Author: suchanatv24x7

  • ଉଚ୍ଚଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ, ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ

    ଉଚ୍ଚଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ, ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ

    ଉଚ୍ଚଶିକ୍ଷା ବିଭାଗରେ ଲଗାତର ଖରାପ ପ୍ରଦର୍ଶନ । ସେଥିପାଇଁ ଶେଷରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସୁପାରିଶ ପରେ ରାଜ୍ୟପାଳ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି ।

    ସୂଚନା ଅନୁସାରେ ଉଚ୍ଚଶିକ୍ଷା ବିଭାଗରେ ମନ୍ତ୍ରୀଙ୍କ ଖରାପ ପ୍ରଦର୍ଶନ ରହିଛି । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି । ଗତ ଜୁନରେ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଥିଲେ ରୋହିତ । ଏବେ ସେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି । କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ରୋହିତ, ବିଜେଡିରେ ଯୋଗ ଦେବା ପରେ ଜୁନରେ ମନ୍ତ୍ରୀ ପଦ ପାଇଥିଲେ ।

    ସେପଟେ, ରାଜନୀତି କ୍ଷେତ୍ରରେ ଅବସର ନେବାର କୌଣସି ବୟସ ସୀମା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବିଧାନସଭା ନିର୍ବାଚନ ନଲଢ଼ିବା ଉଚିତ ବୋଲି ଯୁକ୍ତି ରଖିଥିଲେ । ଏହି ଅବସର ନୀତି ଯୁକ୍ତି ପରେ ରେଢ଼ାଖୋଲ ଅଂଚଳରେ ସାଂଗଠନିକ ସ୍ଥିତି ପୂର୍ବାପେକ୍ଷା ଦୁର୍ବଳ ହୋଇଛି ।

    ବରିଷ୍ଠ ନେତାଙ୍କ ସକ୍ରିୟତାକୁ ନେଇ ବିଧାନସଭା ‌କ୍ଷେତ୍ର ହାତଛଡ଼ା ହେବା ଡର ମଧ୍ୟ ସରକାରଙ୍କୁ ଘାରିଛି । ଏହି ମନ୍ତବ୍ୟ ରୋହିତଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ସମ୍ବଲପୁର ଓ ରେଢ଼ାଖୋଲ ଅଞ୍ଚଳରେ ନେତା ଜୋରଦାର ଚର୍ଚ୍ଚା କରିଛନ୍ତି । ସେପଟେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।

  • ବାହାନଗା ହାଇସ୍କୁଲ ବନିବ ନଂ-1, ଆଦର୍ଶ ସ୍କୁଲ ଭାବେ ଗଢ଼ିବାକୁ ନବୀନଙ୍କ ନିର୍ଦ୍ଦେଶ

    ବାହାନଗା ହାଇସ୍କୁଲ ବନିବ ନଂ-1, ଆଦର୍ଶ ସ୍କୁଲ ଭାବେ ଗଢ଼ିବାକୁ ନବୀନଙ୍କ ନିର୍ଦ୍ଦେଶ

    ଟ୍ରେନ୍ ଦୁର୍ଘଟଣା ପରେ ବାଲେଶ୍ୱର ଜିଲ୍ଲା ବାହାନଗା ହାଇସ୍କୁଲର ରୂପରେଖ ବଦଳିବ । ନୂଆ ରୂପରେ ପୁନଃନିର୍ମିତ ହେବ ଏହି ସ୍କୁଲ । ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଏବଂ ଏଲିମଣ୍ଟୋରି ସମ୍ପୂର୍ଣ୍ଣ ଭଙ୍ଗାଯାଇ ପୁଣି ଥରେ ଏହାକୁ ନିର୍ମାଣ କରାଯିବ । ଏହାକୁ ଏକ ଆଦର୍ଶ ସ୍କୁଲ ଭାବେ ଗଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

