Author: suchanatv24x7

  • ‘ଦି କେରଳ ଷ୍ଟୋରୀ’ ଏକ ପ୍ରୋପାଗଣ୍ଡା ଫିଲ୍ମ – ନସିରୁଦ୍ଦିନ ଶାହ

    ‘ଦି କେରଳ ଷ୍ଟୋରୀ’ ଏକ ପ୍ରୋପାଗଣ୍ଡା ଫିଲ୍ମ – ନସିରୁଦ୍ଦିନ ଶାହ

    ନିକଟରେ ‘ଦି କେରଳ ଷ୍ଟୋରୀ’ ରିଲିଜ୍ ହୋଇସାରିଛି । ଏହା ରିଲିଜ ହେବା ପୂର୍ବରୁ ବିବାଦରେ ଥିବୀ ବେଳେ ରିଲିଜ ପରେ ମଧ୍ୟ ଏହା ବିବାଦରେ ରହିଥିଲା । ଏବେ ‘ଦି କେରଳ ଷ୍ଟୋରୀ କୁ ନେଇ ବିବାଦ ଥମିବା ନାଁ ଧରୁନି । କେହି କେହି ଏହାକୁ ସମର୍ଥନ କରୁଥିବା ବେଳେ କେହି କେହି ଏହାକୁ ତୀବ୍ର ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏବେ ଏହି ଫିଲ୍ମକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଭେଟରାନ ଆକ୍ଟର ନସିରୁଦ୍ଦିନ ଶାହ । ଏକ ସାକ୍ଷାତକାରରେ ନସିରୁଦ୍ଦିନ ଶାହ କହିଛନ୍ତି, ମୁସଲମାନଙ୍କ ବିରୋଧରେ ଘୃଣା ଭାବ ସୃଷ୍ଟି ପାଇଁ ଏପରି ଏଜେଣ୍ଡା ପ୍ରସ୍ତୁତ କରାଯାଉଛି । ଏହା ପଛରେ ଶାସକ ଦଳର ହାତ ରହୁଛି। ସମାଜରେ ମୁସଲମାନଙ୍କ ପ୍ରତି ଘୃଣା ଭାବ ଏବେ ଏକ ପ୍ରକାର ଫ୍ୟାଶନରେ ପରିଣତ ହୋଇଗଲାଣି। ଏହି ଅବସରରେ ସେ କହିଛନ୍ତି,‘ଦି କେରଳ ଷ୍ଟୋରୀ’ ଏକ ପ୍ରୋପାଗଣ୍ଡା ଫିଲ୍ମ । ଏହାକୁ ନେଇ ଏକ ରାଜନିତି କରାଯାଉଛି । ଆମ ଦେଶ ଏକ ଧର୍ମ ନିରପେକ୍ଷ ଦେଶ ଓ ଏଠାରେ ଲୋକତନ୍ତ୍ର ଶାସନ ଚାଲିଥିବା କୁହାଯାଉଥିବା ବେଳେ ଏବେ ସବୁ କ୍ଷେତ୍ରରେ କିନ୍ତୁ ଧର୍ମର ପରିଚୟ ଦେବାକୁ ପଡ଼ୁଛି। ରାଜନୈତିକ ପାର୍ଟି ନିର୍ବାଚନୀ ରାଲିରେ ଖୁଲମଖୁଲା ଧର୍ମ ନାଁରେ ଭୋଟ ମାଗୁଛନ୍ତି। ହେଲେ ସର୍ବସମ୍ମୁଖରେ ଯଦି କୌଣସି ମୁସଲମାନ ନିଜ ଆହ୍ଲା ନାଁ ଧରି ଦେଉଛି ତାହା ହେଲେ ହଙ୍ଗାମା ସୃଷ୍ଟି ହେଉଛି ବୋଲି କହିଛନ୍ତି ଏହି ଭେଟରାନ ଆକ୍ଟର। ନସିରୁଦ୍ଦିନ ଶାହଙ୍କ ଏପରି ବୟାନକୁ ନେଇ ଏବେ ବି-ଟାଉନ୍‌ ସମେତ ରାଜନୀତି ଜଗତରେ ବି ହଲଚଲ ଆରମ୍ଭ ହୋଇ ଯାଇଛି। ଭେଟରାନ ଆକ୍ଟର ନସିରୁଦ୍ଦିନ ଶାହଙ୍କ ଜୀବନ୍ତ ଅଭିନୟ ଯାଦୁକୁ ସମସ୍ତେ ପସନ୍ଦ କରିଥାଆନ୍ତି। ନସିରୁଦ୍ଦିନ ପ୍ରାୟତଃ ବିଭିନ୍ନ ପ୍ରସଙ୍ଗକୁ ନେଇ ଦେଉଥିବା ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି।

  • ଜୁନ୍ ୪ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ,ଓଡ଼ିଶାକୁ କେବେ?

    ଜୁନ୍ ୪ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ,ଓଡ଼ିଶାକୁ କେବେ?

    ମୌସୁମୀ ପାଇଁ ପାଗ ଅନୁକୂଳ । ଧୀରେ ଧୀରେ ଆଗକୁ ଅଗ୍ରସର ହେଉଛି ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ଏବେ ପାଗ ଅନୁକୂଳ ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର କିଛି ଅଂଶକୁ ଏବେ ଛୁଇଁଛି ମୌସୁମୀ । ସମ୍ପୂର୍ଣ୍ଣ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜକୁ ଏହା ଛୁଇଁସାରିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ମାଳଦୀପ, କୋମୋରିନ ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେବ ।

    ସେହିପରି କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ତଥା ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଭାବେ ଅନୁକୂଳ ରହିଛି । ଜୁନ୍ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ତେବେ ଓଡ଼ିଶାକୁ ମୌସୁମୀ କେବେ ଛୁଇଁବ, ସେ ନେଇ ଏଯାଏ କୌଣସି ଆକଳନ କରାଯାଇନଥିବା କହିଛି ଭାରତୀୟ ପାଣିପାଗ ବିଭାଗ ।

    କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଦୁଇରୁ ତିନି ଦିନ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଏହା ପରେ ତାପମାତ୍ରା ବୃଦ୍ଧି ପାଇବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆଗକୁ ଆହୁରୀ ତାପମାତ୍ରା ବଢ଼ିବାର ଆଶଙ୍କା ରହିଛି ।

