ଭୁବନେଶ୍ୱର: ଓଃ କି ମାଡ଼! ବାନ୍ଧିଲେ,ଉଲଗ୍ନ କରି ଛେଚିଲେ


ରାଜଧାନୀ ଭୁବନେଶ୍ୱରରେ କଙ୍ଗାରୁ କୋର୍ଟ । ନା କଥା ଶୁଣିଲେ, ନା ଆଇନକୁ ମାନିଲେ । ନିର୍ଯାତନାର ଶେଷ ସୀମା ଉଲ୍ଲଂଘନ କଲେ । ହଁ ଆଜ୍ଞା, ଭିଜୁଆଲ୍ ଦେଖିଲେ ଲୋମ ଟାଙ୍କୁରି ଯିବ । ଯିଏ ଆସିଲା ମାରିଲା । ଲାତ, ଗୋଇଠା, ବିଧା ମାରି ଚାଲିଲେ । ଯୁବକଙ୍କୁ ଉଲଗ୍ନ କଲେ, ନିସ୍ତୁକ ଛେଚିଲେ ।

ରାଜଧାନୀର ପଳାଶୁଣି ହାଟ ନିକଟରେ ପ୍ରାଚୀ ବିହାର ଛକ । ଗତ ଶୁକ୍ରବାର ରାତିରେ ଏଠାରେ ହିଁ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଥିଲା । ଜଣେ ଯୁବକ ମୋବାଇଲ୍ ଚୋରି କରିଥିବା ଅଭିଯୋଗରେ ଧରାପଡ଼ିଥିଲେ । ଏଥିରେ କୌଣସି ସତ୍ୟତା ନଥିଲା କି ପ୍ରମାଣିତ ହୋଇନଥିଲେ । କେବଳ ଅଭିଯୋଗରେ ଯୁବକଙ୍କୁ ଧରିଥିଲେ ୪ ଜଣ ଦୁର୍ବୃତ୍ତ । କାହା କଥା ଶୁଣିବାକୁ ନାରାଜ । ଆରମ୍ଭ ହେଲା ନିସ୍ତୁକ ମାଡ଼ । ଛେଚିଲେ, ଚପଲରେ ମାରିଲେ, ଆକ୍ରମଣର ସୀମା ଟପିଲା । ନେହୁରା, ଗୁହାରି ଶୁଣିଲେ ନାହିଁ । ଏତିକିରେ ଶେଷ ହୋଇନଥିଲା ନିର୍ଯାତନା । ଯୁବକଙ୍କୁ ଉଲଗ୍ନ କରି ରାସ୍ତାରେ ଥିବା ଗ୍ରୀଲରେ ବାନ୍ଧିଦେଲେ । ଯିଏ ଆସିଲା ମାରି ଚାଲିଲା । ଯୁବକଙ୍କୁ ଉଦ୍ଧାର କରିବା ବଦଳରେ ଦର୍ଶକ ସାଜିଲେ ଲୋକେ । ଭାଇରାଲ୍ କରିବା ପାଇଁ ଫଟୋ ବି ଉଠାଇଲେ । ଗୋଇଠା, ବିଧା, ଚାପୁଡ଼ା, ଚପଲ ମାଡ଼ରେ ଯୁବକଙ୍କୁ ଆହତ କଲେ । ଖରାପ ଭାଷାରେ ଗାଳିଗୁଲଜ ବି କଲେ । ମଳଦ୍ୱାରରେ ବିୟର ବୋତଲ ପୁରାଇ ହାତଗୋଡ଼ ଭାଙ୍ଗିଦେବାକୁ ଉସୁକାଇଲେ । କାହାରି କଥା ନଶୁଣି କଙ୍ଗାରୁ କୋର୍ଟର ନିୟମ ଫଲୋ କଲେ ।

ନିରୀହ ଯୁବକଙ୍କ କ’ଣ ଥିଲା ଦୋଷ । କେବଳ ତାଙ୍କ ନାଁରେ ମୋବାଇଲ୍ ଚୋରି ଅଭିଯୋଗ କରିଥିଲେ ଆକ୍ରମଣକାରୀ । ନା ମିଳିଥିଲା ମୋବାଇଲ୍ ନା ଅନ୍ୟ କିଛି ପ୍ରମାଣପତ୍ର । ରାଜଧାନୀର ରାଜରାସ୍ତାରେ ମନଇଛା ମାରି ଚାଲିଲେ । ଉଲଗ୍ନ କରି ଇଜ୍ଜତ ନେଲେ । ଆହତ ଯୁବକ ନେହୁରା ହେଲେ, ଗୋଡ଼ ଧରିଲେ । ଉଲଗ୍ନ ନକରି ମାଡ଼ ମାରିବାକୁ କହିଲେ ଯୁବକ । ହେଲେ ଏତିକିରେ ସେମାନଙ୍କ ମନ ଶାନ୍ତ ହେଲାନି । ମାଡ଼ମାରି ବେଶ୍ କିଛି ସମୟ ଉପଭୋଗ କଲେ । ତେବେ ଜଣେ ମହିଳା ବିଳମ୍ବ ନକରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପିସିଆର-୬ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରିଥିଲା । ଆହତଙ୍କୁ ମଞ୍ଚେଶ୍ୱର ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ।

୪ ମାସ ପୂର୍ବେ ମଞ୍ଚେଶ୍ୱର ଥାନା ଅଧୀନ ଜଗନ୍ନାଥ ଲେପର୍ସ କଲୋନୀରେ ଜଣେ ମହିଳାଙ୍କୁ କଙ୍ଗାରୁ କୋର୍ଟର ସାମ୍ନା କରିବାକୁ ପଡ଼ିଥିଲା । ତାଙ୍କୁ ବାନ୍ଧି ମାଡ଼ ମାରିଥିଲେ ଦୁର୍ବୃତ୍ତ । ରାଜଧାନୀରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ପୋଲିସ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇଛି ।

Leave a Reply

Your email address will not be published. Required fields are marked *