Category: ଜଗତସିଂହପୁର

  • ଦୁଷ୍କର୍ମ ପୀଡିତାଙ୍କ ଘରେ ନାରୀ ନ୍ୟାୟ ବାହିନୀର କର୍ମକର୍ତ୍ତା

    ଦୁଷ୍କର୍ମ ପୀଡିତାଙ୍କ ଘରେ ନାରୀ ନ୍ୟାୟ ବାହିନୀର କର୍ମକର୍ତ୍ତା

    ବୟସ ମାତ୍ର ସତର ବର୍ଷ, ବର୍ତମାନ ଝିଅଟିର ଶରୀର ପାଇଁ ଖାଦ୍ୟରେ ପୋଷଣର ନିହାତି ଆବଶ୍ୟକତା ରହିଛି। ତେବେ ପରିବାର କହିଲେ ଘରେ ବାପା ହିଁ ଜଣେ, ତେବେ ଝିଅଟିର ଯତ୍ନ ନବ କିଏ? ଏଭଳି ମନ୍ତବ୍ୟ ଦେଇ ଝିଅ ପାଇଁ ନ୍ୟାୟ ଦାବି କରିଛନ୍ତି ନାରୀ ନ୍ୟାୟ ବାହିନୀର କର୍ମକର୍ତ୍ତାମାନେ।

    ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠଗୋଠ ପଞ୍ଚାୟତର ବାଣେଶ୍ୱରା ଗ୍ରାମରେ ଘଟିତ ଦୁଇ ଭାଇଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ପରିବାର ପାଖରେ ପହଂଚିଛି ନାରୀ ନ୍ୟାୟ ବାହିନୀ। ପୀଡ଼ିତାଙ୍କ ପରିବାରକୁ ଭେଟି ପୀଡ଼ିତାଙ୍କ ସୁରକ୍ଷା ପାଇଁ ରେହାଇବିଟେସନ୍ରେ ରଖିବା ପାଇଁ କହିବା ସହ ଏହି ସମ୍ବେଦନଶୀଳ ଘଟଣାରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ନ୍ୟାୟ ବାହିନୀର ନେତ୍ରୀ ପୀଡ଼ିତାର ସୁରକ୍ଷା ପାଇଁ ନାରୀ ଜାତିକୁ ସମ୍ମାନ ଦେବା ପାଇଁ ଆତ୍ମ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଚେଷ୍ଟିତ ଅଟେ। ପ୍ରତି ଜିଲ୍ଲା ବ୍ଲକ ପଞ୍ଚାୟତରେ ସଚେତନତା ଶିବିର କରି ନାରୀ ସୁରକ୍ଷା, ସୃଜନଶୀଳତା ବୃଦ୍ଧି ପାଇଁ ଟ୍ରେନିଂ ପ୍ରୋଗ୍ରାମ ବ୍ୟବସ୍ଥା କରାଯିବ ଏବଂ ଜଣ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ଏଭଳି ଏକ ନିନ୍ଦନୀୟ ଘଟଣାକୁ ସେ ଘୋର ନିନ୍ଦା କରିବା ସହ ବାପ ବୟସର ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦିଆ ଯିବା ଉଚିତ୍ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି।

  • ବରଦାନ ସାଜିଛି ନେଟ୍ ଫିସର ଆରମ୍ଭ ହୋଇଥିବା ତିନିଦିନିଆ କର୍ମଶାଳା

    ବରଦାନ ସାଜିଛି ନେଟ୍ ଫିସର ଆରମ୍ଭ ହୋଇଥିବା ତିନିଦିନିଆ କର୍ମଶାଳା

    ବିପଦକୁ ସାମ୍ନା କରି ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ଯାଉଛନ୍ତି ମତ୍ସ୍ୟଜୀବୀ। କିନ୍ତୁ ମଝି ସମୁଦ୍ରରେ ଘଟୁଥିବା ଅଘଟଣ ସେମାନଙ୍କୁ ମୃତ୍ୟୁ ମୁଖରେ ପକାଇଥାଏ। ଏଭଳି ବିପଦକୁ ଏଡ଼ାଇବା ପାଇଁ ନେଟ୍ ଫିସ୍ ପକ୍ଷରୁ ଆରମ୍ଭ ହୋଇଛି ତିନିଦିନିଆ କର୍ମଶାଳା ଏବଂ ପାରାଦ୍ଵୀପ ନେହେରୁବଙ୍ଗଳାରେ ଦିଆଯାଉଛି ସ୍ବତନ୍ତ୍ର ପ୍ରଶିକ୍ଷଣ।

