
ବୌଦ୍ଧ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ବୌଦ୍ଧ ସହରସ୍ଥିତ ସତସଙ୍ଗ ମନ୍ଦିର ପଛପଟ ମହାନଦୀ କୂଳ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ ଆଜି ସକାଳୁ ସ୍ଥାନୀୟ ଲୋକେ ସ୍ନାନଶୌଚ ପାଇଁ ମହାନଦୀକୁ ଯାଇଥିଲେ । ନଦୀ କୂଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣଙ୍କ ମୃତଦେହ ପଡ଼ିଥିବା ସେମାନେ ଦେଖିଥିଲେ । ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ଲୋକେ । ଖବର ପାଇ ଘଟଣାସ୍ଥଳକୁ ଯାଇଥିଲା ବୌଦ୍ଧ ଆଦର୍ଶ ଥାନା ପୋଲିସ । ସେଠାରୁ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହ ପଡ଼ିଥିବା ସ୍ଥାନ ନିକଟରୁ ଏକ ସାଇକେଲ, ମଦ ବୋତଲ ମଧ୍ୟ ଜବତ କରାଯାଇଛି । ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳିପାରି ନାହିଁ ।

ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଛି ପୋଲିସ । ତଥାପି ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସତ୍ୟାସତ୍ୟ ଜଣାପଡ଼ିବ । ଏହି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।