
ବାଲେଶ୍ୱର ଜିଲ୍ଲା ସିଂଲା ପୋଲିସକୁ ସଫଳତା । ଜିଲ୍ଲାରୁ ଚୋରି, ଡକାୟତି, ହତ୍ୟା ଭଳି ଅପରାଧ ହ୍ରାସ କରିବାକୁ ପୋଲିସ ଅଭିଯାନ ଚଳାଇଥିବା ବେଳେ ଏବେ କିଛିଟି ସଫଳତା ମିଳିଛି । ଆସନ୍ତା ଦିନରେ ଅଭିଯାନ ଜାରି ରହିବ ଏବଂ ଅପରାଧିକ କାର୍ଯ୍ୟକଳାପରେ ରୋକ୍ ଲାଗିବ ବୋଲି ଆଶା କରାଯାଉଛି ।

ଡକାୟତି ଯୋଜନା କରୁଥିଲେ ହେଲେ ଏହା ଫେଲ୍ ମାରିଛି । ପୋଲିସ ଡକାୟତମାନଙ୍କୁ ଗିରଫ କରିଛି । ଡକାୟତି ଯୋଜନା ଚାଲିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସିଂଲା ପୋଲିସର ଏକ ଟିମ୍ ରେଡ୍ କରିଥିଲା ।

ସିଂଲା ଥାନା ପାଉଁଶକୁଲି ଫୁଟବଲ ପଡ଼ିଆ ନିକଟରେ ୭ ଜଣ ଡକାୟତି ପାଇଁ ପ୍ଲାନ୍ କରୁଥିବା ବେଳେ ଚଢ଼ାଉ ହୋଇଥିଲା । ଘଟଣାସ୍ଥଳରୁ ୬ ଜଣଙ୍କୁ ଧରିଥିଲା ଟିମ୍ । ହେଲେ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଥିଲା । ସେମାନଙ୍କ ଠାରୁ ଗୋଟିଏ କାର୍, ୨ଟି ବାଇକ୍ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତମାନଙ୍କ ଘର ସିଂଲା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୋଲି ସୂଚନା ମିଳିଛି । ପୂର୍ବରୁ ସେମାନଙ୍କ ନାଁରେ ଏକାଧିକ ମାମଲା ରହିଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବସ୍ତା ଏସଡିପିଓ ।