ଝାରପଡ଼ା: ଗୁଳିକାଣ୍ଡ ଘଟଣାରେ ୨ ଗିରଫ, ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଟିମ୍ ଗଠନ

ଭୁବନେଶ୍ୱର ଝାରପଡ଼ା ଗୁଳିକାଣ୍ଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଟକ ଅଭିଯୁକ୍ତମାନଙ୍କୁ ପଚରାଉଚୁରା କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ବୋଲି ପ୍ରେସମିଟରେ କହିଛନ୍ତି ଡିସିପି ।

ପୋଲିସର ସୂଚନା ଅନୁସାରେ ସାମାନ୍ୟ ବଚସାରୁ ରାଜଧାନୀର ଝାରପଡ଼ାରେ ଗୁଳିକାଣ୍ଡ ଘଟିଥିଲା । ଗତକାଲି ଝାରପଡ଼ା ଜଗନ୍ନାଥନଗର ଲେନ୍ ୱାନ ପ୍ରଜାପତି ମଣ୍ଡପରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ସେଠାରେ ଭୋଜି ଖାଇ ରିଙ୍କୁ ଜେନା ଏକ କାରରେ ଫେରୁଥିଲେ । ଅନ୍ୟ ଏକ କାରରେ ଥିଲେ ପ୍ରଭାତ ମାର୍ଥା ନାମକ ଯୁବକ । ଗାଡ଼ି ସାଇଡ୍ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଯୁକ୍ତିତର୍କ ପରେ ପ୍ରଭାତ ଏବଂ ତାଙ୍କର ଅନ୍ୟ ୩ ସହଯୋଗୀ ଗୁଳିମାଡ଼ କରିଥିଲେ । ୨ଟି ବନ୍ଧୁକରୁ ୧୨ ରାଉଣ୍ଡ ଫାୟାରିଂ ପରେ ଗୁରୁତର ହୋଇଥିଲେ ରିଙ୍କୁ ଏବଂ ତାଙ୍କ ବାପା ଶିଖର ଜେନା । ଶିଖରଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ପୁଅ ରିଙ୍କୁଙ୍କ ଡାହାଣ ଗୋଡ଼ରେ ଲାଗିଥିଲା ଆଘାତ । ଚିକିତ୍ସା ପାଇଁ ବାପାପୁଅ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଘଟଣାରେ ପୋଲିସ ରାଜା ସାହୁ ଓ ଦିବାକର କଳସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦିବାକର ସେନାରୁ ଅବସର ନେଇ ପ୍ରଭାତର ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଥିବା କହିଛି ପୋଲିସ । ହେଲେ ଚମ୍ପଟ ମାରିଥିଲେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ଓ ଅନ୍ୟ ଜଣେ ସହଯୋଗୀ ।

ସେମାନଙ୍କୁ ଧରିବା ପାଇଁ ଜଣେ ଏସିପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି । ଏଥିସହ ଘଟଣାସ୍ଥଳରୁ ୨ଟି ବନ୍ଧୁକ ଓ ୯ଟି ଖୋକା ଜବତ କରାଯାଇଥିବା କହିଛନ୍ତି ଡିସିପି ।

Leave a Reply

Your email address will not be published. Required fields are marked *