
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଆଉ ଏକ ବିରଳ ରେକର୍ଡ ଯୋଡ଼ି ହୋଇଛି । ଦେଶର ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାଁ ସ୍ଥାନିତ ହୋଇଛି । ପୂର୍ବରୁ ଏହି ସ୍ଥାନରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଛନ୍ତି ନବୀନ । ସିକିମ୍ ର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ୍ କୁମାର ଚାମଲିଙ୍ଗଙ୍କ ପଛକୁ ନବୀନ ପଟ୍ଟନାୟକଙ୍କ ନାଁ ଆସିଛି । ସିପିଏମ୍ ନେତା ଜ୍ୟୋତି ବସୁ ଦୀର୍ଘ ୨୩ ବର୍ଷ ୧୩୮ ଦିନ ଧରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । ୧୯୭୭ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ କ୍ରମାଗତ ୫ ଟି ଟର୍ମ ସେ ଥିଲେ ମୁଖ୍ୟମନ୍ତ୍ରୀ । ଜ୍ୟୋତି ବସୁଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି ନବୀନ ପଟ୍ଟନାୟକ ।
୨୦୦୦ ମସିହା ମେ ୫ ରେ ନବୀନ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କ୍ରମାଗତ ପଞ୍ଚମ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଆଜି ତାଙ୍କର ମୁଖ୍ୟମନ୍ତ୍ରୀତ୍ତ୍ୱକୁ ପୂରୁଛି ୨୩ ବର୍ଷ ୧୩୮ ଦିନ । ତେବେ ଦେଶରେ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ଥିଲେ ସିକିମ୍ ର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗଙ୍କ ନାଁରେ । ୧୯୯୪ ଡିସେମ୍ବର ୧୨ ରୁ ୨୦୧୯ ମେ ୨୭ ତାରିଖ ପର୍ଯ୍ୟନ୍ତ ସେ ଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ କାର୍ଯ୍ୟକାଳର ସମୟ ଥିଲା ୨୪ ବର୍ଷ ୧୬୬ ଦିନ । ସୁତରାଂ ଦେଶର ସବୁଠାରୁ ଲମ୍ବା ସମୟଧାରୀ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ରେକର୍ଡ ଅଛି । ଓଡ଼ିଶାରେ ଷଷ୍ଠ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କଲେ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗିବେ ।
ସୂଚନାଯୋଗ୍ୟ, ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିଥିବା ନବୀନ ପଟ୍ଟନାୟକ ୨୦୦୦ ମସିହାରୁ କ୍ରମାଗତ ପାଞ୍ଚ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଏତେ ଲମ୍ବା ସମୟ ଧରି ଶାସନଗାଦିରେ ଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି ଦୁର୍ନୀତି କି ଅପବାଦ ନାହିଁ । ବରଂ ଜଣେ ସ୍ୱଚ୍ଛ ଭାବମୂର୍ତ୍ତ ସମ୍ପନ୍ନ ନେତା ଭାବେ ତାଙ୍କର ଲୋକପ୍ରିୟତା ବଢ଼ିଚାଲିଛି । ଦକ୍ଷ ଓ ଉତ୍ତମ ପ୍ରଶାସକ ଭାବେ ତାଙ୍କ ନାଁରେ ଅନେକ ରେକର୍ଡ ଯୋଡ଼ି ହୋଇଛି । ଏଭଳି ଭାଗ୍ୟବାନ ରାଜନେତା କ୍ୱଚିତ ଥାନ୍ତି ବୋଲି ତାଙ୍କ ସମ୍ପର୍କରେ କୁହାଯାଏ ।