ଆଜି ହେଉଛି ପବିତ୍ର ମହାଳୟା। ଆଶ୍ୱିନ ମାସର ଅମାବାସ୍ୟା ତଥା ପିତୃପକ୍ଷର ଶେଷ ଦିନ। ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ରହଛି। ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ପବିତ୍ର ସ୍ଥାନଗୁଡ଼ିକରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରୁଛନ୍ତି। ଆଜି ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଓ ମହୋଦଧି, ନରେନ୍ଦ୍ର, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀ ମାନଙ୍କରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରାଯାଉଛି।ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମାତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି।ତେବେ ଆଜି ପବିତ୍ର ମହାଳୟାରେ ମା’ସମଲେଇଙ୍କ ଧବଳମୁଖୀ ବେଶ ଦେଖିବାକୁ ମିଳିଛି । ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବାଗ୍ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି ଧବଳମୁଖୀ ବେଶକୁ ଭକ୍ତମାନେ ଗ୍ରହଣ କରନ୍ତି । ଆଜି ମା’ଙ୍କୁ ଦର୍ଶନ କଲେ ଗଂଗା ଦର୍ଶନର ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ବେଶ୍ ଉତ୍ସାହ ଉଦ୍ଦୀପନା ସହ ଆଜି ମା’ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ସେହିପରି ଆଜି ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଦୁରଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ ଦେଇଛନ୍ତି । ସେପଟେ ଆସନ୍ତା କାଲି ଠାରୁ ମା ବିରଜାଙ୍କ ପୀଠରେ ଅନନ୍ୟ ପରମ୍ପରା ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଆସନ୍ତା କାଲି ଠାରୁ ଗଡିବ ମାଙ୍କ ରଥ। ଏଥିପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।
Category: କଳା ଓ ସଂସ୍କୃତି
-

ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭନିର୍ବିଘ୍ନମ୍ କୁରମେ ଦେବସର୍ବ କାର୍ଯ୍ୟସୁ ସର୍ବଦା…

