Category: ଅପରାଧ

  • ଅସଦାଚରଣ ବ୍ୟବହାର ଯୋଗୁ ଗଲା ଜୀବନ

    ଅସଦାଚରଣ ବ୍ୟବହାର ଯୋଗୁ ଗଲା ଜୀବନ

    ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ଝାରସୁଗୁଡା ସଦର ଥାନା ଅଂଚଳରେ ଶନିବାର ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ରବିବାର ସହରରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି I କୌଣସି ଘଟଣାକୁ କେନ୍ଦ୍ର କରି ମାଂସ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମହିଳା ।

    ସୂଚନା ଅନୁସାରେ ,ଝାରସୁଗୁଡା ଅଫିସ ନିକଟରେ କୈଳାସଙ୍କ ଏକ ମାଂସ ଦୋକାନ ରହିଛି I ଶନିବାର ପଡ଼ାର ଜଣେ ବ୍ୟକ୍ତିଙ୍କ ସହ କୈଳାସଙ୍କର ବଚସା ହୋଇଥିଲା I ଏହି ଘଟଣାକୁ କେନ୍ଦ୍ର କରି ଗତକାଲି ସେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ କିଛି ମହିଳା ତାଙ୍କୁ ଅଟକାଇ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

    ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ରେଫର କରାଯାଇଥିଲା । ସ୍ଥାନାନ୍ତର ପୂର୍ବରୁ ସିଟି ସ୍କାନ ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଝାରସୁଗୁଡ଼ା ପୋଲିସ ହତ୍ୟା ମାମଲା ରୁଜୁ କରି ମୃତଦେହ ଜବତ କରିଛି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ । ତେବେ ଏହି ଘଟଣାଟି ଏକ ଅସଦାଚରଣ ଅଭିଯୋଗକୁ କେନ୍ଦ୍ର କରି ଘଟିଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ କୁହାଯାଇଛି ।

  • ରାଇରଙ୍ଗପୁର: ଯଶୀପୁରରେ ହାତୀ ଦାନ୍ତ ବିକ୍ରି ବେଳେ ମାଡ଼ିବସିଲା ବନ ବିଭାଗ

    ରାଇରଙ୍ଗପୁର: ଯଶୀପୁରରେ ହାତୀ ଦାନ୍ତ ବିକ୍ରି ବେଳେ ମାଡ଼ିବସିଲା ବନ ବିଭାଗ

    ମଣିଷ ଓ ହାତୀ ଲଢ଼େଇରେ କେତେବେଳେ କାହାର ଜୀବନ ଯାଉଛି । ହାତୀ ଆକ୍ରମଣରେ ମଣିଷର ମୃତ୍ୟୁ ହେଉଥିବା ବେଳେ କେତେବେଳେ ନିଜ ସ୍ୱାର୍ଥ ପୂରଣ ପାଇଁ ହାତୀ ଶିକାର କରୁଛି ମଣିଷ । ହାତୀ,ମଣିଷ ଲଢ଼େଇ ପ୍ରାୟତଃ ଦୈନନ୍ଦିନ ଘଟଣା ପାଲଟିଲାଣି । ଏବେ ଯଶୀପୁରରୁ ୪ଟି ହାତୀ ଦାନ୍ତ ଜବତ ପରେ ବନ ବିଭାଗ ଘଟଣାକୁ ନେଇ ଖୋଳତାଡ଼ ଜାରି ରଖିଛି ।

    ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ବଢ଼ିବାରେ ଲାଗିଛି । ଶିକାରୀ, ମାଫିଆ, ଦଲାଲମାନେ ବନ୍ୟଜନ୍ତୁ ଶିକାର କରି ନିଜର ସ୍ୱାର୍ଥ ପୂରଣ କରୁଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ଅବାଧରେ ପଶୁ ଶିକାର ହେଉଥିବା ବେଳେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ୪ଟି ହାତୀ ଦାନ୍ତ ଜବତ କରିଛି ବନ ବିଭାଗ । ଏଭଳି ମୂଲ୍ୟବାନ ଜିନିଷର ବିକ୍ରି ପାଇଁ ଡିଲ୍ ହେଉଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିଛି ବନ ବିଭାଗ ।