  • ପୁଣି ବିମାନରେ ଅସଦାଚରଣ, କ୍ରୁ ମେମ୍ବରଙ୍କୁ ଖରାପ ବ୍ୟବହାର ଦେଖାଇ ବନ୍ଧା ହେଲେ ଯାତ୍ରୀ

    ପୁଣି ବିମାନରେ ଅସଦାଚରଣ, କ୍ରୁ ମେମ୍ବରଙ୍କୁ ଖରାପ ବ୍ୟବହାର ଦେଖାଇ ବନ୍ଧା ହେଲେ ଯାତ୍ରୀ

    ଏୟାର ଇଣ୍ଡିଆ ବିମାନରେ ଜଣେ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ ଘଟଣା ସାମ୍ନାକୁ ଆସିଛି । ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କହିଛି ଯେ, ମେ ୨୯ ତାରିଖରେ ଜଣେ ଯାତ୍ରୀ AI882 ବିମାନରେ ଅସଦାଚରଣ କରିଥିଲେ । ଅଭିଯୁକ୍ତ ଯାତ୍ରୀ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ପରେ ସେମାନଙ୍କ ମଧ୍ୟରୁ ଜଣକୁ ଆକ୍ରମଣ କରିଥିଲେ । ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ଯାତ୍ରୀ ଆକ୍ରମଣାତ୍ମକ ଆଚରଣ ଜାରି ରଖିବୀରୁ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ ।

    ଏୟାର ଇଣ୍ଡିଆ କହିଛି ଯେ, ଆମେ ଏହି ଘଟଣା ବିଷୟରେ ନିୟାମକଙ୍କୁ ମଧ୍ୟ ଜଣାଇଛୁ । ଏହାପୂର୍ବରୁ ଏପ୍ରିଲ ମାସରେ ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ । ବାସ୍ତବରେ ଏପ୍ରିଲ ୧୦ରେ ଦିଲ୍ଲୀ-ଲଣ୍ଡନ ବିମାନରେ ଜଣେ ଯାତ୍ରୀ ଦୁଇଜଣ ମହିଳା କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ । ଏହି ଘଟଣା ପରେ ଅଭିଯୁକ୍ତ ଜଣଙ୍କୁ ଦୁଇ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇ ଦିଆଯାଇଛି ।

    ଏୟାର ଇଣ୍ଡିଆର କ୍ୟାବିନ କ୍ରୁ ସୁପରଭାଇଜରଙ୍କ ଅଭିଯୋଗରେ ପୋଲିସ ପଞ୍ଜାବର ୨୫ ବର୍ଷିୟ ଯାତ୍ରୀ ଜସ୍କିରତ ସିଂ ପଡ୍ଡାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ସମ୍ପ୍ରତି ଉଡ଼ାଣରେ ଅସଦାଚରଣ ମାମଲା ଦ୍ରୁତ ଗତିରେ ବଢୁଛି । ଏପରିକି ଯାତ୍ରୀ ମାନଙ୍କ ଉପରେ ପରିସ୍ରା କରିବାର ଅନେକ ଘଟଣା ସାମ୍ନାକୁ ଆସୁଛି । ଏହି ମାସ ମେ ୧୧ ତାରିଖରେ ନିଷାସକ୍ତ ଅବସ୍ଥାରେ ଜଣେ ମହିଳା ଯାତ୍ରୀ ଦିଲ୍ଲୀ-କୋଲକାତା ଇଣ୍ଡିଗୋ ବିମାନରେ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ।

    ଅଭିଯୁକ୍ତ ମହିଳାଙ୍କୁ କୋଲକାତା ବିମାନ ବନ୍ଦରରେ ସିଆଇଏସ୍ଏଫ୍କୁ ହସ୍ତାନ୍ତର କରାଯାଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯାତ୍ରୀଙ୍କ ନାମ ପରମଜିତ୍ କୌର ଥିଲା ଏବଂ କ୍ରୁ ସଦସ୍ୟ ଏବଂ ସାଥୀ ଯାତ୍ରୀମାନେ ତାଙ୍କୁ ଅସଂଯତ ଅବସ୍ଥାରେ ପାଇଥିଲେ । ସେ କ୍ରୁ ଏବଂ ଅନ୍ୟ ଯାତ୍ରୀଙ୍କ ସହ ଖରାପ ଆଚରଣ କରିଥିଲେ । ବିମାନଟି ବିମାନବନ୍ଦରରେ ଅବତରଣ କରିବା ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ସିଆଇଏସ୍ଏଫ୍ କର୍ମଚାରୀ ମାନେ ଗିରଫ କରିଥିଲେ ।

  • କନ୍ୟାଙ୍କୁ କଣ୍ଡୋମ ସହ ଗର୍ଭନିରୋଧକ ବାଣ୍ଟୁଛି ଶିବରାଜ ସରକାର

    କନ୍ୟାଙ୍କୁ କଣ୍ଡୋମ ସହ ଗର୍ଭନିରୋଧକ ବାଣ୍ଟୁଛି ଶିବରାଜ ସରକାର

    ମଧ୍ୟପ୍ରଦେଶର କନ୍ୟା ବିଭା ଯୋଜନାରେ କନ୍ୟାର ମେକ୍ ଇନ୍ କିଟରେ କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକା ବଣ୍ଟନକୁ ନେଇ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ଫୋପଡା। ମଧ୍ୟପ୍ରଦେଶର ଜାବୁଆ ଜିଲ୍ଲା ଥାଞ୍ଜାଲାରେ ମୁଖ୍ୟମନ୍ତ୍ରୀ କାନିଆ ବିଭା ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ୨୯୬  ଦମ୍ପତିଙ୍କ ସମୂହ ବିବାହ କରାଯାଇଥିଲା। କିନ୍ତୁ ଶିବରାଜ ସିଂ ଚୌହାନ ସରକାରଙ୍କ ଏହି ଅଭିଯାନ ଏବେ ବିବାଦ ଭିତରକୁ ଟାଣି ହୋଇ ଆସିଛି ଯେତେବେଳେ ମେକ୍ ଅପ୍ ବାକ୍ସରେ ଗର୍ଭନିରୋଧକ ବଟିକା ସହିତ କଣ୍ଡୋମର ପ୍ୟାକେଟ୍ ବଣ୍ଟନ କରାଗଲା।

    କନ୍ୟାର ମେକ ଅପ୍  ବାକ୍ସରେ କଣ୍ଡୋମ ପ୍ୟାକେଟ ଏବଂ ବଟିକା ମିଳିବା ପରେ ରାଜ୍ୟ ସରକାର ବିବାଦ ଘେରକୁ ଟାଣି ହୋଇଆସିଛନ୍ତି। କାହା ନିର୍ଦ୍ଦେଶରେ ଏପରି ସାମଗ୍ରୀ କିଟରେ ରଖା ଯାଇଥିଲା ବୋଲି ପଚରା ଯିବାରୁ ଅଧିକାରୀ ସବୁ ଦୋଷ ସ୍ୱାସ୍ଥ୍ୟ ବିଭାଗ ଉପରକୁ ଠେଲି ଦେଇଛନ୍ତି। ଏହା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରାଯାଇଛି, କିନ୍ତୁ ଏ ସମ୍ପର୍କରେ କିଏ ନିର୍ଦ୍ଦେଶ ଦେଇଥିଲା ତାହା ସ୍ପଷ୍ଟ କରାଯାଇ ନାହିଁ। କଣ୍ଡମ ଓ ଗର୍ଭନିରୋଧକ ବଟିକା ଥିବା ମେକ୍ଅପ୍ କିଟ ସବୁକୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଦିଆଯାଇଛି।

    ଏଥି ସହିତ, ଏହି ପ୍ରସଙ୍ଗରେ ଦାୟିତ୍ୱରେ ଥିବା ସିଇଓ ଭୁର୍ସିଂହ ରାୱତ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ ଏହି ପୁରା କାର୍ଯ୍ୟ ସ୍ୱାସ୍ଥ୍ୟ ବିଭାଗର ଅଟେ। କିନ୍ତୁ ଏପରି ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ ଦେଖାଦେଇଛି। ସେ ଆହୁରି କହିଛନ୍ତି କି, “କଣ୍ଡୋମ ଏବଂ ଗର୍ଭନିରୋଧକ ଔଷଧ ବଣ୍ଟନ ପାଇଁ ଆମେ ଦାୟୀ ନୁହଁ। ଏହା ସମ୍ଭବତଃ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଣ୍ଟା ଯାଇଛି। ଏହିସବୁ ଜିନିଷକୁ ପରିବାର ନିୟନ୍ତ୍ରଣ ଯୋଜନା ଅନ୍ତର୍ଗତ ସଚେତନତା କାର୍ଯ୍ୟକ୍ରମ ଅଧୀନରେ ରଖାଯାଇଛି। ମୁଖମନ୍ତ୍ରୀ କନିଆ ବିବାହ ଯୋଜନା ଅଧୀନରେ ଆମେ ସିଧାସଳଖ ୪୯,୦୦୦ ଟଙ୍କା ଦେବୁ। ଏହି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବା। ଆମେ ବିବାହ ପାଇଁ ଖାଦ୍ୟ, ଜଳ ଏବଂ ଏକ ତମ୍ବୁ ମଧ୍ୟ ପ୍ରଦାନ କରୁଛୁ, ଯାହାର ମୂଲ୍ୟ ୬,୦୦୦ଟଙ୍କା। ବଣ୍ଟନ ହୋଇଥିବା ପ୍ୟାକେଟରେ କଣ ଅଛି ତାହା ମୋତେ ଜାଣି ନଥିଲି ବୋଲି କହିଛନ୍ତି ସିଇଓ। କିନ୍ତୁ ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ।

    ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ମହିଳାମାନଙ୍କ ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇବା ପାଇଁ ମଧ୍ୟପ୍ରଦେଶ ସରକାର ଏପ୍ରିଲ ୨୦୦୬ ରେ ମୁଖମନ୍ତ୍ରୀ କନ୍ୟା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅନୁଯାୟୀ ସରକାର କନ୍ୟାର ପରିବାରକୁ ୫୫,୦୦୦ ଟଙ୍କା ପ୍ରଦାନ କରୁଛନ୍ତି।

    ଗତ ମାସରେ, ଡିଣ୍ଡୋରି ଅଞ୍ଚଳରେ ଏକ ସମୂହ ବିବାହ ସମାରୋହରେ କିଛି କନ୍ୟାଙ୍କ ଗର୍ଭ  ପରୀକ୍ଷା କରାଯାଇଥିଲା, ଯାହାକୁ ନେଇ ବିବାଦ ଉପୁଜିଥିଲା। ଏହି ପରୀକ୍ଷାରେ କିଛି କନ୍ୟାଙ୍କ ପ୍ରେଗ୍ନେନ୍ସି ପଜିଟିଭ ବାହାରି ଥିଲା। ଏସମ୍ପର୍କରେ ଝିଅଙ୍କ ପକ୍ଷରୁ କୁହାଯାଇଥିଲା କି, ସେମାନଙ୍କ ନିର୍ବନ୍ଧ ହୋଇଥିବା ଯୁବକଙ୍କ ସହ ଥିଲା। ତେବେ ଏପରି ଘଟଣାକୁ ଅନେକ ବିରୋଧ କରିବା ସହ ଏହା ଝଅଙ୍କ ପ୍ରତି ଅଧିକାରୀଙ୍କ ଦୁର୍ବ୍ୟବହାର ବୋଲି କୁହାଯାଇଛି।

  • ଜାଣନ୍ତୁ ଏହି ମନ୍ଦିରକୁ ମୁକେଶ ଆମ୍ବାନୀ କାହିଁକି ଅଧିକ ଆସନ୍ତି, ଚଢାନ୍ତି ପ୍ରବଳ ଟଙ୍କା?

    ଜାଣନ୍ତୁ ଏହି ମନ୍ଦିରକୁ ମୁକେଶ ଆମ୍ବାନୀ କାହିଁକି ଅଧିକ ଆସନ୍ତି, ଚଢାନ୍ତି ପ୍ରବଳ ଟଙ୍କା?

    ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବିଷୟରେ ଲୋକମାନେ ଅନେକ କିଛି ଅଜଣା ଜାଣିବାକୁ ଚାହାଁନ୍ତି । ମୁକେଶ ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଜୀବନଶୈଳି ବିଷୟରେ ଆପଣ ତ ବହୁତ କିଛି ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ବହୁତ ଆଧ୍ୟାତ୍ମିକ ଅଟନ୍ତି । ଭାରତରେ ଏପରି ଅନେକ ମନ୍ଦିର ଅଛି, ଯେଉଁଠାକୁ ମୁକେଶ ଅମ୍ବାନୀ ପ୍ରାୟତଃ ପରିଦର୍ଶନ କରନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ନାଥଦ୍ୱାରରେ ଅବସ୍ଥିତ ଶ୍ରୀନାଥ ଜୀଙ୍କ ମନ୍ଦିର । ମୁକେଶ ଅମ୍ବାନୀ ଦୀର୍ଘ ଦିନ ଧରି ରାଜସ୍ଥାନର ନାଥଦ୍ୱାରାରେ ଅବସ୍ଥିତ ମନ୍ଦିରର ପରିଦର୍ଶନ କରିଆସୁଛନ୍ତି ଏବଂ ତାଙ୍କ ପରିବାର ମଧ୍ୟ ତାଙ୍କ ସହ ରୁହନ୍ତ ।

    ମୁକେଶ ଅମ୍ବାନୀଙ୍କ ବ୍ୟତୀତ ଅମିତାଭ ବଚ୍ଚନଙ୍କ ପରି ତାରକା ମଧ୍ୟ ନାଥଦ୍ବାରା ପରିଦର୍ଶନ କରନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଙ୍କିମାରେ ଯେ, ଏହି ମନ୍ଦିରର କଣ ମାନ୍ୟତା ରହିଛି । ତେଣୁ ଏହି ମନ୍ଦିର ସହିତ ଜଡିତ ବିଶେଷ କଥାଗୁଡିକ ଜାଣିବା ଯେଉଁଠାରେ ମୁକେଶ ଅମ୍ବାନୀଙ୍କ ପରି ଅନେକ ସେଲିବ୍ରିଟି ଆସନ୍ତି ।

    ଯଦି ଆମେ ନାଥଦ୍ୱାରା ବିଷୟରେ କଥା ହେବା, ଏହା ରାଜସ୍ଥାନର ଉଦୟପୁର ନିକଟରେ ରହିଛି । ଯେଉଁଠାକୁ ଆପଣ ଟ୍ରେନ୍ କିମ୍ବା ବିମାନ ଯୋଗେ ଉଦୟପୁରକୁ ଯାଇପାରିବେ । ଏହି ମନ୍ଦିର ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ଶ୍ରୀନାଥଜୀଙ୍କୁ ଉତ୍ସର୍ଗ କରାଯାଇଛି ଏବଂ ରାଜସ୍ଥାନର ଅନେକ ଭକ୍ତଙ୍କ ଭିଡରେ ଏହା ଏକ ପ୍ରସିଦ୍ଧ ଧାର୍ମିକ ସ୍ଥାନ ଅଟେ । ଶ୍ରୀନଥଜୀ ମନ୍ଦିର ୧୭ ତମ ଶତାବ୍ଦୀରେ ନିର୍ମିତ ହୋଇଥିଲା ଏବଂ ମହାରାଜା ରାଜ ସିଂଙ୍କ ଦ୍ୱାରା ଏହା ନିର୍ମିତ ହୋଇଥିଲା । ମନ୍ଦିରର ଆଖପାଖରେ ଏକ ବିରାଟ କ୍ଷେତ୍ର ରହିଛି ଯେଉଁଥିରେ ପ୍ରବେଶ କରିବାକୁ ଚାରୋଟି ଦ୍ୱାର ଅଛି । ଶ୍ରୀନାଥଜୀଙ୍କ ପ୍ରତିମା ମନ୍ଦିର ଭିତରେ ସ୍ଥାପିତ ହୋଇଛି, ଯାହା ଦେଖିବାକୁ ଶ୍ୟାମଳ ରଙ୍ଗର । ହୋଲି ପରେ ଏଠାରେ ଏକ ବିଶେଷ ଅବସର ଆସେ, ଯେତେବେଳେ ଏଠାରେ ବହୁତ ଭିଡ଼ ଜମିଥାଏ ।

    ଏହି ମନ୍ଦିର ବିଷୟରେ ଅନେକ ବିଶ୍ୱାସ ରହିଛି ଏବଂ ଏଠାକୁ ଆସିବା ପରେ ଲୋକଙ୍କ ଇଚ୍ଛା ପୂରଣ ହୁଏ । ସେଥିପାଇଁ ଭକ୍ତମାନେ ଏଠାରେ ଅନେକ ଟଙ୍କା ଚଢାଇଥାନ୍ତି ।

  • ଗଙ୍ଗା ମାଙ୍କ କୋଳରେ ଆଜି ପଦକ ଭସାଇବେ କୁସ୍ତିଯୋଦ୍ଧା

    ଗଙ୍ଗା ମାଙ୍କ କୋଳରେ ଆଜି ପଦକ ଭସାଇବେ କୁସ୍ତିଯୋଦ୍ଧା

    ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧା ମାନେ ଗଙ୍ଗାରେ ପଦକ ଭସାଇ ଦେବେ ବୋଲି ଘୋଷଣା କରିଛନ୍ତି । ରେସଲର ବିନେଶ ଫୋଗାଟ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ଏବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଜି ସନ୍ଧ୍ୟା ୬ଟା ସମୟରେ ଖେଳାଳି ମାନେ ହରିଦ୍ୱାରର ଗଙ୍ଗାରେ ପଦକ ଭାସାଇବେ । କୁସ୍ତିଯୋଦ୍ଧା ମାନଙ୍କ ବିରୋଧରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ କରିବାର ଦୁଇ ଦିନ ପରେ ମେ ୨୮ରେ ବିନେଶ ଫୋଗାଟ୍ ଏହି ଘୋଷଣା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ଥରେ ବି କୁସ୍ତିଯୋଦ୍ଧାଙ୍କ କଥା ପାଚାରି ବୁଝିନାହାନ୍ତି ।

    ବିନେଶ ଫୋଗାଟ ଟ୍ୱିଟରରେ ଏକ ଚିଠି ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି, ମେ ୨୮ରେ ଆମ ସହିତ କ’ଣ ଘଟିଛି ଆପଣ ସମସ୍ତେ ଦେଖିଛନ୍ତି । ଆମେ ମହିଳା କୁସ୍ତିଯୋଦ୍ଧା ମାନନଙ୍କୁ ଅନୁଭବ ହେଉଛି ଯେପରି ଏହି ଦେଶରେ ଆମର କିଛି ନାହିଁ। ଫୋଗାଟ୍ ଲେଖିଛନ୍ତି, ଯେତେବେଳେ ଆମେ ଅଲିମ୍ପିକ୍ସ, ବିଶ୍ୱ ଚାମ୍ପିଅନସିପରେ ପଦକ ଜିତିଥିଲୁ ସେହି ମୁହୂର୍ତ୍ତ ଗୁଡ଼ିକୁ ଆମେ ମନେ ରଖିଛୁ । ଏବେ ଲାଗୁଛି ଯେ, ସେହି ପଦକ କାହିଁକି ଜିତିଥିଲୁ । ସେ ଆହୁରି ଲେଖିଛନ୍ତି, ଆମେ ଏହି ପଦକ ଚାହୁଁନାହୁଁ । ଆମେ ଏହି ପଦକ ଗଙ୍ଗାରେ ଭସାଇବାକୁ ଯାଉଛୁ ।

