Category: ମୟୂରଭଞ୍ଜ

  • ରାଇରଙ୍ଗପୁର: ଅଞ୍ଚଳର ବିକାଶ ପାଇଁ କେବେ ପଦକ୍ଷେପ ନେବ ପ୍ରଶାସନ ?

    ରାଇରଙ୍ଗପୁର: ଅଞ୍ଚଳର ବିକାଶ ପାଇଁ କେବେ ପଦକ୍ଷେପ ନେବ ପ୍ରଶାସନ ?

    ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏ ଗଠନ ହୋଇଛି । ଅନୁସୂଚିତ ଜନଜାତିଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରାଯାଉଛି । ଏସବୁ ସତ୍ତ୍ୱେ ଆଦିବାସୀ ସମାଜ ବହୁ ପଛରେ ପଡ଼ିଯାଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ଏବେ ବି ପାଖାପାଖି ୭୦ ପ୍ରତିଶତରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ଅତିବାହିତ କରୁଛନ୍ତି ।

    ଆଦିବାସୀ ବହୁଳ ମୟୂରଭଞ୍ଜର ବାମନଘାଟି ଉପଖଣ୍ଡରେ ଅନୁସୂଚିତ ଜାନଜାତି ସମ୍ପ୍ରଦାୟ ଅବହେଳିତ । ଏପରିକି ମୌଳିକ ସୁବିଧାରୁ ସେମାନେ ବଞ୍ଚିତ । ଅନ୍ୟପକ୍ଷରେ ଅନୁସୂଚିତ ଜନଜାତିକୁ ବିକାଶର ଧାରାରେ ସାମିଲ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ଆଇଟିଡିଏର ସଫଳତା କେବଳ କାଗଜପତ୍ରରେ ଦର୍ଶାଯାଇଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା । ସରକାର ଅନୁସୂଚିତ ଜନଜାତିର କୃଷିର ଉନ୍ନତି ପାଇଁ ତଥା ଉତ୍ପାଦନ ଓ ରୋଜଗାର ବୃଦ୍ଧି ପାଇଁ ଚାଷୀଙ୍କୁ ଉତ୍ତମମାନର ମଞ୍ଜି,ରାସାୟନିକ ସାର,କୃଷି ଯାନ୍ତ୍ରିକ ଉପକରଣ ସହାୟତା ପାଇଁ ବ୍ୟବସ୍ଥା କରିଛନ୍ତି ।

    ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା,ଉଦ୍ୟାନ,ମତ୍ସ୍ୟ,ପଶୁପାଳନ ଓ ଦୀର୍ଘମିଆଦୀ ଯୋଜନା ମାଧ୍ୟମରେ ରୋଜଗାର ବୃଦ୍ଧି କରିବାର ମଧ୍ୟ ବ୍ୟବସ୍ଥା ରହିଛି । ସେହିପରି, ଭୂମିହୀନଙ୍କୁ ସହାୟତା ପୂର୍ବକ କୁକୁଡ଼ା ଚାଷ, ଛେଳିପାଳନ,ମାଛ ଚାଷ, ଛତୁ ଚାଷ, ଲାଖ ଚାଷ ଓ ଅନ୍ୟାନ୍ୟ ଅଣୁ ଉଦ୍ୟୋଗ ମାଧ୍ୟମରେ ଆର୍ଥିକ ଅଭିବୃଦ୍ଧି କରିବା ବିଭାଗର ମୁଖ୍ୟ କାର୍ଯ୍ୟ ।

