ବୌଦ୍ଧ: ପୁଣି ମାଓବାଦୀ ସକ୍ରିୟ, ମାଓ ପୋଷ୍ଟରକୁ ନେଇ ଲୋକେ ଭୟଭୀତ

କିଛି ଦିନର ନିରବତା ପରେ ବୌଦ୍ଧ ଜିଲ୍ଲାରେ ପୁଣି ଥରେ ମାଓବାଦୀ ସକ୍ରିୟ ହେଲେଣି । ପୁଣି ସେମାନଙ୍କ ଦବଦବା ଜାହିର କରିବାକୁ ଆଗକୁ ବଢ଼ିଲେଣି । ଏବେ ସେମାନେ ପୋଷ୍ଟର ମାରି ଲୋକଙ୍କୁ ଭୟଭୀତ କରାଇଛନ୍ତି ।

ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଖୁଣ୍ଟିଗୋରା ମାର୍କଟରେ ଥିବା ଏକ ଗଛରେ ମାଓବାଦୀମାନେ ପୋଷ୍ଟର ମାରିଛନ୍ତି । ସକାଳୁ ସକାଳୁ ସ୍ଥାନୀୟ ଲୋକେ ଏହାକୁ ଦେଖିଥିଲେ । ଏହି ପୋଷ୍ଟରରେ କିଛି ମାଓ ନେତାଙ୍କ ଫଟୋ ରହିଥିଲା । ସେମାନେ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ । ସେହି ମାଓବାଦୀଙ୍କୁ ସହିଦ ଦର୍ଶାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏମିତିକି ସହିଦଙ୍କ ଶ୍ରଦ୍ଧାଞ୍ଜଳି ବ୍ୟର୍ଥ ଯିବ ନାହିଁ ବୋଲି ମଧ୍ୟ ପୋଷ୍ଟରରେ ଲେଖାଯାଇଛି । ପୋଷ୍ଟରରେ ପୋଲିସର ଦମନ ଏବଂ ମିଥ୍ୟା ଏନକାଉଣ୍ଟର ଘଟଣାକୁ ନିନ୍ଦା କରାଯାଇଛି । ଏହାର ପ୍ରତିଶୋଧ ନିଆଯିବ ବୋଲି ଉଲ୍ଲେଖ ରହିଛି । ପ୍ରତିବାଦରେ କଳାହାଣ୍ଡି,ନୟାଗଡ଼, କନ୍ଧମାଳ, ବୌଦ୍ଧ ଭଳି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏହାକୁ ସଫଳ କରିବା ପାଇଁ ପୋଷ୍ଟରରେ ଲେଖାଯାଇଛି । ତେବେ ଏସବୁ ପୋଷ୍ଟର ପ୍ରକୃତରେ ମାଓବାଦୀ ମାରିଛନ୍ତି କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି । ଏ ନେଇ ଘଣ୍ଟାପଡ଼ା ଥାନା ପୋଲିସ ତଦନ୍ତ ଜାରି ରଖିଛି ।

ଗତ କିଛି ଦିନ ହେଲା ଜିଲ୍ଲାରେ ମାଓବାଦୀଙ୍କ ହିଂସା ହ୍ରାସ ପାଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆହ୍ୱାନରେ ବହୁ ମାଓବାଦୀ ସମାଜର ମୁଖ୍ୟ ସ୍ରୋତକୁ ଫେରିଲେଣି । ଏବେ ବି ପୋଲିସର ଅଭିଯାନ ଜାରି ରହିଛି । ମାଓବାଦୀଙ୍କ ଦବଦବା ହ୍ରାସ ପାଉଥିବା ବେଳେ ପୁଣିଥରେ ସେମାନେ ସକ୍ରିୟ ହେଲେଣି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ମଧ୍ୟ ବଢ଼ିଛି ।

Leave a Reply

Your email address will not be published. Required fields are marked *