କେନ୍ଦୁଝରରେ ରାବଣ ପୋଡ଼ି

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ କେଶଦୁରାପାଳରେ ଦଶହରାରେ ଜମିଲା ବଳଦ ଶୋଭାଯାତ୍ରା। କେଶଦୁରାପାଳ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି । କିଂବଦନ୍ତି କହେ ପ୍ରାଚୀନ କାଳରେ ଯାନବାହନ ନଥିବାରୁ ଲୋକେ ଭାର ବୋହିବା ପାଇଁ ପଶୁଙ୍କ ଉପରେ ନିର୍ଭର କରୁଥିଲେ । କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବଳଦ ମାନଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଉଥିଲେ । ଓଡ଼ିଆ ମହାଜନ ମାନେ ବଳଦ ପିଠିରେ ତେଲ-ଲୁଣ, ମସଲା ଓ ବିଭିନ୍ନ ସାମଗ୍ରୀ ଯଥା, କଂସାବାସନ ଓ ନିତ୍ଯ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ବ୍ୟବସାୟ ପାଇଁ ଯାଉଥିଲେ ।

ଏହି ପରମ୍ପରାକୁ ମନେ ପକାଇ କେଶଦୁରାପାଳରେ ପ୍ରାଚୀନ କାଳରୁ ଦଶହରା ଅବସରରେ ବଳଦଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଆଞ୍ଚଳିକ ବାଲିଯାତ୍ରା କମିଟିର ଉଦ୍ୟମରେ ବହୁ ବର୍ଷ ହେଲା ବଳଦ ଯାତ୍ରାକୁ ଧୁମଧାମରେ ପାଳନ କରାଯାଉଛି । କୃଷି କାର୍ଯ୍ୟରେ ନିଯୋଜିତ ବଳଦ ମାନଙ୍କୁ ଗହ୍ମା ପୂର୍ଣ୍ଣମୀରେ ପୂଜାର୍ଚ୍ଚନା କରାଯାଇଥାଏ । ଦଶହରାରେ ସମ୍ମାନ ଜଣାଇ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି ବୋଲି ଶିକ୍ଷାବିତ୍ ହରିପ୍ରସାଦ ମିଶ୍ର କହିଛନ୍ତି । ମହାଳୟା ପର ଠାରୁ ବଳଦ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଏଥିରେ ଭାଗ ନେବାକୁ ଥିବା ବଳଦ ମାନଙ୍କୁ ଚିହ୍ନଟ କରାଯାଇ ସପ୍ତାହେ ପୂର୍ବରୁ ସେମାନଙ୍କୁ ପରୀକ୍ଷା ମୂଳକ ଭାବେ ଦୌଡ଼ା ଯାଇଥାଏ ।

ଚଳିତ ବର୍ଷ ଯାତ୍ରାରେ ଉପର ସାହି, କୁମ୍ଭାର ସାହି ଓ ମଙ୍ଗଳପୁର ଗ୍ରାମର ବଛାବଛା ବଳଦ ମାନେ ଭାଗ ନେଉଥିଲେ । ଦଶହରା ଦିନ ସକାଳୁ ବଦଳମାନନଙ୍କୁ ସ୍ନାନ କରାଯାଇ ବେକରେ ପଲାଣ, ଟାହିଆ, ଘଣ୍ଟି, ମୟୂର ପୁଛ ଲଗାଯାଇ ଫୁଳ ଫୁଲ ମାଳ ପକାଯାଇଥାଏ । ପ୍ରଥମେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥାଲା । ଅପରାହ୍‌ଣରେ ବଳଦ ମାଲିକ ମାନେ ନିଜ ନିଜ ବଳଦକୁ ଧରି ବାଲିଯାତ୍ରା ପଡ଼ିଆରେ ଏକାଠି ହୋଇ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଦଳ ଗୁଡ଼ିକୁ ଚୟନ କରି ବିଚାରକଙ୍କ ଦ୍ବାରା ବଳଦକୁ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଦର୍ଶକଙ୍କ ଜନସମାଗମ ହୋଇଥାଏ । ଚଳିତ ବର୍ଷ ବଳଦ ଯାତ୍ରା ପରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଛି ।

Leave a Reply

Your email address will not be published. Required fields are marked *