    ସମୁଦ୍ର ଉପରେ ଲକ୍ଷାଧିକ ମତ୍ସ୍ୟଜୀବୀ ନିର୍ଭର କରୁଥିବା ବେଳେ ବୋଟ ଓ ଯନ୍ତ୍ର ଚାଳିତ ଡଙ୍ଗା ସାହାଯ୍ୟରେ ମାଛ ଧରିବା ପାଇଁ ଯାଇଥାନ୍ତି ଗଭୀର ସମୁଦ୍ର ବୁକୁକୁ । ବୋଟ୍ ଗୁଡିକ ପାଖାପାଖି ୮ ରୁ ୧୨ ଦିନ ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ଯନ୍ତ୍ର ଚାଳିତ ଡଙ୍ଗା ଗୁଡିକ ଦୈନିକ ଯିବା ଆସିବା କରିଥାନ୍ତି। ଏହି ସମୟରେ‌ ବୋଟ୍ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତ୍ସ୍ୟଜୀବୀ ମାନେ ମୃତ୍ୟୁ ମୁଖରେ ପଡିଥାନ୍ତି ‌। ଏପରିକି ଗଭୀର ସମୁଦ୍ରରେ ଥିବା ବେଳେ ଆସୁଥିବା ଲଘୁଚାପ ଓ ବାତ୍ୟା ଯୋଗୁଁ ବୋଟ୍ ଖରାପ ହୋଇଯିବା ସହିତ ସେମାନେ ଦିଶାହୀନ ଭାବେ ଘୁରି ବୁଲନ୍ତି। ଏହି ଯାନ୍ତ୍ରିକ ତ୍ରୁଟିକୁ ବୋଟର କର୍ମଚାରୀ ବା ମତ୍ସ୍ୟଜୀବୀ ସଜାଡି ପାରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀ ମାନଙ୍କୁ ବୋଟର ଇଞ୍ଜିନର କାର୍ଯ୍ୟ, ତାହାର ରକ୍ଷଣାବେକ୍ଷଣ ଓ ଯାନ୍ତ୍ରିକ ତ୍ରୁଟିକୁ ସଜାଡ଼ିବା ଦିଆଯାଉଛି ସ୍ବତନ୍ତ୍ର ପ୍ରଶିକ୍ଷଣ। କେନ୍ଦ୍ରୀୟ ନୈଚାଳନା ଯାନ୍ତ୍ରିକ ପ୍ରଶିକ୍ଷଣ କେନ୍ଦ୍ର (ସିଫ୍ ନେଟ୍) ବିଶାଖାପାଟଣା ଓ ମତ୍ସ୍ୟ ବିଭାଗର ମିଳିତ ସହଯୋଗରେ ପାରାଦ୍ଵୀପର ନେହେରୁ ବଙ୍ଗଳା ମାଛଧରା ବନ୍ଦର ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଏଥିରେ ତିନୋଟି ଜିଲ୍ଲାର ୫୦ ଜଣ ମତ୍ସ୍ୟଜୀବୀଙ୍କ ସହିତ ବୋଟ୍ ମାଲିକ ମାନେ ମଧ୍ୟ ସାମିଲ ହୋଇଛନ୍ତି। ତିନିଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ ମତ୍ସ୍ୟଜୀବୀ ମାନଙ୍କୁ ପ୍ରଥମ ଦିନ ବୋଟ୍ ଓ ଡଙ୍ଗାରେ ଲାଗୁଥିବା ଇଞ୍ଜିନର କାର୍ଯ୍ୟ ଓ ଏହାର ରକ୍ଷଣାବେକ୍ଷଣ ଉପରେ ପ୍ରଶିକ୍ଷଣ ଦିଆଯାଇଛି। ଦ୍ଵିତୀୟ ଦିନରେ ଇଞ୍ଜିନର ବିଭିନ୍ନ ପାର୍ଟ୍ସ ଓ ଏହାର ଭୁମିକା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ଏବଂ ତୃତିୟ ଦିନରେ ଏହାର ମରାମତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଏଠାରେ ସୂଚନାଯୋଗ୍ୟ, ପାରାଦ୍ଵୀପର ମାଛଧରା ବନ୍ଦରରେ ପାଖାପାଖି ୬୦୦ରୁ ଉର୍ଦ୍ଧ୍ୱ ସୋନା ବୋଟ୍ ଓ ୨୦୦୦ ରୁ ଉର୍ଦ୍ଧ୍ୱ ଯନ୍ତ୍ର ଚାଳିତ ଡଙ୍ଗା ରହିଛି। ଏହା ଉପରେ ପାଖାପାଖି ୫୦ ହଜାର ଲୋକ ନିର୍ଭର କରୁଛନ୍ତି। ତେଣୁ ସେମାନଙ୍କ ସୁରକ୍ଷା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଗତ ତିନିବର୍ଷ ହେଲା ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଅଞ୍ଚଳର ମତ୍ସ୍ୟଜୀବୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଦିଆଯାଉଛି। ଯାହା ମତ୍ସ୍ୟଜୀବୀ ମାନଙ୍କୁ ସୁରକ୍ଷିତ ରଖିପାରିବ ବୋଲି ମତ୍ସ୍ୟ ଅଧିକାରୀ ପ୍ରକାଶ କରିଛନ୍ତି।