    ଗତ ୨ ତାରିଖରେ ବାହାନଗା ଷ୍ଟେସନ ଠାରେ ଭୟାବହ ରେଳ ଦୁର୍ଘଟଣା ଘଟିଥିଲା । ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ବାହାନଗା ହାଇସ୍କୁଲରେ ଶବ ରଖାଯାଇ ପରବର୍ତ୍ତୀ ସମୟରେ ସ୍କୁଲ ବିଶୋଧନ କରାଯାଇଥିଲା । ସ୍କୁଲରେ ଶବ ଥିବାରୁ ଛାତ୍ରଛାତ୍ରୀ,ଶିକ୍ଷକ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏବେ ଭୟ ରହିଛି । ତେଣୁ ସ୍କୁଲ କୋଠା ଭାଙ୍ଗି ପୁନଃନିର୍ମାଣ ସମ୍ପର୍କରେ ବିଭିନ୍ନ ମହଲରେ ଦାବି ହୋଇଥିଲା । ଶେଷରେ ନୂଆ ସ୍କୁଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିବା ପରେ 5T ସଚିବ ଭି.କେ. ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ସ୍କୁଲ ଗଣଶିକ୍ଷା ସଚିବ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ବାଲେଶ୍ୱର ଜିଲ୍ଲାପାଳ,ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ,ପଞ୍ଚାୟତ ପ୍ରତିନିଧି,ଶିକ୍ଷକଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସମସ୍ତଙ୍କ ସହ ଆଲୋଚନା ପରେ ନୂଆ ସ୍କୁଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଛି ।

    ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ଥିତି, ସେମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତେଣୁ ବାହାନଗା ହାଇସ୍କୁଲ ଓ ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମଣ୍ଟୋରୀ ସ୍କୁଲ ଭାଙ୍ଗି ଏକ ଏହାର ପୁନଃନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଖୁବଶୀଘ୍ର ବାହାନଗା ହାଇସ୍କୁଲ ରାଜ୍ୟର ନମ୍ବର ୱାନ୍ ସ୍କୁଲ ବନିବ ବୋଲି କହିଛନ୍ତି ଅଧିକାରୀ ।

  • ଏବେଠୁ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି, ଭୋଟିଂ ମେସିନ୍‌ର ଯାଞ୍ଚ ଆରମ୍ଭ

    ଏବେଠୁ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି, ଭୋଟିଂ ମେସିନ୍‌ର ଯାଞ୍ଚ ଆରମ୍ଭ

    ଆଉ ମାତ୍ର କେଇଟା ମାସକୁ ଅପେକ୍ଷା । କାରଣ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏଥିପାଇଁ ଏବେଠୁ ଜୋରଦାର ପ୍ରସ୍ତତି ଆରମ୍ଭ ହେଲାଣି । ଦଳୀୟ ନେତା ଓ କର୍ମୀ ବିଭିନ୍ନ ପ୍ରସଙ୍ଗରେ ଭୋଟ୍ ହାତେଇବା ପାଇଁ ଉଦ୍ୟମ ଆରମ୍ଭ କଲେଣି । ସେପଟେ, ନିର୍ବାଚନ ସୁରୁଖୁରୁରେ ଏବଂ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଜାତୀୟ ନିର୍ବାଚନ କମିଶନ ।

    ୨୦୨୪ ଲୋକସଭା ନିର୍ବାଚନ ଏବଂ ଚଳିତବର୍ଷ ଶେଷ ସୁଦ୍ଧା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଭୋଟିଂ ‌ମେସିନ୍‌ଗୁଡ଼ିକର ପ୍ରଥମ ପର୍ଯ୍ୟାୟ ଯାଞ୍ଚ ଆରମ୍ଭ କରିଛନ୍ତି ଜାତୀୟ ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ଜଣେ କାର୍ଯ୍ୟକର୍ତ୍ତାଙ୍କ କହିବା ଅନୁସାରେ କେରଳର ସମସ୍ତ ନିର୍ବାଚନ ମଣ୍ଡଳୀ ସମେତ ସମଗ୍ର ଭାରତରେ ଏହି ଯାଞ୍ଚ ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଚାଲିବ ।