    ହାତୀ ଦାନ୍ତ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ପାଇଥିଲା ବନ ବିଭାଗ । ତେଣୁ ବିଳମ୍ବ ନକରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପନିର୍ଦେଶକ ସମ୍ରାଟ ଗଉଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ରେଡ୍ କରିଥିଲା । ଉତ୍ତର ଶିମିଳିପାଳର ଉପନିର୍ଦେଶକ ସାଇ କିରଣ, ରାଇରଙ୍ଗପୁର ବନଖଣ୍ଡର କିଛି ଅଧିକାରୀ ଯଶୀପୁର ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ ୪ଟି ହାତୀ ଦାନ୍ତ ଜବତ କରାଯାଇଥିଲା । ସେଠାରୁ ୫ ଜଣଙ୍କୁ ଗିରଫ କରିଥିଲା ଟିମ୍ । ଗିରଫ ଅଭିଯୁକ୍ତମାନେ ଦାଶାଇ ସିଂ, ମଣ୍ଡା ସିଂ, ମନମୋହନ ହେମ୍ବ୍ରମ, ମନ୍ତ୍ରୀ ସିଂ ଓ ନର୍ସିଂ ସିଂ । ସେମାନେ ସମସ୍ତେ ଯଶୀପୁର ଥାନା ଶିମିଳିପାଳ ବଫର ଅଞ୍ଚଳ ଚାକିଡ଼ି ଗାଁର ବାସିନ୍ଦା । ସେମାନଙ୍କ ଠାରୁ ୫ଟି ମୋବାଇଲ, ଦୁଇଟି ବାଇକ୍ ମଧ୍ୟ ମିଳିଥିଲା ।

    ଜବତ ହାତୀଦାନ୍ତ ଗୁଡ଼ିକର ଓଜନ ୬ କେଜିରୁ ଅଧିକ ହେବ । ହାତୀଗୁଡ଼ିକ ମଧ୍ୟମ ବୟସ୍କର ହୋଇଥିବା ଅନୁମାନ କରାଯାଉଛି । ଦୁଇଟି ହାତୀକୁ ଶିମିଳିପାଳ କୋର ଏରିଆରେ ଶିକାର କରାଯାଇଛି । ତେବେ ଏମାନଙ୍କ ସଂପୃକ୍ତି ଅଛି ନା ନାହିଁ ସେ ନେଇ ତଦନ୍ତ ଜାରି ରହିଛି ।


  • ଝାରପଡ଼ା: ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ

    ଝାରପଡ଼ା: ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ

    ଭୁବନେଶ୍ୱର ଝାରପଡ଼ା ଗୁଳିମାଡ଼ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥାକୁ ଗିରଫ କରିଛି ପୋଲିସ । ଗତ ବୁଧବାର ଗାଡ଼ି ସାଇଡ୍ କରିବାକୁ ନେଇ ବଚସା ପରେ ଗୁଳିକାଣ୍ଡ ଘଟିଥିଲା । ସେହିଦିନ ଠାରୁ ଫେରାର୍ ଥିଲା ମୁଖ୍ୟ ଅଭିଯୁକ୍ତ ।

    ବୁଧବାର ରାତିରେ ଝାରପଡ଼ା ଜଗନ୍ନାଥନଗର ଲେନ୍ ୱାନ୍ ପ୍ରଜାପତି ମଣ୍ଡପରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ସେଠାରେ ଭୋଜି ଖାଇ ରିଙ୍କୁ ଜେନା ଏକ କାରରେ ଫେରୁଥିବା ବେଳେ ଅନ୍ୟ ଏକ କାରରେ ଥିବା ପ୍ରଭାତ ମାର୍ଥାଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଗାଡ଼ି ସାଇଡ୍ କରିବାକୁ ନେଇ ବଚସା ପରେ ଗୁଳିମାଡ଼ କରିଥିଲା ପ୍ରଭାତ ଏବଂ ତାଙ୍କ ସହଯୋଗୀ । ଘଟଣାରେ ରିଙ୍କୁ ଏବଂ ତାଙ୍କ ବାପା ଶିଖର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

    ପୋଲିସ ରାଜା ସାହୁ ଓ ଦିବାକର କଳସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ଓ ଅନ୍ୟ ଜଣେ ସହଯୋଗୀ ଚମ୍ପଟ ମାରିଥିଲା । ଘଟଣାସ୍ଥଳରୁ ୨ଟି ବନ୍ଧୁକ ଓ ୯ଟି ଖୋକା ଜବତ କରାଯାଇଥିଲା । ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଥିଲା ପୋଲିସ । ପୋଲିସ ଏବେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଏବଂ ତାର ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିଛି । ଏହି ମାମଲାରେ ଗିରଫ ସଂଖ୍ୟା ଏବେ ୪ରେ ପହଞ୍ଚିଛି । କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଶିଖର ଓ ପୁତୁରା ରିଙ୍କୁ । ଗିରଫ ପ୍ରଭାତ ଗତ ପୌର ନିର୍ବାଚନରେ ବିଜେପିର କର୍ପୋରେଟର ପ୍ରାର୍ଥୀ ଥିଲେ ।

  • ଭୁବନେଶ୍ୱର: ମନ୍ଦିର ପାଳି ଭୋଗ ଟଙ୍କା ଭାଗବଣ୍ଟାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ !

    ଭୁବନେଶ୍ୱର: ମନ୍ଦିର ପାଳି ଭୋଗ ଟଙ୍କା ଭାଗବଣ୍ଟାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ !

    ଭୁବନେଶ୍ୱର କଳାରାହାଙ୍ଗ ଜଳେଶ୍ୱର ମହାଦେବ ମନ୍ଦିରର ନୀତି ପାଳି ଭୋଗ ଅଧିକାର ଏବଂ ଟଙ୍କା ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ । ସଭାପତି ଜନକ ପଣ୍ଡା, ତାଙ୍କ ପୁଅଙ୍କ ସମେତ ୫ ଜଣ, ଅନ୍ୟ ଜଣେ ପୂଜାରୀ ଏବଂ ତାଙ୍କ ପରିବାରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

    ସୂଚନା ଅନୁସାରେ ଜଳେଶ୍ୱର ମହାଦେବ ମନ୍ଦିରରେ ୪ ଜଣ ପାଳି ଭୋଗ କରି ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇ ଆସୁଥିଲେ । ଶୀତଳଷଷ୍ଠୀ ଯାତ୍ରା ସରିଯାଇଥିବା ବେଳେ ଏବେ ଭୋଗ ଟଙ୍କା ଭାଗବଣ୍ଟାକୁ ନେଇ ବିବାଦ ଦେଖାଦେଇଛି । ପୂର୍ବ ସର୍ତ୍ତ ଅନୁସାରେ ସନ୍ତୋଷ ପଣ୍ଡାଙ୍କୁ ତାଙ୍କ ଭାଗ ଗତ ୧୭ ତାରିଖରେ ମିଳିବାର ଥିଲା କିନ୍ତୁ ଏହା ନ ମିଳିବା ପରେ ସଭାପତି ଜନକ ପଣ୍ଡାଙ୍କ ନିକଟରେ ଦାବି କରିଥିଲେ ।

    ତେବେ ଭାଗ ଟଙ୍କା ନଦେଇ ସନ୍ତୋଷଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଲୁହା ପାଇପ୍ ଏବଂ ରବର ପାଇପରେ ଆକ୍ରମଣ କରାଯିବାରୁ ସନ୍ତୋଷ, ତାଙ୍କ ପତ୍ନୀ ଏବଂ ବାପାଙ୍କୁ ଆଘାତ ଲାଗିଛି ।

    ସେମାନଙ୍କ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଘରେ ପଶି ଜିନିଷପତ୍ର ଭଙ୍ଗାରୁଜା କରିଛନ୍ତି । ସଭାପତି, ତାଙ୍କ ପୁଅଙ୍କ ସମେତ ୫ ଜଣଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଇ ବିଳମ୍ବ କରୁଥିବା କହିଛନ୍ତି ଅଭିଯୋଗକାରୀ ।

  • ପାରିବାରିକ କଳହକୁ ନେଇ ମହିଳାଙ୍କ ଆତ୍ମହତ୍ୟା

    ପାରିବାରିକ କଳହକୁ ନେଇ ମହିଳାଙ୍କ ଆତ୍ମହତ୍ୟା

    ପାରିବାରିକ କଳହ ପରେ ଶେଷରେ ଆତ୍ମହତ୍ୟାକୁ ଆପଣାଇ ନେଇଛନ୍ତି ମହିଳା। ବେକରେ ଫାଶୀ ଦେଇ ନିଜ ଜୀବନ ନେବା ପରେ ପରିବାର ବର୍ଗ ହତ୍ୟା ଅଭିଯୋଗ ଆଣିଛନ୍ତି ଶ୍ୱଶୁର ଘର ଲୋକଙ୍କ ବିରୋଧରେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଧୀନ  ମୁଳିଦା ଗ୍ରାମ ରେ।

    ସୂଚନା ଅନୁସାରେ ବରୁଣଗଡିଆ ପଞ୍ଚାୟତର ନାଇକୁଡି ଗ୍ରାମର ବରେନ୍ଦ୍ର ନାଥ ଦାସଙ୍କର ପଞ୍ଚମ କନ୍ୟା ଜ୍ଯୋତିଶ୍ରୀ  ବ୍ରାହ୍ମଣଦା ପଞ୍ଚାୟତ ଅନ୍ତର୍ଗତ ମୁଳିଦା ଗ୍ରାମର ଝାଡେଶ୍ବର ଦାସ ଅଧିକାରୀଙ୍କ ପୁତ୍ର ଜଗଦୀଶ ଦାସ ଅଧିକାରୀ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଜଗଦୀଶ ପେସାରେ ଜଣେ ଗାଡ଼ି ଡ୍ରାଇଭର। ଗାଡି ଚଳାଇ ସେ ପରିବାରର ଗୁଜୁରାଣ ବଡ କଷ୍ଟରେ ମେଣ୍ଟାଉ ଥିଲେ। ବିବାହକୁ ଏହା ମଧ୍ୟରେ ଅଢେଇ ବର୍ଷ ବିତି ଗଲାଣି। କିନ୍ତୁ ସବୁ ସମୟରେ ଘରେ ଅଭାବ ଅନାଟନ ଲାଗି ରହୁଥିଲା ଓ ସବୁ ସମୟରେ  ଛୋଟ ମୋଟ କଥାକୁ ନେଇ ପରିବାରରେ ସର୍ବଦା ଅଶାନ୍ତି ଲାଗି ରହିଥିଲା। ଜଗଦୀଶ ଓ ଜ୍ୟୋତିଶ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଏଥିରେ ପରିବାରର ଅନ୍ୟମାନେ ମଧ୍ୟ ଥିଲେ।

