ଆହୁରି ଉଗ୍ର ହେବ ‘ବିପର୍ଯ୍ୟୟ’,ଜୁନ୍ ୧୫ ସୁଦ୍ଧା ଗୁଜରାଟ ଉପକୂଳ ନିକଟରେ ପହଞ୍ଚିପାରେ

ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହେଉଛି ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ । ଏହା ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ବିପର୍ଯ୍ୟୟ ଆହୁରି ତୀବ୍ରତର ହେବାର ସମ୍ଭାବନା ରହିଛି । ଏଥିସହ ଅତ୍ୟନ୍ତ ଉଗ୍ର ସାମୁଦ୍ରିକ ବାତ୍ୟା ପାଲଟିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ସୂଚନା ଅନୁସାରେ ଅତି ଉଗ୍ର ପାଲଟିଥିବା ଏହି ସାମୁଦ୍ରିକ ବାତ୍ୟା, ଉତ୍ତର ଆଡ଼କୁ ଗତିଶୀଳ ହୋଇ ଜୁନ୍‌ ୧୫ରେ ପାକିସ୍ତାନ ଓ ନିକଟବର୍ତ୍ତୀ ସୌରାଷ୍ଟ୍ର ଓ କଚ୍‌ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ଟ୍ୱିଟ୍ କରି ଜଣାଇଛି ଯେ ଗତକାଲି ରାତି ପ୍ରାୟ ୨.୩୦ ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପୋରବନ୍ଦରର ଦକ୍ଷିଣ ଓ ଦକ୍ଷିଣପଶ୍ଚିମକୁ ପ୍ରାୟ ୫୧୦ କିଲୋମିଟର୍‌ ଦୂର ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଥିଲା । ଏହା ଆହୁରି ଉଗ୍ର ହେବ ଏବଂ ଜୁନ୍ ୧୫ ତାରିଖ ସୁଦ୍ଧା ପାକିସ୍ତାନ ଏବଂ ସୌରାଷ୍ଟ୍ର ଓ କଚ୍‌ ଉପକୂଳ ନିକଟରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ଅନୁସାରେ,ବାତ୍ୟା ‘ବିପର୍ଯ୍ୟୟ’ଗୁଜରାଟ ଉପକୂଳରେ ‘ଲ୍ୟାଣ୍ଡ୍‌ଫଲ୍‌’ କରିବ ନାହିଁ । ଏହାର ପ୍ରଭାବରେ ସୌରାଷ୍ଟ୍ର ଏବଂ କଚ୍‌ରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି ।

ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । କେରଳର ୮ଟି ଜିଲ୍ଲାରେ ‘ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୁମ୍ବାଇ,ରାଇଗଡ଼,ରତ୍ନଗିରି ସମେତ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *