Category: Bolangir

  • କୁଷ୍ଠ ରୋଗ ଚିହ୍ନଟ ଅଭିଯାନର ସମନ୍ଵୟ କମିଟି ବୈଠକ

    କୁଷ୍ଠ ରୋଗ ଚିହ୍ନଟ ଅଭିଯାନର ସମନ୍ଵୟ କମିଟି ବୈଠକ

    ବଲାଙ୍ଗିର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ବା ଏଲସିଡିସିର ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡିସେମ୍ବର ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ହେବାକୁ ଥିବା କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ବିଷୟରେ ବିସ୍ତୁତ ଆଲୋଚନା ହୋଇଥିଲା । ଆଶା କର୍ମୀ ମାନେ ଏହି ଚିହ୍ନଟ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ସେପ୍ଟେମ୍ବର ସୁଦ୍ଧା ଜିଲ୍ଲାରେ ୩୪୦ଜଣ ଚିହ୍ନଟ ହେଇଥିବାବେଳେ ଟେଷ୍ଟିଙ୍ଗ ଅଧିକ କରି ଏହାର ପ୍ରତିକାର କରିବାକୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଅଧିକ ଚିହ୍ନଟ ଜାଗାରେ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର, ଘର ଘର ବୁଲି ସଚେତନ କରେଇବା ସହ , ଗ୍ରାମ ସଭା ମାଧ୍ୟମରେ ଚିହ୍ନଟଙ୍କୁ ତ୍ୱରାନ୍ୱିତ ଔଷଧ ଏବଂ ଚିକିତ୍ସା ଯୋଗେଇଦେବାକୁ ଆଲୋଚନା ହେଇଥିଲା । ଜିଲ୍ଲାର ୧୪ଟି ବ୍ଲକରୁ ପ୍ରାୟତଃ ୧୮ଲକ୍ଷ ଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯିବ । ଏଥିରେ ୨୧୫୦ ଟି ଚିହ୍ନଟ ଦଳ ୩୮୬ ସୁପରଭାଇଜରଙ୍କ ତତ୍ବାବଧାନରେ କାମ ହେବ । ସନ୍ଦିଗ୍ଧ ଙ୍କୁ ଡାକ୍ତର ୩ଦିନ ଭିତରେ ପରୀକ୍ଷା କରି ରିପୋର୍ଟ ଦେବାକୁ କୁହାଯାଇଛି । ଡିସେମ୍ବର ୧୭ରେ ସମସ୍ତ ପ୍ରକ୍ରିୟା ସାରିବା ସହ ଡିସେମ୍ବର ୨୦ରେ ସଂପୂର୍ଣ୍ଣ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ, ଜିଲ୍ଲା ଉପମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦିବ୍ୟକିଶୋର ପତି ପ୍ରମୁଖ ଉପସ୍ଥିତ ଥିଲେ ।

  • କେରମେଲି ବିଦ୍ୟାଳୟରୁ ଚୋରି, ୨ ଗିରଫ

    କେରମେଲି ବିଦ୍ୟାଳୟରୁ ଚୋରି, ୨ ଗିରଫ

    ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା କେରମେଲୀ ସ୍କୁଲରୁ ଗତ ସୋମବାର ହୋଇଥିବା ଚୋରି ଘଟଣାରେ ପୋଲିସ ଦୁଇ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଚୋରି ସାମଗ୍ରୀ ଜବତ କରିଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ କେରମେଲୀ ଗ୍ରାମର ଶରତ ରଣା ଓ ବଲାଙ୍ଗୀରର ସିପୁନ ପ୍ରଧାନଙ୍କୁ ଗିରଫ କରିବା ସହ ବହୁ ଚୋରି ସାମଗ୍ରୀ ଉଦ୍ଧାର କରିଛି। ସଇଁତଲା ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ଯାହାକୁ ନେଇ ଲୋକେ ପୋଲିସକୁ ପ୍ରଶଂସା କରିଛନ୍ତି !

  • ନବୀନ ଓଡିଶାର ପରିଚୟ ନେଇ ପ୍ରତି ଗାଁ ଆଗକୁ ବଢିବ – ମୁଖ୍ୟମନ୍ତ୍ରୀ

    ନବୀନ ଓଡିଶାର ପରିଚୟ ନେଇ ପ୍ରତି ଗାଁ ଆଗକୁ ବଢିବ – ମୁଖ୍ୟମନ୍ତ୍ରୀ

    ବାଲେଶ୍ୱର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୬୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରେମୁଣା ବହୁମୁଖୀ କମ୍ୟୁନିଟି ହଲ୍‌, କଣ୍ଟିଆଚୋରା ନଦୀର ପୁନରୁଦ୍ଧାର, କ୍ଷୀରଚୋରା ଗୋପିନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଆଉ କେତେକ ସ୍କୁଲ ଓ କଲେଜର ରୂପାନ୍ତର। ସେହିପରି ଭୋଗରାଇ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୩ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ଚନ୍ଦନେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ, ରଣସିଂହପୁର ଆଶ୍ରମ ସ୍କୁଲର ଉନ୍ନତୀକରଣ, ବାସୁଳୀ ମା’ ମନ୍ଦିରର ସୌନ୍ଦର୍ଯ୍ୟକରଣ, Rural Institute of Higher Studies କଲେଜର ରୂପାନ୍ତର। ସେହିପରି ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ଜଳେଶ୍ୱର ପୌରାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଏକ ସ୍କେଟିଙ୍ଗ ରିଙ୍ଗ୍‌ । ଏହା ଦ୍ୱାର ଜିଲ୍ଲାରେ କ୍ରୀଡାର ବିକାଶରେ ଏକ ନୂଆ ଫର୍ଦ୍ଦ ଯୋଡି ହେବ। ଏହା ସହିତ ସିଦ୍ଧେଶ୍ୱର କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ, ଦିନକୃଷ୍ଣ କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ଏବଂ ଜଳେଶ୍ୱର ମହିଳା କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ । ସେହିପରି ସୋର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୯୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହନାଗା ହାଇସ୍କୁଲର ନିର୍ମାଣ ଓ ଅଧୁନିକୀକରଣ ଏବଂ ବାହନଗା ଗ୍ରାମପଞ୍ଚାୟତକୁ ଏକ ମଡେଲ ପଞ୍ଚାୟତ ଭାବେ ନିର୍ମାଣ, ବାହନାଗା ପ୍ରାଥମିକ ଚିକିତ୍ସାଳୟକୁ ‘ଆମ ହସ୍ପିଟାଲ’ ଭାବେ ଉନ୍ନତୀକରଣ, ଏହା ସହିତ ଦୁଇଟି ବୃହତ ସେତୁ ଏବଂ ୩ଟି ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜ। ବସ୍ତା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୭ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୨.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହରଦା ମାଛ ମାର୍କେଟର ଉନ୍ନତୀକରଣ, ଜଳକା ଡ୍ରେନେଜ୍ ସିଷ୍ଟମର ଉନ୍ନତୀକରଣ, ଡଗର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସେତୁ, ସ୍କୁଲ ଓ କଲେଜ। ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୮.୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଚାନ୍ଦିପୁର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ଝାଡେଶ୍ୱର ମନ୍ଦିର, ଫକିରମୋହନ କଲେଜ, ବଳାଙ୍ଗି କଲେଜ ଓ ନୀଳମଣି କଲେଜ । ସେହିପରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୦୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠର ଉନ୍ନତୀକରଣ, ନୀଳଗିରି ରିସିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଖୁମୁକୁଟ ଜଳପ୍ରକଳ୍ପ, ନୀଳଗିରି ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ଏବଂ କେତେକ ସ୍କୁଲ ଓ କଲେଜ। ସେହିପରି ସିମୁଳିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୯.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ସିନ୍ଧୁଆ ଡ୍ୟାମଠାରେ ଏକ ପର୍ଯ୍ୟଟନ କେନ୍ଦ୍ର, କୁପାରୀ MSME Park, କୁପାରୀ ST Hostel, ଅନେକ ସେତୁ ଓ ସିମୁଳିଆଠାରେ ନଦୀବନ୍ଧର ଉନ୍ନତୀକରଣ। ଏହି ପରି ବାଲେଶ୍ୱର ୫୯ ପ୍ରକଳ୍ପ ପାଇଁ ୨୨୪.୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

    ସେହିପରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୪ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୮.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ତୁସୁରାଠାରେ Air Strip, ୨ଟି Mega Lift ପ୍ରକଳ୍ପ, ତୁସୁରା ସମଲାଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ସ୍କୁଲ ଓ କଲେଜ। ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୧ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୧୪.୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ହରିଶଙ୍କର ମନ୍ଦିର ଉନ୍ନତୀକରଣରେ କେତେକ ନୂତନ ପ୍ରକଳ୍ପ ଯଥା :- ନୂଆ ପ୍ରବେଶ ପଥ, ଚେକ ଡ୍ୟାମ୍, କଲଭର୍ଟ, ପୋଲିସ ଆଉଟପୋଷ୍ଟ ଇତ୍ୟାଦି, ଖପ୍ରାଖୋଲରେ ଏକ ନୂଆ ସଡକ ଏବଂ କେତେକ କଲେଜ। ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ସମଲେଇଙ୍କ ମନ୍ଦିର, ଗୋପାଳଜୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ ଗ୍ରାଉଣ୍ଡର ବିକାଶ, ଚାନ୍ଦିଲି ପାହାଡ ପର୍ଯ୍ୟଟନ ପ୍ରକଳ୍ପ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ସ୍କୁଲ ଓ କଲେଜ, ଲୋୟର ସୁକତେଲ କଲୋନୀରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର, ବଲାଙ୍ଗୀର CNI Churchର ଉନ୍ନତୀକରଣ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରାଣିପୁର ଝରିଆଲ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ୩ଟି ଡିଗ୍ରୀ କଲେଜର ଉନ୍ନତୀକରଣ। ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଯୋଗେଶ୍ୱର ମନ୍ଦିର, ସ୍ୱାଧୀନତା ସଂଗ୍ରାମୀ ମାଝୀ ମାନ୍ଧାତାଙ୍କ ସ୍ମୃତିରେ ଏକ ଐତିହ୍ୟ କେନ୍ଦ୍ର ସ୍ଥାପନ ଏବଂ ୩ଟି ଡିଗ୍ରୀ କଲେଜ। ଏହି ପରି ବଲାଙ୍ଗୀର ଜିଲ୍ଲାରେ ୩୨ଟି ପ୍ରକଳ୍ପ ପାଇଁ ୨୩୪.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

    ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର, ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବିଧାୟକ ଶ୍ରୀ ଅନନ୍ତ ଦାସ, ବିଧାୟକ ଶ୍ରୀ ନିତ୍ୟାନନ୍ଦ ସାହୁ, ବିଧାୟକ ଶ୍ରୀ ସ୍ୱରୂପ ଦାସ, ବିଧାୟକ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ଶ୍ରୀ ସରୋଜ ମେହେରଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ ।

  • ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ,ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

    ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ,ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

    ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଦେଖାଦେଇଛି।ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ଘଟଣା ପରେ ଫ୍ଲାଗମାର୍ଚ୍ଚ କଲା ପୋଲିସ, ପାଟଖଣ୍ଡା ଯାତ୍ରା ପାଇଁ ସହରରେ ଲାଗିଲା ୧୪୪ ଧାରା। ସୋମବାର ଅନୁଷ୍ଠିତ ଛତର ଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି। ପରେ ବିବାଦ ଗଣ୍ଡଗୋଳର ରୂପ ଧାରଣ କରିଥିବା ବେଳେ ଏଥିରେ ୧୫ରୁ ଅଧିକ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ପାଟଖଣ୍ଡା ଯାତ୍ରା ପାଇଁ ବଙ୍ଗୋମୁଣ୍ଡା ସହରରେ ଆଜିଠାରୁ ୨୬ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିବା ଟିଟିଲାଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୁଚନା ୍ନୁଯାୟୀ ଗତ କାଲି ବଙ୍ଗୋମୁଣ୍ଡା ଗାଁରେ କୌଣସି କଥାକୁ ନେଇ ଆଦିବାସୀ ଏବଂ ଦଳିତ ଗୋଷ୍ଠୀଙ୍କ ମଧ୍ୟରେ ସଙ୍ଘର୍ଷ ହୋଇଥିଲା। ପରିସ୍ଥିତି ଏମିତି ଥିଲା ଯେ ବଙ୍ଗୋମୁଣ୍ଡା ଗାଁରେ ଗୋଟିଏ ପ୍ରକାର ଦଙ୍ଗା ପରିସ୍ଥିତି ହେଇଥିଲା । ଆଦିବାସୀ ଗୋଷ୍ଠୀର ଲୋକ ହାତରେ ଠେଙ୍ଗା ବାଡ଼ି ଧରି ଥାନା ଘେରାଓ କରିଥିଲେ. ପୋଲିସ ସେମାନଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ବୁଝିନଥିଲେ।ପରେ ସେମାନେ ରାସ୍ତା ରୋକ କରିଥିଲେ। ତେବେ ପୋଲିସ ଗତକାଲି ଉଭୟ ଗୋଷ୍ଠୀର 5 ଜଣଙ୍କୁ ରାତିରେ ଘରୁ ଉଠାଇ ଥାନାରେ ଅଟକ ରଖିଥିବା ଜଣା ପଡିଛି।ଅନ୍ୟ ପକ୍ଷରେ ଗାଁରେ ହେବାକୁ ଥିବା ପାଟଖଣ୍ଡା ଯାତ୍ରା ଶାନ୍ତି ଶୃଙ୍ଖଳାରେ ହେଉ ବୋଲି ଟିଟିଲାଗଡ଼ ଉପଜିଲ୍ଲାପାଳ ମାଜିଷ୍ଟ୍ରେଟ ଭାବେ ୧୪୪ ଧାରା ଜାରି କରିଛନ୍ତି।କୌଣସି ଜନସାଧାରଣ ବୈଠକ, ରେଲି, ଶୋଭାଯାତ୍ରା, ରାସ୍ତା ରୋକ, ଆନ୍ଦୋଳନ, ୫ ରୁ ଅଧିକ ଲୋକ ରୁଣ୍ଡ ହୋଇ ବୁଲିବା,ମାରଣାସ୍ତ୍ର ଧରିବା ଭଳି ଦେଖିଲେ ପୋଲିସ କାର୍ଯ୍ୟନୁଷ୍ଠାନ ନେବାକୁ ଆଦେଶ ଦିଆଯାଇଛି।

  • ଟ୍ରେନ ନ ଅଟକିବାରୁ ଛୁଆଙ୍କୁ ଧରି ଡେଇଁ ପଡିଲେ ମହିଳା, ଚାଲିଗଲା ମାର ଜୀବନ

    ଟ୍ରେନ ନ ଅଟକିବାରୁ ଛୁଆଙ୍କୁ ଧରି ଡେଇଁ ପଡିଲେ ମହିଳା, ଚାଲିଗଲା ମାର ଜୀବନ

    ଭୁଲ୍‌ ଟ୍ରେନ୍‌ରେ ଚଢ଼ିଲେ ମହିଳା ଯାତ୍ରୀ । ବ୍ୟସ୍ତ ‌ହୋଇ ଛୁଆଙ୍କୁ ଧରି ଡେଇଁ ପଡ଼ିବାରୁ ଛୁଆଙ୍କ ଆଗରେ ଚାଲିଗଲା ମା ର ଜୀବନ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଳ ରେଳ ଷ୍ଟେସନରେ । ମହିଳା ଜଣକ ଏକ ପାସେଞ୍ଜର ଟ୍ରେନ୍‌ରେ ଘରକୁ ଯିବା ବଦଳରେ ସେ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ତାଙ୍କର ଗନ୍ତବ୍ୟସ୍ଥଳରେ ଏକ୍ସପ୍ରେସ୍‌ ଟ୍ରେନ୍‌ ନଅଟକିବାରୁ ବ୍ୟସ୍ତ ହୋଇ ଟ୍ରେନ୍‌ରୁ ଡେଇଁପଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ରଜନୀ ମହାନନ୍ଦ । ସୂଚନା ଅନୁଯାୟୀ ଦେଓଗାଁ ଥାନାର ଜରାସିଂହା ଗାଁର ରଜନୀ ମହାନନ୍ଦ‌ ମେଡିକାଲ କାମ‌ରେ ବଲାଙ୍ଗୀର ଯାଇଥିଲେ। ଗତକାଲି ରାଜ୍ୟବ୍ୟାପି ଘରୋଇ ବସ୍‌ ଧର୍ମଘଟ ଥିବାରୁ ସେ ଘରକୁ ଫେରିବା ପାଇଁ ବଲାଙ୍ଗୀର ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ସାଙ୍ଗରେ ତାଙ୍କର ଦୁଇ ଓ ୩ ବର୍ଷର ଝିଅ ଥିଲେ। ହେଲେ ଟିଟିଲାଗଡ଼ ପଟକୁ ଆସିବାକୁ ଥିବା ବିଲାସପୁର-ଟିଟିଲାଗଡ଼-ରାୟପୁର ପାସେଞ୍ଜର ଟ୍ରେନ୍‌ରେ ଚଢ଼ିବା ବଦଳରେ ସେ ଦୀନଦୟାଲ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଭୁଲ ବଶତଃ ଚଢ଼ିଯାଇଥିଲେ। ତାଙ୍କୁ ଦେଓଗାଁ ଷ୍ଟେସନ୍‌ରେ ଓହ୍ଲାଇବାର ଥିଲା। କିନ୍ତୁ ଏକ୍ସପ୍ରେସ୍‌ ଟ୍ରେନ୍‌ର ଷ୍ଟପେଜ ଏଠାରେ ନଥିବାରୁ ଏହା ଆଗକୁ ବଢ଼ିଥିଲା। ଟ୍ରେନ୍‌ଟି ନ ଅଟକି ବାରୁ ଭୁଲ ଗାଡ଼ିରେ ଆସିଥିବା ଭାବିଥିଲେ। ରଜନୀ (ଝରଣା) ସଇଁତଲା ଷ୍ଟେସନ ପରେ ବଡ଼ମାଲ ଷ୍ଟେସନ୍‌ରେ ଟ୍ରେନ୍‌ଟି ଟ୍ରାକ ବଦଳାଉ ଥିବା ବେଳେ ତଳକୁ ଡେଇଁ ପଡି ଟ୍ରେନ୍‌ ତଳେ ପଡିଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହେଇଥିଲା । ଆଉ ଅଳ୍ପକେବର୍ତ୍ତି ଯାଇଛନ୍ତି ଦୁଇ ଶିଶୁକନ୍ୟା। ଟ୍ରେନ୍‌ର ଅନ୍ୟ ଯାତ୍ରୀମାନେ ଘଟଣା ସଂପର୍କରେ ଅବଗତ ହେଲା ପରେ ୨ ଶିଶୁଙ୍କୁ ବଡ଼ମାଳ ଷ୍ଟେସନରେ ଓହ୍ଲାଇ ଜିଆରପିକୁ ହସ୍ତାନ୍ତର କରିଥିଲେ। ଅନ୍ୟପଟେ ଟିଟିଲାଗଡ଼ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

  • ବାରାହ ଫାଶରେ ପଡି ଶିକାରୀର ମୃତ୍ୟୁ

    ବାରାହ ଫାଶରେ ପଡି ଶିକାରୀର ମୃତ୍ୟୁ

    ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଜଣେ ମୃତ ।ଘଟଣା ଘଟଛି ବଲାଙ୍ଗୀର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନ କୁମ୍ଭାରୀ ସ୍ଥିତ କାଲିକ୍ଷେତ ସଂରକ୍ଷିତ କାଳୀଡୁଙ୍ଗୁରିରେ । ମୃତକ ହେଲେ କୁମ୍ଭାରୀ ପଞ୍ଚାୟତ ର ଡୁମେର ମୁଣ୍ଡାର ଜବଦୁ ବଗର୍ତି । ସୁଚନା ଅନୁଯାୟୀ ଗତ ସୋମବାର ଦିନ ଜବଦୁ ଓ ତାର ସମ୍ପର୍କୀୟ ଭଣଜା ସହିତ ଜଙ୍ଗଲକୁ ଯାଇଥିଲେ ।ପରେ ଘରକୁ ଆଉ ଫେରିନଥିଲେ । ସେନେଇ ପରିବାର ଲୋକେ ଖୋଜା ଖୋଜି ପରେ ନ ପାଇବାରୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ କାଳୀଡୁଙ୍ଗୁରିରେ ଜଙ୍ଗଲରେ ଜବଦୁଙ୍କ ମୃତଦେହ ପାଇଥିଲେ । ପରେ ପରିବାର ଲୋକକୁ ଖବର ଦେଇଥିଲେ । ତେବେ ପୂର୍ବରୁ ଜଣେ ଶୀକାରି ବାରାହା ଶୀକାର ପାଇଁ ବିଛାଇଥିବା ତାର ସସ୍ପର୍ଶରେ ଆସି ଜବଦୁଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ।ତେବେ ପୋଲିସ ଶବ କୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ବଲାଙ୍ଗୀର କୁ ପଠାଇଛି । ଅନ୍ୟ ପଟେ ଉକ୍ତ ଘଟଣା ରେ ପୋଲିସ ଜଣକୁ ଅଟକ ରଖିଥିବା ସୂଚନା ମିଳିଛି ।

  • ମାଙ୍କ ଆଗମନରେ ଉତ୍ସବ ମୁଖର ବଲାଙ୍ଗିର ସହର

    ମାଙ୍କ ଆଗମନରେ ଉତ୍ସବ ମୁଖର ବଲାଙ୍ଗିର ସହର

    ଆସିଛି ପାର୍ବ଼ଣର ଋତୁ । କାଶତଣ୍ଡିର ସମ୍ଭାର ନେଇ ଆସିଛି ମାଙ୍କ ବାର୍ତ୍ତା ।ଜଗତର କଲ୍ୟାଣ ନିମନ୍ତେ ଧରାପୃଷ୍ଟରେ ଅବତରଣ କରିସାରିଲେଣି ଜଗତଜନନୀ ମା । ସେଥିପାଇଁ ଉତ୍ସବ ମୁଖର ଗାଁ ଠୁ ସହର । ଚାରିଆଡେ ଆଲୋକର ମାଳା ସାଙ୍ଗକୁ ସୁସଜ୍ଜିତ ତୋରଣ । ସେଥିରୁ ବାଦ୍ ପଡିନି ବଲାଙ୍ଗିରି ।ବଲାଙ୍ଗିରି ଜିଲ୍ଲା ହୋଇ ଉଠିଛି ଉତ୍ସବ ମୁଖର । ସଂସ୍କୃତି କାର୍ଯ୍ୟକ୍ରମ ଓ ଲାଇଟ ରେ ଝଲାସୁଛି ସମଗ୍ର ଅଞ୍ଚଳ। ଆଉ ଆରମ୍ଭ ହୋଇଛି ମା ଙ୍କ ପୂଜା। ଦେବୀ ପୀଠଠୁ ଆରମ୍ଭ କରି ମଣ୍ଡପ ସବୁଠି ମାଙ୍କ ପୂଜା ବେଶ ଧୂମଧାମ ରେ ପାଳିତ ହେଉଛି। ଏବେ ପୂଜା ମଣ୍ଡପ ରେ ଆରମ୍ଭ ହେଇଛି ମା ଜଗତ ଜନନୀ ଙ୍କ ନବରାତ୍ର ପୂଜା । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ସଇଁନ୍ତଲା, ପାଟଣାଗଡ, କଣ୍ଟାବାଞ୍ଜି, ତୁଷୁରା ସହର ରେ ବେଶ ଧୁମଧାମ ରେ ପାଳିତ ହେଉଛି ମା ଙ୍କ ପୂଜା ! ବଲାଙ୍ଗୀର ଜିଲ୍ଲା ପ୍ରସିଦ୍ଧ ମନ୍ଦିର ରେ ସ୍ୱତନ୍ତ୍ର ନୀତିକାନ୍ତି ରେ ପୂଜା ହେଉ ଥିବା ବେଳେ ପାଟମେସ୍ୱରୀ, ସମଲେଶ୍ୱରୀ, ଚଣ୍ଡୀ, ଦଶମତି, ଦୂରସୋନି ଙ୍କ ପୀଠରେ ମଧ୍ୟ ଚାଲିଛି ମା ଙ୍କ ପୂଜା । ସୁନ୍ଦର ତୋରଣ ସାଙ୍ଗ କୁ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ଲୋକଙ୍କୁ ମନୋରଞ୍ଜନର ଖୁରାକ ଯୋଗାଉଛି । ଚଳିତ ବର୍ଷ ବିଭିନ୍ନ ପୂଜା କମିଟି ପୂଜା କୁ ଆକୃଷ୍ଟ କରିବା ପାଇଁ କଳାକୁଞ୍ଜ, ମିନାବଜାର, ଅପେରା, ବିଭିନ୍ନ ଲୋକକଳା କୁ ବେଶ ଆକୃଷ୍ଟ କରୁଛି । ସଇଁନ୍ତଲା ସାର୍ବଜନୀ ନବ ରାତ୍ର ଦୃଗାଁ ପୂଜା 25 ବର୍ଷ ରେ ପଦାର୍ପଣ କରିଛି। ଏନେଅ ପୂଜା କମିଟି ପକ୍ଷରୁ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ସାଙ୍ଗ କୁ କଲାକୁଞ୍ଜ, ପଞ୍ଚିୟ କୁଣ୍ଡିୟ ଯଜ୍ଞ କରାଯାଉଛି ।ଏଥିସହ ପ୍ରତ୍ୟକ ଦିନ ମାଗଣା ରେ ହଜାର ହାଜର ଭକ୍ତ ଙ୍କୁ ମା ଙ୍କ ଅନ୍ନ ପ୍ରସାଦ ବଣ୍ଟନ କରାଯାଉଛି । ତେବେ ମା ଙ୍କ ପାଇଁ ଚାନ୍ଦି ମୁକୁଟ ସାଙ୍ଗ କୁ ଚାନ୍ଦୀ ର ଛତରା ମାଙ୍କର ଆହୁରି ଶୋଭା ବଢାଉଛି ।

  • ମହାଳୟା ଅବସରରେ ପବିତ୍ର ସ୍ଥାନ ଗୁଡ଼ିକରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

    ମହାଳୟା ଅବସରରେ ପବିତ୍ର ସ୍ଥାନ ଗୁଡ଼ିକରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

    ଆଜି ହେଉଛି ପବିତ୍ର ମହାଳୟା। ଆଶ୍ୱିନ ମାସର ଅମାବାସ୍ୟା ତଥା ପିତୃପକ୍ଷର ଶେଷ ଦିନ। ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ରହଛି। ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ପବିତ୍ର ସ୍ଥାନଗୁଡ଼ିକରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରୁଛନ୍ତି। ଆଜି ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଓ ମହୋଦଧି, ନରେନ୍ଦ୍ର, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀ ମାନଙ୍କରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରାଯାଉଛି।ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମାତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି।ତେବେ ଆଜି ପବିତ୍ର ମହାଳୟାରେ ମା’ସମଲେଇଙ୍କ ଧବଳମୁଖୀ ବେଶ ଦେଖିବାକୁ ମିଳିଛି । ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବାଗ୍‌ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି ଧବଳମୁଖୀ ବେଶକୁ ଭକ୍ତମାନେ ଗ୍ରହଣ କରନ୍ତି । ଆଜି ମା’ଙ୍କୁ ଦର୍ଶନ କଲେ ଗଂଗା ଦର୍ଶନର ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ଆଜି ମା’ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ସେହିପରି ଆଜି ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଦୁରଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ ଦେଇଛନ୍ତି । ସେପଟେ ଆସନ୍ତା କାଲି ଠାରୁ ମା ବିରଜାଙ୍କ ପୀଠରେ ଅନନ୍ୟ ପରମ୍ପରା ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଆସନ୍ତା କାଲି ଠାରୁ ଗଡିବ ମାଙ୍କ ରଥ। ଏଥିପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।

  • ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

    ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

    ବଲାଙ୍ଗିର ପୁଇଁତଳା ବ୍ଲକ ମୁଖ୍ୟାଳୟରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓ ଯୋଗଦେଇଥିଲେ । ତେବେ ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୩୬ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା ।,ସେ ମଧ୍ୟରୁ ୨୯ ଟି ବ୍ୟକ୍ତିଗତ ଅଭିଯୋଗ ଓ ଅବଶିଷ୍ଠ ୭ ଟି ସାମୁହିକ ଦରଖାସ୍ତ ଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣୀ କରିଥିଲେ ।

    ଏଥିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୪ ଜଣଙ୍କୁ ୭୫ ହଜାର ଟଙ୍କା ସହାୟତା ମଞ୍ଜୁର କରାଯାଇଛି ।ଏହି ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମଲମୁଣ୍ଡାର ମା ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ ମାଟି ନିର୍ମିତ ଦୀପ , ମୂର୍ତ୍ତି , ବ୍ୟବହାର ଉପଯୋଗୀ ଜିନିଷ ପ୍ରଦର୍ଶିତ କରିବା ସହ ବିକ୍ରୟ ପାଇଁ ଷ୍ଟଲ ଖୋଲା ଯାଇଥିଲା । ସେହିପରି ମିଶନ ଶକ୍ତି , ମନରେଗା କାମ ଦ୍ଵାରା ଜନସାଧାରଣ ଙ୍କ ଉନ୍ନତି ତଥା ଆୟୁଷ୍ମାନ ଭବ ସଂକଳ୍ପ ସପ୍ତାହ ସ୍ୱାସ୍ଥ୍ୟ ମେଳା ଦ୍ଵାରା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ପୁଇଁନ୍ତଳା ବ୍ଲକ ଅଧ୍ୟକ୍ଷ,ବଲାଙ୍ଗିର ଉପ ଜିଲ୍ଲାପାଳ ଡେପୁଟି କଲେକ୍ଟର ଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

  • ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ

    ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ

    ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୁତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି । ଏହି ଜୟନ୍ତୀ ସମାରୋହ ପାଳନ ଉପଲକ୍ଷେ ପ୍ରତୁଷ ରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପ୍ରଚାର କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରି କରି ସହର ପରିକ୍ରମା କରିଥିଲେ । ସକାଳ ୭.୩୦ରେ ଗାନ୍ଧୀ ଭବନ ସମ୍ମୁଖସ୍ଥ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଖିଲାରି ଋଷିକେଶ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମହେନ୍ଦ୍ର ମହାପାତ୍ର ,ପ୍ରକଳ୍ପ ନିର୍ଦେଶକଙ୍କ ସମେତ ପ୍ରଶାସନିକ ଅଧିକାରୀ , ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗାନ୍ଧୀନଗର ପଡା ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଫଟୋଚିତ୍ର ରେ ବଲାଙ୍ଗିର ପୌରାଧକ୍ଷା ଶ୍ରୀମତୀ ଲିକା ସାହୁ ,ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ , ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାପାତ୍ର ସମେତ ବଲାଙ୍ଗିର ସହରର ବହୁ ବିଶିଷ୍ଠ ବ୍ୟକ୍ତି ତଥା ଜନସାଧାରଣ ପ୍ରତିମୂର୍ତ୍ତି ରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ପ୍ରତିମୂର୍ତ୍ତି ସ୍ଥଳ ରେ ଏକ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା ।

    ଏହି ପ୍ରାର୍ଥନା ସଭା ରେ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ଗୀତା ପାଠ ,ମୌଲବୀ ମହମ୍ମଦ ମୋସାହିଦ ରାଜା କୋରାନ ପାଠ ଓ ଗ୍ରନ୍ଥି ଜସବିର ସିଂ ଗ୍ରନ୍ଥ ସାହେବ ପାଠ ଏବଂ ଫାଦର ଆଚାର୍ଯ ଇମାନୁଏଲ ଦାନୀ ବାଇବେଲ ପାଠ କରିଥିଲେ । ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ଓଡିଆ ବତକୃତା ପ୍ରତିଯୋଗଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ବିନ୍ଦିଆ ବେହେରା ପ୍ରଥମ , ସ୍ଵାତି ଅମ୍ରିତା ମହାନ୍ତି ଦ୍ଵିତୀୟ , ନୈତିକ ଦାଶ ଏବଂ ସାଇ ଶ୍ଵରୂପ ପଟେଲ ତୃତୀୟ ହେଇଥିଲା ବେଳେ ଉଚ୍ଚ ବିଦ୍ୟାଳୟ ସ୍ତରରେ କ୍ରୀଷ୍ଣାରାଜ ରଥ ପ୍ରଥମ , ପ୍ରିୟଙ୍କା ମହାପାତ୍ର ଦ୍ଵିତୀୟ, ଏବଂ ପ୍ରତୀକ୍ଷା ସାହୁ ତୃତୀୟ ହେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ । ସନ୍ଧ୍ୟାରେ ପତିତପାବନ ଏକାଡେମୀ ହଲ ରେ”ସାଂପ୍ରତିକ ଯୁଗରେ ଗାନ୍ଧୀବାଦର ପ୍ରାସଙ୍ଗିକତା” ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରବଳ ବର୍ଷା ସତ୍ଵେ ବିଭିନ୍ନ ବିଦ୍ୟାଳୟରୁ ସଭାରେ ଛାତ୍ରଛାତ୍ରୀ , ଶିକ୍ଷକ,ଶିକ୍ଷୟତ୍ରୀ ତଥା ଜନସାଧାରଣ ଉପସ୍ଥିତ ରହିବା ସହ ଗାନ୍ଧୀ ଭଜନ ପରିବେଷଣ କରିଥିଲେ ।