    ଜଳବାୟୁରେ ପରିବର୍ତ୍ତନ ଯୋଗୁ ସାମୁଦ୍ରିକ ବାତ୍ୟା ଓ ଲଘୁଚାପ ସଂଖ୍ୟା ବଢୁଥିବାରୁ ଏହା ମତ୍ସ୍ୟଜୀବୀ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ମତ୍ସ୍ୟ ବିଭାଗ ପକ୍ଷରୁ ଗତ ତିନିବର୍ଷ ହେଲା ଆୟୋଜିତ ହେଉଥିବା ଏହି ପ୍ରଶିକ୍ଷଣ ଶିବିର ମତ୍ସ୍ୟଜୀବୀ ପରିବାରକୁ ଆଶ୍ବସ୍ତ କରିଛି ।ଏହି ପ୍ରଶିକ୍ଷଣ କୁ ମତ୍ସ୍ୟଜୀବୀ ମାନେ ସ୍ବାଗତ କରିବା ସହିତ ଗଭୀର ସମୁଦ୍ରରେ ଏହା ଆମପାଇଁ ବରଦାନ ଭଳି କାର୍ଯ୍ୟ କରିବ ବୋଲି ପ୍ରକାଶ କରିଛନ୍ତି।

  • କେବଳ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ରେ ଖୋଲେ ଅଙ୍ଗନୱାଡ଼ି…

    କେବଳ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ରେ ଖୋଲେ ଅଙ୍ଗନୱାଡ଼ି…

    ଦୀର୍ଘ ୧୨ ବର୍ଷରେ ମାତ୍ର ୨୪ ଥର ଖୋଲା ହୋଇଛି ଅଙ୍ଗନୱାଡ଼ି କେନ୍ଦ୍ର। ତାହା ପୁଣି ଜାନୁଆରୀ ୨୬ ଓ ଅଗଷ୍ଟ ୧୫ ତାରିଖ ପାଇଁ। ବର୍ଷ ବର୍ଷ ଧରି ଅଙ୍ଗନୱାଡ଼ି ଦିଦି ଶିଶୁ, କିଶୋରୀ ଓ ଗର୍ଭବତୀ ମହିଳାଙ୍କ ଯୋଜନାର ଲାଭକୁ ହଡ଼ପ କରି ଚାଲିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ନୂଆଗଡ ପଞ୍ଚାୟତର ବିଜୟଚନ୍ଦ୍ରପୁର ଗ୍ରାମରେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ପଦକ୍ଷେପ ନ ନେବାରୁ ଗ୍ରାମର ମହିଳା ଏକାଠି ଆନ୍ଦୋଳନକୁ ଓହ୍ଲାଇବା ସହିତ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି ।

    ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ନୂଆଗଡ ପଞ୍ଚାୟତର ବିଜୟଚନ୍ଦ୍ରପୁର ଗ୍ରାମରେ ଗତ ୧୨ ବର୍ଷ ତଳେ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଥିଲା। ମାତ୍ର ଏଥିରେ ନିଯୁକ୍ତ ଅଙ୍ଗନୱାଡ଼ି ଦିଦି ସେହି ଦିନଠାରୁ କେବଳ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ ଦୁଇ ଦିନକୁ ଛାଡ଼ିଦେଇ କେବେବି ଅଙ୍ଗନବାଡ଼ି କେନ୍ଦ୍ର ଖୋଲନ୍ତି ନାହିଁ। ଏପରିକି ଛୋଟ ଶିଶୁ , କିଶୋରୀ ଓ ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ସମସ୍ତ ସାମଗ୍ରୀକୁ ୩ ରୁ ୪ ମାସକୁ ଥରେ ଲେଖାଏଁ ଦେଇ ଥାଆନ୍ତି। ଏହାକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୈାଣସି ସୁଫଳ ମିଳି ନଥିବାରୁ ଗତ ୪ ଦିନ ତଳେ ୫୦ରୁ ଉର୍ଦ୍ଧ୍ୱ ମହିଳା ବ୍ଲକ୍ ଓ ମହିଳା ଓ ଶିଶୁ ବିକାଶ ଅଧିକାରିଣୀଙ୍କୁ ଭେଟି ଅଭିଯୋଗ କରିଥିଲେ। ବିଭାଗ ପକ୍ଷରୁ ତଦନ୍ତ କରାଯିବା ପରେ ଏବେ ଗତ ତିନିଦିନ ହେଲା ଉକ୍ତ ଅଙ୍ଗନୱାଡ଼ି କର୍ମୀ ଘର ଖୋଲି ବସୁଛନ୍ତି ‌। ଯାହାକୁ ଗ୍ରାମର ମହିଳାମାନେ ବିରୋଧ କରିବା ସହିତ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି। ଉକ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ଏଠାରୁ ହଟାଯାଉ ନଚେତ ଏହି କେନ୍ଦ୍ରକୁ ଏଠାରୁ ବନ୍ଦ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଅଙ୍ଗନୱାଡ଼ି କର୍ମୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି।

  • ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ

    ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ

    ଭି-ଗାର୍ଡ ଇଲୋକ୍ଟ୍ରୋନିକ୍ କମ୍ପାନୀ ପକ୍ଷରୁ କୁଜଙ୍ଗ ଓ ରାହାମା ଅଞ୍ଚଳର ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୁଜଙ୍ଗ ପଙ୍କପାଳ ଠାରେ ଅନୁଷ୍ଠିତ ଏହି କର୍ମଶାଳାରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇ ଭି-ଗାର୍ଡ ର ଗୁଣବତ୍ତା ଏବଂ ସୁରକ୍ଷା ଉପରେ ଆଲୋଚନା କରିଥିଲେ।

    ଚଳିତ ବର୍ଷ କମ୍ପାନୀ ଓଡ଼ିଶାର ତଳସ୍ତରର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ‌ ପ୍ରଥମେ ଇଲେକ୍ଟ୍ରିସିଆନ‌ ମାନଙ୍କୁ କମ୍ପାନୀର ଗୁଣାତ୍ମକମାନ ସମ୍ପର୍କରେ ଅବଗତ କରାଯାଇଛି।

    ଏଥିରେ ପାଖାପାଖି ୧୦୦ ରୁ ଉର୍ଦ୍ଧ୍ୱ ଇଲେକ୍ଟ୍ରିସିଆନ ଯୋଗ ଦେଇଥିଲେ। କମ୍ପାନୀ ପକ୍ଷରୁ ସେମାନଙ୍କୁ କମ୍ପାନୀ ର ବିଭିନ୍ନ ସାମଗ୍ରୀ ଦେଖାଇବା ସହିତ ତାହାର କାର୍ଯ୍ୟକାରିତା , ସୁରକ୍ଷା ଓ ବ୍ୟବହାର ର ଅବଧି ସମ୍ପର୍କରେ ଅବଗତ କରାଯାଇଥିଲା । ଏହି କର୍ମଶାଳାକୁ କୁଜଙ୍ଗ ର ଓମ୍ ଇଲେକ୍ଟ୍ରିକାଲ ବିତରକ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଇଥିଲା।

