Author: suchanatv24x7

  • OPSCକୁ ଝଟକା, ପୁଣି ଥରେ ASO ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ନିର୍ଦ୍ଦେଶ

    OPSCକୁ ଝଟକା, ପୁଣି ଥରେ ASO ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ନିର୍ଦ୍ଦେଶ

    ଶେଷରେ ASO ନିଯୁକ୍ତି ନେଇ OPSCର ମେରିଟ୍ ଲିଷ୍ଟ ଖାରଜ ହୋଇଛି । ଏହାକୁ ରଦ୍ଦ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ୨ ମାସ ମଧ୍ୟରେ ସାନି ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

    ଓପିଏସସି ପକ୍ଷରୁ ASO ପରୀକ୍ଷା କରାଯାଇଥିଲା । ତେବେ ଏଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଥିଲେ ପରୀକ୍ଷାର୍ଥୀ । ଏଥିରେ ଅର୍ଥ କାରବାର ନେଇ ଅଭିଯୋଗ ପରେ ଆନ୍ଦୋଳନର ରୂପ ନେଇଥିଲା । ଆଶାୟୀମାନେ ଏହାକୁ ଜୋରଦାର ବିରୋଧ କରିଥିଲେ । ବାରମ୍ବାର ମାମଲା କୋର୍ଟରେ ପହଞ୍ଚିଥିଲା । ଏବେ ପ୍ରକାଶିତ ମେରିଟ୍ ଲିଷ୍ଟ ରଦ୍ଦ କରିଛନ୍ତି କୋର୍ଟ ।

    ଅନିୟମିତତା ମାମଲା ରିଟ୍ ଆବେଦନରେ ପିଟିସନରଙ୍କ ପକ୍ଷରୁ ଯାହା ଦର୍ଶାଯାଇଥିବା ଯୁକ୍ତି ବୈଧ ବୋଲି କହିଛନ୍ତି କୋର୍ଟ । ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ । ନିୟମ ଅନୁଯାୟୀ ଲିଖିତ ପରୀକ୍ଷା ଆଧାରରେ ଆଉ ଥରେ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ଥିଲା । ଗତ ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବୀ ଲାଗି ପରୀକ୍ଷା ଆୟୋଜନ କରିଥିଲା ଓପିଏସସି ।

  • କୁନୋ ପାର୍କରେ ବାରମ୍ବାର ଚିତା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

    କୁନୋ ପାର୍କରେ ବାରମ୍ବାର ଚିତା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

    ମାତ୍ର ଦୁଇ ମାସରେ ତିନି ତିନିଟି ଚିତାଙ୍କ ମୃତ୍ୟୁ । ଏଭଳି ଘଟଣାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶର କୁନୋ ପାର୍କରେ ଥିବା ଅତିଥିଙ୍କୁ ତୁରନ୍ତ ରାଜସ୍ଥାନ ସ୍ଥାନାନ୍ତର କରିବା ଲାଗି କୋର୍ଟ ପରାମର୍ଶ ଦେଇଛନ୍ତି ।

    ଜଷ୍ଟିସ B.R.ଗଭାଇ ଓ ଜଷ୍ଟିସ ସଞ୍ଜୟ କାରୋଲଙ୍କୁ ନେଇ ଗଠିତ ଖଣ୍ଡପୀଠ, ବିଭିନ୍ନ ବିଶେଷଜ୍ଞ ଓ ତଥ୍ୟକୁ ଆଧାର କରି ଚିତାମାନଙ୍କୁ ସ୍ଥାନାନ୍ତର କରିବା ଲାଗି କହିଛନ୍ତି କୋର୍ଟ । ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଅଧିକ ସଂଖ୍ୟାକ ଚିତା ରହିପାରିବେ ନାହିଁ । ଏହା ସ୍ଥାନ ଚିତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି । ଚିତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଟାକ୍ସଫୋର୍ସ ଅନୁଧ୍ୟାନ କରୁଛି । ଖୁବଶୀଘ୍ର ସେମାନଙ୍କୁ ଅନ୍ୟତ୍ର ନେବା ଲାଗି ଯୋଜନା ଚାଲିଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟ୍ଟି କହିଛନ୍ତି ।

