ଏକାମ୍ର କ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି । ମନ୍ତ୍ର ଓ ପୂଜାପାଠରେ କମ୍ପୁଛି ଏକାମ୍ର କ୍ଷେତ୍ର । ବେଶ୍ ସୁନ୍ଦର ଏବଂ ଚକାଚକ ହୋଇ ନିର୍ମିତ ହେବ ଦେଶର ଏହି ପ୍ରମୁଖ ଶୈବପୀଠ । ଏଭଳି ଆଧ୍ୟାତ୍ମିକ ପରିବେଶରେ ଆଜି ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଳା ପ୍ରତିଷ୍ଠା କରାଯିବା ସହ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୦୧ ସେବାୟତ ଓ ଅନ୍ୟ ପରିବାରଙ୍କୁ ସମ୍ବର୍ଦ୍ଧିତ କରିବେ ନବୀନ ।
ସେପଟେ, ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଯଜ୍ଞସ୍ଥଳୀରେ ପହଞ୍ଚି ଶିଳାସ୍ଥାନ ନିରୀକ୍ଷଣ କରି ଯଜ୍ଞସ୍ଥଳୀ ଯାଇଥିଲେ । ସେଠାରେ ସମସ୍ତ ବ୍ୟବସ୍ଥାକୁ ତଦାରଖ କରିବା ସହ ପ୍ରକଳ୍ପ କାର୍ଯ୍ୟ ନେଇ ଉପଦେଷ୍ଟା କମିଟି ଅଧ୍ୟକ୍ଷ ସହ ଟିକନିକ ଆଲୋଚନା କରିଥିଲେ । ସେଠାରେ ଉପସ୍ଥିତ ପୂଜକମାନେ ଶ୍ଳୋକ ପାଠ କରି ମନ୍ତ୍ରମୁଗ୍ଧ ପରିବେଶ ସୃଷ୍ଟି କରିଥିଲେ । ଯଜ୍ଞସ୍ଥଳୀରେ ଯେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କ ଭଲମନ୍ଦ କଥା ପଚାରି ବୁଝିଛନ୍ତି 5T ସଚିବ । ଯଜ୍ଞକୁଣ୍ଡ ନିକଟରେ ପ୍ରାର୍ଥନା କରି ହୋମକୁଣ୍ଡରେ ଘିଅ ଅର୍ପଣ କରିଥିଲେ ।
ଭିକେ ପାଣ୍ଡିଆନଙ୍କ ସମେତ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ବଲବନ୍ତ ସିଂ, ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଳାଙ୍ଗେ ଉପସ୍ଥିତ ଥିଲେ । ଖୋର୍ଦ୍ଧା ଜିଲ୍ଲା କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଏସବୁ କାର୍ଯ୍ୟର ତଦାରଖ କରିଛନ୍ତି ।