ଭୁବନେଶ୍ୱର କଳାରାହାଙ୍ଗ ଜଳେଶ୍ୱର ମହାଦେବ ମନ୍ଦିରର ନୀତି ପାଳି ଭୋଗ ଅଧିକାର ଏବଂ ଟଙ୍କା ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ । ସଭାପତି ଜନକ ପଣ୍ଡା, ତାଙ୍କ ପୁଅଙ୍କ ସମେତ ୫ ଜଣ, ଅନ୍ୟ ଜଣେ ପୂଜାରୀ ଏବଂ ତାଙ୍କ ପରିବାରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ଜଳେଶ୍ୱର ମହାଦେବ ମନ୍ଦିରରେ ୪ ଜଣ ପାଳି ଭୋଗ କରି ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇ ଆସୁଥିଲେ । ଶୀତଳଷଷ୍ଠୀ ଯାତ୍ରା ସରିଯାଇଥିବା ବେଳେ ଏବେ ଭୋଗ ଟଙ୍କା ଭାଗବଣ୍ଟାକୁ ନେଇ ବିବାଦ ଦେଖାଦେଇଛି । ପୂର୍ବ ସର୍ତ୍ତ ଅନୁସାରେ ସନ୍ତୋଷ ପଣ୍ଡାଙ୍କୁ ତାଙ୍କ ଭାଗ ଗତ ୧୭ ତାରିଖରେ ମିଳିବାର ଥିଲା କିନ୍ତୁ ଏହା ନ ମିଳିବା ପରେ ସଭାପତି ଜନକ ପଣ୍ଡାଙ୍କ ନିକଟରେ ଦାବି କରିଥିଲେ ।
ତେବେ ଭାଗ ଟଙ୍କା ନଦେଇ ସନ୍ତୋଷଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଲୁହା ପାଇପ୍ ଏବଂ ରବର ପାଇପରେ ଆକ୍ରମଣ କରାଯିବାରୁ ସନ୍ତୋଷ, ତାଙ୍କ ପତ୍ନୀ ଏବଂ ବାପାଙ୍କୁ ଆଘାତ ଲାଗିଛି ।
ସେମାନଙ୍କ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଘରେ ପଶି ଜିନିଷପତ୍ର ଭଙ୍ଗାରୁଜା କରିଛନ୍ତି । ସଭାପତି, ତାଙ୍କ ପୁଅଙ୍କ ସମେତ ୫ ଜଣଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଇ ବିଳମ୍ବ କରୁଥିବା କହିଛନ୍ତି ଅଭିଯୋଗକାରୀ ।