି ଓ ମୃତ ଛାତ୍ର ପରିବାରଙ୍କ କ୍ଷତି ପୂରଣ ଦାବିରେ ବିଜେଡିର ରାସ୍ତାରୋକ । ଧାରଣାରେ ସାମିଲେ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ପୂର୍ବତନ ବିଧାୟକ ଚଦ୍ର ଶେଖର ମାଝୀ, ଡାବୁ ଗାଁ ବିଧାୟକ ମନହର ରନ୍ଧାରୀ । ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲା ବିଜେଡି ।