  • ମିଟର ଚେକିଙ୍ଗ ଆଳରେ ବିଦ୍ୟୁତ କର୍ମଚାରୀଙ୍କ ବଳାତ୍କାର ଉଦ୍ୟମ, ମାଡ ଖାଇ ବନ୍ଧା ହେଲେ

    ମିଟର ଚେକିଙ୍ଗ ଆଳରେ ବିଦ୍ୟୁତ କର୍ମଚାରୀଙ୍କ ବଳାତ୍କାର ଉଦ୍ୟମ, ମାଡ ଖାଇ ବନ୍ଧା ହେଲେ

    ମିଟର ଦେଖିବ କହି ଘରେ ପଶିଲା, ମହିଳାଙ୍କୁ ଏକୁଟିଆ ଦେଖି ବଳାତ୍କାର ଉଦ୍ୟମ କଲା, ମହିଳାଙ୍କ ପାଟି ଶୁଣି ଗାଁ ଓ ପରିବାର ଲୋକେ ଦୌଡ଼ି ଆସିଲେ, ବିଦ୍ୟୁତ କର୍ମଚାରୀକୁ ବାନ୍ଧିବା ସହ ଉତ୍ତମ ମଧ୍ୟମ ମଧ୍ୟ୍ୟ ଦେଲେ, ଏ କଥା ଆମେ କହୁନୁ, ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଅଭିଯୋଗ କାରିଣୀ ମହିଳା।

    ଖବର ପାଇ ଘଟଣା ସ୍ଥଳରେ ତିର୍ତୋଲ ପୋଲିସ ପହଂଚି ବିଦ୍ୟୁତ କର୍ମଚାରୀକୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଅଭିଯୋଗ କାରିଣୀ ମଧ୍ୟ ଥାନାରେ ପହଞ୍ଚିଥିଲେ, ଅଭିଯୋଗ କାରିଣୀ ଓ ତାଙ୍କ ସ୍ୱାମୀ ଅଭିଯୋଗ ପାଇଁ ଥାନାର ଦ୍ୱାରସ୍ତ ହୋଇଥିବା ବେଳେ ଥାନାରେ ତାଙ୍କୁ ସାଧା ପୋଷାକ ରେ ଥିବା ଜଣେ ଥାନା ବାବୁ ନାଲି ଆଖି ଦେଖାଇ କହିଲେ ହେ ତୁ କୁଆଡେ ଆସିଛୁ, ୟାକୁ ଭିତରେ ପୁରାଇ ଦିଅ,କହି ଧମକାଇ ଦୁର୍ବ୍ୟବହାର କରିଥିଲେ। ପୀଡିତା ମହିଳା ଜଣକ ନ୍ୟାୟ ପାଇଁ ଥାନାରେ ଦ୍ଵାରସ୍ତ ହୋଇଥିବା ବେଳେ ଥାନା କର୍ମଚାରୀ ଙ୍କ ଦୁର୍ବ୍ୟବହାର କେତେ ଦୂର ଯଥାର୍ଥ, ଏଠି ପ୍ରଶ୍ନ ଉଠୁଛି ଯଦି ମହିଳା ମାନେ ନ୍ୟାୟ ପାଇଁ ଥାନାକୁ ଆସି ଦୁର୍ବ୍ୟବହାର ର ଶିକାର ହେବେ ତେବେ ସେମାନେ ପ୍ରାଥମିକ ଅଭିଯୋଗ ଫର୍ଦ କାହାକୁ ଦେଵେ ?

    ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ପୋତା ନଈ ପଞ୍ଚାୟତ ପୋତା ନଈ ପଡା ଗ୍ରାମ କୋଠିଆ ସାହିରେ। ସୂଚନା ଅନୁଯାୟୀ, ତିର୍ତୋଲ ବ୍ଲକ ଅଧୀନ ଓଳଗଦା ଗ୍ରାମର ପ୍ରଶାନ୍ତ ମଲ୍ଲିକ ଆଖଣ୍ଡଳମଣି ଠିକା ସଂସ୍ଥାର ରାହାମା ବିଦ୍ୟୁତ ଉପଖଣ୍ଡ ଅଧୀନରେ ଥିବା ବାଇଳୋ କାର୍ଯ୍ୟାଳୟରେ ବିଦ୍ୟୁତ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ମଧ୍ୟାହ୍ନ ସମୟରେ ମହିଳାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ମିଟର ଦେଖିବା ଆଳରେ ବିଦ୍ୟୁତ କର୍ମଚାରୀ ଜଣକ ଘରେ ପଶି ବଳାତ୍କାର ଉଦ୍ୟମ କରୁଥିବା ବେଳେ ପାଟି ଶୁଣି ଗାଁ ଓ ପରିବାର ଲୋକେ ପହଂଚି ବିଦ୍ୟୁତ କର୍ମଚାରିକୁ ଅଟକ ରଖିବା ସହ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଉଭୟଙ୍କୁ ଥାନାକୁ ଡକାଇ ଡାକ୍ତରୀ ପରୀକ୍ଷା କରାଇ ତଦନ୍ତ ଜାରି ରଖିଛି।

    ଅନ୍ୟ ପକ୍ଷରେ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସହ କର୍ମଚାରୀ ମାନେ ଥାନାରେ ପହଂଚି ଅଭିଯୋଗ କାରିଣୀ ମହିଳା ଓ ତାଙ୍କ ସ୍ୱାମୀଙ୍କ ନାଁରେ ପ୍ରଥମେ ଅଭିଯୋଗ କରିଥିବା ଜଣା ପଡିଛି। ବିଦ୍ୟୁତ ବିଭାଗ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ଶୁଣିବାକୁ ମିଳୁଛି କି ମିଟର ଟ୍ୟାମ୍ପରିଂ ଯୋଗୁଁ ପୂର୍ଵରୁ ଫାଇନ କରାଯାଇଥିଲା, ପୂର୍ବ ଆକ୍ରୋଶ ରଖି ମହିଳା ଜଣକ ଘରକୁ ଡକାଇ ମିଥ୍ୟା ଆରୋପ ଲଗାଇ ବାନ୍ଧି ମାଡ ମାରିଛନ୍ତି। ଦେଖିବାକୁ ବାକି ରହିଲା ଘଟଣାକୁ ବାଟବଣା ନ କରି ପୋଲିସ କି ନ୍ୟାୟ ଦେଉଛି।

  • ତିର୍ତୋଲ କଲେଜ +2 ବିଜ୍ଞାନ ଟପ୍ପର ଭାଗ୍ୟଲକ୍ଷ୍ମୀ

    ତିର୍ତୋଲ କଲେଜ +2 ବିଜ୍ଞାନ ଟପ୍ପର ଭାଗ୍ୟଲକ୍ଷ୍ମୀ

    +2 ଶ୍ରେଣୀର ଫଳ ପ୍ରକାଶ ପାଇଥିବା ବେଳେ ତିର୍ତୋଲ ସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟର +2 ବିଜ୍ଞାନ ଛାତ୍ରୀ ଭାଗ୍ୟଲକ୍ଷ୍ମୀ ରାଉତ ୬୦୦ ରୁ ସମୁଦାୟ ୫୪୧ ନମ୍ବର ରଖି ଟପ୍ପର ହୋଇଛନ୍ତି । +2 ବିଜ୍ଞାନରେ ୨୬୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୪୭ ଜଣ ପ୍ରଥମ ଶ୍ରେଣୀ, ୬୬ ଜଣ ଦ୍ୱିତୀୟ ଶ୍ରେଣୀ, b ୨୧ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି। ଟପ୍ପର ହୋଇଥିବା ଭାଗ୍ୟଲକ୍ଷ୍ମୀ ତାଙ୍କର ଏହି ସଫଳତା ପାଇଁ ସାରଳା କୋଚିଂ ଶିକ୍ଷା କେନ୍ଦ୍ରର ମୁଖ୍ୟ ପରିଚାଳକ ବୁବୁଲା ସାର ଓ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା, ତିର୍ତୋଲ କଲେଜର ଅଧ୍ୟାପକ ଅଧ୍ୟାପିକା ଓ ତାଙ୍କର ପିତା ମାତାଙ୍କୁ ଶ୍ରେୟ ଦେଇଛନ୍ତି । ଭାଗ୍ୟଲକ୍ଷ୍ମୀ ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବ ପାଇଁ ଲକ୍ଷ୍ୟ ରଖିଛନ୍ତି । ଭାଗ୍ୟଲକ୍ଷ୍ମୀର ସଫଳତା ପାଇଁ ଶାରଳା କୋଚିଂର ମୁଖ୍ୟ ବୁବୁଲା ସାର ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ ।

  • ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ

    ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ

    ଭାରତୀୟ ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପାରାଦ୍ବୀପ ବନ୍ଦର ରେ ଥିବା ସଂଘ ପରିବାର ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସଂଘର ନୂତନ କର୍ମକର୍ତ୍ତା ଚୟନ କରିଥିଲେ । ସଭାପତି ଭାବେ ପୁନର୍ବାର ରାକେଶ କୁମାର ପଟ୍ଟନାୟକ ଙ୍କୁ ସଭାପତି ଭାବେ ମନୋନୀତ କରା ଯାଇଥିବା ବେଳେ ପାରାଦ୍ବୀପ ବନ୍ଦରର କର୍ମଚାରୀ ତଥା ବନ୍ଦର ଟ୍ରଷ୍ଟି ଶ୍ରୀକାନ୍ତ ରାଏ ଙ୍କୁ ପୁନର୍ବାର ଭାରତୀୟ ବନ୍ଦର ମଜଦୁର ସଂଘର ସଂପାଦକ ଭାବେ ଚୟନ କରାଯାଇଛି । ଭାରତୀୟ ବନ୍ଦର ମଜଦୁର ସଂଘ ର ବାର୍ଷିକ ସମ୍ମିଳନୀରେ ସଂଘ ର ନୂତନ କର୍ମକର୍ତ୍ତା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିବା ବେଳେ ବନ୍ଦର କର୍ମଚାରୀ ଓ ଶ୍ରମିକ ମାନଙ୍କ ସ୍ବାର୍ଥ ଲାଗି କାର୍ଯ୍ୟ କରିବା ପାଇଁ ସମସ୍ତ ଚେଷ୍ଟା ଜାରୀ ରହିବ ବୋଲି ସାଧାରଣ ସଂପାଦକ ଶ୍ରୀକାନ୍ତ ରାଏ କହିଥିଲେ । ଏହି ପରିପ୍ରେକ୍ଷୀରେ ସଂଘ ବାର୍ଷିକ ହିସାବ ବିବରଣୀ ଦେବା ସହିତ ସଂଘ ପ୍ରଥମେ ରାଷ୍ଟ୍ର ହିତ ପରେ ଉଦ୍ୟୋଗ ଚିନ୍ତା ଓ ପରେ ଶ୍ରମିକଙ୍କ ହିତ ଲାଗି କାର୍ଯ୍ୟ କରିଥାଏ । ଭାରତୀୟ ବନ୍ଦର ମଜଦୁର ସଂଘ ଏହି ନିୟମାନୁଯାୟୀ କାର୍ଯ୍ୟ କରି ଆସୁଛି । ପାରାଦ୍ବୀପ ବନ୍ଦର ର କର୍ମଚାରୀ ଓ ଶ୍ରମିକଙ୍କ ସ୍ବାର୍ଥ ହାସଲ କରିବା ପାଇଁ ସମସ୍ତେ ଏକତ୍ରିତ ହୋଇ ରହିବା ପାଇଁ ସାଧାରଣ ସଂପାଦକ ଶ୍ରୀକାନ୍ତ ରାଏ ସମସ୍ତ ଶ୍ରମିକ ଓ ବନ୍ଦର କର୍ମଚାରୀ ମାନଙ୍କୁ ଆହ୍ବାନ ଦେଇଥିଲେ । ସଂଘ ର ବାର୍ଷିକ ସମ୍ମିଳନୀରେ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ତୁଲାଇଥିଲେ ।

  • ଇଫକୋ ଛକ ନିକଟରେ ସଡକ ଦୁର୍ଘଟଣା

    ଇଫକୋ ଛକ ନିକଟରେ ସଡକ ଦୁର୍ଘଟଣା

    ପାରାଦୀପ ଇଫକୋ ଛକ ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ସ୍କୁଟି ଆରୋହୀ ମୃତ୍ୟୁ ବରଣ କରିଥିବା ସୂଚନାମିଳିଛି । ସକାଳ ସମୟରେ ଜଣେ ସ୍କୁଟି ଆରୋହୀ ଅଠରବାଙ୍କି ମେଡିକାଲକୁ ଯାଉଥିବା ବେଳେ ପଛପଟୁ ଏକ ଆଇରନ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟି ଆରୋହୀ ତଳେ ପଡିଯାଇଥିବା ସମୟରେ ଟ୍ରକଟି ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ତେବେ ଘଟଣା ସ୍ଥଳରେ ସ୍କୁଟି ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଟ୍ରକ୍ ଡ୍ରାଇଭରକୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରି ପାରାଦୀପ ଆଦର୍ଶ ଥାନାକୁ ହସ୍ତାନ୍ତର କରିଛନ୍ତି । ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ନୟାଗଡ ଗଣିଆ ଥାନା ଅଞ୍ଚଳର କିଶୋର ଶିରୋମଣୀ ହୋଇଥିବା ବେଳେ ସେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଟ୍ରକ୍ କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

  • ବେଧଡକ ମାଡି ଚାଲିଛି ଧଳା ଜହର ବେପାର, ଫାସରେ ପଡିଲା ବେପାରୀ

    ବେଧଡକ ମାଡି ଚାଲିଛି ଧଳା ଜହର ବେପାର, ଫାସରେ ପଡିଲା ବେପାରୀ

    ଥମୁନି ବ୍ରାଉନ୍‌ସୁଗାର କାରବାର । ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ମାହଳ ଗ୍ରାମର ଗଙ୍ଗାଦେଇ ମନ୍ଦିର ନିକଟରୁ ଜଣେ ବ୍ରାଉନଗାର ସୁଗାର ବେପାରୀ ଗିରଫ । ବେପାରୀ ନିକଟରୁ ୬ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ଦେଢ ଲକ୍ଷ ଟଙ୍କା ହେବ ।

    ଖବର ଅନୁସାରେ , ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସ ଲଗାତର ଭାବେ ସଜାଗ ରହିଛି ।ତେବେ ଏକ ବିଶେଷ ସୂତ୍ରରୁ ବ୍ରାଉନ ସୁଗାର ବ୍ୟବସାୟ ହେଉଥିବାର ଖବର ପାଇ ଅଭୟଚାନ୍ଦପୁର ଥାନର ଏକ ସ୍ବତନ୍ତ୍ର ଟିମ ମାହାଳର ଗଙ୍ଗାଦେଇ ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରେ ବ୍ରାଉନ ସୁଗାର ବିକୁଥିବା ପ୍ରତାପ ଭୋଇ ନିକଟରୁ ୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ ।ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି ।

    ତେବେ ଏମାନଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି । ପୁରା କାରବାରର କେଉଁ କେଉଁ ମାନେ ସାମିଲ ଅଛନ୍ତି । ସେନେଇ କିଛି ଲୋକଙ୍କୁ ଥାନାକୁ ଆଣି ପଚରାଉଚରା ଜାରିରହିଛି। ଜଗତସିଂହପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ଆସାମୀଙ୍କ ଉପରେ ଚଢ଼ାଉ କରି ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଅଭୟଚାନ୍ଦପୁର ଥାନା ଆଇଆଇସି ସମିର କୁମାର ରାଉତ କହିଛନ୍ତି ।

  • ନଡିଆ ଗଛ ପଡି ଜଣେ ମହିଳା ମୃତ

    ନଡିଆ ଗଛ ପଡି ଜଣେ ମହିଳା ମୃତ

    ନଡିଆଗଛ ଭାଙ୍ଗିପଡିବାରୁ ଜଣେ ମହିଳା ମୃତ । ୪ ଜଣ ଗୁରୁତର । ଘଟଣା ଘଟିଛି କୁଜଙ୍ଗ ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ । ଗତକାଲି ରାତିରେ ରାମଲୀଳା ଚାଲୁଥିବା ବେଳେ ଘଟିଛି ଅଘଟଣ । ନଡିଆଗଛରେ ରଶି ବାନ୍ଧି ଟ୍ରାକ୍ଟର ରେ ଭିଡୁଥିବା ବେଳେ ଭାଙ୍ଗିପଡିଥିଲା ନଡ଼ିଆ ଗଛ। ସୂଚନା ମୁତାବକ ରାମଲିଳାରେ ହନୁମାନ ଚରିତ୍ରକୁ ନେଇ ନଡ଼ିଆ ଗଛ ରେ ରଶି ବାନ୍ଧୁ ଥିବା ବେଳେ ହଠାତ୍ ନଡ଼ିଆ ଗଛଟି ଭାଙ୍ଗି ପଡିଥିଲା । ଘଟଣା ସ୍ଥଳରେ ଜଣେ ମହିଳା ଦର୍ଶକ ମୃତ୍ୟୁ ବରଣ କରିଥିବା ବେଳେ ଚାରି ଜଣ ଗୁରୁତର ହୋଇଥିଲେ । ତେବେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେବାପରେ ବିଳମ୍ବିତ ରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସ ର କାମକୁ ବାଡେଇ ଭାଙ୍ଗିଦେଇଥିଲେ । ପରେ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ମୃତ ମହିଳା ଜଣଙ୍କ ସମାଗୋଳ ଅଞ୍ଚଳର ହୋଇଥିବା ସୂଚନା । ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ର ତଦନ୍ତ ଆରମ୍ଭ ।