ହିନ୍ଦୁ ଧର୍ମରେ କୌଣସି ଶୁଭକାଯ୍ୟ ଆରମ୍ଭ କରିବା ଆଗରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ । ଗଣେଶଙ୍କ ଧ୍ୟାନ, ଜପ ଓ ଆରାଧନା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ତ ସେ ବିଘ୍ନହର୍ତ୍ତା । ତେଣୁ ଶୁଭକାର୍ଯ୍ୟରେ ଯେପରି କିଛି ବିଘ୍ନ ନ ଆସୁ , ସେଥିପାଇଁ ପ୍ରଥମେ ଗଣେଶ ପୂଜା କରାଯାଇଥାଏ ।କଳା, ବିଜ୍ଞାନ ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷଣ ରୂପେ ସେ ପରିଚିତ । କୌଣସି ଘର ପ୍ରତିଷ୍ଠା ହେଉ କିମ୍ବା ବିଦ୍ୟାରମ୍ଭ ହେଉ , ସବୁଥିରେ ଗଣେଶଙ୍କ ଆବାହନ କରାଯାଇଥାଏ । ସେ ପବିତ୍ର ବିଦ୍ୟାମାନ । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ । ବିଶେଷ ଭାବରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାଦାତା ଭାବେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡମ୍ବରରେ ପାଳ କରାଯାଉଛି । ଓଡିଶା ସମେତ ଭାରତର ବିଭିନ୍ନ ରାଜ୍ୟରେ ଗଣେଶ ପୂଜାରେ ଉତ୍ସବ ମୁଖର ବାତାବରଣ ଦେଖିବାକୁ ମିଳିଛି ।ଆଜି ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥି । ପବିତ୍ର ଗଣେଶ ଚତୁର୍ଥୀ । ସବୁଠି ଚାଲିଛି ବିଘ୍ନ ବିନାଶକଙ୍କ ପୂଜା । ସବୁଠି ଧୁମ୍ଧାମରେ ପାଳନ ହେଉଛି ଗଣେଶ ପୂଜା । ଏନେଇ ସବୁଠି ଉତ୍ସବର ମାହୋଲ । ଗାଁରୁ ସହର, ସବୁଠି ଉତ୍ସାହର ସହିତ ଗଣପତିଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଲୋକେ । ଶିକ୍ଷାନୁଷ୍ଠାନରେ ମଧ୍ୟ ଆରାଧନା କରିବେ ଛାତ୍ରଛାତ୍ରୀ।ମୁଖ୍ୟତଃ ମହାରାଷ୍ଟ୍ରରେ ଏହି ଦିନକୁ ବେଶ୍ ଧୂମଧାମରେ ପାଳନ କରାଯାଏ । ସେହିପରି ଦେଶର ଅନ୍ୟାନ୍ୟ ପ୍ରଦେଶରେ ମଧ୍ୟ ବଡ଼ ଉତ୍ସାହ ସହ ଗଣେଶ ପୂଜା ପାଳନ କରାଯାଏ । ଗଣେଶ ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାଠୁ ଆରମ୍ଭ ହୋଇଥାଏ ।ଆଲୋକମାଳା ମଣ୍ଡିତ ତୋରଣରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ଆକର୍ଷକ ହୋଇଥାନ୍ତି । ଘରଠୁ ଆରମ୍ଭ କରି ବିଭିନ୍ନ କ୍ଲବ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଗଣେଶ ପୂଜାକୁ ନେଇ ବିଶେଷ ପ୍ରସ୍ତୁତି ଦେଖିବାକୁ ମିଳିଛି । ଯେକୌଣସି ଦେବଦେବୀଙ୍କ ପୂଜା ବା ଉତ୍ସବ, ଅନ୍ୟ କୌଣସି ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟ, ଗଣେଶଙ୍କ ପୂଜା ବ୍ୟତୀତ ଆରମ୍ଭ କରାଯାଏ ନାହିଁ। ତେଣୁ ସମସ୍ତ କାର୍ଯ୍ୟରେ ସେ ଅଗ୍ରପୂଜ୍ୟ। ମହାପ୍ରଭୁ ଗଜାନନ ଧରାକୁ ଆସିଥିବାରୁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପ୍ରଭୁଙ୍କ ସ୍ବାଗତକୁ ନେଇ ଗଗନ ପବନ ଉତ୍ସବ ମୁଖର ହୋଇଥିବା ଦେଖିବାକୁ ମିଳିଛି।ଗଣେଶ ଆଦିଦେବ ଭାବରେ ପରିଚିତ । ସେ ସବୁଯୁଗରେ ଅବତାର ନେଇଥିବାର କୁହାଯାଏ ।
ସତ୍ୟ ଯୁଗରେ ଋଷି କଶ୍ୟପ ଓ ଅଦିତିଙ୍କ ଘରେ ମହଙ୍କତ ବିନାୟକ ରୂପରେ ଜନ୍ମ ନେଇ ଦେବାନ୍ତକ ଓ ନରାନ୍ତକ ନାମକ ରାକ୍ଷସଙ୍କୁ ବଧ କରିଥିଲେ।
ତ୍ରେତୟା ଯୁଗରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଉମାଙ୍କ ଘରେ ଜନ୍ମି,ଗଣେଶ ରୂପରେ ଜନ୍ମିସିନ୍ଧୁ ନାମକ ରାକ୍ଷସକୁ ବଧ କରିବା ସହ ବ୍ରହ୍ମାଙ୍କ ପୁତ୍ରି ଦ୍ୱୟ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରେ ବର୍ଣ୍ଣିତ।ଦ୍ୱାପର ଯୁଗରେ ଗଣେଶ ରୂପରେ ପାର୍ବତୀଙ୍କ ପୁତ୍ର ଭାବରେ ପୁରାଣରେ ବର୍ଣ୍ଣିତ।କଳି ଯୁଗରେ ଭବିଷ୍ୟ ପୁରାଣ ଅନୁସାରେ ଧୁମ୍ରକେତୁ ରୂପରେ ଅବତାର କଥାବର୍ଣ୍ଣିତ ଅଛି। କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଭଗବାନ ଗଣେଶଙ୍କୁ ଆବାହନ କରାଯାଏ। ପୁରାଣ କହେ ଭଗବାନ ଗଣେଶଙ୍କର ବକ୍ରତୁଣ୍ଡ ଅବତାର ଅନେକ ରହସ୍ୟମୟ। ଇନ୍ଦ୍ରରାଜଙ୍କ ଠାରୁ ଭୁଲବଶତଃ ମତ୍ସ୍ୟରାସୁର ନାମକ ଏକ ରାକ୍ଷସ ଜନ୍ମ ହୋଇଥିଲା। ମତ୍ସ୍ୟରାସୁର ଅନେକ ବର୍ଷ ପର୍ଯ୍ୟନ୍ତ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ଶିବଙ୍କୁ ତପସ୍ୟା କରିଥିଲେ। କଠୋର ତପସ୍ୟାରେ ଶିବ ପ୍ରସନ୍ନ ହୋଇ ମତ୍ସ୍ୟରାସୁରଙ୍କୁ ବରଦାନ ଦେବାକୁ କହିଲେ। ଭଗବାନ ଶିବ ତାଙ୍କୁ ଅଭୟ ବର ଦେଇଥିଲେ। ବରଦାନ ପାଇବା ପରେ ମତ୍ସ୍ୟରାସୁର ପୃଥିବୀରେ ଆକ୍ରମଣ କରିଥିଲେ। ଏହା ପରେ ତିନି ଲୋକରେ ରାଜା ହୋଇଥିଲେ। ଏସଵୁ ଦେଖି ଭଗବାନ ଶିବ କିଛି କରିପାରି ନଥିଲେ, କାରଣ ଶିବ ତାଙ୍କୁ ନିଜେ ବରଦାନ ଦେଇଥିଲେ। ଅଚାନକ କୈଳାସ ପର୍ବତ ଉପରେ ମତ୍ସ୍ୟରାସୁର ଶିବଙ୍କୁ ଆକ୍ରମଣ କରିଥିଲେ। ଦେବତାଙ୍କର ଆରାଧନା ଶୁଣିବା ପରେ ଭଗବାନ ଗଣେଶ ବକ୍ରତୁଣ୍ଡ ଅବତାର ଧାରଣ କରିଥିଲେ। ଶେଷରେ ଭଗବାନ ଗଣେଶ ବକ୍ରତୁଣ୍ଡ ଅବତାରରେ ମତ୍ସ୍ୟରାସୁରକୁ ବଦ୍ଧ କରିଥିଲେ।
ମହର୍ଷି ଚ୍ୟବନ ନିଜ ତପ ବଳରେ ମନ୍ଦକୁ ସୃଷ୍ଟି କରିଥିଲେ। ତାଙ୍କୁ ଚ୍ୟବନର ପୁତ୍ର କୁହାଯାଉଥିଲା। ମନ୍ଦ ଅସୁରମାନଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କଠାରୁ ଦିକ୍ଷା ନେବା ଆରମ୍ଭ କରିଥିଲେ। ଶୁକ୍ରାଚାର୍ଯ୍ୟ ତାଙ୍କୁ ସମସ୍ତ ପ୍ରକାର ଜ୍ଞାନରେ ପାରଦର୍ଶୀ କରାଇଲେ। ପରେ ସେ ଦେବତାମାନଙ୍କୁ ବିରୋଧ କରି ସେମାନଙ୍କୁ ହଇରାଣ କରିବାକୁ ଲାଗିଲେ। ମନ୍ଦ ଏତେ ଶକ୍ତିଶାଳୀ ହୋଇଗଲା ଯେ ସେ ଭଗବାନ ଶିବଙ୍କୁ ମଧ୍ୟ ପରାସ୍ତ କଲା। ସମସ୍ତ ଦେବତା ଏକତ୍ର ଗଣପତିଙ୍କୁ ପୂଜା କଲେ। ତା’ପରେ ଭଗବାନ ଗଣେଶ ଏକଦନ୍ତ ରୂପ ଧାରଣ କରିଥିଲେ। ତାଙ୍କର ଚାରି ହାତ, ଗୋଟିଏ ଦାନ୍ତ, ବଡ ପେଟ ସହ ମୁଣ୍ଡ ହାତୀ ପରି ଥିଲା। ଯୁଦ୍ଧରେ ଏକଦନ୍ତ ରୂପରେ ମନ୍ଦାସୁରକୁ ପରାସ୍ତ କଲେ ଗଣେଶ।ଯେତେବେଳେ କାର୍ତ୍ତିକେୟ ତାଡକାସୁରର ବଦ୍ଧ କଲେ, ଅସୁରଗୁରୁ ଶୁକ୍ରାଚାର୍ଯ୍ୟ ମତ୍ସ୍ୟରାସୁର ନାମକ ଏକ ଅସୁରର ସୃଷ୍ଟି କରି ତାଙ୍କୁ ଦେବତାମାନଙ୍କ ବିରୁଦ୍ଧରେ ମତାଇଥିଲେ। ମତ୍ସ୍ୟରାସୁର ଠାରୁ ମୁକ୍ତି ପାଇବା ପାଇଁ ଦେବତାମାନେ ଗଣେଶଙ୍କୁ ପୂଜା କରିଥିଲେ। ତା’ପରେ ଗଣେଶ ମହୋଦର ଅବତାର ନେଲେ। ମହୋଦରଙ୍କ ପେଟ ବହୁତ ବଡ ଥିଲା। ଯେତେବେଳେ ସେ ମୂଷା ଉପରେ ମତ୍ସ୍ୟରାସୁରର ରାଜ୍ୟରେ ପହଞ୍ଚିଲେ, ସେତେବେଳେ ମତ୍ସ୍ୟରାସୁର ଯୁଦ୍ଧ ନକରି ଗଣପତିଙ୍କୁ ନିଜର ଇଷ୍ଟ ଭାବେ ମାନିନେଇଥିଲେ। ଆହୁରି ମଧ୍ୟ ଗଣେଶଙ୍କୁ ନେଇ ଏକ କଥା ରହିଛି। ଥରେ ଚନ୍ଦ୍ର ଗଣେଶଙ୍କ ଲମ୍ବୋଦରକୁ ଦେଖି ତାଙ୍କୁ ପରିହାସ କରିଥିଲେ। ଗଣେଶ କ୍ଷୁବ୍ଧ ହୋଇ ନିଜର ଗୋଟିଏ ଦାନ୍ତ ଭାଙ୍ଗି ଚନ୍ଦ୍ରଙ୍କ ଉପରକୁ ଫୋପାଡି ଥିଲେ। ସେବେଠୁ ଚନ୍ଦ୍ରଙ୍କର ସୁନ୍ଦର ଦେହରେ ଚିହ୍ନ ରହିଗଲା। ଗଣେଶ ମଧ୍ୟ ଏକଦନ୍ତ ହେଲେ ।
