
ପରିବାରକୁ ନବାଗତର ଆଗମନ ପାଇଁ ଦୀର୍ଘ ୯ ମାସ ହେଲା ଥିଲା ଉତ୍ସାହ। କିଏ କେତେ ଯୋଜନା କରିଥିଲେ ତାର ସ୍ବାଗତ ପାଇଁ। ହେଲେ ସବୁ ଯୋଜନା,ଆଶା, ଉତ୍ସାହ ମାତ୍ର କେଇ ଘଣ୍ଟାରେ ହୋଇଗଲା ଛାରଖାର। ଏବେ ସମସ୍ତଙ୍କ ଭିତରେ ଦୁଃଖ, କୋହ ଓ କ୍ରୋଧ। କାରଣ, ଦ୍ବିତୀୟ ଭଗବାନଙ୍କ ସାମାନ୍ୟତମ ଅବହେଳା ଖାଲି ନବାଗତ ନୁହେଁ, ତାକୁ ଦୁନିଆକୁ ଆଣୁଥିବା ମା’କୁ ସବୁ ଦିନ ପାଇଁ ଚିର ନିଦ୍ରାରେ ଶୁଆଇ ଦେଲା। ଯାହାକୁ ନେଇ ପରିବାର ଲୋକେ ମେଡିକାଲରେ ତାଲା ପକାଇବା ସହ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ଗିରଫଦାରି ଦାବିରେ ଅଡି ବସିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ଭଦ୍ରକ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ।
ସୂଚନା ମୁତାବକ, ଆଗରପଡା ଥାନା ଅଧୀନ ବିରିଡି ଅଞ୍ଚଳର ୨୮ ବର୍ଷୀୟ ମଞ୍ଜୁଲତା ଘଡେଇଙ୍କ ଦ୍ଵିତୀୟ ସନ୍ତାନ ଜନ୍ମ ସମୟ ଆଗତ ହେବାରୁ ରବିବାର ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ରାତି ହୋଇଯାଇଥିଲା ତେଣୁ ପରିବାର ଲୋକେ ଆଗରପଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କୁ ସେଠାରୁ ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା। ତେଣୁ କାଳ ବିଳମ୍ବ ନ କରି ରାତି ୧୧.୩୦ରେ ତାଙ୍କୁ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟକୁ ନିଆଗଲା। ପରିବାର ଲୋକେ ବୋହୂର ଯନ୍ତ୍ରଣା ଦେଖି ଅପରେସନ ପାଇଁ କହିଥିବା ବେଳେ ନର୍ସ କହିଥିଲେ ନର୍ମାଲ ଡେଲିଭରୀ ହେବ, ବ୍ୟସ୍ତ ହେବାର କିଛି ନାହିଁ। କିନ୍ତୁ ହଠାତ୍ ମଞ୍ଜୁଙ୍କୁ OT କୁ ନେଇଥିଲେ। ପରେ ତାଙ୍କୁ ବାହାର କରି ଆଣିଥିଲେ। ଇଞ୍ଜେକସନ ମଧ୍ୟ ଦେଇଥିଲେ।
ଏପରି ଅଵସ୍ଥାରେ କୌଣସି ଚିକିତ୍ସା ନକରି ମଧ୍ୟରାତି ପର୍ଯ୍ୟନ୍ତ ପକାଇ ରଖିଲେ। ପରେ ଅପରେସନ ପାଇଁ ଦସ୍ତଖତ ନେଇ ମଧ୍ୟ ଅପରେସନ କରିନଥିଲେ। ସେପଟେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଞ୍ଜୁ। ଏହା ଦେଖି ସ୍ଵାମୀ ଅଭିମନ୍ୟୁ ଘଡେଇ ଡାକ୍ତରଙ୍କୁ ଅପରେସନ କରିବାକୁ ଗୁହାରୀ କରିଥିଲେ ମଧ୍ୟ ଡାକ୍ତର ଓ ନର୍ସ କେହି ଶୁଣିନଥିଲେ। ଏହା ପରେ ପ୍ରାୟ ୨ଟା ସୁଦ୍ଧା କହିଥିଲେ ପ୍ରସୂତିଙ୍କୁ କଟକ ନେଇଯିବାକୁ। ଏତେ ରାତିରେ କେମିତି କଟକ ନେବେ ତାହା ବୁଝିପାରିନଥିଲେ ପରିବାର ଲୋକେ। ତଥାପି କଟକ ନେବାକୁ ବ୍ୟବସ୍ଥା କରୁଥିବା ବେଳେ ଖବର ଆସିଥିଲା ମଞ୍ଜୁ ଆଉ ନାହାନ୍ତି। କଟକକୁ ରେଫରର ୩୦ ମିନିଟ୍ ପରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।
ଯାହା ପରିବାରବର୍ଗଙ୍କୁ ଉତ୍ତେଜିତ କରିଥିଲା। ଯଦି ମଞ୍ଜୁଙ୍କର କିଛି ସମସ୍ୟା ଥିଲା ତେବେ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ କାହିଁ କୁହା ଗଲାନି କି ଅପରେସନ କଲେନି ଡାକ୍ତର ବୋଲି ପ୍ରଶ୍ନ କରିବା ସହ ଡାକ୍ତରଙ୍କ ଅବହେଳାରୁ ମଞ୍ଜୁ ଓ ତାଙ୍କ ସନ୍ତାନର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି।ଉତ୍କ୍ଷିପ୍ତ ପରିବାର ଲୋକେ ମେଡିକାଲ ଗେଟ ଅବରୋଧ କରି ନ୍ୟାୟ ଦାବିରେ ଅଡି ବସିଥିବା ଦେଖିବାକୁ ମିଳିଥିଲା।
ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇବା ପରେ ଆଗରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛି ଓ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ସେପଟେ ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?