
ପ୍ରଥମାଖଣ୍ଡି – ବନ୍ଧଡିହ ରାସ୍ତା କାମରେ ମହା । କୁମ୍ଭକର୍ଣ୍ଣ ନିଦରେ ପ୍ରଶାସନ। କୋଟି କୋଟି ଟଙ୍କା ଗିଳି ଠିକାଦାର ମାଲେମାଲ। ସାଧାରଣ ଜନତା ହେଉଛନ୍ତି ହନ୍ତସନ୍ତ। ଆମେ କହୁଛୁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମୂଳାପାଳ ଛକ ପ୍ରଥମାଖଣ୍ଡିରୁ ବନ୍ଧଡିହ ରାସ୍ତା କଥା। ଦଶମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସରୁନି କାମ। ସେପଟେ କୁମ୍ଭକର୍ଣ୍ଣକୁ ବଳିଯାଇଛି ସ୍ଥାନୀୟ ପ୍ରଶାସନ। ଠିକାଦାର ମନମୁଖୀ କାମ କରି ଚଳୁ କରୁଛନ୍ତି ଟଙ୍କା। ଫଳରେ ମୂଳାପାଳ ଛକ ପ୍ରଥମାଖଣ୍ଡିରୁ ବନ୍ଧଡିହ ରାସ୍ତା ପାଲଟିଛି ମରଣଯନ୍ତା। ଦଶରୁ ଅଧିକ ପଂଚାୟତର ହଜାର ହଜାର ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହାକୁ ନେଇ ଠିକାଦାରଙ୍କୁ ପଚାରିବାରୁ ଜନସାଧାରଣଙ୍କୁ ନାଲିଆଖି ଦେଖାଉଛନ୍ତି ଠିକାଦାର।
ଏଠାରେ କହିରଖୁଛୁ କି, ରାସ୍ତାର ଉନ୍ନତି କରଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଏବଂ ବରୀ ବିଧାୟିକା ସୁନନ୍ଦା ଦାସ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ସୂଚନା ଫଳକ ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ୯,୬୭,୧୭୦୦୦ ବ୍ୟୟ ଅଟକଳ ହୋଇଥିଲା। ଏହାରି ଭିତରେ କାର୍ଯ୍ୟ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସରୁନି କାମ। ଏନେଇ ଠିକାଦାରଙ୍କୁ କହିଲେ ସେ କର୍ଣ୍ଣପାତ କରୁନାହିଁ କୌଣସି କଥାକୁ। ଠିକାଦାରଙ୍କ ଏପରି ବପରୁଆ ରଙ୍ଗ ଢଙ୍ଗକୁ ଦେଖି ସ୍ପଷ୍ଟବାରି ହୁଏ ଯେ ଠିକାଦାର କୌଣସି ବାବୁ ଭାୟାଙ୍କ ଛତ୍ରଛାୟା ତଳେ ଅଛନ୍ତି, ତେଣୁ କାହାରିକୁ ନାହିଁ ଡର କି ଭୟ। ଯାହା ସାଧାରଣରେ ଅସନ୍ତୋଷର କାରଣ ହୋଇଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଯୋଜନା କଲେଣି ସାଧାରଣ ଲୋକେ ।