ଗଜାନନ: ଥରେ ଧନରାଜ କୁବେର ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଦର୍ଶନ ପାଇବା ପାଇଁ କୈଳାସ ପର୍ବତରେ ପହଞ୍ଚିଲେ। ପାର୍ବତୀଙ୍କୁ ଦେଖି କୁବେରଙ୍କ ମନରେ ଲୋଭ ସୃଷ୍ଟି ହେଲା। ସେହି ଲୋଭ ହେତୁ ଲୋଭାସୁର ଜନ୍ମ ନେଲେ। ସେ ଶୁକ୍ରାଚାର୍ଯ୍ୟଙ୍କ ଆଦେଶରେ ଶିବଙ୍କୁ ପୂଜା କରିବା ଆରମ୍ଭ କଲେ। ଶିବ ଲୋଭାସୁର ଉପରେ ପ୍ରସନ୍ନ ହୋଇ ତାକୁ ବର ଦେଇଥିଲେ। ବରଦାନକୁ ଅସ୍ତ୍ରକରି ଲୋଭାସୁର ସାରା ବିଶ୍ଵକୁ କାବୁ କରିବସିଲା। ଶିବଙ୍କୁ ମଧ୍ୟ ତାଙ୍କ ପାଇଁ କୈଳାସ ପର୍ବତକୁ ଛାଡିବାକୁ ପଡିଥିଲା। ତା’ପରେ ସମସ୍ତ ଦେବତା ଦେବଗୁରୁ ଗଣେଶଙ୍କୁ ସ୍ମରଣ କରିଥିଲେ। ଲୋଭାସୁରଙ୍କୁ ପରାସ୍ତ କରିବା ପାଇଁ ଗଣେଶ ଗଜାନନ ରୂପ ନେଇଥିଲେ। ଗଣେଶ ଲୋଭାସୁରକୁ ଯୁଦ୍ଧ ପାଇଁ ଏକ ବାର୍ତ୍ତା ପଠାଇଲେ। କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କ ପରାମର୍ଶରେ ଲୋଭାସୁର ଯୁଦ୍ଧ ନକରି ତାଙ୍କ ପରାଜୟକୁ ଗ୍ରହଣ କରିଥିଲେ।
ବିଘ୍ନରାଜ: ଥରେ ପାର୍ବତୀ ନିଜ ସାଙ୍ଗମାନଙ୍କ ସହିତ ଗପିଲାବେଳେ ଉଚ୍ଚ ସ୍ୱରରେ ହସିଥିଲେ। ତାଙ୍କ ହସରୁ ଏକ ବିରାଟକାୟ ପୁରୁଷ ଜନ୍ମ ନେଇଥିଲା। ପାର୍ବତୀ ତାଙ୍କ ନାମ ମମ ରଖିଲେ। ମାତା ପାର୍ବତୀଙ୍କୁ ଭେଟିବା ପରେ ସେ ଅନୁତାପ କରିବାକୁ ଜଙ୍ଗଲକୁ ଯାଇଥିଲେ। ସେଠାରେ ସେ ଶମ୍ବରାସୁରଙ୍କୁ ଭେଟିଥିଲେ। ଶମ୍ବରାସୁର ତାଙ୍କୁ ଅନେକ ଅସୁରଶକ୍ତି ଶିଖାଇବା ସହ ଗଣେଶଙ୍କୁ ପୂଜା କରିବାକୁ କହିଥିଲେ। ମମ ଗଣପତିଙ୍କୁ ପୂଜାରେ ସନ୍ତୁଷ୍ଟ କରି ବ୍ରହ୍ମାଣ୍ଡର ରହସ୍ୟ ମାଗିଥିଲେ। ଶମ୍ବର ତାଙ୍କୁ ତାଙ୍କ ଝିଅ ମୋହିନୀ ସହ ବିବାହ କରାଇଥିଲେ। ଯେତେବେଳେ ଶୁକ୍ରାଚାର୍ଯ୍ୟ ତାଙ୍କ ମା’ଙ୍କ ଅନୁତାପ ବିଷୟରେ ଶୁଣିଲେ, ସେତେବେଳେ ସେ ତାଙ୍କୁ ଦୈତ୍ୟରାଜ ପଦରେ ସମ୍ମାନିତ କରିଥିଲେ। ମମସୁର ଅତ୍ୟାଚାର ଆରମ୍ଭ କରି ସମସ୍ତ ଦେବତାଙ୍କୁ କାରାଗାରରେ ରଖିଥିଲେ। ତା’ପରେ ଦେବତା ଗଣେଶଙ୍କୁ ପୂଜା କଲେ। ଗଣେଶ ବିଘ୍ନରାଜ ଭାବରେ ଅବତାର ନେଲେ। ଗଣେଷ ମମସୁର ଠାରୁ ଦେବତାମାନଙ୍କୁ ମୁକ୍ତ କଲେ।
ଲମ୍ବୋଦର: ସମୁଦ୍ରର ମନ୍ଥନବେଳେ ଭଗବାନ ବିଷ୍ଣୁ ମୋହିନୀଙ୍କ ରୂପ ନେଇଥିଲେ, ସେତେବେଳେ ଶିବ ତାଙ୍କୁ ଦେଖି ପ୍ରୀତ ହୋଇଥିଲେ। ସେଇଠୁ ଜନ୍ମ ନେଇଥିଲା ଏକ କଳା ରାକ୍ଷସ। ସେହି ଅସୁରୁ ନାମ ଥିଲା କ୍ରୋଧାସୁର। କ୍ରୋଧାସୁର ସୂର୍ଯ୍ୟଙ୍କୁ ପୂଜା କରି ବ୍ରହ୍ମାଣ୍ଡକୁ ଜୟ କରିବାର ବର ପାଇଲେ। କ୍ରୋଧାସୁରର ଏହି କ୍ରୋଧପଇଁ ସମସ୍ତ ଦେବତା ଭୟଭୀତ ହୋଇପଡିଲେ। ଯେତେବେଳେ ସେ ଯୁଦ୍ଧ କରିବାକୁ ବାହାରିଥିଲେ। ଗଣପତି ଲମ୍ବୋଦରର ରୂପ ନେଇ ତାଙ୍କୁ ବିରୋଧ କରିଥିଲେ। କ୍ରୋଧାସୁରକୁ ଗଣେଶ ଅନିଭବ କରାଇଥିଲେ କି ସେ କେବେ ବିଜୟ ହୋଇପାରିବ ନାହିଁ। କ୍ରୋଧାସୁରା ଯୁଦ୍ଧଛାଡି ପାତାଳକୁ ଚାଲିଯାଇଥିଲେ।
ବିକଟ: ଭଗବାନ ବିଷ୍ଣୁ ଜଳନ୍ଦରଙ୍କ ବିନାଶ ପାଇଁ ତାଙ୍କ ପତ୍ନୀ ବୃନ୍ଦାଙ୍କ ସତୀତ୍ଵ ଭଙ୍ଗ କରିଥିଲେ। ସେଇଠି ଜନ୍ମ ହେଲା କାମାସୁର ନାମକ ଏକ ରାକ୍ଷାସ। ଶିବଙ୍କୁ ପୂଜା କରି କାମାସୁର ତିନିଲୋକକୁ ପରାସ୍ତ କରିବାର ବର ପାଇଥିଲା। ବର ପାଇ ସେ ଦେବତାମାନଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଲା। ତା’ପରେ ସମସ୍ତ ଦେବତା ଭଗବାନ ଗଣେଶଙ୍କୁ ଆରାଧନା କଲେ। ତା’ପରେ ଭଗବାନ ଗଣେଶ ମୟୁର ଉପରେ ବସି ଏକ ଭୟଙ୍କର ରୂପରେ ପ୍ରକଟ ହୋଇ କାମାସୁରର ବିନାଶ କଲେ।
: ଥରେ ଭଗବାନ ବ୍ରହ୍ମା ସୂର୍ଯ୍ୟଦେବଙ୍କୁ କର୍ମ ରାଜ୍ୟର ରାଜା କରାଇଥିଲେ। ରାଜା ହେବା ମାତ୍ରେ ସୂର୍ଯ୍ୟ ଗର୍ବିତ ହୋଇ ଜୋରେ ଛିଙ୍କିଥିଲେ ଏବଂ ସେହି ଛିଙ୍କରୁ ଜନ୍ମ ନେଲା ଅହମ ନାମକ ଏକ ଅସୁର। ତାପରେ ଅସୁର ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ ଯାଇ ତାଙ୍କଠୁ ରାକ୍ଷସ ପ୍ରବୃତି ଶିଖିଲା। ତାର ପ୍ରଚୁର ଅହଂକାରରୁ ଅହଂତାସୁର ହୋଇଗଲା। ସେ ନିଜର ଏକ ରାଜ୍ୟ ପ୍ରତିଷ୍ଠା କରି ବହୁ ଅନାଚାର ଓ ଅତ୍ୟାଚାର ବିସ୍ତାର କରିହାକୁ ଲାଗିଲା। ଏସବୁ ଦେଖି ଗଣେଶ ଧୂମ୍ରବର୍ଣ୍ଣର ଅବତାର ନେଲେ। -

ଆଜି ପବିତ୍ର ଜନ୍ମାଷ୍ଟମୀ, ପୁରପଲ୍ଲୀ କୃଷ୍ଣମୟ

ଭାରତରେ ଭଗବାନ କୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ କିମ୍ବା ଗୋକୁଳାଷ୍ଟମୀ ନାମରେ ମଧ୍ୟ ଜଣାଯାଏ । ଏହା ହେଉଛି ବାର୍ଷିକ ହିନ୍ଦୁ ପର୍ବ ଯାହା ବିଷ୍ଣୁଙ୍କ ଅଷ୍ଟମ ଅବତାର କୃଷ୍ଣଙ୍କ ଜନ୍ମଦିନ ଅବସରରେ ପାଳନ କରାଯାଇଥାଏ । ଏହି ପର୍ବ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ପାଳନ କରାଯାଏ ଯାହା ଶ୍ରାବଣ ମାସର କୃଷ୍ଣ ପକ୍ଷର ଅଷ୍ଟମ ଦିନରେ ଯାହା ଗ୍ରେଗୋରିଆନ୍ କ୍ୟାଲେଣ୍ଡରର ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ପଡ଼େ ।
ଭୁବନେଶ୍ୱରର ଇସ୍କନ ମନ୍ଦିର ହୋଇଉଠିଛି କୃଷ୍ଣମୟ ସେପଟେ ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଆବାହନ କରାଯିବ। ଆଜି ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ରହିଛି ସ୍ୱତନ୍ତ୍ର ନୀତିକାନ୍ତି। ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ। ସନ୍ଧ୍ୟା ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଟେରା ବନ୍ଧା ହେବାପରେ ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ଭୋଗରାଗ ଲାଗି କରାଯିବ।
ବିଧି ଅନୁସାରେ ସାଗ, ତରକାରୀ, ପିଠା, ଝିଲି, ଖିରି ଆଦି ରୋଷଘରୁ ଆସି ଅଣସର ପିଣ୍ଡିରେ ରଖାଯିବ। ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବେ। ପୂଜାପଣ୍ଡା ସାମନ୍ତ, ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡରେ ବନ୍ଦାପନା କରିବେ।
ଏହି ପର୍ବ ମୁଖ୍ୟତଃ ମଥୁରା ଏବଂ ବୃନ୍ଦାବନରେ ପାଳନ କରାଯାଏ ଯାହା କୃଷ୍ଣଙ୍କର ଜନ୍ମସ୍ଥଳୀ ଅଟେ । ତା’ଛଡ଼ା ଭାରତର ଅନ୍ୟାନ୍ୟ ରାଜ୍ୟ ତଥା ମଣିପୁର, ଆସାମ, ବିହାର, ପଶ୍ଚିମବଙ୍ଗ, ଓଡିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ ଥିବା ପ୍ରମୁଖ ବୈଷ୍ଣବ ଏବଂ ଅଣସମ୍ପ୍ରଦାୟ ଜାତିର ଲୋକମାନେ ମଧ୍ୟ ପାଳନ କରିଥାନ୍ତି ।
-

