
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ତହବ୍ବୁର ହୁସେନ ରାଣା ଫେରିବ ଭାରତକୁ। ରାଣାକୁ ଫେରାଇ ଆଣିବାକୁ ଭାରତ ସରକାରର ଦୀର୍ଘ ବର୍ଷର ଆଇନଗତ ପ୍ରୟାସ ପରେ ଆମେରିକାର କାଲିଫର୍ଣ୍ଣିଆ କୋର୍ଟ ତାକୁ ଭାରତକୁ ପଠାଇବାକୁ ଅନୁମତି ଦେଇଛନ୍ତି। ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇର ତାଜ ହୋଟେଲ ସମେତ ବିଭିନ୍ନ ସ୍ଥାନରେ ଲଶ୍କର ଇ ତୋଇବା ଆତଙ୍କବାଦୀ ସଂଗଠନ ସିରିଜ ବିସ୍ଫୋରଣ କରିଥିଲା।
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୋଷ୍ଟ ୱାଣ୍ଟେଡ କୁହାଯାଉଥିବା ପାକିସ୍ତାନରେ ଜନ୍ମିତ କାନାଡାର ବ୍ୟବସାୟୀ ତହଦ୍ଦୁର ହୁସେନ ରାଣା ଘଟଣା ପରେ ଆମେରିକା ପଳାୟନ କରିଥିଲା। ଏନଆଇଏର ତଦନ୍ତ ପରେ ଆକ୍ରମଣରେ ରାଣାର ହାତ ଥିବା ଓ ସେ ଆମେରିକା ପଳାୟନ କରିଥିବା ଜଣାପଡିଥିଲା। ଏହା ପରେ ତାକୁ ଭାରତ ଆଣିବାକୁ ଭାରତ ସରକାର ୨୦୨୦ ଜୁନରୁ ପ୍ରୟାସ ଜାରି ରଖିଥିଲେ। ଏନେଇ ଭାରତ ପକ୍ଷରୁ ସେଠାକାର ଅଦାଲତରେ ଆବେଦନ କରିଥିଲା। ବାଇଡେନ ସରକାର ସହ ଭାରତ କୂଟନୈତିକ ଆଲୋଚନା ଚଳାଇଥିଲା ଓ ରାଣାକୁ ଭାରତ ଫେରାଇବା ନେଇ ଚାପ ପ୍ରୟୋଗ କରିଥିଲା। ଭାରତର ଦାବିକୁ ସେଠାକର ସରକାର ମଧ୍ୟ ସମର୍ଥନ କରିଥିଲେ।

ଏହି ମାମଲାର ଶୁଣାଣି କରି କାଲିଫର୍ଣ୍ଣିଆର ଜଣେ ଜିଲ୍ଲା ଜଜ୍ ସବୁ ଦସ୍ତାବିଜର ସମୀକ୍ଷା ପରେ ଭାରତ ସରକାର ହୋଇଆସୁଥିବା ଦାବି ଯୁକ୍ତିଯୁକ୍ତ ହୃଦୟଙ୍ଗମ କରିଛନ୍ତି ଓ ତାକୁ ଭାରତ ପଠାଇବାକୁ ଅନୁମତି ଦେଇଛନ୍ତି। କୋର୍ଟରେ ହୋଇଥିବା ଶୁଣାଣି ସମୟରେ ଆମେରିକାର ସରକାର ଯୁକ୍ତି ବାଢ଼ିଥିଲେ ଯେ, ରାଣାଙ୍କ ପିଲା ଦିନର ସାଙ୍ଗ ପାକିସ୍ତାନୀ-ଆମେରିକୀୟ ଡେଭିଡ କୋଲମେନ ହେଡଲି ଲଶ୍କର-ଇ-ତୋଇବାରେ ସାମିଲ ହୋଇଥିଲା । ଏହି ଘଟଣା ରାଣା ଖୁବ୍ ଭଲ ଭାବେ ଜାଣିଥିଲା। ଏହାସତ୍ତ୍ୱେ ସେ ହେଡଲି ସହାୟତା କରିଥିଲା ଓ ତାକୁ ସୁରକ୍ଷା ପ୍ରଦାନ କରିଥିଲା। ତେଣୁ ସେ ମଧ୍ୟ ଆତଙ୍କବାଦୀକୁ ସମର୍ଥନ କରିଥିବା ପ୍ରମାଣିତ ହେଉଛି। ସେପଟେ ରାଣାର ଓକିଲ କୋର୍ଟଙ୍କ ପ୍ରତ୍ୟାବର୍ତ୍ତନ ଆଦେଶକୁ ତୀବ୍ର ବିରୋଧ କରିଥିଲେ । କିନ୍ତୁ ତଥ୍ୟ ପ୍ରମାଣ ଆଧାରରେ କୋର୍ଟ ଭାରତ ସପକ୍ଷରେ ରାୟ ଶୁଣାଣଛନ୍ତି।

ତହବ୍ବୁର ହୁସେନ ମୂଳତଃ ପାକିସ୍ତାନୀ ହୋଇଥିବା ବେଳେ ସେ କାନାଡ଼ାରେ ରହି ବ୍ୟବସାୟ କରୁଥିଲେ। ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ରଣାଙ୍କର ସନ୍ଦେହଜନକ ଭୂମିକା ଥିବାରୁ ତାକୁ ଭାରତ ଫେରାଇବାକୁ ଅନୁରୋଧ କରାଯାଇଥିଲା। ଏହାପରେ ଆମେରିକା ପୁଲିସ୍ ତାକୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ମୁମ୍ବାଇର ତାଜ ହୋଟେଲକୁ ଆତଙ୍କବାଦୀ ନିଜ କବ୍ଜାକୁ ନେଇଯାଇଥିଲେ ଓ ହୋଟେଲ ଭିତରେ ଥିବା ଅତିଥିଙ୍କ ମୁଣ୍ଡରେ ବନ୍ଧୁକ ରଖି ୬୦ ଘଣ୍ଟାରୁ ଅଧିକ ସମୟ ଧରି ଆତଙ୍କରାଜ ଚଳାଇଥିଲେ। ଏହି ଆକ୍ରମଣରେ ୧୬୬ ଜଣ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୬ ଜଣ ଆମେରିକୀୟ ନାଗରିକ ମଧ୍ୟ ଥିଲେ।