
ବିଦ୍ୟାଳୟ ହେଉଛି ବିଦ୍ୟାର ମନ୍ଦିର । ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତି ପାଇଁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରିଥାଏ । ଏକ ସୁସ୍ଥ ଏବଂ ଶିକ୍ଷିତ ସମାଜ ଗଢିବାରେ ବିଦ୍ୟା ଆଉ ବିଦ୍ଯାଳୟର ଭୂମିକା ସର୍ବୋପରି । ଯାହାକୁ ଭଲଭାବେ ହୃଦୟଙ୍ଗମ କରିଥିଲେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଗଙ୍ଗାଧର ସାମଲ । ତଣୁ କୁନି କୁନି ପିଲାଙ୍କ ଉଜ୍ଜଳମୟ ଭବିଷ୍ୟତ କଥା ଚିନ୍ତା କରି ଢେଙ୍କାନାଳ ଜିଲ୍ଲା ଓଡପଡା ବ୍ଲକ ଅନ୍ତର୍ଗତ ଖଡଗପ୍ରସାଦ ଗ୍ରାମରେ ତିଆରି କଲେ ବ୍ରାହ୍ମଣୀ ପବ୍ଲିକ ସ୍କୁଲ ନାମରେ ଏକ ଶିକ୍ଷା ମନ୍ଦିର । ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢିଚାଲିଥିବା ଏହି ବିଦ୍ୟାଳୟ ସହ ଏବେ ଆଉ ଏକ ଗୌରବର ଫର୍ଦ୍ଦ ଯୋଡି ହୋଇଯାଇଛି । ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଛି “ମେରି ମିଟି ମେରା ଦେଶ” ଅଭିଯାନ କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଓ ସମର ଶିକ୍ଷାର୍ଥୀ ବାହିନୀର ମୁଖ୍ୟାଳୟ, ୧୨ ଓଡ଼ିଶା ବାଟାଲିୟନ ଏବଂ ଢେଙ୍କାନାଳ କମାଣ୍ଡିଙ୍ଗ୍ ଅଫିସର୍ ଶ୍ରୀଯୁକ୍ତ ଲଳିତ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଏହା ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଗଙ୍ଗାଧର ସାମଲ, ତାଙ୍କ ସୁପୁତ୍ର ଶିଳ୍ପ ଉଦ୍ୟୋଗୀ ତଥା ଯୁବ ନେତା ଡ.ଅବିନାଶ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼.ନୀହାର ରଞ୍ଜନ ସିଂହ ଅଧ୍ୟକ୍ଷତା କରିଥିଲେ । ବ୍ରାହ୍ମଣୀ ପବ୍ଲିକ ସ୍କୁଲର ଏନସିସି କ୍ୟାଡେଟ, ନିକଟସ୍ଥ ମଙ୍ଗଳପୁର ଗ୍ରାମକୁ ଯାଇ ଶ୍ରୀଯୁକ୍ତ ଗଗନ ରାଉତଙ୍କ ଶହୀଦ ପିତା ସ୍ବର୍ଗତ ଗୋପବନ୍ଧୁ ରାଉତଙ୍କ ଜନ୍ମଭୂମିରୁ ମୃତ୍ତିକା ସ°ଗ୍ରହ କରିଥିଲେ । ସ°ଗୃହୀତ ମୃତ୍ତିକାକୁ ଢେଙ୍କାନାଳ ୧୨ ବାଟାଲିଅନ୍ ସହାୟତାରେ ଭୁବନେଶ୍ୱର ପଠାଯିବ । ସେଠାରୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ନିର୍ମିତ ହେବାକୁ ଥିବା ଅମୃତ ବାଟିକାରେ ସିଞ୍ଚନ ନିମନ୍ତେ ପଠାଯିବ । ଦେଶର ବିଭିନ୍ନ କୋଣ ଅନୁକୋଣରୁ ଚାରା ଗଛ ଅଣାଯାଇ ଉକ୍ତ ବାଟିକାରେ ରୋପଣ କରାଯିବାର ବ୍ୟବସ୍ଥା ରହିଛି ।

ଏନସିସି କ୍ୟାଡେଟଙ୍କ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସ°ଗ୍ରାମ କେଶରୀ ପରିଡ଼ା, ଅନୀତା ବରାଳ, ସ୍ୱର୍ଣ୍ଣଲତା ରାଉତ, ଚମ୍ପାଵତୀ କୁଣ୍ଡୁ ପ୍ରମୁଖ ପରିଚାଳନା କରିଥିଲେ । ଦେଶମାତୃକାର ଏହି ପବିତ୍ର କାର୍ଯ୍ୟ ନିମନ୍ତେ ନିୟୋଜିତ ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି ବୋଲି କହିଥିଲେ ଡ଼.ଅବିନାଶ ସାମଲ । ଏହି ଉତ୍ସବରେ ଆଖପାଖର ୫ ଖଣ୍ଡ ଗାଁର ବାସିନ୍ଦା ଯୋଗ ଦେଇ ଶହୀଦ ଗୋପବନ୍ଧୁ ରାଉତଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବୀରପୁତ୍ରଙ୍କୁ ଜନ୍ମ ଦେଇଥିବା ଏହି ମାଟି ଅମୃତ ବାଟିକାରେ ସିଞ୍ଚନ ପାଇଁ ଯାଉଥିବାରୁ ଗ୍ରାମବାସୀ ଗର୍ବିତ ହେବା ସହ ଭାବବିହ୍ୱଳ ହୋଇଉଠିଥିଲେ।