ଆସନ୍ତାକାଲି ପାଳନ ହେବ ବଳଭଦ୍ରଙ୍କ ଜନ୍ମ ଉତ୍ସବ

ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତିରେ ଉଦୟ ପର୍ବକୁ ନେଇ ହିଁ ସମସ୍ତ ନୀତି କାନ୍ତି ସେବା ପର୍ବ ପର୍ବାଣୀ ପାଳନ ହୋଇଥାଏ l ଶ୍ରୀମନ୍ଦିରରେ ତା ୩୧ ରିଖ ଗୁରୁବାର ଦିନ ହିଁ ବଳଭଦ୍ରଙ୍କ ଜନ୍ମ ନୀତି ଏବଂ ଆମ ମହାପ୍ରଭୁଙ୍କର ରକ୍ଷାବନ୍ଧନ ନୀତି ପାଳିତ ହେବ l ଜଗନ୍ନାଥ ମନ୍ଦିରକୁ କେନ୍ଦ୍ରକରି ଓଡିଶାର ସଂସ୍କୃତି ପରମ୍ପରା ଏୌତିହ ଏବଂ ନୀତି ନିୟମ ପୂଜା ଆଦି ପାଳନ କରଯାଇଥାଏ l ଯେହେତୁ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ୩୧ ତାରିଖ ଗୁରୁବାର ଦିନ ରକ୍ଷାବନ୍ଧନ ନୀତି ପାଳିତ ହେବ ଆମେ କିପରି ଭାବେ ୩୦ ତାରିଖ ବୁଧବାର ଦିନ ଏହା ପାଳନ କରିବା ?
ମହାପ୍ରଭୁ ହେଉଛନ୍ତି ଆମଘରର ମୁରବି କଣ ଏ ଓଡ଼ିଆ ଆଜି କିଛି ବ୍ୟକ୍ତିଙ୍କ କଥାରେ ଭ୍ରମିତ ହେଇଗଲା ! କଣ ସିଏ ଭୁଲିଗଲା ତାର ଇଷ୍ଟ ମହାପ୍ରଭୁଙ୍କୁ ! ସିଏ କଣ ଭୁଲିଗଲା ବାଡ଼ିରେ ନଡ଼ିଆ ଟିଏ ହେଲେ ଆଗ ସିଏ ମହାପ୍ରଭୁଙ୍କୁ ଦିଏ l ଘରେ ଶୁଭକାମ ଟିଏ ହେଲେ ଆଗ ଗୁଆଟିଏ ନିମନ୍ତ୍ରଣ ଭାବେ ମହାପ୍ରଭୁଙ୍କୁ ପଠାଏ l ଶୁଦ୍ଧିକାମ ବେଳେ ଆଗ ସିଏ ନିର୍ମାଲ୍ୟ ଲୋଡାକରେ l କଣ ସିଏ ଭୁଲିଗଲା ମହାପ୍ରଭୁ ଉପାସ ରହିଜାଉଥିବା ସମୟରେ ସିଏ ଭି ଉପାସ ରହି ଯାଉଥିଲା l କଣ ଆଜି ଓଡ଼ିଆ ଭୁଲିଗଲା ନଅଁଙ୍କ ଦୃଭିକ୍ଷ ର କଥା ନିଜେ ଭୋକ ଉପାସ ରେ ଝଟପଟ ହେଇକି ମରୁଥିଲା ହେଲେ ମହାପ୍ରଭୁଙ୍କୁ ଭୋକିଲା ରଖୁନଥିଲାl ଏସବୁ ଇତିହାସ ଆଉ ବର୍ତ୍ତମାନ ର କଥା l ଆମ ମହାପ୍ରଭୁ ଙ୍କ ପାଖରେ ଯାହା ହୁଏ ଏ ଓଡ଼ିଆ ତାକୁ ଅନୁକରଣ କରେ l ଆଜି ଏମିତି କଣ ହେଇଗଲା ଯେ ସିଏ ଭୁଲିଗଲାl ଆଜି ଏମିତି କଣ ହେଇଗଲା ସିଏ ଆଗ ସବୁ ନିଜେ କରିବାକୁ ବସିଛି l ମହାପ୍ରଭୁଙ୍କଠୁ ହିଁ ଆମେ ଜାତ ହୋଇଛୁ ତାଙ୍କୁ ନେଇ ଆମେ ଚଳିବା ତାଙ୍କର ଯେଉଁଦିନ ନୀତି ହେବ ଆମେ ସେଦିନ ସେହି ନୀତି ପାଳିତ କରିବା ଏହା ହିଁ ଶାସ୍ତ୍ର ସମତ୍ତ ଅଟେ l ଏଣୁ ପ୍ରତ୍ୟେକ ବ୍ୟକ୍ତି ର ପ୍ରଧାନ କର୍ତ୍ତବ୍ୟ ଯେ ଆମ ମହାପ୍ରଭୁ ଯେଉଁଦିନ ରାକ୍ଷୀ ବାନ୍ଧିବେ ଆମେ ମଧ୍ୟ ସେଦିନ ରାକ୍ଷୀ ବାନ୍ଧିବା ଉଚିତ ଅର୍ଥାତ ୩୧ ତାରିଖ ଗୁରୁବାର ଦିନ ଏହା ହିଁ ରାକ୍ଷୀବାନ୍ଧିବା ର ଉଚିତ ବିଧି ଆଉ ବିଧାନ ଅଟେ l ଏହି ଦିନ ଆପଣ ପୁରାଦିନ ନିଜ ଭାଇ ହାତରେ ରକ୍ଷାସୁତ ବାନ୍ଧିପାରିବେ ସମ୍ପୂର୍ଣ୍ଣ ଦିନ ଏହା ପାଳିତ ହେବ l ଏଥିରେ କୌଣସି ଦୌମତ୍ତ ପ୍ରକାଶ ନକରି ଆମ ମହାପ୍ରଭୁଙ୍କ ପରି ଆମେ ମାନେ ମଧ୍ୟ ୩୧ ତାରିଖ ଗୁରୁବାର ଦିନ ହିଁ ଆମେ ରକ୍ଷାବନ୍ଧନ ପାଳନ କରିବା l -

ଖୁବଶୀଘ୍ର ତ୍ୱରାନ୍ୱିତ ହେବ ସୂର୍ଯ୍ୟ ମନ୍ଦିର

ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭ ଗୃହରୁ ବାଲି କଢ଼ାଯିବା ନେଇ ଆଜି ଦିତୀୟ ପର୍ଯ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଛି । ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷା କୁ ନେଇ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ଵାରକୁ ବନ୍ଦ କରା ଯାଇଥିଲା । ସୁର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବ ନିଷ୍ପତି ପରେ ଗତ ବର୍ଷ ସେପ୍ଟେମ୍ବର ମାସରୁ ଏ ଏସ ଆଇ ଓ ବିଡିଆର ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ଦିତୀୟ ପର୍ଯ୍ୟୟରେ ଲିଫ୍ଟ ପାଇଁ ଉତ୍ତର ଓ ପଶିମ କୋଣରେ ଏକ କ୍ରେନ ସାହାଯ୍ୟରେ ଲୁହା ଵିମ ଲଗାଯାଇଛି ।
ଏହି ଭଳି ଆଉ ତିନୋଟି ଲୁହା ଵିମ ଲାଗିବ । ଲିଫ୍ଟ ପାଇଁ ପ୍ଲାଟଫର୍ମ ନିର୍ମାଣ ଚାଲିଛି । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୁଡା ଦେଇ ଗର୍ଭଗୃହରେ ରହିଥିବା ବାଲି ମନ୍ଦିର ପାଦଦେଶକୁ ସୁରକ୍ଷିତ ଭାବେ ବାହାର କରାଯିବା ପରେ ଏକ ପାଇପ ଯୋଗେ ଏହି ବାଲିକୁ ଉତ୍ତର କୋଣରେ ରଖାଯିବ ।ଏଥି ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ ।
ଏହି ବାଲି କାଢ଼ିବା ସମୟରେ ସୂର୍ଯ୍ୟ ମନ୍ଦିରର କୀର୍ତ୍ତୀ ରାଜି ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ଏ ଏସ ଆଇ ଏହି ବାଲି କାଢ଼ିବା ପ୍ରକ୍ରିୟା କାହିଁକି ବିଳମ୍ବ ହେଉଛି ଓ ସାର୍ବଜନିକ କରିବାପାଇଁ କୋଣାର୍କ ସୁରକ୍ଷା ସମିତି ଓ ସ୍ଥାନୀୟ ବାସିନ୍ଦା ପକ୍ଷରୁ ଦାବି କରାଯାଇଛି ।
-