    ଗତ ମାର୍ଚ୍ଚ ମାସରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧିଙ୍କୁ ଏକ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଥିଲେ ସୁରତର ସେସନ୍ କୋର୍ଟ । ତେଣୁ ତାଙ୍କୁ ଲୋକସଭା ସଦସ୍ୟତା ପାଇଁ ଅଯୋଗ୍ୟ ଘୋ‌ଷଣା କରାଯାଇଥିଲା । ଫଳରେ ରାହୁଲ ପ୍ରତିନିଧିତ୍ୱ କରୁଥିବା କେରଳର ୱାୟାନାଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଏବେ ଖାଲି ପଡ଼ିଛି ।

    ସେଠାରେ ମକ୍‌ ପୋଲ୍ ଚାଲିଥିବା କହିଛନ୍ତି ନିର୍ବାଚନ କାର୍ଯ୍ୟକର୍ତ୍ତା । ପ୍ରତ୍ୟେକ ଯାଞ୍ଚ ପ୍ରକ୍ରିୟା ପାଇଁ କ୍ୟାଲେଣ୍ଡର୍‌ ଜାରି କରିଛନ୍ତି ନିର୍ବାଚନ କମିଶନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତା ଦିନରେ ହେବାକୁ ଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନ ଗୁଡ଼ିକ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ଏବେଠୁ ଉଦ୍ୟମ ଆରମ୍ଭ ହେଲାଣି ।

  • ତୀବ୍ର ହେଉଛି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’, ଆଲର୍ଟ କଲା IMD

    ତୀବ୍ର ହେଉଛି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’, ଆଲର୍ଟ କଲା IMD

    ଆସୁଛି ‘ବିପର୍ଯ୍ୟୟ’ । ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’ । ୩୬ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ପରବର୍ତ୍ତୀ ୨ ଦିନରେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ଉତ୍ତର ଏବଂ ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଏ ନେଇ ଗତିବିଧି ଉପରେ ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ ।

    ଭାରତୀୟ ପାଣିପାଗ ବିଭାଗର ଟ୍ୱିଟ୍ ଅନୁସାରେ ଗତକାଲି ରାତି ୧୧.୩୦ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗୋଆର ପଶ୍ଚିମ ଓ ଦକ୍ଷିଣପଶ୍ଚିମକୁ ପ୍ରାୟ ୮୪୦ କିଲୋମିଟର ଦୂରରେ ରହିଛି । ଏହି ମୁମ୍ବାଇର ପଶ୍ଚିମ ଓ ଦକ୍ଷିଣପଶ୍ଚିମକୁ ପ୍ରାୟ ୮୭୦ କିଲୋମିଟର୍‌ ଦୂରରେ ଗତି କରୁଛି ।

    ଆଗାମୀ ୩୬ ଘଣ୍ଟା ମଧ୍ୟରେ ତୀବ୍ରତର ହେବା ସହ ପରବର୍ତ୍ତୀ ୨ ଦିନରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବ । ପୂର୍ବରୁ ଜାରି ବୁଲେଟିନ୍‌ରେ ପାଣିପାଗ ବିଭାଗ କହିଛି ଯେ ଜୁନ୍‌ ୮ ତାରିଖ ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’, ଗ‌ୋଆର ପଶ୍ଚିମ ଓ ଦକ୍ଷିଣପଶ୍ଚିମ ଏବଂ ମୁମ୍ବାଇର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ରହିଥିଲା । ଏହା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଛି । ଏହା ଆହୁରି ତୀବ୍ର ହୋଇ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

    ଆରବ ସାଗରର ଏହି ବାତ୍ୟା ପାଇଁ ସତର୍କତା ଅବଲମ୍ବନ କରାଯାଇଥିବା ବେଳେ ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି କୂଳକୁ ଫେରିଆସିବାକୁ ପାଣିପାଗ ବିଭାଗ କହିଛି । ସେପଟେ, ଗତକାଲି ମୌସୁମୀ କେରଳ ଛୁଇଁଛି ।

    ଦୁଇ ଦିନରେ ମୌସୁମୀ ସମ୍ପୂର୍ଣ୍ଣ କେରଳ ଛୁଇଁବ ବୋଲି ସମ୍ଭାବନା ରହିଛି । ମୌସୁମୀ ପାଇଁ ଏବେ ପାଗ ଅନୁକୂଳ ଥିବାବେଳେ କେରଳ ଏବଂ ତାମିଲନାଡୁରେ ବର୍ଷା ଜାରି ରହିଛି ।

  • ମୁମ୍ୱାଇରେ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ପୁନରାବୃତ୍ତି

    ପ୍ରେମ ଓ ଲିଭଇନ ରିଲେସନର ପରିଣତି କଣ ଜଘନ୍ୟକାଣ୍ଡ? ଏମିତି ପ୍ରଶ୍ନ କରିବାର କାରଣ, ପୁଣି ମୁମ୍ବାଇରେ ଘଟିଛି ଲିଭଇନ ରିଲେସନରୁ ବିଭତ୍ସ ହତ୍ୟାକାଣ୍ଡ। ଏହି ହତ୍ୟାକାଣ୍ଡ ଦିଲ୍ଲୀର ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ବିଭତ୍ସତାକୁ ମଧ୍ୟ ପଛରେ ପକାଇଦେବ। ମଧ୍ୟ ବୟସ୍କ ପାଷାଣ୍ଡ ପ୍ରେମିକ ଖାଲି ପ୍ରେମିକାକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିନି, ତା ପରେ ଖଣ୍ଡବିଖଣ୍ଡିତ ଅଂଶକୁ ପ୍ରେସର କୁକୁରରେ ସିଝାଇ ଗ୍ରାଇଣ୍ଡିଂ କରି ପ୍ରମାଣ ନଷ୍ଟ ପାଇଁ କରିଛି ଆପ୍ରାଣ ଚେଷ୍ଟା। କିନ୍ତୁ ଅପରାଧୀର ସତ ଚେଷ୍ଟା ସତ୍ତ୍ୱେ ତାକୁ ଧରିଛି ପୋଲିସ। ଆଉ ପୋଲିସ ଆଗରେ ସେ ବଖାଣିଛି ସୀମା ପାର ବର୍ବରତାର କାହାଣୀ।

    ମୀରା ରୋଡରେ ଥିବା ଗୀତା ଆକାଶ ଦୀପ ବିଲ୍ଡିଂର ସପ୍ତମ ମହଲାର ରୁମ ନମ୍ବର ୭୦୪। ସେହି ଘରେ ରହୁଥିଲେ ୫୬ ବର୍ଷୀୟ ମନୋଜ ସାହାନି ଓ ୩୨ ବର୍ଷୀୟା ସରସ୍ୱତୀ ବୈଦ୍ୟ। ଗତ ୫ ବର୍ଷ ଧରି ବିନା ବିବାହରେ ଉଭୟ ଲିଭ-ଇନ୍ ରିଲେସନରେ ରହିଆସୁଥିଲେ। ସରସ୍ବତୀ ଜଣେ ଅନାଥ। ମନୋଜଙ୍କ ପରିବାର ବୋରିବଲିରେ ରହୁଥିବା ବେଳେ ମନୋଜ ଘରଠାରୁ ଦୂରରେ ରହୁଥିଲେ ଓ ବିବାହ କରି ନ ଥିଲେ। ସେ ଏକ କିରାନା ଦୋକାନରେ କାମ କରନ୍ତି। ସେହି ଦୋକାନରୁ ଉଭୟଙ୍କ ସାକ୍ଷାତ ଓ ପ୍ରେମ। କିନ୍ତୁ ସମୟ କ୍ରମେ ସେମାନଙ୍କ ପ୍ରେମରେ ପଡିଥିଲା ଫାଟ। ବିଭିନ୍ନ କଥାକୁ ନେଇ ହେଉଥିବା ପାଟିତୁଣ୍ଡ, ଝଗଡାଝାଣ୍ଟିରେ ଅତିଷ୍ଠ ହୋଇ ପଡିଥିଲା ଅଭିଯୁକ୍ତ ପ୍ରେମିକ, ଆଉ ପ୍ରେମିକା ସରସ୍ବତୀଙ୍କୁ ହତ୍ୟା କରିବାକୁ ପଛାଇ ନ ଥିଲା।
    ଜୁନ ୪ ତାରିଖରେ ମନୋଜ ସରସ୍ବତୀଙ୍କୁ କରିଥିଲା ହତ୍ୟା । ଏହା ପରେ ପ୍ରମାଣ ନଷ୍ଟ କରିବାକୁ ଚଳାଇଥିଲା ଅଭିଯାନ। ଏକ ବଡ କଟର ମେସିନ ଆଣି ସରସ୍ୱତୀଙ୍କ ଶରୀରକୁ କାଟି ଖଣ୍ଡଖଣ୍ଡ କରି ଦେଇଥିଲା। ସେସବୁକୁ ସିଝାଇ କରୁଥିଲା ଗ୍ରାଇଣ୍ଡିଂ ଓ ପକାଇ ଦେଉଥିଲା ନାଳରେ । କିନ୍ତୁ ସେହି ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବାରୁ ପାଖ ପଡୋଶୀ ସୂଚନା ଦେଇଥିଲେ ପୋଲିସକୁ ।
    ପୋଲିସ ରୋଷେଇ ଘରେ ପ୍ରେସର କୁକରରେ ସିଝାଯାଇଥିବା ମାଂସ ଖଣ୍ଡ ସବୁ ପାଇଥିଲା। କିନ୍ତୁ ସେହି ମାଂସ ଶରୀରର କେଉଁ ଅଂଶର ତାହା ଚିହ୍ନଟ କରିବା ପୋଲିସ ପାଇଁ ନ ଥିଲା ସମ୍ଭବ । ତେବେ କେବଳ ଦିଲ୍ଲୀର ଶ୍ରଦ୍ଧା ୱାଲକର ହତ୍ୟା ଓ ମୁମ୍ୱାଇର ସରସ୍ୱତୀ ହତ୍ୟା ଘଟଣା ନୁହେଁ ଏପରି ବହୁ ଘଟଣା ନିକଟ ଅତିତରେ ନଜରକୁ ଆସିଲାଣି। ଏମିତି ଲିଭଇନ ରିଲେସନ ପରେ ପ୍ରେମିକାକୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ପ୍ରେମିକାକୁ ଖଣ୍ଡ ଖଣ୍ଡ କାଟିବାକୁ ପଛାଉ ନାହାନ୍ତି ଏପରି ପିଶାଚମାନେ। ଏସବୁ ଘଟଣାକୁ ଦେଖି ପ୍ରଶ୍ନ ଉଠୁଛି, କାହିଁକି ଏପରି ସବୁ ଘଟଣା ଘଟୁଛି? ଏଥିପାଇଁ ଦାୟୀ କିଏ?

  • ଦୁର୍ଗ-ପୁରୀ ଏକ୍ସପ୍ରେସରେ ନିଆଁ

    ଦୁର୍ଗ-ପୁରୀ ଏକ୍ସପ୍ରେସରେ ନିଆଁ

    ରେଳବାଇକୁ ପଡିଛି ଶନିଦଶା। ପୁଣି ଟ୍ରେନରେ ଘଟିଛି ଅଘଟଣ। ଗତ ରାତିରେ ଦୁର୍ଗ-ପୁରୀ ଏକ୍ସପ୍ରେସରେ ଲାଗିଯାଇଛି ନିଆଁ। ତେବେ ସେହି ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଟ୍ରେନଟି ଏହି ଅଘଟଣ ପରେ ଏକ ଘଣ୍ଟା ବିଳମ୍ବରେ ପୁଣି ଯାତ୍ରା ଆରମ୍ଭ କରିଥିଲା।

    ଗତ କାଲି ଦୁର୍ଗ-ପୁରୀ ଏକ୍ସପ୍ରେସ ଛତିଶଗଡ ଦୁର୍ଗରୁ ପୁରୀ ଅଭିମୁଖେ ଯାତ୍ରା କରୁଥିଲା। କୋମାଖାନା ନିକଟରେ ଟ୍ରେନ ପହଞ୍ଚିବା ବେଳକୁ ଯାତ୍ରୀ ଟ୍ରେନରେ ନିଆଁ ଲାଗିଥିବା ଦେଖିଥିଲେ ଓ ଯାତ୍ରୀଙ୍କ ଭିତରେ ଭୟର ସଞ୍ଚାର ହୋଇଥିଲା। ଏସମ୍ପର୍କରେ ତୁରନ୍ତ ରେଳ କର୍ତ୍ତୃପକ୍ଷଙ୍କୁ ସୂଚିତ କରାଯାଇଥିଲା।ସୂଚନା ପାଇବା ପରେ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ନୂଆପଡା ଖରିଆର ରୋଡରେ ଟ୍ରେନକୁ ଅଟକାଯାଇଥିଲା। ସେଠାରେ ଅଗ୍ନିଶମ ବାହିନୀ ପୂର୍ବରୁ ଉପସ୍ଥିତ ଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣାରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଟ୍ରେନ ପ୍ରାୟ ଏକ ଘଣ୍ଟା ପରେ ସେଠାରୁ ଯାତ୍ରା ଆରମ୍ଭ କରିଛି। ନିଆଁ ଲାଗିବା ସମ୍ପର୍କରେ କୁହାଯାଇଛି କି, ଟ୍ରେନର ବ୍ରେକ ବାଇଣ୍ଡିଂରେ ସ୍ପର୍କିଂ ହେବାରୁ ଏହି ନିଆଁ ଲାଗିଥିଲା।

    ତେବେ ଗତ କିଛି ଦିନ ହେବ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଚାଲିଛି ରେଳ ବିଭାଗରେ। ବାହାନଗା ଟ୍ରେନ ଦୁର୍ଘଟଣା ଘଟି ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ବିଶ୍ୱକୁ ସ୍ତମ୍ଭିଭୂତ କରିଦେଇଥଲା। ଏହାର କିଛି ଦିନ ପରେ ରାୟଗଡାରେ ଓଲଟିଲା ମାଲବାହୀ ଟ୍ରେନ। ତା ପରେ ମଙ୍ଗଳବାର ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଲାଗିଥିଲା ନିଆଁ। ନିଆଁ ଲାଗିବା ପରେ ଏକ୍ସପ୍ରେସର ବି-୫ ବଗି ଧୂଆଁରେ ଭରିଯାଇଥିଲା। ବୁଧବାର ଯାଜପୁର ରୋଡ ନିକଟ ରେଳ ଧାରଣାରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

    ସେଦିନ ସଂଧ୍ୟାରେ ଆସିଥିବା କାଳବୈଶାଖୀ କାଳରେ ସେଠାରେ ଠିଆହୋଇଥିବା ଏକ ଅବ୍ୟବହୃତ ରେଳ ଇଞ୍ଜିନ ତଳେ କାମ କରୁଥିବା ଶ୍ରମିକମାନେ ଆଶ୍ରୟ ନେଇଥିଲେ। କିନ୍ତୁ ଏମିତି ଝଡ ତୋଫାନ ଆସିଥିଲା କି ଇଞ୍ଜିନ ଆପଣା ଛାଁ ଚାଲିବା ଆରମ୍ଭ କରିଥିଲା। ଫଳରେ ତା ତଳେ ଥିବା ଶ୍ରମିକଙ୍କ ଉପରେ ମାଡି ଯାଇଥିଲା। ଏହି ଅଘଟଣ ପୁଣି ରେଳବାଇ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଗତକାଲି ଟ୍ରେନରେ ଲାଗିଛି ନିଆଁ।

    ଏପରି ବାରମ୍ବାର ଅଘଟଣ, ଦୁର୍ଘଟଣା ପରେ ଲୋକେ ରେଳ ଯାତ୍ରାକୁ କେତେ ସୁରକ୍ଷିତ ମଣିବେ ଓ ଯାତ୍ରା କରିବେ, ତାକୁ ନେଇ ଠିଆ ହୋଇଛି ପ୍ରଶ୍ନ।