
ଆସନ୍ତା ମାସରେ ବୌଦ୍ଧ ଜିଲ୍ଲାରେ ଲୋକ ସଙ୍ଗୀତ ଉତ୍ସବ ‘ଦେଶଜ’ ଆୟୋଜିତ ହେବ । ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ବୌଦ୍ଧ ଟାଉନ୍ ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

କେଇଟା ଦିନ ପରେ ଲୋକ ସଙ୍ଗୀତ ଉତ୍ସବ ‘ଦେଶଜ’ ଆୟୋଜିତ ହେବ । ବୌଦ୍ଧ ଜିଲ୍ଲାର ବେଶ୍ ଲୋକପ୍ରିୟ ଲୋକସଙ୍ଗୀତ ଉତ୍ସବ ଦେଶଜ ୮ ଓ ୯ ତାରିଖରେ ଦୁଇଦିନ ଧରି ଚାଲିବ । ରାଜ୍ୟର ବିଭିନ୍ନ ଜିଲ୍ଲୀରୁ ସଙ୍ଗୀତଜ୍ଞ ଏବଂ କଳାକାରମାନେ ଏଥିରେ ଯୋଗଦେବେ । ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଏହି ଉତ୍ସବ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକନ୍ତି ବଳିୟାର ସିଂହ ସାମିଲ ହୋଇ ଉତ୍ସବ ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ମଧ୍ୟ ସାମିଲ ହୋଇଥିଲେ ।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ଆୟୋଜନ କରାଯାଉଛି । ଚଳିତଥର ଏହାକୁ ବେଶ୍ ଧୁମଧାମରେ ଆୟୋଜନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେପଟେ, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବାକୁ ବୈଠକରେ ଆଲୋଚନା ହୋଇଛି ।