    ରାଇରଙ୍ଗପୁର ଆଇଟିଡିଏର ସଫଳତା କେବଳ କାଗଜପତ୍ରରେ ସୀମିତ ହୋଇ ରହିଯାଇଛି । ବିଭାଗ କେବଳ ନିର୍ମାଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛି । ଗୋଟିଏ ପ୍ରକଳ୍ପକୁ ପ୍ରତିବର୍ଷ ସମ୍ପ୍ରସାରଣ ଏବଂ ନିର୍ମାଣ ଆଳରେ ଲକ୍ଷ ଲକ୍ଷ ଟଙ୍କା ବିଲ୍ କରାଯାଉଛି । ଆଦିବାସୀମାନେ ନିଜ ଲକ୍ଷ୍ୟ ଠାରୁ ବହୁ ଦୂରରେ । କେବଳ ନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇ ଠିକାଦାରଙ୍କୁ ଖୁସ୍ କରାଯାଉଛି । ଏହାର ପ୍ରତିବାଦ କରି ଆଇଟିଡିଏ ଅଫିସ ଆଗରେ ବିକ୍ଷୋଭ କରାଯାଇଛି । ୭ ଦିନ ମଧ୍ୟରେ ଅନ୍ୟାବଶ୍ୟକ କାର୍ଯ୍ୟରେ ରୋକ୍ ଲଗାଇବା ସହ ଠିକାଦାରଙ୍କୁ ସୁହାଇଲା ଭଳିଆ କାର୍ଯ୍ୟ ବନ୍ଦ କରିବାକୁ ଦାବି ହୋଇଛି । ଆଦିବାସୀ ବହୁଳ ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ଆଇଟିଡିଏ,ଆଦିବାସୀଙ୍କ ବିକାଶ ପାଇଁ ଆସୁଥିବା ସରକାରୀ ଯୋଜନାଗୁଡ଼ିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଇବାକୁ ଅନୁରୋଧ ହୋଇଛି ..।

  • ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର, ବିଭିନ୍ନ ସ୍ଥାନରେ ରେଡ୍

    ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର, ବିଭିନ୍ନ ସ୍ଥାନରେ ରେଡ୍

    ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ । ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍ । ଜମି କ୍ଷତିପୂରଣ ବାବଦରେ ୫୧୭୫୮୧୦ ଟଙ୍କା ଦେବାକୁ ଲାଞ୍ଚ ନେଉଥିଲେ ଚାଲ୍ସ ନାୟକ । ଏକକାଳୀନ ୪ଟି ସ୍ଥାନରେ କରଞ୍ଜିଆ ତହସିଲ ଅଫିସ,କରଞ୍ଜିଆସ୍ଥିତ କ୍ବାର୍ଟର୍ସ,ଭଦ୍ରକ ହସ୍ପିଟାଲ ନିକଟରେ ଥିବା ପୈତୃକ ଘର ଏବଂ କରଞ୍ଜିଆର ଛଡ଼େଇ ଭୋଲରେ ଭିଜିଲାନ୍ସ ରେଡ୍ କରିଛି ।

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ରେଡ୍ କରିଛି । ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ଏବେ ବିଭିନ୍ନ ସ୍ଥାନରେ ରେଡ୍ କରିଛି ଟିମ୍ ।

    ଚାର୍ଲସ ନାୟକ ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋରରେ ତହସିଲଦାର ଥିଲେ । ସେଠାରେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା । ତେଣୁ ତାଙ୍କୁ ଦୂର ଜିଲ୍ଲାକୁ ବଦଳି କରାଯାଇଥିଲା । ଏବେ ପୁଣି କରଞ୍ଜିଆ ତହସିଲଦାର ଭାବେ ଦାୟିତ୍ୱ ନେବା ପରେ ଦୁର୍ନୀତି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭଳି ଅଭିଯୋଗ ଆସିଛି । ତେଣୁ ତାଙ୍କ ନାଁରେ ଥିବା ସମ୍ପତ୍ତି ଅନ୍ୟାନ୍ୟ ଲିଙ୍କ୍ ଖୋଜୁଛି ଟିମ୍ । ଆଜି ସକାଳୁ ସକାଳୁ କଟକ ଭିଜିଲାନ୍ସ ଟିମ୍ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ପହଞ୍ଚି ରେଡ୍ କରିଥିଲା।

  • ମୟୂରଭଞ୍ଜ: ରାନୀମଣିଙ୍କ ଶେଷକୃତ୍ୟ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଅନ୍ତିମ ଦର୍ଶନ

    ମୟୂରଭଞ୍ଜ: ରାନୀମଣିଙ୍କ ଶେଷକୃତ୍ୟ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଅନ୍ତିମ ଦର୍ଶନ

    ଓଡ଼ିଶା ପ୍ରଦେଶ କୁଡୁମୀ ସେନା ରାଜ୍ୟ ସୁପ୍ରିମୋ ଜୟମୁନି ମହାନ୍ତଙ୍କ ମାତା ରାନୀମଣି ମହାନ୍ତଙ୍କ ଦେହାନ୍ତ ହୋଇଛି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ସେ ପ୍ରାଣ ହରାଇଛନ୍ତି । ମୟୂରଭଞ୍ଜ ବଡ଼ସାହି ବ୍ଳକର ଗନ୍ଧାଣି ଗାଁକୁ ନିଆଯାଇଥିଲା ମରଶରୀର । ଚିର ବିପ୍ଳବୀ କୁଡୁମୀ ସଂପ୍ରଦାୟର ଅଦ୍ୱିତୀୟ ବିପ୍ଳବୀ ଯୁବନେତା ସଂଗ୍ରାମୀ ସାଥୀଙ୍କ ମାଙ୍କ ମୃତ୍ୟୁ ଖବର ପାଇ ହଜାର ହଜାର କୁଡୁମୀ ସେନା ତାଙ୍କ ବାସଭବନରେ ପହଞ୍ଚିଥିଲେ । ମାତାଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

    ଝାଡ଼ଖଣ୍ଡ ରାଜ୍ୟର କୁଡୁମୀ ବିକାଶ ମଂଚ ସଭାପତି ଶୀତଲ ଆହେଦାର,କୁସୁମୀ ସେନା ଲଲାଟେନ୍ଦୁ ମହାନ୍ତ,କୁଡୁମୀ ବିକାଶ ମଂଚ ମିଡ଼ିଆ ପ୍ରଭାରୀ ଓମ୍ ପ୍ରକାଶ ମହାନ୍ତ, ପଶ୍ଚିମବଙ୍ଗ କୁଡୁମୀ ସମାଜ ସଂଗଠକ ବୀରେନ ମହାନ୍ତ,କୌଶିକ ମହାନ୍ତ,ସୁଦୀପ୍ତ ମହାନ୍ତ,ସମ୍ପାଦକ ସତ୍ୟ ନାରାୟଣ ମହାନ୍ତ,ଜିଲ୍ଲା ସଭାପତି ଡମ୍ବରୁଧର ମହାନ୍ତ, ସୁନ୍ଦର ମହାନ୍ତ, କବି ମନୋଜ ମହାନ୍ତ,ଗତିକୃଷ୍ଣ ମହାନ୍ତ,ରାଇରଙ୍ଗପୁରର ସୁବାଷ ମହାନ୍ତ, ପ୍ରେମଚାନ୍ଦ ମହାନ୍ତ, ରାଜା ମହାନ୍ତି, ମନୋଜ ମହାନ୍ତ, ଅବନୀ ମହାନ୍ତ,ଚୈତନ୍ୟ ମହାନ୍ତ,ଜୀତେନ୍ଦ୍ର ମହାନ୍ତ, ଶ୍ରୀମତୀ ସୁଜାତା ମହାନ୍ତ, ଶ୍ରୀମତୀ ସୁମନା ମହାନ୍ତ ପ୍ରମୁଖ ଅନ୍ତିମ ଦର୍ଶନ କରିଥିଲେ ।

    ସମସ୍ତେ ମାତଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ । ରାନୀମଣି ମହାନ୍ତ ଜଣେ ଧର୍ମ ପରାୟଣା, ସମାଜସେବୀ, ମିଷ୍ଟଭାଷୀ,ପରୋପକାରୀ ମହିଳା ଥିଲେ । ବିଭିନ୍ନ ସାମାଜିକ ସଂଗଠନ ସହ ମିଶି ସମାଜସେବା କରିଛନ୍ତି । ତାଙ୍କ ମୃତ୍ୟୁରେ କୁଡୁମି ସମାଜରେ ଶୋକର ଛାୟା ଖେଳିଯାଇଛି ।

  • ମୟୂରଭଞ୍ଜ: ମହିଳାଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

    ମୟୂରଭଞ୍ଜ: ମହିଳାଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

    ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି । ମୃତକ ରାଇହରୀ ପଞ୍ଚାୟତ ବାଗଡେଗା ଗାଁର ପୂର୍ବତନ ସରପଞ୍ଚ ଗୀର୍ଥ ସୋରେନ । ଘର ଭିତରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

    ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ନିର୍ଦ୍ଦେଶରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଗୀର୍ଥ ସୋରେନ ଜଣେ ଲୋକପ୍ରିୟ ନେତ୍ରୀ, ସମାଜସେବୀ, ପରୋପକାରୀ ଥିଲେ । ହେଲେ କାହିଁକି ଜୀବନ ହାରିଲେ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଘର ଭିତରେ କେହି ନ ଥିବାବେଳେ ମାନସିକ ଭାରସାମ୍ୟ ହରାଇ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଜାତଳା ବ୍ଳକର ପୂର୍ବତନ ଅଧ୍ୟକ୍ଷ ନିମାଇଁ ମୁର୍ମୁ, ପୂର୍ବତନ ଅଧ୍ୟକ୍ଷ ମାଝିଆରାମ ମାଝୀ, ବିଜାତଳା ସରପଞ୍ଚ ରାମ ମୁର୍ମୁ, ପାରେଶ୍ୱର ମୁର୍ମୁ ସମେତ ବହୁ ଜନ ପ୍ରତିନିଧି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

    ରାଇହରୀ ପଞ୍ଚାୟତର ଦୁଇଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ଗୀର୍ଥ ସୋରେନ୍ । ମାଣିକପୁର ପଞ୍ଚାୟତର ଥରେ ସମିତି ସଭ୍ୟା ଭାବେ ମଧ୍ୟ ଦାୟିତ୍ଵ ତୁଲାଇଥିଲେ । ହେଲେ ଏବେ କାହିଁକି ସେ ଆତ୍ମହତ୍ୟା କଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି ।

  • ଟ୍ରକକୁ ପଛପଟୁ ପିଟିଲା ବାଇକ;ଜଣେ ମୃତ ଜଣେ ଗୁରୁତର

    ଟ୍ରକକୁ ପଛପଟୁ ପିଟିଲା ବାଇକ;ଜଣେ ମୃତ ଜଣେ ଗୁରୁତର


    ରାଇରଙ୍ଗପୁର ୪୯ ନମ୍ବର ଜାତୀୟ ରାଜପଥ ବିଶୋଇ- ଯଶିପୁର ପାଲଟିଛି ମରଣଯନ୍ତା ।ପ୍ରତି ସପ୍ତାହରେ ଜଣେ ନା ଜଣଙ୍କର ମୁଣ୍ଡ ଯାଉଛି ।ଅକାଳରେ ଚାଲି ଯାଉଛି ଧନ ଜୀବନ ।ପରିବାର ହୋଇଯାଉଛନ୍ତି ସର୍ବସ୍ବାନ୍ତ । ସୂଚନାଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଂଚଳରେ ଶନିବାର ରାତି ପାଖାପାଖି ୯ଟା ସମୟରେ ଜାମିରଡିହା ସ୍ଥିତ ଅରବିନ୍ଦ ସ୍କୁଲ ସମ୍ମୁରେ କୌଣସି କାରଣରୁ OD 11 A 6703 ନମ୍ବର ର ଏକ ମାଲବାହୀ ସିମେଣ୍ଟ ବୋଝେଇ ଟ୍ରକ୍ ଜାତୀୟ ରାଜପଥ ରାସ୍ତା କଡରେରେ ଛିଡ଼ା ହୋଇଥିଲା । ଉକ୍ତ ସମୟରେ ପଛ ପଟୁ ଯାଉଥିବା OR 01 S 4824 ନମ୍ବର ବାଇକ୍ ରେ ଯାଉଥିବା ଦୁଇ ଆରୋହୀ ଛିଡ଼ା ହୋଇଥିବା ଟ୍ରକ୍ ପଛରେ ପିଟି ହୋଇ ଟ୍ରକ୍ ତଳେ ପଡ଼ି ଯାଇଥିଲେ। ଧକ୍କା ଏତେ ଜୋରରେ ଥିଲା ଯେ ଘଟଣାସ୍ଥଳରେ ସୁନା ଯୋଡିଆ ଗ୍ରାମର ମନୋଜ ମୁର୍ମୁଙ୍କ(୪୨) ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଉକ୍ତ ଗ୍ରାମର ଚରଣ ମୁର୍ମୁ ଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଓ ବାଇକକୁ ଜବତ୍ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।ବିଶୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତରିତ କରିଛି ।

  • ଉଦଳା: ସାମଗ୍ରୀ ସହ ଶିକାରୀଙ୍କୁ ଧରିଲା ମିଳିତ ଟିମ୍

    ଉଦଳା: ସାମଗ୍ରୀ ସହ ଶିକାରୀଙ୍କୁ ଧରିଲା ମିଳିତ ଟିମ୍

    ମୟୂରଭଞ୍ଜ ଉଦଳାର ଫୁଲବାଡ଼ିଆ ଅଞ୍ଚଳରେ ବନ ବିଭାଗ ଓ ପୋଲିସ ଟିମ୍ ମିଳିତ ଭାବେ ଚଢ଼ାଉ କରିଛନ୍ତି । ସେଠାରୁ ୨ ଜଣ ଶିକାରୀକୁ ଗିରଫ କରିବା ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

    ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ମୃତ୍ୟୁ ଘଟଣା ପରେ ବନ ବିଭାଗକୁ ଚେତା ପିଶିଛି । ବିଭିନ୍ନ ସ୍ଥାନରେ ବାରମ୍ବାର ରେଡ୍ କରୁଛି ଟିମ୍ । ଏବେ ପୋଲିସ ଓ ବନ ବିଭାଗ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଭିଯାନ ଜାରି ରଖିଛନ୍ତି । ଏହି ଚଢ଼ାଉରେ ୨ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଶିବ ସିଂ ଏବଂ ବାସୁଦେବ ସିଂ । ସେମାନଙ୍କ ଠାରୁ ୩ଟି ବନ୍ଧୁକ ଜବତ କରିଛି ଟିମ୍ । ଶିକାରୀମାନେ ଦେଶୀ ବନ୍ଧୁକ ଏବଂ ଶିକାର ସାମଗ୍ରୀ ନିଜ ଘରେ ଲୁଚାଇ ରଖିଥିବା ବେଳେ ଜବତ କରାଯାଇଛି । ଏଥିସହ ସେମାନଙ୍କ ନିକଟରୁ ୩ଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ ହୋଇଛି ।

    ଫାଶ,ଧନୁ,ଧନୁତୀର ଭଳି ଶିକାର ସାମଗ୍ରୀ ଘରୁ ମିଳିଛି । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ରହିଛି ଗୋଟିଏ ଭଙ୍ଗା ଦେଶୀ ବନ୍ଧୁକ । ପୂର୍ବରୁ ବନ ବିଭାଗ ଓ ପୋଲିସ ମିଳିତ ଭାବେ କପ୍ତିପଦା ରେଞ୍ଜ ଅଞ୍ଚଳରେ ଚଢ଼ାଉ କରିଥିଲେ । ୨ ଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ଜବତ ହୋଇଥିଲା । ବଜ୍ରକାପ୍ତା କାତି ସହିତ ଜଙ୍ଗଲୀ ମାଂସ ମଧ୍ୟ ମିଳିଥିଲା । ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା ପରେ ବନ ବିଭାଗ ଓ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

  • ବରଯାତ୍ରୀ ଵୋଲରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

    ବରଯାତ୍ରୀ ଵୋଲରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

    ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅଧିନରେ ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ବାଦାମ ପାହାଡ ସସୁଲାଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମୀ ବ୍ଳକର କୁସୁମୀ ଗ୍ରାମସନ୍ନିକଟ ପୁରୁଣିଆ ଗ୍ରାମ ଶ୍ଶଶାନ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୩ଟାରେ ଏକ ବୋଲେରୋ ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ ଖାଲରେ ଓଲଟିପଡିଥିଲା। ଜନୈକ ବରଯାତ୍ରୀ  ଗାଡ଼ି ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ହେଉଛନ୍ତି ୨୮ ବର୍ଷୀୟ ସଂଜୟ ଚୌଧୁରୀ। ପୋଲିସ ମୃତଦେହ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ  ଶବକୁ ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଛେଦ ପାଇଁ ପଠାଇଛି ।

