ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ୩ ଠାକୁର, ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଆଜି ବାହୁଡ଼ା ଯାତ୍ରାରେ ପୁରୀରେ ନାହିଁ ନଥିବା ଭିଡ଼ । ମହାପ୍ରଭୁଙ୍କ ଦର୍ଶନ କରି ଟିକିଏ ଆଶୀର୍ବାଦ ପାଇବା ପାଇଁ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ମହାବାହୁ । ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ଅପେକ୍ଷାରେ ରହିଛି । ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି ।

ଧାଡ଼ି ପହଣ୍ଡିରେ ରଥରେ ବିଜେ ହୋଇଛନ୍ତି ବଡ଼ ଠାକୁର ପ୍ରଭୁ ବଳଭଦ୍ର । ଘଣ୍ଟଘଣ୍ଟା,ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି । ଟାହିଆ ହଲାଇ ଶରଧାବାଲିରେ ଝୁଲିଝୁଲି ଆସିଛନ୍ତି ବଡ଼ ଠାକୁର । ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଶେଷ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଜମିଛି । ଆଜି ବାହୁଡ଼ା ଯାତ୍ରା ସରିବା ପରେ ପୁଣି ଥରେ ଆସନ୍ତା ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ ।

ଏହି ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଶ୍ରୀକ୍ଷେତ୍ରରେ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ଓ ଶୃଙ୍ଖଳିତ ରଥଟଣା ଉପରେ ଫୋକସ କରିଛି ପ୍ରଶାସନ । ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ହୋଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ବେଶ୍ ସମାଗମ ହେବ । ଏହାକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ପରେ ବାହୁଡ଼ା ଯାତ୍ରା,ଆଉ ତାପରେ ସୁନାବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ ।

Leave a Reply

Your email address will not be published. Required fields are marked *