    ଗତ ମାର୍ଚ୍ଚ ୨୭ରେ ନାମିବ୍ୟାରୁ ଆସିଥିବା ସାସା ନାମ୍ନୀ ଚିତାର ମୃତ୍ୟୁ ଘଟିଥିଲା । କିଡନୀ ଖରାପ ଯୋଗୁଁ ଚିତା ପ୍ରାଣ ହରାଇଥିଲା । ମାର୍ଚ୍ଚ ୨୭ରେ ପ୍ରଥମ ଚିତାର ମୃତ୍ୟୁ ଘଟିବା ପରେ ୨୮ ତାରିଖରେ ଚିତା ଟାସ୍କ ଫୋର୍ସର ବିଶେଷଜ୍ଞଙ୍କ ଠାରୁ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ । ସେହିପରି ହୃଦରୋଗ ସମସ୍ୟା ଯୋଗୁଁ ଏପ୍ରିଲ ୨୩ରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଉଦୟ’ର ମୃତ୍ୟୁ ହୋଇଥିଲା । ହିଂସ୍ର ସଂଘର୍ଷରୁ ଗତ ମେ ୯ରେ ଦକ୍ଷିଣ ଆଫ୍ରିକାର ମାଈ ଚିତା ଦକ୍ଷା ମଧ୍ୟ ପ୍ରାଣ ହରାଇଥିଲା । ଏଭଳି ଘଟଣାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଥିବା ବେଳେ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି ।

    ଆମ ଦେଶରେ ୧୯୪୭-୪୮ରୁ ଚିତା ପ୍ରାୟତଃ ବିଲୁପ୍ତ ହୋଇଯାଇଥିଲେ । ୨୦୨୨ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇଥିଲା । ସେହିପରି ଗତ ଫେବ୍ରୁଆରୀ ୧୮ ତାରିଖରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଭାରତ ଆସିଥିଲା । ସେମାନଙ୍କ ମଧ୍ୟରେ ୭ଟି ମାଈ ଓ ୫ଟି ଅଣ୍ଡିରା ଚିତା ଅଛନ୍ତି । ଏବେ ମଧ୍ୟପ୍ରଦେଶର କୁନୋ ପାର୍କରୁ ରାଜସ୍ଥାନ ସ୍ଥାନାନ୍ତର ପାଇଁ କୋର୍ଟ, କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

  • ଗାଡିରେ ପ୍ରେସ୍ ଲେଖି ଗଞ୍ଜେଇ ହେଉଥିଲା ଚୋରା ଚାଲାଣ, ମାଡି ବସିଲା ପୋଲିସ

    ଗାଡିରେ ପ୍ରେସ୍ ଲେଖି ଗଞ୍ଜେଇ ହେଉଥିଲା ଚୋରା ଚାଲାଣ, ମାଡି ବସିଲା ପୋଲିସ

    ପ୍ରେସ ଗାଡିରେ ଗଞ୍ଜେଇ ହେଉଛି ଚୋରା ଚାଲାଣ । ଚୋର ଆପଣେଇଲା ଗଞ୍ଜେଇ ଚୋରୀର ନୂଆ ଫର୍ମୁଲା । ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ପାଡୁଆ ବଡ଼ ଦେବତା ମନ୍ଦିର ନିକଟ ଛକର । ଏକ XUV ଗାଡ଼ିରୁ ପୋଲିସ ଦ୍ବାରା ୧୫୧ କେଜି ଗଞ୍ଜେଇ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଉଛନ୍ତି ମହାରାଷ୍ଟ୍ରର ଔରାଙ୍ଗାବାଦ ଅଞ୍ଚଳର ମିଳିନ୍ଦ ଚିକତେ ଓ ଶୁଭମ ସଞ୍ଜୟ ସିନ୍ଧେ ।

    ଗତକାଲି ରାତିରେ କୋରାପୁଟ ଏସ୍‌ପିଙ୍କୁ ଇନପୁଟ ମିଳିଥିଲା ଯେ, ଏକ ଗାଡିରେ ଗଞ୍ଜେଇ ଚାଲାଣ ହେଉଛି । ସୂଚନା ପାଇବା ମାତ୍ରେ ପାଡ଼ୁଆ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ସକ୍ରିୟ ହୋଇଉଠିଥିଲେ । ବଡ଼ ଦେବତା ମନ୍ଦିର ନିକଟରେ ପୋଲିସର ମିଳିତ ଟିମ୍ ଗାଡ଼ିମୋଟର ଗୁଡ଼ିକୁ ଯାଞ୍ଚ କରିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏହି XUV-500 ଗାଡ଼ିକୁ ପୋଲିସ ସନ୍ଦେହ କରିବା ସହିତ ଅଟକାଇଥିଲା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଗାଡିର ଆଗ ଓ ପଛରେ ପ୍ରେସ ଲେଖାଯାଇଥିଲା । କାରଣ ଗଣମାଧ୍ୟମ ଗାଡି ଦେଖିଲେ ହୁଏତ ଅଧିକ ଯାଞ୍ଚ ହେବନାହିଁ ଭାବି ଚୋର ଏହି ଫଣ୍ଡା ଆପଣାଇଥିଲା ।

    ହେଲେ ଚୋରଙ୍କ ଏହି ଚକ୍ରାନ୍ତ ଫେଲ ମରିଥିଲା । ଯାଞ୍ଚ ବେଳେ ଏହି ଗାଡ଼ି ଭିତରୁ ୭ଟି ଜରି ବସ୍ତାରେ ଗଞ୍ଜେଇ ମିଳିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ପ୍ୟାକେଟ ଗୁଡ଼ିକୁ ଓଜନ କରାଯାଇଥିବା ବେଳେ ସେଥିରେ ୧୫୧ କେଜି ଗଞ୍ଜେଇ ଥିବା ଜଣାପଡ଼ିଥିଲା ।

    ଏସମ୍ପର୍କରେ ସୂଚନା ଦେବାକୁ ଯାଇ ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି ଯେ, ପୋଲିସ୍ ଆଖିରେ ଧୂଳି ଦେଇ ଯାଞ୍ଚରୁ ଖସିଯିବା ପାଇଁ ଅଭିଯୁକ୍ତ ମାନେ ଗାଡ଼ିରେ ପ୍ରେସ ଲେଖିଥିଲେ, କିନ୍ତୁ ସେମାନେ ସାମ୍ବାଦିକ ନୁହନ୍ତି ।

  • ସୁପ୍ରିମକୋର୍ଟକୁ ଆଜି ମିଳିବ ଆଉ ଦୁଇ ଜଣ ବିଚାରପତି

    ସୁପ୍ରିମକୋର୍ଟକୁ ଆଜି ମିଳିବ ଆଉ ଦୁଇ ଜଣ ବିଚାରପତି

    ସୁପ୍ରିମକୋର୍ଟରେ ଆଜି ଦୁଇ ଜଣ ନୂତନ ବିଚାରପତି ନିଯୁକ୍ତି ପାଇବେ । ସୁପ୍ରିମକୋର୍ଟର ବିଚାରପତି ଭାବେ ପ୍ରଶାନ୍ତ ମିଶ୍ର ଏବଂ କେ.ବି ବିଶ୍ୱନାଥନଙ୍କୁ ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଶପଥ ଗ୍ରହଣ କରାଇବେ । ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ତରଫରୁ ଅଧିବକ୍ତାଙ୍କ ନିଯୁକ୍ତିକୁ ଅନୁମୋଦନ ମିଳିବା ପରେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଅଧିବକ୍ତା କେ.ବି ବିଶ୍ୱନାଥନ ଆଜି ଶପଥ ଗ୍ରହଣ କରିବେ ବୋଲି ସ୍ପଷ୍ଟ ହୋଇଛି ।

    କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଟ୍ୱିଟରରେ ମିଶ୍ର ଏବଂ ବିଶ୍ୱନାଥନଙ୍କ ନିଯୁକ୍ତିକୁ ନିଶ୍ଚିତ କରିଛନ୍ତି । ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ଭାରତର ପ୍ରଧାନ ବିଚାରପତି (ସିଜେଇ) ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ସେମାନଙ୍କ ନାମ କେନ୍ଦ୍ରକୁ ସୁପାରିଶ କରାଯାଇଥିଲା ।

    ଜଷ୍ଟିସ ମିଶ୍ର ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଅଛନ୍ତି । ପାଞ୍ଚ ସଦସ୍ୟ ବିଶିଷ୍ଟ କଲେଜିୟମ କହିଛନ୍ତି ଯେ, ୩୪ ଜଣ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ଅନୁମୋଦିତ କରିବାର କ୍ଷମତା ରହିଛି, ଯାହା ବର୍ତ୍ତମାନ ୩୨ ଜଣଙ୍କ ସହ କାର୍ଯ୍ୟ କରୁଛନ୍ତି । ନିକଟରେ ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଦୀନେଶ ମହେଶ୍ୱରୀ ଏବଂ ଏମଆର ଶାହ ଅବସର ନେଇଛନ୍ତି ।

    ମେ ମାସ ୧୬ ତାରିଖ ଦିନ ବିଶ୍ୱନାଥନ୍ ଏବଂ ମିଶ୍ରଙ୍କ ନାମ ସୁପାରିଶ କରିବା ବେଳେ କଲେଜିୟମ୍ କହିଛି ଯେ, ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ଆହୁରି ଚାରିଟି ପଦବୀ ଖାଲି ହେବାକୁ ଯାଉଛି ଏବଂ ବିଚାରପତିଙ୍କ କାର୍ଯ୍ୟ କ୍ଷମତା ଆହୁରି ହ୍ରାସ ପାଇବ ।

  • ସରକାରୀ ବସକୁ ଗୁଳିମାଡ଼, ପୋଲିସର ଖୋଳତାଡ଼

    ସରକାରୀ ବସକୁ ଗୁଳିମାଡ଼, ପୋଲିସର ଖୋଳତାଡ଼

    ସରକାରୀ ବସ୍ ଉପରେ ଗୁଳିମାଡ଼ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ନିକଟରେ । ଏକ ସରକାରୀ ବସ୍ ଉପରକୁ ଗୁଳିମାଡ଼ ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇନାହାଁନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

    ସୂଚନା ଅନୁସାରେ ଗତକାଲି ରାତିରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ଏକ ଏସି ଡିଲକ୍ସ ବସ୍‌ ମାଲକାନଗିରି ଜିଲ୍ଲା ବାଲିମେଳାରୁ ବାହାରିଥିଲା । ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଗୁଳିମାଡ଼ ହୋଇଥିଲା । ବୈପାରୀଗୁଡ଼ା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ବସ୍ ଉପରକୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଗୁଳି ବସ୍‌ର ଗୋଟିଏ ପାର୍ଶ୍ୱ ଝରକାରେ ବାଜିଛି । ବସ୍ ଯାତ୍ରୀମାନେ ଏହାକୁ ନେଇ ଭୟଭୀତ ହୋଇଥିଲେ । ଘଟଣା ସମ୍ପର୍କରେ ବୈପାରୀଗୁଡ଼ା ପୋଲିସକୁ ଖବର ଦିଆଯାଇଥିଲା ।

    ତେବେ ଏଭଳି ଗୁଳିମାଡ଼ କିଏ ଓ କାହିଁକି କଲା ତାହା ଏଯାଏ ସ୍ପଷ୍ଟ ହୋଇନି । କେହି ପୂର୍ବ ଶତ୍ରୁତାରୁ ଏଭଳି କରିଥିବା ସନ୍ଦେହ କରାଯାଉଥିବା ବେଳେ ମାଓବାଦୀମାନେ ମଧ୍ୟ ଏଭଳି କାମ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ତେବେ ପୋଲିସ ଏହି ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ।

  • ରୁଷ ଉପରେ ଭାରି, ୩୦ କ୍ରୁଜ ମିସାଇଲ୍ ଖସାଇଲା ୟୁକ୍ରେନ୍ ସେନା

    ରୁଷ ଉପରେ ଭାରି, ୩୦ କ୍ରୁଜ ମିସାଇଲ୍ ଖସାଇଲା ୟୁକ୍ରେନ୍ ସେନା

    ଆଉ ୫ ଦିନ ପରେ ରୁଷ ଓ ୟୁକ୍ରେନ ଯୁଦ୍ଧକୁ ୧୫ ମାସ ପୂରିବ । ଏଯାଏ କିନ୍ତୁ ଯୁଦ୍ଧ କେବେ ଶେଷ ହେବ ସେ ନେଇ କୌଣସି ଉତ୍ତର ନାହିଁ । ଘମାଘୋଟ ଲଢ଼େଇ ଜାରି ରହିଥିବା ବେଳେ ରୁଷ୍ ସେନା ଉପରେ ଭାରି ପଡୁଛନ୍ତି ୟୁକ୍ରେନ୍ ସେନା । ପ୍ରତି ଆକ୍ରମଣରେ ରୁଷ୍ ବି ବ୍ୟାପକ କ୍ଷତି ସହିଲାଣି ।

    ଯୁଦ୍ଧରେ କିଏ ଜିତିବ କିଏ ହାରିବ ତାହା ତ ସମୟ କହିବ । ହେଲେ ବିଶ୍ୱବାସୀଙ୍କ ଉପରେ ଏହାର ପ୍ରଭାବ ପଡୁଛି । ଯୁଦ୍ଧରେ ରୁଷ ସେନା ଉପରେ କାଉଣ୍ଟର ଆଟାକ୍ କରୁଛି ୟୁକ୍ରେନ୍ । ୟୁକ୍ରେନ ପ୍ରତିରକ୍ଷା ବାହିନୀ ନିକଟରେ ପରାସ୍ତ ହେବାରେ ଲାଗିଛି ଋଷ ବାହିନୀ । ଗତ ୨୪ ଘଣ୍ଟାରେ ଋଷର ୩୦ଟି କ୍ରୁଜ୍ ମିସାଇଲ ମଧ୍ୟରୁ ୨୯ଟି ଖସାଇ ସାରିଲାଣି ୟୁକ୍ରେନ ସେନା । ଏଥିସହ ଋଷର ଅନେକ ସେନା ବି ଜୀବନ ହାରିଲେଣି । ଚାରିଟି ଡ୍ରୋନ୍ ଖସାଇଦେଲାଣି ୟୁକ୍ରେନ୍ । ଏହି ମିସାଇଲଗୁଡିକ କିଭ୍ ଓ ଅନ୍ୟାନ୍ୟ ସହରକୁ ଟାର୍ଗେଟ କରୁଥିଲା । ହେଲେ ଏହା ପୂର୍ବରୁ ସେଗୁଡ଼ିକୁ ଧ୍ୱଂସ କରିଛି ୟୁକ୍ରେନ୍ ସେନା । କିଭର ଦୁଇଟି ଅଞ୍ଚଳରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ଯୋଗୁଁ ୫ ଜଣ ଆହତ ହୋଇଛନ୍ତି ।

    ଏହି ଯୁଦ୍ଧରେ ଆମେରିକା ଏବଂ ଜର୍ମାନୀର ଭୂମିକାକୁ ନେଇ ସମାଲୋଚନା କରିଛି ଋଷ । ନିଜର ସ୍ବାର୍ଥ ହାସଲ ଲାଗି ୟୁକ୍ରେନକୁ ବ୍ୟବହାର କରାଯାଉଛି । ଏଭଳି ଅଭିଯୋଗ କରିଛି ମସ୍କୋ । ୟୁକ୍ରେନକୁ ଜର୍ମାନୀ ମଡର୍ଣ୍ଣ ବ୍ୟାଟଲ ଟ୍ୟାଙ୍କ୍ ଯୋଗାଇବା ଲାଗି ଘୋଷଣା କରିଥିବାରୁ ଏହାକୁ ବିରୋଧ କରିଛି ରୁଷ । ଋଷର ଘନଘନ ଆକ୍ରମଣରେ ୟୁକ୍ରେନର ବାଖମତ ସହର ପୁରାପୁରି ଧ୍ୱଂସ ହେଲାଣି । ସ୍କୁଲ,ବ୍ୟାବସାୟିକ ପ୍ରତିଷ୍ଠାନ ନଷ୍ଟ ହେଲାଣି । ଭୟରେ ଲୋକେ ସହର ଛାଡ଼ି ପଳାଉଛନ୍ତି ।
    ସହର ଏବେ ପୁରାପୁରି ଜନଶୂନ୍ୟ ହୋଇଛି ।

  • ଆଜି ସାବିତ୍ରୀ ବ୍ରତ, ସ୍ୱାମୀଙ୍କ ଦୀର୍ଘାୟୁ କାମନା କଲେ ସଧବା

    ଆଜି ସାବିତ୍ରୀ ବ୍ରତ, ସ୍ୱାମୀଙ୍କ ଦୀର୍ଘାୟୁ କାମନା କଲେ ସଧବା

    ଆଜି ସାବିତ୍ରୀ ଓଷା । ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା । ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ କରୁଛନ୍ତି ପୂଜାର୍ଚ୍ଚନା । ଯମରାଜଙ୍କ ଠାରୁ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳା ।

    ସକାଳୁ ସକାଳୁ ମଥାରେ ସିନ୍ଦୁର, ହାତରେ ନୂଆ ଚୁଡ଼ି,ରଙ୍ଗ ବେରଙ୍ଗ ଶାଢ଼ୀରେ ସଜେଇ ହୋଇ କେହିକେହି ସଧବା ମହିଳା ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ ପୂଜା କରିଛନ୍ତି । ରାଜ୍ୟର ବିଭିନ୍ନ ପୀଠରେ ସକାଳୁ ସକାଳୁ ପୂଜା କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ । ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ଆମ୍ବ,ପଣସ,ନଡ଼ିଆ,କାକୁଡ଼ି,ତାଳ,ଖଜୁରୀ ଆଦି ଦେଶୀ ଫଳରେ ପୂଜା କରାଯାଇଛି । ଓଡ଼ିଆ ଘରର ପରମ୍ପରା ଅନୁସାରେ ବିବାହିତ ମହିଳା ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାଆନ୍ତି । ହିନ୍ଦୁ ମହିଳାମାନେ ପ୍ରତିବର୍ଷ ଏହି ଦିନକୁ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି ।

  • ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ, ବଦଳିଲେ ୫ ଜିଲ୍ଲାର ଏସପି

    ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ, ବଦଳିଲେ ୫ ଜିଲ୍ଲାର ଏସପି

    ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୫ ଜିଲ୍ଲାର ଏସପିଙ୍କ ସହ ୧୮ ଆଇପିଏସଙ୍କ ଅଦଳବଦଳ ହୋଇଛି ।

    ଅମିତାଭ ଠାକୁରଙ୍କୁ ପରିବହନ କମିଶନର ଭାବେ ନିଯୁକ୍ତି ମିଳିଥିବା ବେଳେ ସୁରେଶ ଦେବଦତ୍ତ ସିଂ ଅତିରିକ୍ତ ଡିଜି (ଅପରେସନ) ଭାବେ ଦାୟିତ୍ୱ ତୁଲାଇବେ । ସେହିପରି ଦୟାଲ ଗଙ୍ଗଓ୍ବାର ଅତିରିକ୍ତ ଡିଜି (ରେଳବାଇ ଓ ଉପକୂଳ ସୁରକ୍ଷା), ନରସିଂହ ଭୋଳ (ଅବକାରୀ କମିଶନର), ରାଜେଶ କୁମାର ଅତିରିକ୍ତ ଡିଜି (ଆଧୁନିକୀକରଣ) ହୋଇଛନ୍ତି । ଆଶିଷ ସିଂ କେନ୍ଦ୍ରାଞ୍ଚଳ ଆଇଜି ଭାବେ ନିଯୁକ୍ତି ପାଇଥିବା ବେଳେ ରାଜେଶ ପଣ୍ଡିତ ଡିଆଇଜି (ଅଗ୍ନିଶମ ଓ ହୋମଗାର୍ଡ) ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଅଖିଳେଶ୍ୱର ସିଂଙ୍କୁ ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି ।

    କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏ.ଏମ.ପ୍ରସାଦଙ୍କୁ ମାନବାଧିକାର ସୁରକ୍ଷା ସେଲ୍‌ର ସ୍ପେଶାଲ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସେହିପରି ରେଳବାଇ ସ୍ବତନ୍ତ୍ର ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଡିଜି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଆର.କେ.ଶର୍ମା ଅତିରିକ୍ତ ଡିଜିପି (ମୁଖ୍ୟାଳୟ)ହୋଇଥିବାବେଳେ ସଞ୍ଜୟ କୁମାର ଆଇନଶୃଙ୍ଖଳା ଓ ଯୋଗାଯୋଗର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ନେବେ ।

    ସେହିପରି ସିଏସ ମୀନାଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ମୟୂରଭଞ୍ଜ, ରାଉରକେଲା, ସମ୍ବଲପୁର,କେନ୍ଦୁଝର ଓ ବଲାଙ୍ଗିର ଏସପିଙ୍କୁ ବଦଳି କରାଯାଇଛି । ବାତୁଲା ଗଙ୍ଗାଧର ମୟୂରଭଞ୍ଜ,ମୁକେଶ କୁମାର ଭାମୋ ସମ୍ବଲପୁର,କୁଶଲକର ନୀତୀନ ଦାଗୁଡୁ କେନ୍ଦୁଝର,ଖିଲାରି ରିଷିକେଶ ବଲାଙ୍ଗିର ଏସପି ଭାବେ ନିଯୁକ୍ତି ପାଇଥିବା ବେଳେ ମିତ୍ରଭାନୁ ମହାପାତ୍ର ରାଉରକେଲା ଏସପି ଭାବେ ନିଯୁକ୍ତି ହୋଇଛନ୍ତି ।

  • ଆହୁରି କିଛି ଦିନ ଯାଏ ଗ୍ରୀଷ୍ମଲହରୀ, ପଶ୍ଚିମରେ ଅଧିକ ତାତି

    ଆହୁରି କିଛି ଦିନ ଯାଏ ଗ୍ରୀଷ୍ମଲହରୀ, ପଶ୍ଚିମରେ ଅଧିକ ତାତି

    ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ସକାଳୁ ସକାଳୁ ଅସହ୍ୟ ଗୁଳୁଗୁଳି ଲୋକଙ୍କ ପାଇଁ ଟେନସନର କାରଣ ପାଲଟିଛି । ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହେଲାଣି । ଲୋକେ ଘରୁ ବାହାରିବା ପାଇଁ ଆଉ ମନ ବଳାଉନାହାଁନ୍ତି । ପୁଣି ଅଘୋଷିତ ବିଦ୍ୟୁତ୍ କାଟ୍ ରାଜଧାନୀବାସୀଙ୍କୁ ସମସ୍ୟାରେ ପକାଉଛି । ଗୁଳୁଗୁଳି ବେଳେ ବାରମ୍ବାର ବିଦ୍ୟୁତ୍ କାଟ୍ ଲୋକଙ୍କ ଟେନସନକୁ ଦ୍ୱିଗୁଣିତ କରିଛି ।

    ପଶ୍ଚିମରେ ତାତି ବଢୁଥିବା ବେଳେ ଉପକୂଳରେ କିନ୍ତୁ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟରେ ଦିନରେ ତାପମାତ୍ରା ବୃଦ୍ଧି ଘଟୁଛି । ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଛି । ତେଣୁ ସକାଳୁ ଗରମ ସହିତ ଅପରାହ୍ମରେ ସାମାନ୍ୟ ଆଶ୍ବସ୍ତି ମିଳୁଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଖରା ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ପଶ୍ଚିମ ଓଡ଼ିଶାରେ ତାପମାତ୍ରା କିନ୍ତୁ ଅଧିକ ରହିବ । କେତେକ ସ୍ଥାନର ତାତି ୪୫ ଡିଗ୍ରୀ ଛୁଇଁବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କେତେକ ସହରର ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ରହୁଥିବା ବେଳେ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।
    ଖରା ସହିତ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରୁଛି ।

    କୌଣସି ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ । ଏଭଳି ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ରହିଛି । ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ମଧ୍ୟ ହେଉଛି । ଏହି ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି । ଆସନ୍ତା କିଛି ଦିନ ଯାଏ ତାପମାତ୍ରା ବଢ଼ିବ, ଗୁଳୁଗୁଳି ହେବ । ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି ।