
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରପଡ଼ିଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକ୍ମା ସୋମବାର ଗିରଫ ହୋଇ ଏବେ ଜେଲ ଯାଇଛନ୍ତି | ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଥିଲା ଭିଜିଲାନ୍ସ | ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଭବାନୀପାଟଣା ଜେଲ୍କୁ ପଠାଇ ଦିଆଯାଇଛି। ରବିବାର ରାତି ପ୍ରାୟ ୧୨ଟାରେ ଧୀମାନ୍ଙ୍କୁ ଧର୍ମଗଡ଼ରୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଅଣାଯାଇଥିଲା। ଆଜି ଦିନ ତମାମ୍ ମାରାଥନ୍ ଜେରା କରାଯାଇଥିଲା। ଦିନ ୨ଟାରେ ଭିଜିଲାନ୍ସ ସେଲ୍ ଏସ୍ପି ଏମ୍ ରାଧାକ୍ରିଷ୍ଣନ୍ ସାମ୍ବାଦିକ ସମ୍ମିଳନୀ କରି ଉପଜିଲ୍ଲାପାଳ ଧୀମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଥିଲେ।

ଏସ୍ପି କହିଥିଲେ, ଉପଜିଲ୍ଲାପାଳ ଧୀମାନ୍ ଚକମା ୧୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଚଢ଼ଉ ହୋଇଥିଲା। ଏହା ସହିତ ତନଖି ବେଳେ ତାଙ୍କ ସରକାରୀ ବାସଭବନରୁ ୪୭ଲକ୍ଷ ୪୭ ହଜାର ୬୦୦ ଟଙ୍କା ଜବତ ହୋଇଥିଲା। ସମୁଦାୟ ୫୭ ଲକ୍ଷ ୪୬ ହଜାର ୬୦୦ ଟଙ୍କା ଜବତ ହୋଇଥିବା ଏସ୍ପି କହିଥିଲେ। ଅଭିଯୋଗକାରୀଙ୍କ ନାମ ଗୁପ୍ତ ରଖାଯାଇଛି। ତେବେ ସେ ଜଣେ କ୍ରସର୍ ମାଲିକ ବୋଲି ସୂଚନା ଦେଇଥିଲେ। ସୋମବାର ଭିଜିଲାନ୍ସର ଏକ ଟିମ୍ ପୁଣି ଧର୍ମଗଡ଼ ଯାଇ ଉପଜିଲ୍ଲାପାଳଙ୍କ ଅଫିସ୍ରେ ଛାନ୍ଭିନ୍ କରିଥିଲେ। ସେମାନେ ବହୁ କାଗଜପତ୍ର ଜବତ କରିଛନ୍ତି। ଏହାଛଡ଼ା କର୍ମଚାରୀମାନଙ୍କ ସହ ବି ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଭିଜିଲାନ୍ସ କେସ୍ ନମ୍ବର ୬/୨୦୨୫ ରୁଜୁ କରିଥିଲା।