     ସୂଚନା ଆନୁଯାୟୀ, କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରୁ ଵରଯାତ୍ରୀ ଦଳ କୁସୁମୀ ଗ୍ରାମକୁ ଯାଇ ବାହାଘର ଉତ୍ସବରେ ଯୋଗଦେଇଥିଲେ। ବିବାହ ଭୋଜି ଖାଇ ଫେରୁଥିବା ବେଳେ ପୁରୁଣିଆ ଶ୍ମଶାନ ପାଖ ରାସ୍ତାରେ ବୋଲେରୋ ଡ୍ରାଇଭର ଗାଡି ଉପରୁ  ଭାରସାମ୍ୟ ହରାଇ ବସିଥିଲେ ଓ ଗାଡି ଖାଲରେ ଖସିପଡିଥିଲା।  ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି ପୋଲିସ ।

  • ମୟୂରଭଞ୍ଜ: ଡାହାଣୀ ସନ୍ଦେହରେ ବୋହୂକୁ ତୀର ମାରିଲା ଶ୍ୱଶୁର

    ମୟୂରଭଞ୍ଜ: ଡାହାଣୀ ସନ୍ଦେହରେ ବୋହୂକୁ ତୀର ମାରିଲା ଶ୍ୱଶୁର

    ଏବେ ବି ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ବସବାସ କରୁଛନ୍ତି ଲୋକେ । ମୁର୍ଖତାର ଶିକାର ହୋଇ ଲୋକେ ହତ୍ୟା ମଧ୍ୟ କରିବାକୁ ପଛାଉ ନାହାଁନ୍ତି । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାନଙ୍କରେ ଏହି ଅନ୍ଧବିଶ୍ୱାସର ପ୍ରଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଅନ୍ଧବିଶ୍ୱାସର ନେଇ ରହିଛି ଅନେକ କଠୋର ନିୟମ, ତଥାପି କେହି ତାହାକୁ ଖାତିର କରୁନାହାନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମଣଦା ଫାଣ୍ଡି ଅନ୍ତର୍ଗତ ରାଧାନଗର ଗ୍ରାମରେ ।

    ସୂଚନା ଅନୁଯାୟୀ, ରାଧାନଗର ଗ୍ରାମର ସୁକୁରୁମୁଣୀ ପୂର୍ତ୍ତୀ ନାମକ ମହିଳା ସନ୍ଧ୍ୟା ସମୟରେ ସାପ୍ତାହିକ ହାଟରୁ ଘରକୁ ଫେରିବା ସମୟରେ ଫାଣ୍ଡି ନିକଟରେ ନିଜର କକାଶ୍ବଶୁର ଲଛମନ ପୂର୍ତ୍ତିଙ୍କ ତୀର ମାଡ଼ର ଶିକାର ହୋଇଥିଲେ । ତାଙ୍କର ତଳି ପେଟରେ ତୀର ପଶିଥିବା ବେଳେ ସେ ଗୁରୁତର ହୋଇଛନ୍ତି । ତୀର ବାଜିବାକ୍ଷଣି ସେ ଚିତ୍କାର କରିଥିଲେ । ଆଉ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନା ପଠାଇଥିଲେ ।

    ଅଭିଯୁକ୍ତ ଲଛମନ ପୂର୍ତି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ହେଲେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ତେବେ ଡାହାଣୀ ସନ୍ଦେହରେ‌ ଏହି ତୀର ମାଡ଼ କରାଯାଇଥିବା ପିଡିତ ମହିଳା ଗଣମାଧ୍ୟମକୁ କହିଛନ୍ତି । ହେଲେ ଲଛମନ ପୂର୍ତି ପାରିବାରିକ ଜମିବାଡି ମାମଲା ନେଇ ରାଗିଯାଇ ଏଭଳି କାଣ୍ଡ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛି ।

  • ମୟୂରଭଞ୍ଜ: ଲୁଟେରାଙ୍କ ପାଇଁ ଲୋକେ ଅସୁରକ୍ଷିତ, କାର୍ଯ୍ୟାନୁଷ୍ଠାନ ଦାବି

    ମୟୂରଭଞ୍ଜ: ଲୁଟେରାଙ୍କ ପାଇଁ ଲୋକେ ଅସୁରକ୍ଷିତ, କାର୍ଯ୍ୟାନୁଷ୍ଠାନ ଦାବି

    ଆଜିକାଲି ଚୋରି, ଡକାୟତି, ଲୁଟ୍ ଅବା ହତ୍ୟା ଘଟଣା ସାଧାରଣ ହୋଇଗଲାଣି । ଏଥିରେ ରୋକ୍ ଲାଗିବା କଷ୍ଟକର ହେଉଛି । ଲୋକେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ଦିନ ହେଉ ଅବା ରାତି, ଖରା ହେଉ ଅବା ବର୍ଷା ଅପରାଧିକ କାର୍ଯ୍ୟକଳାପ ଘଟିଚାଲିଛି । କେତେବେଳେ ଅପରାଧୀ ଧରାପଡୁଛି ତ ଆଉ କେତେବେଳେ ଚମ୍ପଟ ମାରିବାରେ ସକ୍ଷମ ହେଉଛି । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଲକ୍ଷ୍ମୀପୋଷୀ ଅଞ୍ଚଳରେ ଏଭଳି ଘଟଣା ଏବେ ଲୋକଙ୍କ ପାଇଁ ଟେନସନର କାରଣ ହୋଇଛି ।

    ଲକ୍ଷ୍ମୀପୋଷୀ ଖେଳ ପଡ଼ିଆ ରାସ୍ତାରେ ଏବେ ଦୁର୍ବୃତ୍ତଙ୍କ ଆଡ୍ଡା ଜମିଛି । ସେମାନଙ୍କ ପାଇଁ ରାସ୍ତାରେ ଲୋକେ ଯାଆସ କରିବା ମୁସ୍କିଲ ହେଲାଣି । ଲୁଚିରହି ଲୋକଙ୍କୁ ମାରଣାସ୍ତ୍ର ଦେଖାଉଛନ୍ତି । କେତେବେଳେ ବନ୍ଧୁକ ତ ଆଉ କେତେବେଳେ ଖଣ୍ଡା ଦେଖାଇ ସର୍ବସ୍ୱ ଲୁଟି ନେଉଛନ୍ତି । ହତ୍ୟା ଧମକ ଦେଇ ଜିନିଷପତ୍ର ଏବଂ ଟଙ୍କା, ସୁନା ଅଳଙ୍କାର ଲୁଟି ନେଉଛନ୍ତି । ହାଟ ବସୁଥିବା ଦିନରେ ଅଧିକ ଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଥାନା ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଛି ମାତ୍ର କୌଣସି ପଦକ୍ଷେପ ନେଉନଥିବାରୁ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି ।

    ଲୁଟେରାଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧରଣ ଜନତା । ଏବେ ଲୁଟେରା, ଚୋର, ଡକାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଗାଁ ଲୋକେ । ପୋଲିସ ପାଟ୍ରୋଲିଂକୁ ଜୋରଦାର କରିବାକୁ ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

  • ଘର ପାଖରେ ପ୍ରେମକରି ବାହା ହୋଇଥିଲା ଝିଅ, ଯୌତୁକ ପାଇଁ ସ୍ବାମୀ ମାରିଦେଇଥିବା ଅଭିଯୋଗ

    ଘର ପାଖରେ ପ୍ରେମକରି ବାହା ହୋଇଥିଲା ଝିଅ, ଯୌତୁକ ପାଇଁ ସ୍ବାମୀ ମାରିଦେଇଥିବା ଅଭିଯୋଗ

    ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁଟୁକାବାଦୀ ଗ୍ରାମର ତାପସ ନନ୍ଦଙ୍କ ପତ୍ନୀ ରେଖା ପରମାଣିକଙ୍କର ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଭୁଟୁକାବାଦୀ(ନାକି) ଗ୍ରାମର ମନୋଜ ନନ୍ଦଙ୍କ ପୁଅ ତାପସ ନନ୍ଦଙ୍କ ସହ ସେହି ଗ୍ରାମର ହିମାଂଶୁ ପରମାଣିକଙ୍କ ବଡ଼ ଝିଅ ରେଖା ପରମାଣିକଙ୍କୁ ପ୍ରେମ ବିବାହ କରିଥିଲେ । ଗତ ୨୦/୧/୨୦୨୧ରେ ପୁରୀର ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ବାହାଘର ହୋଇଥିଲା । ପରେ ଅନୁଗୋଳ କୋର୍ଟରେ ୨୨/୧/୨୦୨୧ ରୋଟାରୀ ପାଖରେ ରେଜିଷ୍ଟ୍ରି ବିବାହ କରିଥିଲେ । ଦୁଇ ପରିବାରର ଘର ସେହି ଗାଁରେ ହୋଇଥିବା ବେଳେ ଉଭୟ ପରିବାର ମଧ୍ୟରେ ଦୂରତା ମାତ୍ର ୫୦ ମିଟର । କିନ୍ତୁ, ବିବାହ ପରେ ଯୌତୁକ ପାଇଁ ରେଖା ସହିତ ସ୍ବାମୀ ତାପସ ଏବଂ ଶାଶୁ ଓ ଶ୍ବଶୁରଙ୍କର ମନୋମାଳିନ୍ଯ ଲାଗି ରହୁଥିଲା । ସେମାନେ ବାରମ୍ବାର ରେଖା ଉପରେ ଶାରିରୀକ, ମାନସିକ ନିର୍ଯାତନା ଦେଉଥିଲେ । ପରେ ପାରିବାରିକ ହିଂସା ବଢିଥିଲା ବୋଲି ରେଖାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

    ହଠାତ କଣ ହେଲା କେଜାଣି, ଗତ ୧୯/୫/୨୩ ତାରିଖ ରାତିରେ ରେଖାକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଆମ ଅଜଣାତରେ ନେଇ ଯାଇଥିଲେ ରେଖାଙ୍କ ପରିବାର ଲୋକେ କହିଛନ୍ତି । ପରେ ରେଖାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ନେବା ରାସ୍ତାରେ କୁଳିଅଣା ପାଖରେ ରେଖାର ମୃତ୍ୟୁ ହୋଇଥିଲା । ରେଖାର ମୃତଦେହକୁ ବାରିପଦା ପିଆରଏମ ହସ୍ପିଟାଲ ନିଆଯାଇଥିଲା । ରେଖାର ମୃତ୍ୟୁ ହୋଇଛି ବୋଲି ତାପସ ତାର ସମ୍ପର୍କୀୟଙ୍କ ଦ୍ବାରା ଅନ୍ୟ ଫୋନରେ ଶୁଶୁର ହିଂମାଶୁକୁ ଜଣାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନିଯାୟୀ, ସେଠାରେ ତାଙ୍କ ଝିଅକୁ ସାପ କାମୁଡିଛି ବୋଲି କୁହାଯାଇଥିଲା । ହେଲେ ରେଖାର କାନ ଓ ନାକରୁ ରକ୍ତ ବାହାରିବା ସହିତ ବେକରେ ପାଖରେ ଆଘାତ ଲାଗିଥିବା ତାଙ୍କ ବାପା ଦେଖିଥିଲେ । ତେଣୁ ସେ ନିଶ୍ଚିତ ହୋଇଥିଲେ ଯେ, ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ମାରି ଦିଆଯାଇଛି ।

    ଘର ପାଖରେ ଘର ହୋଇଥିଲେ ସୁଦ୍ଧା ତାଙ୍କ ପରିବାରକୁ ନଜଣାଇ ରାତିରେ ଝିଅକୁ ରାଇରଙ୍ଗପୁର ହସ୍ପିଟାଲ ଆଣିବା ଏବଂ ପରେ ବାରିପଦା ନେବା ଅନେକ ସନ୍ଦେହ ସୃଷ୍ଟି କରିଛି । ରେଖାର ବାପା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଜ୍ବାଇଁ ତାପସ, ସମୁଦି ମନୋଜ ନନ୍ଦ ଏବଂ ସମୁଦୁଣୀଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଝିଅକୁ ହରାଇଵା କଷ୍ଟ ସହିତ ତାପସର ପରିବାର ଗଣ୍ଡଗୋଳ କରିବାର ଆଶଙ୍କା ନେଇ ଭୟଭୀତ ଅବସ୍ଥାରେ ହିମାଂଶୁଙ୍କ ପରିବାର ଅଛନ୍ତି ।