Category: ଦୁର୍ଘଟଣା

  • ଭୁବନେଶ୍ୱର–ପୁରୀ ଜାତୀୟ ରାଜପଥରେ ମହିଳା ସାମ୍ବାଦିକାଙ୍କ ମୃତ୍ୟୁ

    ଭୁବନେଶ୍ୱର–ପୁରୀ ଜାତୀୟ ରାଜପଥରେ ମହିଳା ସାମ୍ବାଦିକାଙ୍କ ମୃତ୍ୟୁ

    ଭୁବନେଶ୍ୱର–ପୁରୀ ଜାତୀୟ ରାଜପଥରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ମହିଳା ସାମ୍ବାଦିକାଙ୍କ ଜୀବନ ଯାଇଛି। ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଗ୍ରାମ୍ୟଛକ ସାମ୍ନାରେ ଏହି ଦୁଃଖଦ ଘଟଣା ଘଟିଛି। ରାସ୍ତାରେ ଯାଉଥିବା ଏକ ସ୍କୁଟି ଉପରେ ପଛଦିଗରୁ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚଢ଼ିଯିବାରୁ ଦୁର୍ଘଟଣା ଘଟିଥିଲା।

    ସୂଚନା ଅନୁଯାୟୀ, ରାସ୍ତା ଉପରେ ବାଲିଗଦା ହୋଇଥିବା କାରଣରୁ ସ୍କୁଟି ଚାଳକା ଗତି କମାଇଥିଲେ। ଏହି ସମୟରେ ପୁରୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ସ୍କୁଟିକୁ ପଛଦିଗରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ମଙ୍ଗଳପୁର ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ମୃତକ ମହିଳାମାନଙ୍କ ମଧ୍ୟରୁ ଜଣେ ଶିଲା ପଟ୍ଟନାୟକ ବୋଲି ଚିହ୍ନଟ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ଜଣେ ମହିଳା ସାମ୍ବାଦିକା ବୋଲି ସୂଚନା ମିଳିଛି।

    ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଭାରି ଟ୍ରାଫିକ ଜାମ୍‌ ସୃଷ୍ଟି ହୋଇଥିଲା। ଖବର ପାଇ ପିପିଲି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ପରିସ୍ଥିତି ସମ୍ଭାଳିବା ସହ ବସ୍‌ ଓ ସ୍କୁଟିକୁ ଜବତ କରିଛି। ପୁଲିସ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ, ବସ୍‌ ଚାଳକଙ୍କ ଭୂମିକାକୁ ମଧ୍ୟ ତଦନ୍ତ ଆଧୀନରେ ରଖାଯାଇଛି।

  • ଅନୁମତି ବିନା ବ୍ଲାଷ୍ଟିଂ, ଢେଙ୍କାନାଳର ପଥର ଖଣିରେ ବଡ଼ ବିସ୍ଫୋରଣ

    ଅନୁମତି ବିନା ବ୍ଲାଷ୍ଟିଂ, ଢେଙ୍କାନାଳର ପଥର ଖଣିରେ ବଡ଼ ବିସ୍ଫୋରଣ

    ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ନିକଟ ଏକ ପଥର ଖଣିରେ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଗତକାଲିଠାରୁ ଏହି ବିସ୍ଫୋରଣକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ବିସ୍ଫୋରଣରେ କିଛି ମୃତାହତ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ, ଏପର୍ଯ୍ୟନ୍ତ ମୃତ୍ୟୁ ବା ଆହତଙ୍କ ସଠିକ୍ ସଂଖ୍ୟା ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ।

    ଖବର ପାଇ ଘଟଣାସ୍ଥଳକୁ ଓଡ଼ପଡା ତହସିଲଦାର ଓ ମୋଟଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଥିବା ସହ କାହାକୁ ମଧ୍ୟ ଭିତରକୁ ପ୍ରବେଶ ଅନୁମତି ଦିଆଯାଉନାହିଁ।

    ତଦନ୍ତ ମଧ୍ୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣ ଘଟିଥିବା ପଥର ଖଣିରେ ବ୍ଲାଷ୍ଟିଂ ପାଇଁ ଅନୁମତି ନଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବ୍ଲାଷ୍ଟିଂ ଅନୁମତି ନଥିବାରୁ ଗତ ବର୍ଷ ସେପ୍ଟେମ୍ବର ୮ ତାରିଖରେ ଢେଙ୍କାନାଳ ଜିଲ୍ଲା ମାଇନିଂ ଅଫିସ ପକ୍ଷରୁ ସଂପୃକ୍ତ ଲିଜଧାରୀଙ୍କୁ ଖଣି ବନ୍ଦ କରିବାକୁ ଚିଠି ଦିଆଯାଇଥିଲା।

    ତଥାପି ନିୟମକୁ ଅଣଦେଖା କରି ଉକ୍ତ ଖଣିରେ ବ୍ଲାଷ୍ଟିଂ ଚାଲିଥିବା ଅଭିଯୋଗ ଆସିଛି, ଯାହା ଏହି ବିସ୍ଫୋରଣର ପ୍ରଧାନ କାରଣ ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାକୁ ନେଇ ଜିଲ୍ଲା ଖଣି ଅଧିକାରୀ କିମ୍ବା ସଂପୃକ୍ତ ଲିଜଧାରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।

    ବିସ୍ଫୋରଣ ପଛରେ କେତେ ଦୂର ପର୍ଯ୍ୟନ୍ତ ଅବୈଧ କାର୍ଯ୍ୟକଳାପ ଦାୟୀ ଓ କେହି ଅବହେଳା କରିଛନ୍ତି କି ନାହିଁ, ସେନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ଗଭୀର ତଦନ୍ତ ଚାଲିଥିବା ଜଣାପଡ଼ିଛି।

  • ରାଜଧାନୀରେ ପୁଣି ଏକ ମୁଣ୍ଡ ନେଲା ଆମ ବସ

    ରାଜଧାନୀରେ ପୁଣି ଏକ ମୁଣ୍ଡ ନେଲା ଆମ ବସ

    ଗତ କଲି ସକାଳ ପ୍ରାୟ ୧୧ଟା ସମୟରେ ରାଜଧାନୀର ରୁପାଲି ଛକ ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଟ୍ରାଫିକ୍ ରେଡ୍ ସିଗ୍ନାଲ୍‌ରେ ଅଟକି ରହିଥିବା ଏକ ଅଟୋକୁ ପଛପଟୁ ଆସି ଧକ୍କା ଦେଇଛି ‘ଆମ ବସ’। ଧକ୍କା ଏତେ ଭୟଙ୍କର ଥିଲା ଯେ ଅଟୋଟି ଛିନ୍‌ଛତ୍ର ହୋଇଯାଇଥିଲା।

    ଏହି ଦୁର୍ଘଟଣାରେ ଅଟୋ ଚାଳକ ବିଷ୍ଣୁ ପାତ୍ରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଅଟୋରେ ବସିଥିବା ୩ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କୁ ତୁରନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅଟୋଟି ରାମ ମନ୍ଦିର ପଟୁ ବାଣୀବିହାର ଅଭିମୁଖେ ଯାଉଥିଲା। ଛକରେ ରେଡ୍ ସିଗ୍ନାଲ୍ ଥିବାରୁ ଅଟୋ ଅଟକିଥିଲା। ସାମ୍ନାରେ ଏକ ସ୍କୁଲ ବସ ଥିବାବେଳେ ପଛପଟୁ ତୀବ୍ର ଗତିରେ ଆସିଥିଲା ‘ଆମ ବସ’ ଏବଂ ଅଟୋକୁ ଚାପି ଦେଇଥିଲା।

    ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆମ ବସ୍ ଚାଳକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ୟକ୍ତ ଲୋକେ ବସ୍‌ଟିକୁ ଭଙ୍ଗାରୁଜା କରିଥିଲେ। ପ୍ରାୟ ଘଣ୍ଟାଏ କାଳ ଜନପଥରେ ଟ୍ରାଫିକ୍ ଯାମ ହୋଇଥିଲା।

    ଘଟଣାସ୍ଥଳରେ ଡିସିପି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ‘ଆମ ବସ’ ଦୁର୍ଘଟଣା ଉପରେ ପୁଣିଥରେ ପ୍ରଶ୍ନ ଉଠିଛି।

    ସୂଚନା ଅନୁଯାୟୀ, ଗତ ଜୁନ୍ ୨୦୨୪ ପରଠାରୁ ଟ୍ବିନ୍‌ସିଟିରେ ‘ଆମ ବସ’ ଦ୍ୱାରା ୨୫ରୁ ଅଧିକ ଦୁର୍ଘଟଣା ଘଟିଥିବାବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମାତ୍ର କାର୍ଯ୍ୟକାରୀ ପଦକ୍ଷେପ ନ ନେଉଥିବାରୁ ଦୁର୍ଘଟଣାରେ ବ୍ରେକ୍ ଲାଗୁନି ।

  • ପୁରୀ ବଡଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା, ୫ ବର୍ଷୀୟ ଶିଶୁର ମୃତ୍ୟୁ

    ପୁରୀ ବଡଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା, ୫ ବର୍ଷୀୟ ଶିଶୁର ମୃତ୍ୟୁ

    ପୁରୀ ବଡଦାଣ୍ଡର ବଳଗଣ୍ଡି ଛକରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ବୋଲେରୋ ଗାଡ଼ିର ଧକ୍କାରେ ୫ ବର୍ଷୀୟ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

    ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଜଣେ ବୃଦ୍ଧ ଓ ତାଙ୍କ ୫ ବର୍ଷୀୟ ନାତି ସ୍କୁଟିରେ ଜଳଖିଆ କିଣିବା ପାଇଁ ବଡଦାଣ୍ଡ ଦେଇ ବଳଗଣ୍ଡି ଛକକୁ ଆସିଥିଲେ। ଜଳଖିଆ କିଣି ସ୍କୁଟିରେ ଫେରୁଥିବା ବେଳେ ପଛରୁ ଆସୁଥିବା ଏକ ବୋଲେରୋ ହଠାତ୍‌ ଧକ୍କା ଦେଇଥିଲା। ଧକ୍କାରେ ଜେଜେ ତଳେ ପଡ଼ିଯାଇଥିବାବେଳେ ବୋଲେରୋଟି ଛୋଟ ପିଲାଟିକୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।

    ଘଟଣା ଦେଖି ସ୍ଥାନୀୟ ଲୋକେ ହୋହାଲ୍ଲା କରିଥିବାବେଳେ ବୋଲେରୋ ଡ୍ରାଇଭର ଘଟଣାସ୍ଥଳରୁ ପଳାଇବାକୁ ଚେଷ୍ଟା କରୁଥିଲେ। ତେବେ ଲୋକମାନେ ତାଙ୍କୁ କାବୁ କରି ପୁଲିସଙ୍କୁ ସୂଚନା ଦେଇଥିଲେ। ସାଙ୍ଗେ ସାଙ୍ଗେ ଗୁରୁତର ଆହତ ପିଲାଟିକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ।

    ଘଟଣା ପରେ ବଳଗଣ୍ଡି ଛକ ଓ ଆଖପାଖ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ହେପାଜତ ନେଇ ତଦନ୍ତ ଆରମ୍ଭ କରିଛି।

  • ରାତିର ଯାତ୍ରା ହେଲା ଶେଷ ଯାତ୍ରା

    ରାତିର ଯାତ୍ରା ହେଲା ଶେଷ ଯାତ୍ରା

    ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ NH-353 ତିଖାଲି ନିକଟରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ରାତି ପ୍ରାୟ ୮ଟା ସମୟରେ ଏକ କାର ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଗଛରେ ଜୋରଦାର ଧକ୍କା ହୋଇଥିଲା।

    ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ NH-353 ତିଖାଲି ଛକ ନିକଟରେ ଗତ ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ଅଞ୍ଚଳକୁ ଶୋକସନ୍ତପ୍ତ କରିଦେଇଛି। ଏକ କାର ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଗଛରେ ଜୋରରେ ପିଟିହେବାରୁ ଘଟଣାସ୍ଥଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଯୁବକଙ୍କୁ କୋମନା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

    ମୃତ ଯୁବକମାନେ ହେଲେ କୋମନା ଗାଁର ଅବରାର ଓରଫ ବିଟୁ ଖାନ (୨୪), ଅଜନାନ ମହମ୍ମଦ (୨୫) ଓ ମେହଫୁଜ ମହମ୍ମଦ (୨୩) ବୋଲି ଜଣାପଡିଛି। ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୪ ଜଣଙ୍କୁ ସ୍ଥାନୀୟ ଲୋକେ ଓ ପୋଲିସ ମିଶି ଉଦ୍ଧାର କରି ପ୍ରଥମେ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

    ସୂଚନା ଅନୁସାରେ, ଗତ ରାତି ପ୍ରାୟ ୮ଟା ସମୟରେ କୋମନା ଗାଁର ୭ ଜଣ ଯୁବକ ଏକ କାରରେ ଖଡ଼ିଆଳ ଅଭିମୁଖେ ଯାଉଥିଲେ। ତିଖାଲି ଛକ ନିକଟରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ସହ ଏକ ଗଛରେ ପିଟିହୋଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ କାରଟି ସମ୍ପୂର୍ଣ୍ଣ ଚୁର୍ଣ୍ଣବିଚୁର୍ଣ୍ଣ ହୋଇଯାଇଥିଲା।

    ଦୁର୍ଘଟଣା ଖବର ପାଇ କୋମନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର କାରଣ ଦ୍ରୁତ ଗତି ନା ଅନ୍ୟ କୌଣସି ଯାନ୍ତ୍ରିକ ତ୍ରୁଟି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣା ପରେ କୋମନା ଗାଁରେ ଶୋକର ଛାୟା ଖେଳିଯାଇଛି।

  • ଆଶ୍ରମ ବିଦ୍ୟାଳୟରେ ଅଘଟଣ, ସୂଚନା ଫଳକ ପଡି ଛାତ୍ର ମୃତ

    ଆଶ୍ରମ ବିଦ୍ୟାଳୟରେ ଅଘଟଣ, ସୂଚନା ଫଳକ ପଡି ଛାତ୍ର ମୃତ

    କୋରାପୁଟ ଜିଲ୍ଲା ଆଶ୍ରମ ସ୍କୁଲରେ ଆଉ ଏକ ଅଭାବନୀୟ ଘଟଣା । ପାଖାପାଖି ୯ଜଣ ଛାତ୍ର ଛାତ୍ରୀ ଏହି ତିନି ମାସ ଭିତରେ ମୃତ୍ୟୁବରଣ କରିସାରିଲେଣି । ଏବଂ ଆଜି ସଖାଳୁ ଗାନ୍ଧୀନଗର ଆଶ୍ରମ ସ୍କୁଲରେ ୩ଟି ଛାତ୍ର ବ୍ରସ କରୁଥିବା ସମୟରେ ଯାହା କର୍ତ୍ତୃପକ୍ଷ କହୁଛନ୍ତି । ସେ ଭିତରୁ ସୂଚନା ଫଳକ ପଡି ଜଣଙ୍କର ମୃତ୍ୟୁ ହେଇଗଲା। ଅନ୍ୟ ଜଣଙ୍କର ଗୋଡ଼ ଭାଙ୍ଗିଗଲା । ଏବଂ ଅନ୍ୟ ଜଣେ ସିରିୟସ କଣ୍ଡିସନରେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ । ପରିବାର ଲୋକ ଏବଂ ଗ୍ରାମବାସୀ ଯାହା ସନ୍ଦେହ କରୁଛନ୍ତି ଛାତ୍ର ଜଣକୁ ମର୍ଡର କରାଯାଇଛି । ଏବଂ ଗୋଟେ ସିମେଣ୍ଟ ସାଇନ ବୋର୍ଡ ପଡିଯାଇଛି ବୋଲି ମିଥ୍ୟା ତଥ୍ୟ ଦର୍ଶାଉଛନ୍ତି ଜିଲ୍ଲା ପ୍ରଶାସନ, ସ୍କୁଲ କର୍ତ୍ତୃପକ୍ଷ, ସରକାର । ଯାହାର ପ୍ରତିରୋଧରେ ବିଜେଡିର ରାସ୍ତାରୋକ । ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡି କର୍ମଚାରୀ। ସୂଚନା ଫଳକ ପଡି ଛାତ୍ର ମୃତ୍ୟୁ । କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ସରକାରୀ ଉନ୍ନିତ ଆଶ୍ରମ ବିଦ୍ୟାଳୟରେ ଅଘଟଣ ଘଟିଛି । ମୃତକ ଗୁମୁଡା ପଂଚାୟତ ସୁଉନିଗୁଡା ଗାଁର ପ୍ରେମାନନ୍ଦ ଭତ୍ରା । ସେ ତୃତୀୟ ଶ୍ରେଣୀରେ ପଢୁଥିଲେ । ସକାଳୁ ବ୍ରସ୍ କରିବା ସମୟରେ ଦୁଇ ଛାତ୍ରଙ୍କ ଉପରେ ସୂଚନା ଫଳକ ପଡିଯାଇଥିଲା । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

    ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଦାବି ଓ ମୃତ ଛାତ୍ର ପରିବାରଙ୍କ କ୍ଷତି ପୂରଣ ଦାବିରେ ବିଜେଡିର ରାସ୍ତାରୋକ । ଧାରଣାରେ ସାମିଲେ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ପୂର୍ବତନ ବିଧାୟକ ଚଦ୍ର ଶେଖର ମାଝୀ, ଡାବୁ ଗାଁ ବିଧାୟକ ମନହର ରନ୍ଧାରୀ । ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲା ବିଜେଡି ।

  • ଘାତକ ସାଜିଲା କୁହୁଡ଼ି

    ଘାତକ ସାଜିଲା କୁହୁଡ଼ି

    କୁହୁଡ଼ି ଯୋଗୁଁ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଏବଂ ହରିୟାଣାର ରେୱାଡିରେ ବଡ଼ ଦୁର୍ଘଟଣା ଘଟିଛି। ଗ୍ରେଟର ନୋଏଡାରେ ଛଅଟି ଗାଡ଼ି ଧକ୍କା ହୋଇଛି, ଯେତେବେଳେ ରେୱାଡିରେ ଚାରୋଟି ବସ୍ ଧକ୍କା ହୋଇଛି। ଅନେକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘନ କୁହୁଡ଼ି ଯୋଗୁଁ, ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର NH 91 ରେ ଅଧ ଡଜନ ଗାଡ଼ି ଧକ୍କା ହୋଇଥିଲା। ଅନେକ ଲୋକ ସାମାନ୍ୟ ଆହତ ହୋଇଥିଲେ। ଏହି ଦୁର୍ଘଟଣା ଯୋଗୁଁ ରାଜପଥରେ ଟ୍ରାଫିକ୍ ଜାମ୍ ମଧ୍ୟ ହୋଇଥିଲା। ପୋଲିସ ଆହତ ଗାଡ଼ିଗୁଡ଼ିକୁ ପାର୍ଶ୍ୱକୁ ଘେରି ଟ୍ରାଫିକ୍ ଜାମ୍ ସଫା କରୁଛି। କୁହୁଡ଼ି ହରିଆଣାର ରେୱାଡ଼ିରେ ମଧ୍ୟ ଏକ ସଡ଼କ ଦୁର୍ଘଟଣା ଘଟାଇଥିଲା, ଯେଉଁଠାରେ ତିନିରୁ ଚାରୋଟି ବସ୍ ଧକ୍କା ଦେଇଥିଲା।

  • ସଡକ ଦୁର୍ଘଟଣାରେ ଥରିଲା ସାରା ରାଜ୍ୟ, ମୃତକଙ୍କୁ ମିଳିବ ୧ଲକ୍ଷ

    ସଡକ ଦୁର୍ଘଟଣାରେ ଥରିଲା ସାରା ରାଜ୍ୟ, ମୃତକଙ୍କୁ ମିଳିବ ୧ଲକ୍ଷ

    ଗତ କାଲି ଆନ୍ଧ୍ରପ୍ରଦେଶ ଆଲୁରୀ ସୀତାରାମା ରାଜୁ ଜିଲ୍ଲା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି ସୂଚନା ଅନୁଯାୟୀ ଏକ ବସ ଖାଇରୁ ଖସିପଡିବା ଦ୍ୱାରା ୯ ଜଣଙ୍କର ମୃତ୍ୟୁ ଏବଂ ଅନେକ ଆହତ ହୋଇଥିଲେ |

    ପୁଲିସ ଅଧ୍ୟକ୍ଷ ଅମିତ ବଡାରଙ୍କ ସୂଚନା ଦେଇଥିଲେ, ଭୋର ୪:୩୦ ମିନିଟରେ ଏକ ଘରୋଇ ବସ ଚିଣ୍ଟୁର୍ ମାରେ ଡୁମୁଲିଘାଟ ରୋଡ଼ରେ ଥିବା ଦୁର୍ଗା ମନ୍ଦିର ପାଖରେ ଏହି ଦୁର୍ଘଟଣାଟି ଘଟିଥିଲା | ବସରେ ଡ୍ରାଇଭର ସମେତ ୩୭ ଜଣ ଯାତ୍ରା କରୁଥିଲେ ସେହି ସମୟରେ ବସଟି ନିୟନ୍ତ୍ରଣ ହରାଇ ଖାଇରୁ ଖସି ଓଲଟି ପଡିଥିଲା | ଯାହାଫଳରେ ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଆଉ ୨୨ ଜଣ ଗୁରୁତର ଆହତ ହୋଇଥିଲେ | ସେଥିରୁ ୬ ଜଣ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହୋଇଥିଲେ | ଆହତମାନଙ୍କୁ ଭଦ୍ରାଚଲମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା |

    ଏହି ଘଟଣାକୁ ନେଇ ସିଏମ ନାଏଡୁ ଦୁଃଖ ପ୍ରକାଶ କରିବା ସହ କହିଥିଲେ,”ଏହା ଏକ ହୃଦୟ ବିଦାରକ ଘଟଣା” | ଏହି ସଡକ ଦୁର୍ଘଟଣାରେ କେତେ ଲୋକ ଆହତ ହୋଇଛନ୍ତି ତାର ଯାଞ୍ଚ ସହ ଆହତ ମାନଙ୍କୁ କିପରି ଭଲ ଚିକିତ୍ସା ପ୍ରଦାନ କରାଯିବ ଏଥିପ୍ରତି ବିଶେଷ ଧ୍ୟାନ ଦିଆଯିବ | ପଏମ ନରେନ୍ଦ୍ର ମୋଦୀ ଟ୍ଵିଟ କରି ଦୁଃଖ ପ୍ରକାଶ କରିଛନ୍ତି | ଯେଉଁମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ସେମାନଙ୍କ ପରିବାରକୁ ୧ଲକ୍ଷ ଟଙ୍କା ଏବଂ ଆହତ ହୋଇଥିବା ଯାତ୍ରୀଙ୍କୁ ୫୦ହଜାର ସହାୟତ ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି | ରାଷ୍ଟ୍ରପତି ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି |