ଛୋଟ ପୋଷାକ ପିନ୍ଧିଲେ ମନ୍ଦିରରେ ପ୍ରବେଶ ମନା, ମନ୍ଦିର କମିଟିର ନିଷ୍ପତ୍ତି

ଏଣିକି ମଥୁରା ଓ ଆଗ୍ରାର ଅନେକ ମନ୍ଦିରରେ ଛୋଟ ପୋଷାକ ପିନ୍ଧିବା ଉପରେ କଟକଣା ଲଗାଯାଇଛି । ଏହା ସହିତ ଭକ୍ତମାନଙ୍କୁ ମନ୍ଦିରରେ ଭାରତୀୟ ପରମ୍ପରା ଅନୁଯାୟୀ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗ୍ରାସ୍ଥିତ କୈଳାଶ ମହାଦେବ ମନ୍ଦିର ସମେତ ଅନେକ ମନ୍ଦିରରେ ଛୋଟ ପୋଷାକ ପିନ୍ଧି ମନ୍ଦିର ପରିଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଗ୍ରା ପରି ମଥୁରାର ରାଧା ବଲ୍ଲଭଙ୍କ ସମେତ ଅନେକ ମନ୍ଦିରରେ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି ।

ଭକ୍ତମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ କୁହାଯାଇଛି ଯେ, ଯଦି ସେମାନେ ମନ୍ଦିରକୁ ଆସନ୍ତି ତେବେ ସେମାନେ ଭାରତୀୟ ପରମ୍ପରା ଅନୁଯାୟୀ ପୋଷାକ ପିନ୍ଧିବା ଉଚିତ୍, ନଚେତ୍ ସେମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯିବ ନାହିଁ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କଠୋର ନିୟମ କରାଯାଇଛି । ଏହା ସହିତ ମନ୍ଦିର ବାହାରେ ଏ ସମ୍ପର୍କିତ ଏକ ବୋର୍ଡ ମଧ୍ୟ ରଖାଯାଇଛି, ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଛୋଟ ପୋଷାକ ପିନ୍ଧି ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

ଆଗ୍ରା କୈଳାଶ ମହାଦେବ ମନ୍ଦିରର ମହନ୍ତ ପଙ୍କଜ ଗିରି ଏହା ବିଷୟରେ କହିଛନ୍ତି ଯେ, ହିନ୍ଦୁ ସଂସ୍କୃତି ଅନୁଯାୟୀ ପୋଷାକ ପିନ୍ଧି ପାରମ୍ପାରିକ ମନ୍ଦିରକୁ ଆସିବା ଉଚିତ୍ । ଯାହାଦ୍ୱାରା କାହାର ଧାର୍ମିକ ବିଶ୍ୱାସ ଆଘାତ ହେବନାହିଁ । ଏହାକୁ ଦୃଷ୍ଟିରେ ରଖି ମନ୍ଦିରରେ ଛୋଟ ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିସହିତ ମଥୁରାର ମନକାମେଶ୍ୱର ମହାଦେବ ମନ୍ଦିରର ମହନ୍ତ ଯୋଗେଶ ପୁରୀ ମଧ୍ୟ ତାଙ୍କ କଥାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ପୋଷାକ ମନ୍ଦିରରେ ପ୍ରବେଶ କରିବା ପାଇଁ ଆଦର୍ଶ ବୋଲି ବିବେଚନା କରାଯାଇଛି । ତେଣୁ ଭକ୍ତମାନେ କେବଳ ଭାରତୀୟ ପୋଷାକ ପିନ୍ଧି ମନ୍ଦିରରେ ପ୍ରବେଶ କରିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *