Author: suchanatv24x7

  • ଯାଜପୁର: ସ୍ୱର୍ଗତ ଅନାଦି ଚରଣ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

    ଯାଜପୁର: ସ୍ୱର୍ଗତ ଅନାଦି ଚରଣ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

    ଯାଜପୁର ଜିଲ୍ଲାର ବରପୁତ୍ର ଭାବେ ପରିଚିତ ସ୍ୱର୍ଗତ ଅନାଦୀ ଚରଣ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୂଜ୍ୟପୂଜା ପ୍ରତିଭା ପରିଷଦ ପକ୍ଷରୁ ଏକ ଶଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପରିଷଦର ରାଜ୍ୟ ସଭାପତି ପଦ୍ମାକର ଗୁରୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉପଦେଷ୍ଠା ସନ୍ତୋଷ ନନ୍ଦ ମଞ୍ଚ ପରିଚାଳନା କରିଥିଲେ ।

    ଅତିଥି ଭାବେ ଯାଜପୁର ଏସ୍‌ଡିପିଓ ସରୋଜ ଉପାଧ୍ୟାୟ, ପୂବର୍ତନ ସାଂସଦ ଅଞ୍ଚଳ ଦାଶ, ବରିଷ୍ଠ କଂଗ୍ରେସ ନେତା ଶିଶିର ନାୟକ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ସ୍ୱର୍ଗତ ଦାସଙ୍କ ଫଟୋରେ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ ।

    ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ, ବିଜେପି ରାଜ୍ୟ ଯୁବମୋର୍ଚ୍ଚାର ସଂଯୋଜକ ସଂଗ୍ରାମ କେଶରୀ ପାତ୍ର, ବରିଷ୍ଠ ସମାଜସେବୀ ବଳଭଦ୍ର ଦାଶ, ସ୍ୱର୍ଗତ ଦାସଙ୍କ ପୁତ୍ର ହେମନ୍ତ ଦାସ, ସିପିଆଇ ନେତା ଗଣେଶ ସାହୁ ଯୋଗଦେଇ ଅନାଦି ଦାସଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । ଯାଜପୁର ଜିଲ୍ଲା ଜଣେ ବରପୁତ୍ରକୁ ହରାଇଲା ବୋଲି ଅତିଥିମାନେ କହିଛନ୍ତି । ଶ୍ରଦ୍ଧାଞ୍ଜଳି ସଭାରେ ଶତାଧିକ ଶୁଭେଚ୍ଛୁ, ପ୍ରଶଂସକ ମଧ୍ୟ ଯୋଗ ଦେଇଥିଲେ ।

    ଏକାଧିକ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସ୍ୱର୍ଗଦ ଅନାଦି ଚରଣ ଦାସ । ସଂସଦର ଏସସି ଓ ଏସଟି ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ମୃତ୍ୟୁ ଜିଲ୍ଲା ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ ।

  • ବିଷ୍ଣୁ ପ୍ରିୟାଙ୍କ ପୂଜାରେ ରହିଛି କିଛି ନିୟମ, ଯାହା ଆଣିଦେବ ସୁଖ ସମୃଦ୍ଧି

    ବିଷ୍ଣୁ ପ୍ରିୟାଙ୍କ ପୂଜାରେ ରହିଛି କିଛି ନିୟମ, ଯାହା ଆଣିଦେବ ସୁଖ ସମୃଦ୍ଧି

    ହିନ୍ଦୁ ଧର୍ମରେ ତୁଳସୀ ଗଛର ରହିଛି ବଡ ମହତ୍ୱ। ପ୍ରତି ହିନ୍ଦୁଙ୍କ ଘର ଆଗରେ ଶୋଭାପାଏ ଚଉରାରେ ତୁଳସୀ। ତୁଳସୀକୁ ହିନ୍ଦୁଧର୍ମାବଲମ୍ବୀ ପବିତ୍ର ତୁଳସୀକୁ ବିଷ୍ଣୁ ପ୍ରିୟା ଭାବେ କରିଥାନ୍ତି ପୂଜାର୍ଚ୍ଚନା। ତେବେ ତୁଳସୀ ପୂଜିବାର ରହିଛି ଏକ ନିର୍ଦ୍ଧିଷ୍ଟ ଶୈଳୀ ଓ କେତେକ କାର୍ଯ୍ୟ ନ କରିବାକୁ ମଧ୍ୟ ରହିଛି ଶାସ୍ତ୍ରୀୟ ନିର୍ଦ୍ଦେଶାବଳୀ। ଏହି ଉପାୟରେ ତୁଳସୀ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବାର ରହିଛି ବିଶ୍ୱାସ।

    ତୁଳସୀର ପୂଜା ମାନସିକ ଶାନ୍ତି ପ୍ରଦାନ  କରିବା ସହ ଗୃହରେ ସକାରାତ୍ମକ ଶକ୍ତିର ସୃଷ୍ଟି କରିଥାଏ। ତେଣୁ  ଚଉରା ଚାରିପାଖ ସଫା ସୁତରା ରଖିବାକୁ କୁହାଯାଇଛି। ଚଉରା ନିକଟରେ ଯୋତା ରଖିବାକୁ କରାଯାଇଛି ବାରଣ।  ସେହିପରି କଦାପି ତୁଳସୀ ଗଛକୁ ଅପରିଷ୍କାର କି ଅଇଁଠା ହାତରେ ଛୁଅନ୍ତୁ ନାହିଁ। ଏପରି କାର୍ଯ୍ୟରେ ବିଷ୍ଣୁ ଅପମାନିତ ହେବା ସହ କ୍ରୋଧିତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।  ତୁଳସୀ ମୂଳରେ ପାଣି ଦେବା ବେଳେ ବା ପୂଜା କରିବା ବେଳେ କଳା କପଡା ପିନ୍ଧନ୍ତୁ ନାହିଁ । ମୁଖ୍ୟତଃ ଏକାଦଶୀ ତିଥିରେ କଳା କପଡା ପିନ୍ଧି ପୂଜା କରିବା ଅତି ଭୟଙ୍କର ଫଳ ଦେଇଥାଏ ।

    ଆଉ ଏକ ବିଶେଷ ବିଶ୍ବାସ ରହିଛି ତୁଳସୀଙ୍କୁ ନେଇ। ବିଶ୍ୱାସ ରହିଛି, ଦେବସୟନୀ ଏକାଦଶୀଠାରୁ  ବିଷ୍ଣୁ ୪ ମାସ ପାଇଁ ଯିବେ କ୍ଷୀର ସାଗରକୁ ଯୋଗ ଶୟନରେ, ଯାହାକୁ ଚତୁର୍ମାସ ବା ଚତୁର୍ମାସିଆ କୁହାଯାଏ। ଏହି ଏକାଦଶୀ ଦିନକୁ ବହୁତ ଶୁଭ ଭାବେ ଗ୍ରହଣ କରାଯାଏ। ତେଣୁ ଏହି ଦିନ ବିଷ୍ଣୁ ପ୍ରିୟା ତୁଳସୀଙ୍କ ପୂଜା କରିବା ଅତି ଶୁଭ ବୋଲି ବିଶ୍ୱାସ ରହିଛି। ତେବେ ଏକାଦଶୀ ଦିନମାନଙ୍କରେ ମା ତୁଳସୀ ନିର୍ଜଳା ବ୍ରତ ରଖିଥିବାରୁ ଏହି ଦିନରେ ତୁଳସୀ ମୂଳରେ ଜଳ ଚଢାଇବା ଅନୁଚିତ। ଏକାଦଶୀ ଦିନ ତୁଳସୀ ପତ୍ର ଛିଣ୍ଡାଇବା ଉପରେ ମଧ୍ୟ ରହିଛି ବାରଣ। ତେଣୁ ଯଦି ତୁଳସୀର ବ୍ୟବହାର କରିବାକୁ ଚାହୁଁଥାନ୍ତି ତେବେ ତା ପୂର୍ବ ଦିନରୁ ପତ୍ର ଛିଣ୍ଡାଇ ରଖିଥାନ୍ତୁ। ଏହି ପରି ନିତି ନିୟମରେ ତୁଳସୀ ପୂଜା କଲେ ବହୁ ସୁଫଳ ମିଳିଥାଏ। ଏହା ବ୍ୟତୀତ  ଆଗାମୀ ୨୯ ତାରିଖରେ ଦେବସୟନୀ ଏକାଦଶୀ ଥିବାରୁ ତୁଳସୀ ପୂଜା ବେଳେ ଏହି ନିୟମ ପାଳନ କରନ୍ତୁ।

  • ଯାଜପୁର: ଦାବି ପୂରଣ ପାଇଁ ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘର ଗଣଧାରଣା

    ଯାଜପୁର: ଦାବି ପୂରଣ ପାଇଁ ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘର ଗଣଧାରଣା

    ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ଧାରଣା ଦିଆଯାଇଛି । ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ପ୍ରତିବାଦ ସହ ଧାରଣା କରିଛନ୍ତି । କମର୍ଚାରୀ ସଂଘର ସଦସ୍ୟମାନେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ନିଜର ଦାବି ନେଇ ଗଣଧାରଣା ଦେଇଥିଲେ ।

    ସ୍ଥାୟୀ ନିଯୁକ୍ତି, ଚାକିରିର ସ୍ଥାୟିତ୍ୱ ଏବଂ ସୁରକ୍ଷାକୁ ଗୁରୁତ୍ୱ ଦେବା ଭଳି ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା । ରାଜ୍ୟ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ବାରମ୍ବାର ନିବେଦନ ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ । ଦାବି ପୂରଣ ନ ହେବାରୁ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ ।

    ଯାଜପୁର ଶାଖା ଜିଲ୍ଲା ସଭାପତି ଗୌତମ ମହାରଣାଙ୍କ ନେତୃତ୍ୱରେ କର୍ମଚାରୀମାନେ ଧାରଣାରେ ବସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ହୃଦାନନ୍ଦ ପଣ୍ଡା,ପଞ୍ଚାନନ ବେହେରା,ସ୍ନେହାଶିଷ ମିଶ୍ରଙ୍କ ସମେତ ଜିଲ୍ଲ ବିଭିନ୍ନ ବ୍ଲକରୁ ଶତାଧିକ କର୍ମଚାରୀ ସାମିଲ ହୋଇଥିଲେ । ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।


  • ଯାଜପୁର: ପୂଜାଙ୍କ ପାଇଁ ସାହାରା ବନିଲା ସ୍ୱଧାର ଗୃହ, ଧୁମଧାମରେ ବିବାହ ସମ୍ପନ୍ନ

    ଯାଜପୁର: ପୂଜାଙ୍କ ପାଇଁ ସାହାରା ବନିଲା ସ୍ୱଧାର ଗୃହ, ଧୁମଧାମରେ ବିବାହ ସମ୍ପନ୍ନ

    ବାଜିଲା ଯୋଡ଼ି ମହୁରୀ, ବାଜିଲା ଶେହନାଇ । ଭୋଜିଭାତ ସହ ସମସ୍ତଙ୍କ ମନରେ ଥିଲା ଉତ୍ସାହ । ସ୍ୱଧାର ଗୃହ ପାଲଟିଲା ବିବାହ ମଣ୍ଡପ । ଆୟୋଜିତ ହୋଇଥିଲା ପୂଜାରାଣୀଙ୍କ ବିବାହ ଉତ୍ସବ । ୨୦୧୮ରେ ଏହି ସ୍ୱଧାର ଗୃହକୁ ଆସିଥିଲେ ପୂଜାରାଣୀ । ତାଙ୍କୁ ନିଜର କରିଥିଲେ ଅପରିଚିତ ଚେହେରା । ଏହାକୁ ନିଜର ଶେଷ ଆଶ୍ରୟସ୍ଥଳୀ ଭାବି ନେଇଥିଲେ ପୂଜା । ଶେଷରେ ତାଙ୍କୁ ବିବାହ କରାଇଛନ୍ତି ସ୍ୱଧାର ଗୃହ ସମ୍ପାଦକ ପରେଶ ମଲ୍ଲିକ ।

    ପୂଜାରାଣୀଙ୍କୁ ବିବାହ କରିଛନ୍ତି ଦଶରଥପୁର ବ୍ଲକ୍ ସିନ୍ଦୁରାଇମୁହଁ ଅଞ୍ଚଳର ବିଜୟ ଓଝା । ଏହି ମାଙ୍ଗଳିକ କାର୍ଯ୍ୟରେ ସାମିଲ ହୋଇଥିଲା ପୁରା ଜିଲ୍ଲା ପ୍ରଶାସନ । ସାଧାରଣ ବିବାହ ପରି ଏଥିରେ ଥିଲେ ବରଯାତ୍ରୀ । ପଡ଼ୋଶୀମାନେ ମଧ୍ୟ ସାମିଲ ହୋଇ ଭୋଜିଭାତ ଖାଇବା ସହ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ । ଏଥିସହ ଏଭଳି ଏକ ନିଆରା ପଦକ୍ଷେପ ପାଇଁ ସ୍ୱଧାର ଗୃହ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ଏହା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ସାଜିବ ବୋଲି ଅତିଥିମାନେ କହିଛନ୍ତି ।

    ଯାଜପୁର ବାହବଳପୁରସ୍ଥିତ ଲକ୍ଷ୍ମୀ ନାରାୟଣ ସ୍ୱଧାର ଗୃହରେ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ, ଧୁମଧାମରେ ସମ୍ପନ୍ନ ହୋଇଛି ପୂଜାଙ୍କ ବିବାହ କାର୍ଯ୍ୟ । ସ୍ୱଧାର ଗୃହ କର୍ମକର୍ତ୍ତାଙ୍କ ସମେତ ରୋଟାରୀ କ୍ଲବ୍ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଥିଲେ ।

  • ଅନଲାଇନରେ ଜଗନ୍ନାଥଙ୍କୁ ନେଇ ଚାଲିଛି ବେପାର, ହଜାର ହଜାର ଭକ୍ତ ଠକାମିର ଶିକାର

    ଅନଲାଇନରେ ଜଗନ୍ନାଥଙ୍କୁ ନେଇ ଚାଲିଛି ବେପାର, ହଜାର ହଜାର ଭକ୍ତ ଠକାମିର ଶିକାର

    ମହାପ୍ରଭୁଙ୍କ ନାମରେ ଭକ୍ତଙ୍କୁ ଠକେଇ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ  ଭୋଗ ଲଗେଇବାକୁ କହି ଭକ୍ତଙ୍କୁ ଲଗାଯାଉଛି ଚୂନ। ଅନ୍‌ଲାଇନ  ବିଜ୍ଞାପନରେ ଚାଲିଛି ଏହି କେଳେଙ୍କାରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସାରା ବିଶ୍ବରେ ରହିଛନ୍ତି ଭକ୍ତ। ଭକ୍ତ ନିଜ ଭକ୍ତି ଅର୍ଘ୍ୟ ପ୍ରଭୁଙ୍କ ନିକଟରେ ଅର୍ପଣ କରିବାକୁ ବ୍ୟାକୁଳ। ଏହାର ସୁଯୋଗ ନେଇ ଅନଲାଇନ ଠକ, ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ‘ଉତ୍ସବ’ ନାମକ ଏକ ଆପ୍‌ ଦ୍ୱାରା ପଶ୍ଚିମବଙ୍ଗରର ଜଣେ ବ୍ୟକ୍ତି ହଜାର ହଜାର ଭକ୍ତଙ୍କୁ ଠକିବାର ହେଉଛନ୍ତି ଅଭିଯୋଗ।

    ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ପୂଜା ଓ ଭୋଗ ଲାଗି ପାଇଁ ପୃଥକପୃଥକ ରେଟ୍ ଚାର୍ଟ ରହିଛି ଆପରେ । ଶ୍ରୀବିଗ୍ରହଙ୍କ  ମାସିକିଆ ପୂଜା ପାଇଁ ୮,୧୦୦ ଟଙ୍କା,  ରଥଯାତ୍ରାରେ ସ୍ବତନ୍ତ୍ର ଭୋଗ ପାଇଁ ୪, ୫୦୧ ଟଙ୍କା,  ଶ୍ରୀମନ୍ଦିରରେ ଧ୍ଵଜା ବାନ୍ଧିବାକୁ ୨,୧୫୧ ଟଙ୍କା ପରି ବିଭିନ୍ନ ପୂଜା ବିଧି ପାଇଁ ରହିଛି ଭିନ୍ନ ଭିନ୍ନ ରେଟ। ବର୍ତ୍ତମାନ ସୁଦ୍ଧା ଏହି ଆପ୍ ମାଧ୍ୟମରେ ଅନ୍‌ଲାଇନ ଭୋଗ ଲଗାଇବାକୁ ୩,୭୦୦ରୁ ଅଧ‌ିକ ଭକ୍ତ ନାମ ପଞ୍ଜିକରଣ କରିଥିବା ଆପରୁ ଜଣାପଡିଛି। କାଳିଆ ନାମରେ ଏପରି ମହା ଠକେଇର ଖୁଲାସା ହେବା ପରେ ଆରମ୍ଭ ହୋଇଛି ତମ୍ବିତୁଫାନ। ଶ୍ରୀମନ୍ଦିରର ଛାମୁ ଖୁଣ୍ଟିଆ ସେବାୟତ, ଶମ୍ଭୁନାଥ ଖୁଣ୍ଟିଆ ଏନେଇ ଆପତ୍ତି ଉଠାଇବା ସହ ସିଂହଦ୍ଵାର ଥାନାରେ କରିଛନ୍ତି ଅଭିଯୋଗ । ଆପର ମୁଖ୍ୟ   ସୌରଜିତ ବାସୁ,  ପ୍ରଜତ ସାମନ୍ତ ଏବଂ  ଅଙ୍କିତା ଦେଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେଉଛି ଦାବି। 

    ତେବେ  ଏହି ଏତଲା ପରେ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ ଓଡିଆଙ୍କ ଭାବାବେଗ ସହ ଜଡିତ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ କରାଯାଇଥିବା ପାପ ପାଇଁ କି ପଦକ୍ଷେପ ନେଉଛି ? କେବେ ଏହି ମହାଠକଙ୍କୁ ନିଆଯାଉଛି କାଠଗଡାକୁ?

  • ସାରା ଓଡ଼ିଶାକୁ ଛୁଇଁଲା ମୌସୁମୀ, ପ୍ରବଳ ବର୍ଷିବା ନେଇ ସୂଚନା

    ସାରା ଓଡ଼ିଶାକୁ ଛୁଇଁଲା ମୌସୁମୀ, ପ୍ରବଳ ବର୍ଷିବା ନେଇ ସୂଚନା

    ଶେଷରେ ସାରା ଓଡ଼ିଶାକୁ ଛୁଇଁଛି ମୌସୁମୀ । ଗତକାଲି ରାଜଧାନୀ ସମେତ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇଛି । ଅଧିକାଂଶ ସ୍ଥାନରେ ମେଘୁଆ ପାଗ ରହିଛି ।

    ରାଜ୍ୟର ସବୁ ଜିଲ୍ଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆସନ୍ତା ୫ ଦିନ ଯାଏ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ଯୋଗୁଁ ଟ୍ୱିନ୍ ସିଟି ପାଇଁ ମଧ୍ୟ ଆଲର୍ଟ ଜାରି କରାଯାଇଛି । ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।

    ବର୍ଷା ଯୋଗୁଁ ଆଜି ପାଇଁ ଖୋର୍ଦ୍ଧା,ଗଜପତି, ପୁରୀ ଓ ଗଞ୍ଜାମ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଆଗକୁ ବଢ଼ିବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ରାଜ୍ୟରେ ଅଗ୍ରସର ହେଉଛି । ଏହା ମୌସୁମୀ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

  • ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

    ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

    ଆଡ଼ପ ମଣ୍ଡପ ରେ ବିଜେ କରିଛନ୍ତି ଶ୍ରୀଜୀଉ। ଆଡ଼ପ ମଣ୍ଡପରେ ମହାପ୍ରଭୁ ଙ୍କ ଦୁର୍ଲ୍ଲଭ ଦର୍ଶନ ନିମନ୍ତେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଲାଗିଚି ଭକ୍ତଙ୍କ ଭିଡ। ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ପରେ ଶ୍ରୀ ଜିଉଙ୍କ ଦର୍ଶନ ଆରମ୍ଭ ହୋଇଛି । ଏହି ଦର୍ଶନ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହିବ। ଦିତୀୟ ଭୋଗ ମଣ୍ଡପ ନିତି ପରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଆରମ୍ଭ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲି ମହାପ୍ରଭୁଙ୍କ ହେରା ପଞ୍ଚମୀ ନିତି ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ମହାପ୍ରଭୁ ଙ୍କ ପ୍ରଥମ ଆଡ଼ପ ଅବଢ଼ା ବାହାରିବ। ଯାହାକୁ ପାଇବାକୁ ହଜାର ହଜାର ଭକ୍ତ ଅପେକ୍ଷା ରେ ଅଛନ୍ତି। ଶ୍ରୀ ମନ୍ଦିର ରେ ଯେଉଁ ଅବଢ଼ା ବାହାରି ଥାଏ ତାହା ଲକ୍ଷ୍ନୀ ଠାକୁରାଣୀ ତିଆରି କରିଥାନ୍ତି। କୁନ୍ତୁ ଶ୍ରୀ ଗୁଣ୍ଡିଚା ମନ୍ଦିର ହେଉଚି ମହାପ୍ରଭୁ ଙ୍କ ଜନ୍ମ୍ ସ୍ଥାନ। ଏଠାରେ ମା ହାତ ରେ ଅବଢ଼ା ପ୍ରସ୍ତୁତି ହେଇଥାଏ। ଯାହାର ସ୍ୱତନ୍ତ୍ରତା ରହିଚି। ଭକ୍ତ ମାନେ ଆଡ଼ପ ଅବଢ଼ା ବ୍ରାହ୍ମଣ ଙ୍କୁ ସେବନ କରିବାକୁ ଦିଅନ୍ତି। ଯାହା ଦ୍ଵାରା ଅନେକ ପୁଣ୍ୟ ମିଳିଥାଏ।

  • ଭିଜିଲାନ୍ସ ଜାଲରେ ଅଧିକାରୀ, ପଡ଼ୋଶୀଙ୍କ ଛାତରୁ ମିଳିଲା କୋଟିକୋଟି ଟଙ୍କା

    ଭିଜିଲାନ୍ସ ଜାଲରେ ଅଧିକାରୀ, ପଡ଼ୋଶୀଙ୍କ ଛାତରୁ ମିଳିଲା କୋଟିକୋଟି ଟଙ୍କା

    ପଡ଼ୋଶୀଙ୍କ ଛାତରୁ ମିଳିଲା କୋଟି କୋଟି ଟଙ୍କା । ଭିଜିଲାନ୍ସ ଚଢ଼ାଉ ଦେଖି ଟଙ୍କା ବିଡ଼ା ପ୍ୟାକେଟ୍ ପଡ଼ୋଶୀଙ୍କ ଛାତକୁ ଫୋପାଡ଼ି ଦେଲେ ଅତିରିକ୍ତ ଜିଲ୍ଲାପାଳ ବାବୁ । ଆଉ ଟଙ୍କା ସବୁ ଗୋଟାଇ ଭିଜିଲାନ୍ସ ଗଣିବା ବେଳକୁ ଏହା ତିନି କୋଟି ପାର୍ ହୋଇସାରିଥିଲା । ସରକାରୀ ଅଧିକାରୀ କେତେ ମାତ୍ରାରେ ଦୁର୍ନୀତି କରିପାରନ୍ତି,ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ।

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ବର କାନନବିହାରସ୍ଥିତ ଦୁଇତାଲା ବଙ୍ଗଳା, ନବରଙ୍ଗପୁରସ୍ଥିତ ବାସଭବନ, ନବରଙ୍ଗପୁରସ୍ଥିତ ସରକାରୀ କାର୍ଯ୍ୟାଳୟ, ଭଦ୍ରକସ୍ଥିତ ପୈତୃକ ଗାଁ ଠାରେ ଏହି ଚଢ଼ାଉ କରାଯାଇଛି । ଏହାକୁ ଛାଡ଼ି ଅନ୍ୟ ୫ଟି ସ୍ଥାନରେ ବି ଚଢ଼ାଉ ହୋଇଛି । ତେବେ ଶ୍ରୀ ରାଉତ ଭୁବନେଶ୍ଵର କାନନବିହାରସ୍ଥିତ ନିଜ ଘରେ କାଗଜ ପେଟି ଭିତରେ ପାଞ୍ଚ ଶହ ଟଙ୍କିଆ ନୋଟ୍ ବିଡ଼ା ସବୁ ଲୁଚାଇ ରଖିଥିଲେ । ୬ଟି ପେଟିରେ ୨ କୋଟି ୨୫ ଲକ୍ଷ ଟଙ୍କା ରଖା ହୋଇଥିଲା ।

    ଭିଜିଲାନ୍ସ ଚଢ଼ାଉ ହେବା ଜାଣିବା ପରେ ଶ୍ରୀ ରାଉତ ଏହି ଟଙ୍କା ପେଟି ନିଜ ପଡ଼ୋଶୀଙ୍କ ଛାତକୁ ଫୋପାଡ଼ି ଦେଇଥିଲେ । ହେଲେ ତଳେ ଥିବା ଭିଜିଲାନ୍ସ ଅଧିକାରୀ ଓ ଟିମ୍ ଏହାକୁ ଦେଖି ନେଇଥିଲେ । ତୁରନ୍ତ ପଡ଼ୋଶୀଙ୍କ ଛାତକୁ ଯାଇ ଏହି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଆବଶ୍ୟକସ୍ଥଳେ ପଡ଼ୋଶୀଙ୍କ ଘରେ ଆହୁରି ଯାଞ୍ଚ ହେବ ବୋଲି ଜଣାପଡ଼ିଛି । ସେହିପରି ଶ୍ରୀ ରାଉତଙ୍କ ନବରଙ୍ଗପୁରସ୍ଥିତ ଘରୁ ବି ନଗଦ ୭୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ସେଠାରେ ବି ରାଉତ ବାବୁ ନଗଦ ଟଙ୍କା ଲୁଚାଇ ରଖୁଥିଲେ । ଟଙ୍କାକୁ ଛାଡ଼ିଦେଲେ ଘରୁ ସୁନା ବିସ୍କୁଟ,ବିପୁଳ ପରିମାଣର ସୁନା ଅଳଙ୍କାର ଜବତ ହୋଇଛି ।

    WATCH VIDEO: