ବାଲେଶ୍ୱର: ବଢୁଛି ପରିବା ଦର, କମୁଛି ଚାହିଦା, ଗ୍ରାହକ ଛାନିଆ

ଏବେ ପରିବା ଦର ଆକାଶ ଛୁଆଁ । ଦରକୁ ନେଇ ଉଭୟ ଦୋକାନୀ ଓ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି । ଦର ଅଧିକ ଥିବାବେଳେ ଲୋକେ ଆବଶ୍ୟକତା ଠାରୁ କମ୍ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି । ବାଲେଶ୍ୱର ସହର ନୂଆ ବଜାର ପରିବା ମାର୍କେଟ ଏବେ ଖାଁ ଖାଁ ଲାଗୁଛି ।

ସାତ ଦିନ ପୂର୍ବରୁ ପରିବା ଦର ଠିକ୍ ଥିଲା । ଖାଉଟି ପରିବା କିଣିବାକୁ ନୂଆ ବଜାର ପରିବା ମାର୍କେଟରେ ଭିଡ଼ ଜମାଉଥିଲେ । ହେଲେ ଏବେ ମାର୍କେଟ ଏକପ୍ରକାର ଶୂନଶାନ୍ । ସପ୍ତାହକ ପରେ ବଦଳିଛି ମାର୍କେଟର ରୂପ । କାହିଁକି ନା ପରିବା ଦର ନ କହିବା ଭଲ । ପକେଟରୁ ଟଙ୍କା ସରୁଛି ମାତ୍ର ବ୍ୟାଗ୍ ଭରୁନି । ପୂର୍ବରୁ କେଜି କେଜି ଆଣୁଥିବା ଖାଉଟି ଏବେ ପରିବା କିଲେ ଆଣିବା ପାଇଁ ମୁହଁ ବୁଲାଉଛନ୍ତି ।

ନୂଆ ବଜାର ପରିବା ମାର୍କେଟରେ ସବୁବେଳେ ଗ୍ରାହକଙ୍କ ଭିଡ ଜମିଥାଏ । ହେଲେ ଏବେ ଗ୍ରାହକଙ୍କୁ ଅପେକ୍ଷା କରି ବସୁଛନ୍ତି ଦୋକାନୀ । ହଠାତ୍ ପରିବା ଦର ହୁହୁ ହୋଇ ବଢ଼ିଯାଇଛି ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବିଲାତି ବାଇଗଣ କେଜି ୯୦ ଟଙ୍କା, ବିନ୍ସ କିଲୋ ୨୦୦ ଟଙ୍କା, ଫୁଲ କୋବି ଗୋଟା ୬୦ ଟଙ୍କା ଥିବାବେଳେ ବନ୍ଧାକୋବି ଗୋଟାର ଦାମ୍ ରହିଛି ୨୫ ଟଙ୍କା । ପେପସିକମ୍ କିଲୋ ପିଛା ୨୦୦ ଟଙ୍କା ଥିବାବେଳେ ଅନ୍ୟାନ୍ୟ ପନିପରିବା ଦର ଶୁଣି ଗ୍ରାହକ ଛାନିଆ ।

ନୂଆ ବଜାର ପରିବା ମାର୍କେଟରେ ସପ୍ତାହକ ପୂର୍ବରୁ ଦର ବହୁତ କମ୍ ରହିଥିଲା । ଗ୍ରାହକ ବି ପନିପରିବା କିଣିବାକୁ ଆଗ୍ରହୀ ଥିବାବେଳେ ଦୋକାନୀଙ୍କ ଭଲ ବ୍ୟବସାୟ ହେଉଥିଲା । ଏବେ କିନ୍ତୁ ପରିବା ଦର ୪ ଗୁଣା ବଢ଼ିଯାଇଥିବାରୁ ଦୋକାନୀଙ୍କ ଭୟ ବ୍ୟବସାୟ ହେଉନି । ତେଣୁ ସେମାନେ ଗ୍ରାହକଙ୍କୁ ଅନାଇ ବସିଛନ୍ତି ।

Leave a Reply

Your email address will not be published. Required fields are marked *