    ପଦକ ଭସାଇବା ପରେ ଫୋଗାଟ ଆମରଣ ଅନଶନ କରିବାକୁ ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, ଏହି ପଦକ ଗଙ୍ଗାରେ ଭାସିଯିବା ପରେ ଆମ ଜୀବନର କୌଣସି ଅର୍ଥ ରହିବ ନାହିଁ । ସେଥିପାଇଁ ଆମେ ଇଣ୍ଡିଆ ଗେଟରେ ଆମରଣ ଅନଶନ କରିବୁ । ଫୋଗେଟ୍ କହିଛନ୍ତି, ଇଣ୍ଡିଆ ଗେଟ୍ ହେଉଛି ଆମର ଶହୀଦ ମାନଙ୍କ ସ୍ଥାନ, ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ଆମେ ସେମାନଙ୍କ ପରି ପବିତ୍ର ନୁହନ୍ତି, କିନ୍ତୁ ଆନ୍ତର୍ଜାତୀୟ ସ୍ତରରେ ଖେଳିବା ବେଳେ ଆମର ଭାବନା ​​ମଧ୍ୟ ସେହି ସୈନିକ ମାନଙ୍କ ପରି ଥିଲା ।

    ରବିବାର ଦିନ ଦିଲ୍ଲୀ ପୋଲିସ କୁସ୍ତିଯୋଦ୍ଧା ମାନେ ଏକ ପଦଯାତ୍ରା କରୁଥିବା ବେଳେ ସେମାନଙ୍କୁ ଗିରଫ କରିଥିଲା । ଏଥିସହିତ ଜନ୍ତରମନ୍ତରରୁ କୁସ୍ତିଯୋଦ୍ଧାଙ୍କ ଧାରଣା ସ୍ଥାନରୁ ସବୁକିଛି ଖାଲି କରିଦେଇଛି ଦିଲ୍ଲୀ ପୋଲିସ । କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ବିନେଶ ଫୋଗାଟ୍ ଚିଠିରେ କହିଛନ୍ତି, ପୋଲିସ ଆମକୁ କେତେ ନିର୍ଦ୍ଦୟ ଭାବେ ଗିରଫ କରିଛି । ଆମେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲୁ । ଆମର ଆନ୍ଦୋଳନର ସ୍ଥାନ ମଧ୍ୟ ଛଡାଇ ନିଆଯାଇଛି, ପୁଣି ପର ଦିନ ଗୁରୁତର ମାମଲାରେ ଆମ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଥିଲା । ମହିଳା କୁସ୍ତିଯୋଦ୍ଧା ମାନେ ଯୌନ ଉତ୍ପୀଡ଼ନ ପାଇଁ ନ୍ୟାୟ ମାଗିବା ଦ୍ବାରା ଅପରାଧ କରିଛନ୍ତି କି ?

    ଚିଠିରେ କୁସ୍ତି ଯୋଦ୍ଧାମାନେ ଏହି ପଦକକୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ହସ୍ତାନ୍ତର ନକରିବାର କାରଣ ମଧ୍ୟ ଦର୍ଶାଇଛନ୍ତି । ଏଥିରେ ଲେଖାଯାଇଛି, ଆମେ ପଦକ କାହାକୁ ଫେରାଇବୁ ତାକୁ ନେଇ ପ୍ରଶ୍ନ ଆମ ସାମ୍ନାକୁ ଆସିଥିଲା । ଆମ ରାଷ୍ଟ୍ରପତି ଯିଏ ନିଜେ ଜଣେ ମହିଳା । କିନ୍ତୁ ଆମ ମନ ଆମକୁ ମନା କଲା, କାରଣ ସେ ଆମକୁ ମାତ୍ର ୨ କିଲୋମିଟର ଦୂରରେ ବସି ଦେଖୁଥିଲେ, କିନ୍ତୁ କିଛି କହିନଥିଲେ ।

    ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଦକ ଫେରସ୍ତ ନକରିବାର କାରଣ ଦର୍ଶାଇ ଲେଖାଯାଇଛି ଯେ, ପ୍ରଧାନମନ୍ତ୍ରୀ ଆମକୁ ତାଙ୍କ ଘରର ଝିଅ ବୋଲି କହୁଥିଲେ । ସେ ନିଜ ଘରର ଝିଅଙ୍କ କଥା ଥରେ ବି ବୁଝିଲେ ନାହିଁ । ବରଂ ଯିଏ ଆମକୁ ଶୋଷଣ କରିଥିଲେ (ବ୍ରିଜଭୂଷଣ ଶରଣ ସିଂ) ନୂତନ ସଂସଦର ଉଦଘାଟନୀ ଉତ୍ସବରେ ତାଙ୍କୁ ଡକାଯାଇଥିଲା । ସେ ଚମକୁଥିବା ଧଳା ପୋଷାକରେ ଫଟୋ ଉଠାଉଥୁଲେ । ତାର ଧଳା ରଙ୍ଗ ଆମକୁ ଆହତ କରୁଥିଲା । ଯେମିତି ସେ କହୁଥିଲେ ମୁଁ ହିଁ ଶାସନ ।

    ଏହା ମଧ୍ୟ କୁହାଯାଇଥିଲା ଯେ, ଆମେ ଏହି ପଦକ ଗଙ୍ଗାରେ ଭସାଇବାକୁ ଯାଉଛୁ, କାରଣ ସେ ହେଉଛନ୍ତି ମାତା ଗଙ୍ଗା । ଆମେ ଗଙ୍ଗାକୁ ଯେତେ ପବିତ୍ର ବୋଲି ବିବେଚନା କରୁ, ସେତିକି ପରିମାଣର ପବିତ୍ରତା ସହିତ ପରିଶ୍ରମ କରି ଆମେ ଏହି ପଦକ ଅର୍ଜନ କରିଥିଲୁ । ଏହି ପଦକ ଗୁଡିକ ସମଗ୍ର ଦେଶ ପାଇଁ ପବିତ୍ର ଏବଂ ପବିତ୍ର ପଦକ ରଖିବା ପାଇଁ ଉପଯୁକ୍ତ ସ୍ଥାନ ମା ଗଙ୍ଗା ହିଁ ହୋଇପାରେ ।

    ଚିଠିର ଶେଷରେ କୁସ୍ତିଯୋଦ୍ଧା ମାନେ ଲୋକଙ୍କୁ ନିବେଦନ କରି ଲେଖିଥିଲେ, ଅଶୁଦ୍ଧ ଶାସନ ବ୍ୟବସ୍ଥା ନିଜ କାର୍ଯ୍ୟ କରୁଛି ଏବଂ ଆମେ ଆମର କରୁଛୁ । ବର୍ତ୍ତମାନ ଲୋକଙ୍କୁ ଚିନ୍ତା କରିବାକୁ ପଡିବ ଯେ, ସେ ତାଙ୍କର ଏହି ଝିଅମାନଙ୍କ ସହିତ ଅଛନ୍ତି ନା ସେମାନେ ଏହି ଝିଅ ମାନଙ୍କୁ ହଇରାଣ କରୁଥିବା ଧଳା ରଙ୍ଗର ସିଷ୍ଟମ ସହିତ ଛିଡା ହୋଇଛନ୍ତି ।

  • କରଞ୍ଜିଆ: ବ୍ଲାଙ୍କ ଚେକରେ ଲାଞ୍ଚ ନେଇ ତହସିଲଦାର ଗିରଫ

    କରଞ୍ଜିଆ: ବ୍ଲାଙ୍କ ଚେକରେ ଲାଞ୍ଚ ନେଇ ତହସିଲଦାର ଗିରଫ

    ଶେଷରେ ଗିରଫ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ । ବ୍ଲାଙ୍କ ଚେକ୍‌ରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ । ବ୍ଲାଙ୍କ ଚେକ୍‌ ଜରିଆରେ ଲାଞ୍ଚ ନେବା ରାଜ୍ୟରେ ପ୍ରଥମ ଘଟଣା ।

    ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲା । ଜମି କ୍ଷତିପୂରଣ ବାବଦରେ ୫୧୭୫୮୧୦ ଟଙ୍କା ଦେବାକୁ ଲାଞ୍ଚ ନେଉଥିଲେ ଚାର୍ଲସ ନାୟକ । ଏକକାଳୀନ ୪ଟି ସ୍ଥାନ କରଞ୍ଜିଆ ତହସିଲ ଅଫିସ,କରଞ୍ଜିଆସ୍ଥିତ କ୍ବାର୍ଟର୍ସ,ଭଦ୍ରକ ହସ୍ପିଟାଲ ନିକଟରେ ଥିବା ପୈତୃକ ଘର ଏବଂ କରଞ୍ଜିଆର ଛଡ଼େଇ ଭୋଲରେ ଭିଜିଲାନ୍ସ ରେଡ୍ କରିଥିଲା । ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ଚଢ଼ାଉ ହୋଇଥିଲା ।

    ଚାର୍ଲସ ନାୟକ ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋରରେ ତହସିଲଦାର ଥିଲେ । ସେଠାରେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା । ତେଣୁ ତାଙ୍କୁ ଦୂର ଜିଲ୍ଲାକୁ ବଦଳି କରାଯାଇଥିଲା । ଏବେ ପୁଣି କରଞ୍ଜିଆ ତହସିଲଦାର ଭାବେ ଦାୟିତ୍ୱ ନେବା ପରେ ଦୁର୍ନୀତି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭଳି ଅଭିଯୋଗ ଆସିଥିଲା । ତେଣୁ ତାଙ୍କ ନାଁରେ ଥିବା ସମ୍ପତ୍ତି ଅନ୍ୟାନ୍ୟ ଲିଙ୍କ୍ ଖୋଜୁଛି ଟିମ୍ ।

  • ଶେଷ ଦିନରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟପାଳ

    ଶେଷ ଦିନରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟପାଳ

    ସେ ଥିଲେ ଜଣେ ଦକ୍ଷ ପ୍ରଶାସକ ଆଉ ସୁଯୋଗ୍ୟ ସମାଜ ସଂସ୍କାରକ । ସେ ଏକା ଧାରରେ ଜଣେ ସାହିତ୍ୟକ, ଜଣେ ସଂଗୀତ ପ୍ରେମୀ ତଥା ବିଶେଷ କରି ଜଣେ ଦକ୍ଷ ରାଜ୍ୟପାଳ । ତାଙ୍କୁ କ୍ଷମତାରେ ଥିବା ସରକାର ଆଉ ବିରୋଧୀଙ୍କୁ ସାଥିରେ ଧରି ରାଜ୍ୟର ବିକାଶ କରିବାର କଳା ବେଶ ଭାଲଭାବେ ଜଣା । ପୂର-ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ନିଜର ବ୍ୟବହାର ଓ ବ୍ୟକ୍ତିତ୍ବ ବଳରେ ସେ ଛାଡିଯାଇଛନ୍ତି ସ୍ବତନ୍ତ୍ର ଛାପ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉ କି ବିଛିନ୍ନାଞ୍ଚଳ, ସବୁଠି ତାଙ୍କ ଲୋକପ୍ରିୟତା ଆକାଶଛୂଆଁ । କାରଣ ସେ ଯେ କେବଳ ରାଜ୍ୟପାଳ ଥିଲେ ତାହା ନୁହେଁ ଜଣେ ପ୍ରକୃତିକୁ ଭଲପାଉଥିବା ଆଉ ସହୃଦୟ ମଣିଷଟେ ଥିଲେ । ଛୋଟଛୋଟ ପିଲାଙ୍କ ସହିତ ତାଙ୍କର ଥିଲା ଅହେତୁକ ଦୁର୍ବଳତା ।

    ଆଜ୍ଞା ହଁ ଆମେ ଆଜି ଯେଉଁ ବଳିଷ୍ଠ ବ୍ୟକ୍ତିତ୍ବଙ୍କ ବିଷୟରେ ଆଲୋଚନା କରୁଛୁ ସେ ହେଉଛନ୍ତି ଓଡିଶାରେ ଦୀର୍ଘ ୫ ବର୍ଷ ଧରି ଦାୟୀତ୍ବରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାଙ୍କ କାର୍ଯ୍ୟକାଳର ଆଜି ହେଉଛି ଶେଷ ଦିନ । ତାଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଥିବାରୁ ନୂଆ ରାଜ୍ୟପାଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ଭବନ ପକ୍ଷରୁ ନୂଆ ରାଜ୍ୟପାଳ କିଏ ହେବେ ସେ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନଥିବା ବେଳେ ବିଧିବଦ୍ଧ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଗଣେଶୀ ଲାଲ ଏହି ଦାୟୀତ୍ବରେ ରହିବେ ବୋଲି ଅନିମାନ କରାଯାଉଛି।

    ଜଣେ ରାଜ୍ୟପାଳ ହୋଇଥିଲେ ବି ସର୍ବଦା ଅତି ସାଧାରଣ ଲୋକଙ୍କ ପରି ଥିଲା ତାଙ୍କ ଜୀବନଚର୍ଯ୍ୟା । ସାଧାସିଧା ଜୀବନ…ଉଚ୍ଚ ବିଚାର ଥିଲା ତାଙ୍କ ଜୀବନର ମୂଳ ମନ୍ତ୍ର । ଅଗଷ୍ଟ ପନ୍ଦରରେ ଛୋଟ ପିଲାଙ୍କୁ ଚୋକଲେଟ ବାଣ୍ଟିବା ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହିତ ମିଳାମିଶା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଥିଲା ଅତ୍ୟନ୍ତ ମାର୍ଜିତ ।

    ଗଣେଶୀ ଲାଲ ୨୦୧୮ ମସିହା ମେ’ ୨୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ । ସେ ଓଡ଼ିଶାବାସୀଙ୍କ ସଫଳତାର ଯାତ୍ରାରେ ଯାତ୍ରୀ ହେବା ସହ ବିଭିନ୍ନ ଜିଲ୍ଲାର ଅନେକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି । ନିଜର ସାଣିତ ବ୍ୟବହାର ଏବଂ ମାର୍ଜିତ ଆଚରଣ ଆଉ ସଂସ୍କାର ପାଇଁ ସେ ରାଜ୍ୟରେ ବୁଦ୍ଧିଜୀବୀଙ୍କ ନିକଟରେ ବେଶ ପରିଚିତ । ଦେଶର ବିଭିନ୍ନ ପ୍ରାନ୍ତରେ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଟଣାଓଟରା ହୋଇଥିବା ବେଳେ ରାଜ୍ୟରେ ପ୍ରତ୍ୟକ ଦଳ ମଧ୍ୟରେ ସମନ୍ବୟ ରକ୍ଷା କରି ରାଜ୍ୟକୁ ଆଗକୁ ବଢାଇବାରେ ତାଙ୍କର ଯୋଗଦାନ ଅତୁଳନୀୟ ।

    ରାଜ୍ୟପାଳ ଗଣେଶୀ ଲାଲ ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ସଫଳତାର ଶ୍ରେୟ ଜନସାଧାରଣଙ୍କ ସମର୍ଥନ ଓ ଆଶୀର୍ବାଦକୁ ଦେଇଛନ୍ତି । ତାଙ୍କର ଏହି ବିଚକ୍ଷଣ ଯାତ୍ରାରେ ଓଡିଶା ପାଇଁ ଥିବା ଅବଦାନ ପାଇଁ ତାଙ୍କର ଦୀର୍ଘ ଜୀବନ କାମନା କରି ସମଗ୍ର ଓଡିଶା ଆଜି ଝୁରୁଛି ।

  • ମଣିପୁର ହିଂସା: କଂଗ୍ରେସ ରାଷ୍ଟ୍ରପତିଙ୍କୁ ଭେଟିଥିବା ବେଳେ ଇମ୍ଫାଲରେ ଶାହ

    ମଣିପୁର ହିଂସା: କଂଗ୍ରେସ ରାଷ୍ଟ୍ରପତିଙ୍କୁ ଭେଟିଥିବା ବେଳେ ଇମ୍ଫାଲରେ ଶାହ

    ମଣିପୁରରେ ହିଂସା ଥମିବାର ନାମ ନେଉ ନାହିଁ। ଆଜିଠାରୁ ୪ ଦିନ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ଗସ୍ତରେ ଥିବା ବେଳେ ସେଠାକାର ସ୍ଥିତିକୁ ନେଇ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଛନ୍ତି  ବରିଷ୍ଠ ନେତା ଜୟରାମ ରମେଶ। ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଦାବି କରିଛନ୍ତି।  

    ମଙ୍ଗଳବାର କଂଗ୍ରେସର ବରିଷ୍ଠ ନେତା ଜୟରାମଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳରେ ମଣିପୁର କଂଗ୍ରେସର ସମସ୍ତ ନେତାଙ୍କ ସହ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଥିଲେ।  ଏହି ପ୍ରତିନିଧି ରାଷ୍ଟ୍ରପତିଙ୍କ ନିକଟରେ ଏକ ଚାରି ପୃଷ୍ଠାର ରିପୋର୍ଟ ଦାଖଲ କରିବା ସହ ଅଭିଯୋଗ କରିଛି କି,  ବିଜେପିର ପୋଲାରାଇଜେସନ୍ ରାଜନୀତି ଯୋଗୁଁ ମଣିପୁର ଜଳୁଛି। ମେ ୩ ତାରିଖରୁ ମଣିପୁରରେ ହିଂସାର ସୂତ୍ରପାତ ହୋଇଥିବା ବେଳେ ବିଜେପିକୁ ଏଥିରୁ କିଛି ଫରକ ପଡିନି।  କାରଣ କର୍ଣ୍ଣାଟକ ନିର୍ବାଚନ ଉପରେ ​​ବିଜେପିର ସମସ୍ତ ଧ୍ୟାନ ଥିଲା। କଂଗ୍ରେସ ରାଷ୍ଟ୍ରପତିଙ୍କୁ ଦାଖଲ କିଥିବା ରିପୋର୍ଟରେ ୧୨ ସୂତ୍ରୀ  କାର୍ଯ୍ୟ ଯୋଜନା ଉପସ୍ଥାପନ କରି ଏହା ଦ୍ୱାରା ରାଜ୍ୟରେ ହିଂସା ବନ୍ଦ ହୋଇପାରିବ ବୋଲି କୁହାଯାଇଛି।

    ଏହି ସାକ୍ଷାତକାର ପରେ ଦଳ ପକ୍ଷରୁ ଦଳର ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରାଯାଇଥିଲା। କଂଗ୍ରେସ କହିଛି ଯେ ଯେତେବେଳେ ଇବୋବି ସିଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ମଣିପୁରରେ ଏହା ଘଟି ନଥିଲା। ଆଜି ମଣିପୁରର ପରିସ୍ଥିତି  ଆପଣଙ୍କ ଆଗରେ ରହିଛି। ଏହା ମଣିପୁର ଇତିହାସରେ ପ୍ରଥମ ଘଟଣା। ଏହା ପୂର୍ବରୁ ଏପରି ଘଟଣା କେବେ ହୋଇନାହିଁ | ଏହା ଏକ ଦୁର୍ଭାଗ୍ୟଜନକ ଘଟଣା | ଆଜି ବି ସେଠାରେ ହିଂସାରେ କିଛି ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଘଟଣାକୁ ନେଇ ବିଜେପିର କ’ଣ ଲୁକ୍କାୟିତ ଏଜେଣ୍ଡା ଆମକୁ ଜାଣେ ନାହିଁ ବୋଲି କହିଛି କଂଗ୍ରେସ।

    ସେପଟେ ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ଗସ୍ତରେ ଅଛନ୍ତି। ଆଗାମୀ କିଛି ଦିନ ଧରି ଗୃହମନ୍ତ୍ରୀ ଏଠାରେ ରହି ବରିଷ୍ଠ ସେନା ଅଧିକାରୀ ତଥା ବିଭିନ୍ନ ଦଳ ତଥା ନାଗରିକ ସମାଜ ସଂଗଠନର ଲୋକଙ୍କୁ ଭେଟିବା ଓ ବୈଠକର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ରାଜ୍ୟରେ ଚାଲିଥିବା ହିଂସାକୁ ରୋକିବା ଉପରେ ଆଲୋଚନା କରିଛନ୍ତି। ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କିଛି ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିପାରନ୍ତି।

     ଗତକାଲି ସେ ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈ ଠକ ମଧ୍ୟ କରିଥିଲେ। ରବିବାର ଦିନ ହୋଇଥିବା ହିଂସା ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାରଜଣ ଆହତ ହୋଇଥିଲେ। ମଙ୍ଗଳବାର ସୁଦ୍ଧା ସେଠାର ହିଂସା ଘଟଣାରେ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୦ରେ ପହଞ୍ଚି ଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

  • ନନ୍ଦପୁର: ଗଞ୍ଜେଇ ଭର୍ତ୍ତି ଟାଟା ଇଣ୍ଡିଗୋକୁ ଧରିଲା ପୋଲିସ

    ନନ୍ଦପୁର: ଗଞ୍ଜେଇ ଭର୍ତ୍ତି ଟାଟା ଇଣ୍ଡିଗୋକୁ ଧରିଲା ପୋଲିସ

    କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ପାଡୁଆ ପୋଲିସ ଗଞ୍ଜେଇ ଚାଲାଣକାରୀ ଗାଡ଼ି ଏବଂ ଗଞ୍ଜେଇ ଜବତ କରିଛି । ଘଟଣାସ୍ଥଳରୁ ଚୋରାଚାଲାଣକାରୀ ଫେରାର ହୋଇଯାଇଛି । ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ନେଇ ସୂଚନା ଦେଇଛନ୍ତି ଏସଡିପିଓ ସଞ୍ଜୟ ମହାପାତ୍ର ।

    ବିଶେଷ ସୂତ୍ରରୁ ଖବର ପାଇ ଗେମେଲାପୁଟ ଗାଁ ନିକଟରେ ଚଢ଼ାଉ କରିଥିଲା ପୋଲିସ । ପାଡୁଆ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ହଠାତ୍ ରେଡ୍ କରିଥିଲେ । ଘଟଣାସ୍ଥଳରେ ଥିବା ଲାଲ ରଙ୍ଗର ଟାଟା ଇଣ୍ଡିଗୋ କାର୍ ଯାଞ୍ଚ କରିଥିଲେ ଥିଲେ । ପୋଲିସକୁ ଦେଖି ଚାଲାଣକାରୀମାନେ ସେଠାରୁ ଖସି ପଳାଇଥିଲେ । ଗାଡ଼ି ଯାଞ୍ଚବେଳେ ୫ ବସ୍ତା ଗଞ୍ଜେଇ ସହ ଗାଡ଼ି ଜବତ କରାଯାଇଥିଲା । ଜବତ ଗଞ୍ଜେଇର ଓଜନ ଥିଲା ୧୩୫ କେଜି । ଘଟଣାର ତଦନ୍ତ କରୁଛନ୍ତି ଏସଆଇ ଡି.କେ.ବାରିକ ।

    ସେପଟେ ଦୁଇଦିନ ପୂର୍ବେ ଚିତ୍ରକୋଣ୍ଡା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା । ଚିତ୍ରକୋଣ୍ଡା ବ୍ଲକ୍ ବଡ଼ପଦର ପଞ୍ଚାୟତ ଅଞ୍ଚଳରୁ ୮୫ଟି ବସ୍ତାରେ ଭର୍ତ୍ତି ଗଞ୍ଜେଇ ଜବତ ହୋଇଥିଲା । ଜଙ୍ଗଲରେ ରେଡ୍ କରି ଏତେ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା ଯାହାର ମୂଲ୍ୟ ୨ କୋଟି ୧୫ ଲକ୍ଷ ଥିଲା । ତେବେ ଘଟଣାରେ କୌଣସି ଅଭିଯୁକ୍ତ ଧରାପଡ଼ିନଥିଲେ । ପୋଲିସ ପହଞ୍ଚିବା ପୂର୍ବରୁ ଚୋରା ଚାଲାଣକାରୀ ଅନ୍ଧାର ଓ ଜଙ୍ଗଲର ସୁବିଧା ନେଇ ଫେରାର୍ ହୋଇଯାଇଛନ୍ତି । ଏତେ ପରିମାଣର ଗଞ୍ଜେଇ କେଉଁଠି ଆସିଲା, କାହାର ସଂପୃକ୍ତି ସେ ନେଇ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିଯିବ ବୋଲି ପୋଲିସ କହିଛି ।