୧୫ ତାରିଖରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’, ସତର୍କ କଲା IMD

ଆରବ ସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ବିପର୍ଯ୍ୟୟ’ । ଆସନ୍ତା ଗୁରୁବାର ଅର୍ଥାତ ୧୫ ତାରିଖରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ଜାତୀୟ ପାଣିପାଗ ବିଭାଗ । ଗୁଜରାଟର କଚ୍ଛ ଏବଂ ପାକିସ୍ତାନର କରାଚି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ । ବାତ୍ୟା ବିପର୍ଯ୍ୟୟ ଉପକୂଳରେ ପହଞ୍ଚିବାକୁ ଆହୁରି ୨ ଦିନ ବାକି ଥିବାବେଳେ ଏବେ କିନ୍ତୁ ଏହାର ରୂପ ଦେଖାଇବା ଆରମ୍ଭ କଲାଣି ।

ତେବେ ଭାରତୀୟ ପାଣିପାଗ ବିଭାଗ IMDର କହିବାନୁସାରେ ‘ବିପର୍ଯ୍ୟୟ’କୁ ଅତି ଭୀଷଣ ବାତ୍ୟା ନ ହୋଇ ଭୀଷଣ ବାତ୍ୟା ହେବ । ‘ବିପର୍ଯ୍ୟୟ’ ବର୍ତ୍ତମାନ ପୋରବନ୍ଦରଠାରୁ ୨୯୦ କିଲୋମିଟର ଦୂରତାରେ ଥିବାବେଳେ ୧୫ ତାରିଖ ମଧ୍ୟାହ୍ନ ବେଳକୁ ବାତ୍ୟା ଜାଖାଉ ପୋର୍ଟ ଦେଇ ଅତିକ୍ରମ କରିବା ନେଇ ସୂଚନା ମିଳିଛି । ବାତ୍ୟା ଆସୁଥିବାରୁ ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତାକାଲି ଯାଏ ସୌରାଷ୍ଟ୍ର ଏବଂ କଚ୍ଛରେ ସମୁଦ୍ର ଅଶାନ୍ତ ରହିବ । ଗୁରୁବାର ଅତି ଉଚ୍ଚ ଜୁଆର ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି । ବିପର୍ଯ୍ୟୟ ଯୋଗୁଁ କଚ୍ଛ ସମେତ ଜାମନଗର, ମୋର୍ବି, ଗିର, ସୋମନାଥ, ପୋରବନ୍ଦର ଏବଂ ଦେବଭୂମି ଦ୍ବାରକା ପ୍ରଭାବିତ ହେବ । ଆଜିଠାରୁ ୧୫ ତାରିଖ ଯାଏ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ । ଘଣ୍ଟାପ୍ରତି ୧୨୫ରୁ ୧୪୫ କିଲୋମିଟର ବେଗରେ ପବନ ବହିବ ବୋଲି କହିଛି ପାଣିପାଗ ବିଭାଗ । ବର୍ତ୍ତମାନ ଏନଡିଆରଏଫର ୧୨ଟି ଟିମ୍ ନିୟୋଜିତ ହୋଇଥିବାବେଳେ ଆଉ ୧୫ଟି ଟିମ୍ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କେନ୍ଦ୍ର ସରକାର କହିଛନ୍ତି ।

Leave a Reply

Your email address will not be published. Required fields are marked *