    ତେବେ ଗତ ଚାରି ଦିନ ତଳେ ଜଗଦୀଶଙ୍କ ଜଣେ ସମ୍ପର୍କୀୟ ଝିଆରୀରର ଜନ୍ମ ଦିନ ଥିଲା। ବିଭିନ୍ନ କାରଣ ପାଇଁ  ଜଗଦୀଶ ଙ୍କ ମା ସେଠାକୁ ଯିବାକୁ ବୋହୂକୁ ମନା କରିଥିଲେ। ହେଲେ ବୋହୂ  ଜ୍ୟୋତି ଶାଶୂଙ୍କ ବାରଣ ନ ମାନି ସେଠାକୁ ଚାଲିଯାଇଥିଲେ। ଫଳରେ ଘରେ ଆହୁରି ଅଶାନ୍ତି ସୃଷ୍ଚି ହୋଇଥିଲା ଓ ଜ୍ୟୋତିଙ୍କୁ ସମସ୍ତେ ବହୁ କଥା ଶୁଣାଇଥିଲେ। ଏହାକୁ ନେଇ ଘରେ ଜୋରଦାର ଯୁକ୍ତିତର୍କ ମଧ୍ୟ ଲାଗିରହିଥିଲା।

    ତେବେ ଆଜି ଦିନ ବାରଟା ସମୟରେ ଘରେ କେହି ନଥିବା ବେଳେ ଜ୍ୟୋତିଶ୍ରୀ ନିଜର ଶୋଇବା ଘରେ ଲାଗିଥିବା ଫ୍ୟାନରେ ଦଉଡ଼ି ଲଗାଇ ଫାଶୀ ଲଗାଇ ଦେଇଥିଲେ। ଏହା ଜାଣି ଶ୍ବଶୁର, ଦିଅର,ଶାଶୁ  ଓ  ଗ୍ରାମବାସୀ ମାନେ ମିଶି ଜ୍ଯୋତିଶ୍ରୀକୁ ଉଦ୍ଧାର କରି ବସ୍ତା ମେଡିକାଲକୁ ନେଇଯାଇଥିଲେ। କିନ୍ତୁ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇ ସାରିଥିଲା। ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ। ପରେ ଜ୍ୟୋତିଙ୍କ ମୃତ୍ୟୁ ନେଇ ତାଙ୍କ ବାପ ଘରକୁ ଖବର ଦିଆଯାଇଥିଲା।

    ଏହାକୁ ନେଇ ମୃତ ଜ୍ୟୋତିଙ୍କ ବାପା ଥାନାର ଦ୍ୱାରସ୍ଥ ହୋଇଛନ୍ତି।  ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ  ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ପ୍ରାଥମିକ ତଦନ୍ତ  ଆରମ୍ଭ କରି ଦେଇଛି। ଘଟଣାରେ ମୃତକଙ୍କ ଦିଅରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ।

  • ନିଶା ଇଞ୍ଜେକସନ ଦେଇ ମହିଳା ରୋଗୀଙ୍କୁ  ଗଣବଳାତ୍କାର କଲେ ଡାକ୍ତର

    ନିଶା ଇଞ୍ଜେକସନ ଦେଇ ମହିଳା ରୋଗୀଙ୍କୁ ଗଣବଳାତ୍କାର କଲେ ଡାକ୍ତର

    ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି। ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର ଜଣକ ସାଜିଲେ ପିଶାଚ । ଡାକ୍ତରଙ୍କୁ ଆଖି ବୁଜି ବିଶ୍ୱାସ କରିଥାନ୍ତି ରୋଗୀ ମନରେ ଆଶା ନେଇ ଆସିଥାନ୍ତି ସେ ଆମ ରୋଗ ଭଲ କରିଦେବ । ମାତ୍ର ଜଣେ ମହିଳା ରୋଗୀଙ୍କ ବିଶ୍ୱାସରେ ବିଷ ମିଶାଇଲେ ଡାକ୍ତର।  ନିଶା ଇଞ୍ଜେକସନ ଦେଇ ନିଜ ସାଥୀ ଡାକ୍ତରଙ୍କ ସହ ମହିଳା ରୋଗୀଙ୍କୁ କଲେ ଗଣବଳାତ୍କାର। ଏନେଇ ମହିଳାଜଣକ ଅଭିଯୋଗ କରିବା ପରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଡାକ୍ତରଙ୍କୁ ବାନ୍ଧିଥିବା ବେଳେ ତାଙ୍କ ସାଥୀ ଫେରାର ଅଛନ୍ତି।

    ଦିଲ୍ଲୀର ଜଣେ ମହିଳା ଦୀର୍ଘ ଦିନ ହେଲା ବେମାର ରହୁଥିଲେ। ବିଭିନ୍ନ ଆଡ଼େ ଚିକିତ୍ସା ପରେ ବି ସେ ସୁଫଳ ପାଇ ପାରୁ ନ ଥିଲେ। ଏହା ମଧ୍ୟରେ ସେ ଗାଜିଆବାଦରେ ଥିବା ଡାକ୍ତର ସାକିବଙ୍କ ସମ୍ପର୍କରେ ସୂଚନା ପାଇଲେ। ରୋଗ ଭଲ ହେବା ଆଶାରେ ସେ ତାଙ୍କୁ ଯୋଗାଯୋଗ କଲେ। ଏହାପରେ ଗତ ୭ ତାରିଖରେ ପ୍ରଥମ ଥର ସେ ତାଙ୍କ କ୍ଲିନିକ୍‌କୁ ଯାଇଥିଲେ। ଡାକ୍ତର ସାକିବ ମହିଳାଙ୍କୁ କିଛି ମେଡିସିନ ଦେଇଥିଲେ। ମାତ୍ର ଏଥିରେ ତାଙ୍କ ରୋଗ ଭଲ ନ ହେବାରୁ ଗତ ୧୯ ତାରିଖରେ ସେ ପୁଣି ଥରେ ଉକ୍ତ କ୍ଲିନିକ୍‌କୁ ଯାଇଥିଲେ।

    ସେତେବେଳେ ଚିକିତ୍ସା ନାଁରେ ଡାକ୍ତର ତାଙ୍କୁ ନିଶା ଇଞ୍ଜେକସନ୍‌ ଦେଇଥିଲେ। ଏହାପରେ ଡାକ୍ତର ସାକିବ ଓ ତାଙ୍କ ସାଥୀ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ଚେତା ଫେରିବା ପରେ ମହିଳାଜଣକ ବଳାତ୍କାରର ଶିକାର ହୋଇଥିବା ଜାଣିବାକୁ ପାଇଲେ। ଏନେଇ ବାହାରେ ପ୍ରକାଶ କଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଲେ ଡାକ୍ତର ସାକିବ । ଏପରିକି ପୂର୍ବରୁ ବି ବହୁ ଯୁବତୀଙ୍କର ବଳାତ୍କାର କରି ସାରିଥିବା ସେ ମହିଳାଙ୍କ ସମ୍ମୁଖରେ କହିଥିଲେ।

  • ଦାଦନ ଖଟିବାକୁ ଯାଇଥିଲା କେରଳ, ହତ୍ୟା କଲା ନିଜ ଭିଣୋଇ

    ଦାଦନ ଖଟିବାକୁ ଯାଇଥିଲା କେରଳ, ହତ୍ୟା କଲା ନିଜ ଭିଣୋଇ

    ଶଳାକୁ ପଥରରେ ଛେଚି ହତ୍ୟା କଲା ଭିଣୋଇ। ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକଙ୍କୁ ନିଜ ଭଉଣୀର ସ୍ୱାମୀ ହତ୍ୟା କରିଥିବା ହୋଇଛି ଅଭିଯୋଗ। ମୃତକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅଧୀନ ବିଜିପୁର ଗାଁର ଅଭୟ ବୀର। ଏନେଇ ଥାନାରେ ଅଭିଯୋଗ ହେବା ସହ ମୃତଦେହ ଗାଁକୁ ଫେରାଇ ଆଣିବାକୁ ହେଉଛି ଅନୁରୋଧ।
    ଖବର ଅନୁଯାୟୀ, ମୋହନା ଥାନା ବିଜିପୁର ଗାଁର ଅଭୟ ବୀର ଦୁଇ ମାସ ହେବ ଦାଦନ ଖଟିବାକୁ ଯାଇଥିଲେ କେରଳ। ସେଠାରେ ସେ କୋଲାମ ଜିଲ୍ଲା କଟରାକେରା ଅଞ୍ଚଳରେ ନିଜ ଭଉଣୀ ଓ ଭିଣୋଇଙ୍କ ସହ ରହୁଥିଲେ। ଭିଣୋଇ ମନୋଜ ବହୁ ଦିନରୁ ସେଠାରେ ଶ୍ରମିକ ଭାବେ କାମ କରି ଆସୁଥିଲେ। କିନ୍ତୁ ଶୁକ୍ରବାର ରାତିରେ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଅଭୟ ହସ୍ତକ୍ଷେପ କରିବାରୁ ଭିଣୋଇ ମନୋଜ ଉତକ୍ଷିପ୍ତ ହୋଇ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରନ୍ତି ଅଭୟଙ୍କ ପତ୍ନୀ ଓ ଭାଇ।
    ଏହି ଘଟଣାରେ କଟରାକେରା ପୋଲିସ ଅଭିଯୁକ୍ତ ଭିଣୋଇକୁ ଗିରଫ କରି ପଚରା ଉଚରା କରୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ସରିଛି। ବର୍ତ୍ତମାନ ମୃତଦେହ ସେଠାରେ ପରିବାର ଲୋକଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। କିନ୍ତୁ ଅଭୟଙ୍କ ପରିବାର ଅତି ଗରିବ ହୋଇ ଥିବାରୁ ମୃତଦେହ ଗାଁକୁ ଆଣିବାକୁ ଅସମର୍ଥ। ତେଣୁ ପରିବାର ବର୍ଗ ଅଭୟଙ୍କ ମୃତଦେହ ଗାଁକୁ ଆଣିବାକୁ ସରକାର ନିକଟରେ ଅନୁରୋଧ କରିଛନ୍ତି।
    ସେପଟେ ଏହି ଘଟଣାକୁ ନେଇ ବିଜିପୁର ଗାଁରେ ଖେଳିଯାଇଛି ଶୋକର ଲହରୀ। ଅଭୟଙ୍କ ମୃତଦେହ ଗାଁକୁ ଆଣିବାକୁ କରିଛନ୍ତି ଅପେକ୍ଷା।

  • ବୌଦ୍ଧ: ପୁଣି ମାଓବାଦୀ ସକ୍ରିୟ, ମାଓ ପୋଷ୍ଟରକୁ ନେଇ ଲୋକେ ଭୟଭୀତ

    ବୌଦ୍ଧ: ପୁଣି ମାଓବାଦୀ ସକ୍ରିୟ, ମାଓ ପୋଷ୍ଟରକୁ ନେଇ ଲୋକେ ଭୟଭୀତ

    କିଛି ଦିନର ନିରବତା ପରେ ବୌଦ୍ଧ ଜିଲ୍ଲାରେ ପୁଣି ଥରେ ମାଓବାଦୀ ସକ୍ରିୟ ହେଲେଣି । ପୁଣି ସେମାନଙ୍କ ଦବଦବା ଜାହିର କରିବାକୁ ଆଗକୁ ବଢ଼ିଲେଣି । ଏବେ ସେମାନେ ପୋଷ୍ଟର ମାରି ଲୋକଙ୍କୁ ଭୟଭୀତ କରାଇଛନ୍ତି ।

    ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଖୁଣ୍ଟିଗୋରା ମାର୍କଟରେ ଥିବା ଏକ ଗଛରେ ମାଓବାଦୀମାନେ ପୋଷ୍ଟର ମାରିଛନ୍ତି । ସକାଳୁ ସକାଳୁ ସ୍ଥାନୀୟ ଲୋକେ ଏହାକୁ ଦେଖିଥିଲେ । ଏହି ପୋଷ୍ଟରରେ କିଛି ମାଓ ନେତାଙ୍କ ଫଟୋ ରହିଥିଲା । ସେମାନେ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ । ସେହି ମାଓବାଦୀଙ୍କୁ ସହିଦ ଦର୍ଶାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

    ଏମିତିକି ସହିଦଙ୍କ ଶ୍ରଦ୍ଧାଞ୍ଜଳି ବ୍ୟର୍ଥ ଯିବ ନାହିଁ ବୋଲି ମଧ୍ୟ ପୋଷ୍ଟରରେ ଲେଖାଯାଇଛି । ପୋଷ୍ଟରରେ ପୋଲିସର ଦମନ ଏବଂ ମିଥ୍ୟା ଏନକାଉଣ୍ଟର ଘଟଣାକୁ ନିନ୍ଦା କରାଯାଇଛି । ଏହାର ପ୍ରତିଶୋଧ ନିଆଯିବ ବୋଲି ଉଲ୍ଲେଖ ରହିଛି । ପ୍ରତିବାଦରେ କଳାହାଣ୍ଡି,ନୟାଗଡ଼, କନ୍ଧମାଳ, ବୌଦ୍ଧ ଭଳି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏହାକୁ ସଫଳ କରିବା ପାଇଁ ପୋଷ୍ଟରରେ ଲେଖାଯାଇଛି । ତେବେ ଏସବୁ ପୋଷ୍ଟର ପ୍ରକୃତରେ ମାଓବାଦୀ ମାରିଛନ୍ତି କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି । ଏ ନେଇ ଘଣ୍ଟାପଡ଼ା ଥାନା ପୋଲିସ ତଦନ୍ତ ଜାରି ରଖିଛି ।

    ଗତ କିଛି ଦିନ ହେଲା ଜିଲ୍ଲାରେ ମାଓବାଦୀଙ୍କ ହିଂସା ହ୍ରାସ ପାଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆହ୍ୱାନରେ ବହୁ ମାଓବାଦୀ ସମାଜର ମୁଖ୍ୟ ସ୍ରୋତକୁ ଫେରିଲେଣି । ଏବେ ବି ପୋଲିସର ଅଭିଯାନ ଜାରି ରହିଛି । ମାଓବାଦୀଙ୍କ ଦବଦବା ହ୍ରାସ ପାଉଥିବା ବେଳେ ପୁଣିଥରେ ସେମାନେ ସକ୍ରିୟ ହେଲେଣି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ମଧ୍ୟ ବଢ଼ିଛି ।

  • ଭୁବନେଶ୍ୱର: ଓଃ କି ମାଡ଼! ବାନ୍ଧିଲେ,ଉଲଗ୍ନ କରି ଛେଚିଲେ

    ଭୁବନେଶ୍ୱର: ଓଃ କି ମାଡ଼! ବାନ୍ଧିଲେ,ଉଲଗ୍ନ କରି ଛେଚିଲେ


    ରାଜଧାନୀ ଭୁବନେଶ୍ୱରରେ କଙ୍ଗାରୁ କୋର୍ଟ । ନା କଥା ଶୁଣିଲେ, ନା ଆଇନକୁ ମାନିଲେ । ନିର୍ଯାତନାର ଶେଷ ସୀମା ଉଲ୍ଲଂଘନ କଲେ । ହଁ ଆଜ୍ଞା, ଭିଜୁଆଲ୍ ଦେଖିଲେ ଲୋମ ଟାଙ୍କୁରି ଯିବ । ଯିଏ ଆସିଲା ମାରିଲା । ଲାତ, ଗୋଇଠା, ବିଧା ମାରି ଚାଲିଲେ । ଯୁବକଙ୍କୁ ଉଲଗ୍ନ କଲେ, ନିସ୍ତୁକ ଛେଚିଲେ ।

    ରାଜଧାନୀର ପଳାଶୁଣି ହାଟ ନିକଟରେ ପ୍ରାଚୀ ବିହାର ଛକ । ଗତ ଶୁକ୍ରବାର ରାତିରେ ଏଠାରେ ହିଁ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଥିଲା । ଜଣେ ଯୁବକ ମୋବାଇଲ୍ ଚୋରି କରିଥିବା ଅଭିଯୋଗରେ ଧରାପଡ଼ିଥିଲେ । ଏଥିରେ କୌଣସି ସତ୍ୟତା ନଥିଲା କି ପ୍ରମାଣିତ ହୋଇନଥିଲେ । କେବଳ ଅଭିଯୋଗରେ ଯୁବକଙ୍କୁ ଧରିଥିଲେ ୪ ଜଣ ଦୁର୍ବୃତ୍ତ । କାହା କଥା ଶୁଣିବାକୁ ନାରାଜ । ଆରମ୍ଭ ହେଲା ନିସ୍ତୁକ ମାଡ଼ । ଛେଚିଲେ, ଚପଲରେ ମାରିଲେ, ଆକ୍ରମଣର ସୀମା ଟପିଲା । ନେହୁରା, ଗୁହାରି ଶୁଣିଲେ ନାହିଁ । ଏତିକିରେ ଶେଷ ହୋଇନଥିଲା ନିର୍ଯାତନା । ଯୁବକଙ୍କୁ ଉଲଗ୍ନ କରି ରାସ୍ତାରେ ଥିବା ଗ୍ରୀଲରେ ବାନ୍ଧିଦେଲେ । ଯିଏ ଆସିଲା ମାରି ଚାଲିଲା । ଯୁବକଙ୍କୁ ଉଦ୍ଧାର କରିବା ବଦଳରେ ଦର୍ଶକ ସାଜିଲେ ଲୋକେ । ଭାଇରାଲ୍ କରିବା ପାଇଁ ଫଟୋ ବି ଉଠାଇଲେ । ଗୋଇଠା, ବିଧା, ଚାପୁଡ଼ା, ଚପଲ ମାଡ଼ରେ ଯୁବକଙ୍କୁ ଆହତ କଲେ । ଖରାପ ଭାଷାରେ ଗାଳିଗୁଲଜ ବି କଲେ । ମଳଦ୍ୱାରରେ ବିୟର ବୋତଲ ପୁରାଇ ହାତଗୋଡ଼ ଭାଙ୍ଗିଦେବାକୁ ଉସୁକାଇଲେ । କାହାରି କଥା ନଶୁଣି କଙ୍ଗାରୁ କୋର୍ଟର ନିୟମ ଫଲୋ କଲେ ।

    ନିରୀହ ଯୁବକଙ୍କ କ’ଣ ଥିଲା ଦୋଷ । କେବଳ ତାଙ୍କ ନାଁରେ ମୋବାଇଲ୍ ଚୋରି ଅଭିଯୋଗ କରିଥିଲେ ଆକ୍ରମଣକାରୀ । ନା ମିଳିଥିଲା ମୋବାଇଲ୍ ନା ଅନ୍ୟ କିଛି ପ୍ରମାଣପତ୍ର । ରାଜଧାନୀର ରାଜରାସ୍ତାରେ ମନଇଛା ମାରି ଚାଲିଲେ । ଉଲଗ୍ନ କରି ଇଜ୍ଜତ ନେଲେ । ଆହତ ଯୁବକ ନେହୁରା ହେଲେ, ଗୋଡ଼ ଧରିଲେ । ଉଲଗ୍ନ ନକରି ମାଡ଼ ମାରିବାକୁ କହିଲେ ଯୁବକ । ହେଲେ ଏତିକିରେ ସେମାନଙ୍କ ମନ ଶାନ୍ତ ହେଲାନି । ମାଡ଼ମାରି ବେଶ୍ କିଛି ସମୟ ଉପଭୋଗ କଲେ । ତେବେ ଜଣେ ମହିଳା ବିଳମ୍ବ ନକରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପିସିଆର-୬ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରିଥିଲା । ଆହତଙ୍କୁ ମଞ୍ଚେଶ୍ୱର ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ।

    ୪ ମାସ ପୂର୍ବେ ମଞ୍ଚେଶ୍ୱର ଥାନା ଅଧୀନ ଜଗନ୍ନାଥ ଲେପର୍ସ କଲୋନୀରେ ଜଣେ ମହିଳାଙ୍କୁ କଙ୍ଗାରୁ କୋର୍ଟର ସାମ୍ନା କରିବାକୁ ପଡ଼ିଥିଲା । ତାଙ୍କୁ ବାନ୍ଧି ମାଡ଼ ମାରିଥିଲେ ଦୁର୍ବୃତ୍ତ । ରାଜଧାନୀରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ପୋଲିସ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇଛି ।

  • ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରୁ ଆୟ ବହିର୍ଭୂତ ୨୬୮% ସମ୍ପତ୍ତି ଠାବ

    ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରୁ ଆୟ ବହିର୍ଭୂତ ୨୬୮% ସମ୍ପତ୍ତି ଠାବ

    ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରୁ ଆୟ ଠାରୁ ୨୬୮%ରୁ  ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏହାର ଯଥେଷ୍ଠ ପ୍ରମାଣ ପାଇବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ  ଶନିବାର ଗିରଫ କରିଛି ଭିଜିଲାନ୍ସ। ଏନେଇ ଭିଜିଲାନ୍ସ ପକ୍ଷରୁ ଦିଆଯାଇଛି ବିସ୍ତୃତ ବିବରଣୀ।

    ତଥ୍ୟ ଅନୁସାରେ,  ବ୍ରଜେନ୍ଦ୍ର ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ୱରର ନାମୀ ଦାମୀ ଅଞ୍ଚଳରେ ମୋଟ୍ ୫ଟି କୋଠା ରହିଛି। ଭୀମଟାଙ୍ଗୀ ହାଉସିଂ କଲୋନୀ ଓ ଶିଶୁପାଳଗଡ଼ରେ ତାଙ୍କର ଗୋଟିଏ ଲେଖାଏ ଦୁଇ ମହଲା କୋଠା ଥିବା ବେଳେ ରାଜାରାଣୀ କଲୋନୀ ପାଖରେ ଦୁଇଟି ତିନି ମହଲା ବିଶିଷ୍ଟ କୋଠା ଅଛି। ସେହିଭଳି ଲୁଇସ ରୋଡ୍‌ର ଗ୍ୟାରେଜ ଛକରେ ତାଙ୍କର ଆଉ ଗୋଟିଏ ତିନି ମହଲା କୋଠା ଅଛି।

    ଏହା ବ୍ୟତୀତ ତାଙ୍କର ୭ଟି ପ୍ଲଟ ବା ଜମି ରହିଛି। ଏଥିରୁ ୨ଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ଥିବା ବେଳେ ଅନ୍ୟ ୫ଟି ନିଜ ଗ୍ରାମ ନିମାପଡ଼ା ଅଞ୍ଚଳରେ ରହିଛି। ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗରଡ଼ିରେ ଗ୍ରାମରେ ତାଙ୍କର ଏକ ଫାର୍ମ ହାଉସ ରହିଛି। ଏହା ସହ ନିମାପଡ଼ା ବଜାରରେ ତାଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ଅଛି, ଯେଉଁଥିରେ ୧୦ଟି ଦୋକାନ ଅଛି।

    ବ୍ୟାଙ୍କ ଓ ବୀମା ଜମା ବାବଦକୁ ବ୍ରଜେନ୍ଦ୍ର କୁମାର ନାୟକ ୧ କୋଟି ୫୦ ଲକ୍ଷ ଟଙ୍କା ରଖିଛନ୍ତି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି। ଏହା ବାଦ୍ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରେ ଥିବା ୟୁକୋ ବ୍ୟାଙ୍କ୍ ଲକରରେ ୬୪୪ ଗ୍ରାମ ଓଜନର ଗହଣା ଆଜି ଜବତ କରିଛି ଭିଜିଲାନ୍ସ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୫ଲକ୍ଷ ଟଙ୍କା ହେବ।