ନିଖିଳ ଉତ୍କଳ କୁଇ ସମାଜ ପାଳିଲା ବିଶ୍ୱ ଆଦିବାସୀ ଦିବସ
ଆଜି ବିଶ୍ୱ ଆଦିବାସୀ ଦିବସ। ନିଖିଳ ଉତ୍କଳ କୁଇ ସମାଜ ପକ୍ଷରୁ ଜି ଉଦୟଗିରିଠାରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି।
ଏହା ପରେ ମାଟି ପୂଜା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସଭାପତି ଯଉବନ ପ୍ରଧାନ, ଉଛବ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ଦୀପକ୍ ପ୍ରଧାନଙ୍କ ନେତୃତ୍ୱରେ ଆଦିବାସୀମାନଙ୍କ ଏହି ସର୍ବ ପୁରାତନ ଦିବସ ପାଳନ କାର୍ଯ୍ୟକ୍ରମରେ ଜି ଉଦୟଗିରି, ଟିକାବାଲି, ସାରଙ୍ଗଗଡ, ରାଇକିଆ ଆଦି ଅଞ୍ଚଳର ବହୁ କୁଇ ସମ୍ପ୍ରଦାୟର ଜନତା ଯୋଗଦେଇଛନ୍ତି।
ସରକାର ବିଭିନ୍ନ ସମୟରେ ଆଦିବାସୀଙ୍କୁ ଅଣଦେଖା କରୁଥିବା ଯୋଗୁ ସଙ୍ଘବଦ୍ଧ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସଭାପତି କହିଥିଲେ। ସେହିପରି ଏହି ଦିବାସ ପାଳନ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ଉପସ୍ଥିତ ।
ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ପାରମ୍ପରିକ ନୃତ୍ୟ ଗୀତ ଗାଇ କୁଇ ଜନଜାତିର ଲୋକେ ଜି ଉଦୟଗିରି ସହର ପରିକ୍ରମା କରିଥିଲେ। ଏହା ଜାତି ସଂଘ ଦ୍ୱାରା ଆଦିବାସୀଙ୍କୁ ମିଳିଥିବା ସ୍ବୀକୃତିର ପାଳନ।
-

ଅତ୍ୟାଧୁନିକ ପୋଷାକ ପିନ୍ଧିଥିଲେ ମିଳିବ ନାହିଁ ଅନୁମତି
ଯଦି ଆପଣ ମର୍ଯ୍ୟଦାହୀନ ପୋଷାକ ବା ଅତ୍ୟାଧୁନିକ କୁହଯାଉଥିବା ପୋଷାକ ପିନ୍ଧି ମନ୍ଦିରକୁ ଆସୁଛନ୍ତି, ତେବେ ଆପଣକୁ ପ୍ରବେଶ ଅନୁମତି ମିଳିବ ନାହିଁ ।

ଯଦି ଆପଣ ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ଥିବା ବିଶ୍ୱ ପ୍ରସିଦ୍ଧ କାଞ୍ଚି ଧାମ ମନ୍ଦିରରେ ବାବା ନିବ କରୋରୀ ମହାରାଜଙ୍କୁ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ ।
କାରଣ ମନ୍ଦିରରେ ପ୍ରବେଶ ପାଇଁ ଏବେ କଡ଼ା କଡ଼ି ହୋଇଛି ନିୟମ । ଯଦି ଆପଣ ମର୍ଯ୍ୟଦାହୀନ ପୋଷାକ ବା ଅତ୍ୟାଧୁନିକ କୁହଯାଉଥିବା ପୋଷାକ ପିନ୍ଧି ମନ୍ଦିରକୁ ଆସୁଛନ୍ତି, ତେବେ ଆପଣକୁ ପ୍ରବେଶ ଅନୁମତି ମିଳିବ ନାହିଁ ।
ଏନେଇ ଏକ ବଡ଼ ନିଷ୍ପତ୍ତି ନେଇଛି ମନ୍ଦିର କମିଟି । ବୋର୍ଡ ପକ୍ଷରୁ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏନେଇ ଏକ ଘୋଷଣାନାମା ମଧ୍ୟ ପ୍ରକାଶ ପାଇଛି ।
ଖାଲି ଏଇ ଗୋଟିଏ ନିୟମ ନୁହେଁ, ଅନେକ ନିୟମକୁ କଡ଼ା କଡ଼ି କରାଯିବା ସହ ଅନେକ ନୂଆ ନିୟମ ମଧ୍ୟ ମନ୍ଦିର ସୁରକ୍ଷା ଓ ମର୍ଯ୍ୟାଦା ପାଇଁ ଲାଗୁ କରାଯାଇଛି ।
ଅନ୍ୟ ନିୟମଟି ହେଲା କୌଣସି ଶ୍ରଦ୍ଧାଳୁ ତଥା ଭକ୍ତ ମନ୍ଦିର ଭିତରେ କୌଣସି ପ୍ରକାର ଫଟୋଗ୍ରାଫି ବା ଭିଡିଓଗ୍ରାଫି କରିପାରିବେ ନାହିଁ ।
ଯଦି କୌଣସି ଭକ୍ତ ଲୁଚା ଛପାରେ ଏଭଳି ନିୟମ ଉଲଂଘନ କରୁଥିବା ଦେଖାଯାନ୍ତି ତେବେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ସହ ସେମାନଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି ।
ମନ୍ଦିର କମିଟିର ସଦସ୍ୟ ପ୍ରଦୀପ ଶାହା କହିଛନ୍ତି ଯେ ବାବା ନିବ କରୋରୀ ମହାରାଜ ଭଗବାନ ହନୁମାନଙ୍କ ଅବତାର ଭାବରେ ଜଣାଶୁଣା । ବାବା ନିବ କରୋରୀ ମହାରାଜ ତାଙ୍କର ଚମତ୍କାର ଶକ୍ତି ପାଇଁ ମଧ୍ୟ ଜଣାଶୁଣା ।
ମନ୍ଦିରର ମଧ୍ୟ ନିଜସ୍ୱ ଏକ ମର୍ଯ୍ୟାଦା ରହିଛି । ଏପରି ପରିସ୍ଥିତିରେ ଅଣପାରମ୍ପରିକ ପୋଷକ ପିନ୍ଧି ଆସିଲେ, ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ।
ମନ୍ଦିର କମିଟି ଅନୁଯାୟୀ, ଭକ୍ତମାନେ ଛୋଟ ପୋଷାକ, ଚିରା ଜିନ୍ସ କିମ୍ବା ନାଇଟ୍ ସୁଟ ପିନ୍ଧି ମନ୍ଦିରକୁ ଆସିପାରିବେ ନାହିଁ ।
-

ଭଞ୍ଜ ସାହିତ୍ୟ ସମାରୋହ

କାକଟପୁର ର ସୋମେଶ୍ୱର ସାହିତ୍ୟ ସଂସଦ ପକ୍ଷରୁ , କାକଟପୁର ବଜାରରେ ଥିବା ସୌରଭ ପାଲେସ ପରି ସରରେ ,କବି ସଂବ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସମାରୋହ ଓ କବିତା ପାଠତ୍ସବ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ସାହିତ୍ୟ ଆସରକୁ ବିଶିଷ୍ଟ ଶିକ୍ଷାବିତ୍ ପ୍ରଭାତ ତରାଇ ଉଦ୍ଘାଟନ କରିଥିଲେ । ସାହିତ୍ୟ ସଂସଦ ର ସଭାପତି ଗାୟକ ବାଚସ୍ପତି ବନ ବିହାରୀ ଗ୍ରହାଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ କବି ନାରାୟଣ ପଣ୍ଡା,ପ୍ରଫେସର ନିରୋଦ ଦାସ,ଅଧ୍ୟାପକ ବ୍ରଜ କିଶୋର ସ୍ବାଇଁ,ଶିକ୍ଷାବିତ୍ କୈଳାସ ଚନ୍ଦ୍ର ଦାସ,ବ୍ୟଙ୍ଗ କବି ସମ୍ପଦ ରଥ ପ୍ରମୁଖ ଯୋଗ ଦାନ କରି ଓଡ଼ିଆ ସାହିତ୍ୟ ଜଗତକୁ କବି ସଂବ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଅବଦାନ ସହ,ତାଙ୍କ ରଚିତ ବିଭିନ୍ନ ଗ୍ରନ୍ଥା ବଳି ସମ୍ପର୍କ ରେ ଆଲୋକପାତ କର ଥିଲେ । ସାହିତ୍ୟ ସମାରୋହ ପ୍ରାରମ୍ଭ ରେ,ସ୍ଥାନୀୟ ଅଂଚଳର କବି ଓ କବୟିତ୍ରୀ ମାନଙ୍କୁ ନେଇ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇ ଥିବା ବେଳେ, ଦୁଃଶାସନ ନାୟକ,ଚିତ ରଞ୍ଜନ ପୃଷ୍ଟି,ହୃଦାନନ୍ଦ ସାଶମଲ୍,ତ୍ରିଲୋଚନ ବିଶ୍ଵାଳ ଆଦି ତିରିସରୁ ଉର୍ଦ୍ଧ କବି ଶେମାନ ଙ୍କର କବିତା ଆବୃତ୍ତି କରିଥିଲେ । କବି ଓ କବୟିତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ସାହିତ୍ୟ ସଂସଦ ର ସଂପାଦକ ମନୋଜ କୁମାର ସାହୁ ସଂସଦ ର ଆଭିମୁଖ୍ୟ ସମ୍ପର୍କ ରେ ବିବରଣୀ ପ୍ରଦାନ କରିଥିଲେ । ଶେଷରେ କୁନି କଳାକାର ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରା ଯାଇ ଥିଲା । -

ମା’ ଭଟ୍ଟାରିକାଙ୍କ ଗର୍ଭ ଗୃହମଧ୍ୟରେ ମହାନଦୀ ପାଣି

କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀର ବନ୍ୟାଜଳ। ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି। ମହାନଦୀର ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିର ଛୁଇଁଛି ତଥାପି ମା’ଙ୍କୁ ଜଳାସାୟୀ କରିପାରିନି। ବନ୍ୟାଜଳ ମା’ଙ୍କୁ ଜଳାସାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ସେ ଯାହାହେଉନା କାହିଁକି ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରତ୍ନଗିରି ପାହାଡ଼ରେ ଥିବା ମା’ଙ୍କର ଅନ୍ୟ ଏକ ଗମ୍ଭୀରାକୁ ମା’ଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମାଙ୍କ ସେବାୟତ ସଜାଗ ଥିବା ବେଳେ ବଡ଼ମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ମନ୍ଦିରରେ ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଗତ ରାତିରେ ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ମହାନଦୀ ପାଣିଥିଲା। କ୍ରମଶଃ ଏହା ବୃଦ୍ଧି ପାଇ ଏବେ ପ୍ରାୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଯଥା ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ବନ୍ୟା ଆଶ୍ରୟସ୍ଥଳିରେ ମା’ଙ୍କର ପୂଜାନୀତିରେ ଯେପରି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଏହାପରେ ଆଜି ସକାଳେ ସ୍ଥାନୀୟ ତହସିଲଦାର ନୀଳକଣ୍ଠ ବେହେରା ମା’ଙ୍କ ମନ୍ଦିର ପରିସରରେ ପହଞ୍ଚି ୧୪୪ ଧାରା ଜାରି କରିଛନ୍ତି। ସିଂହନାଥ ପୀଠରେ ବି ୧୪୪ ଧାରା ଜାରି କରାଯାଇଛି। ମନ୍ଦିରରେ ତହସିଲ କର୍ମଚାରୀଙ୍କ ସହ ପୁଲିସ୍ ମୁତୟନ କରାଯାଇଛନ୍ତି।


