Author: suchanatv24x7

  • ସୁନାବେଶ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ସମୟ ଅନୁସାରେ ଚାଲିଛି ନୀତିକାନ୍ତି

    ସୁନାବେଶ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ସମୟ ଅନୁସାରେ ଚାଲିଛି ନୀତିକାନ୍ତି

    ଆଜି ସନ୍ଧ୍ୟା ୫ଟାରେ ମହାପ୍ରଭୁଙ୍କ ସୁନା ବେଶ ଆରମ୍ଭ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁଯାୟୀ ଏହି ସମୟ ନିର୍ଦ୍ଧାରଣ କରଯାଇଛି । ରଥ ଉପରେ ବିରାଜମାନ କରିଥିବା ଶ୍ରୀଜିଉଙ୍କ ସମସ୍ତ ନୀତି ଅନୁଷ୍ଠିତ ହେଉଛି । ପରମ୍ପରା ଅନୁଯାୟୀ ରଥ ଉପରେ ଶ୍ରୀଜିଉଙ୍କୁ ଶୁଖିଲା ଭୋଗ ଅର୍ପଣ ହେଉଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା । ରଥ ସମ୍ମୁଖରେ ଭକ୍ତମାନେ ଦୀପ ଜାଳି ନିଜର ମନ କଥା ମହାପ୍ରଭୁଙ୍କୁ ଜଣାଇଛନ୍ତି । ମହାପ୍ରଭୁଙ୍କ ଚିତାକର୍ଷକ ସୁନା ବେଶ ଦର୍ଶନ ପାଇଁ ରଥ ନିକଟରେ ଭକ୍ତଙ୍କ ଭିଡ଼ ଜମିଲାଣି ।

    ଆଜିର ନୀତି ନିର୍ଘଣ୍ଟ ଅନୁଯାୟୀ ସଠିକ୍ ଭାବେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଜାରି ରହିଛି । ଅପରାହ୍ମ ୩ଟା ସୁଦ୍ଧା ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଶେଷ ହେବ । ଏହା ପରେ ମଇଲମ, ଶାଢ଼ି, ଖଣ୍ଡୁଷ ଲାଗି, ସନ୍ଧ୍ୟା ଆଳତୀ,ଏକାଦଶୀ ସର୍ବାଙ୍ଗ ନୀତି ଶେଷ ପରେ ସନ୍ଧ୍ୟା ୫ଟାରୁ ସୁନା ବେଶ ଆରମ୍ଭ ହେବ । ରାତି ୧୨ଟାରେ ବଡ଼ ସିଂହାର ବେଶ, ବଡ଼ ସିଂହାର ଭୋଗ ଓ ରାତି ଗୋଟାଏରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ପୁସ୍ତିକାରେ ସୂଚନା ଦିଆଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ବିଳମ୍ୱିତ ରାତି ଯାଏ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହେବ ।

    ସେପଟେ ଭକ୍ତଙ୍କ ସୁରକ୍ଷା ପାଇଁ ପୁରୀରେ ୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ କାର୍ଯ୍ୟକାରୀ କରାଯାଇଛି । ଭକ୍ତମାନେ ବଡ଼ ଦାଣ୍ଡ ମାର୍କେଟ ଛକରୁ ବାରିକେଡରେ ଆସି ଶ୍ରୀମନ୍ଦିର ସିଂହ ଦ୍ଵାରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

  • ଜୁଲାଇରେ ଉତକ୍ଷେପଣ ହୋଇପାରେ ଚନ୍ଦ୍ରାୟନ-୩: ଇସ୍ରୋ

    ଜୁଲାଇରେ ଉତକ୍ଷେପଣ ହୋଇପାରେ ଚନ୍ଦ୍ରାୟନ-୩: ଇସ୍ରୋ

    ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ବା ଇସ୍ରୋର ବଡ ଘୋଷଣା। ବହୁ ପ୍ରତୀକ୍ଷିତ ଚନ୍ଦ୍ରାୟନ-୩ ର ଲଞ୍ଚିଂ ତାରିଖ ଘୋଷଣା। ଚନ୍ଦ୍ରାୟଣ-୩ ଉତକ୍ଷେପଣର ସମ୍ଭାବ୍ୟ ସମୟ ଜୁଲାଇ ୧୩, ମଧ୍ୟାହ୍ନ ୨ଟା ୩୦ ଧାର୍ଯ୍ୟ କରାଯାଇଛି। ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ଭାରତର ହେବ ବଡ ସଫଳତା ବୋଲି ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ। ଚନ୍ଦ୍ରାୟନ ୩ର ସୁରକ୍ଷିତ ଲ୍ୟାଣ୍ଡିଂ ଓ ରୋଭିଂ ଜରିଆରେ ଇସ୍ରୋ ଦୁନିଆ ସମ୍ମୁଖରେ ଉପସ୍ଥାପନ କରିବାକୁ ଯାଉଛି ସ୍ୱଦେଶୀ ଜ୍ଞାନ କୌଶଳ ।  

    ବାସ୍ତବରେ ଚନ୍ଦ୍ରାୟନ ୩ ହେଉଛି ଚନ୍ଦ୍ରାୟନ ୨ର ଫଲୋଅପ ମିସନ।  ଏହି ମିସନରେ ପୂର୍ବର ଭୁଲକୁ ଦୋହରା ଯିବନାହିଁ। ଏହାକୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡ କରିବା ଉପରେ ଇସ୍ରୋ ଦେଇଛି ଗୁରୁତ୍ୱ। କାରଣ ଚନ୍ଦ୍ରାୟନ ୨ର ସଫଳ ଲଞ୍ଚି ପରେ ସବୁ କିଛି ଠିକ ଚାଲିଥିବା ବେଳେ କିନ୍ତୁ ଶେଷ ପର୍ଯ୍ୟୟରେ ଲ୍ୟାଣ୍ଡିଂରେ ଦେଖାଦେଇଥିଲା ସମସ୍ୟା। ଚନ୍ଦ୍ର ପୃଷ୍ଠରେ ଅବତରଣର ମାତ୍ର ୩୫୦ ମିଟର ଉଚ୍ଚରୁ ଦ୍ରୁତତା କାରଣରୁ ଜମି ଉପରେ ବାଡେଇ ହୋଇଥିଲା ଚନ୍ଦ୍ରାୟନ ୨। ତେଣୁ ଚଳିତ ଅଭିଯାନରେ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡିଂ ପାଇଁ ନିଆଯାଇଛି ବ୍ୟାପକ ପଦକ୍ଷେପ।

    ଚନ୍ଦ୍ରାୟନ ୩ର ସ୍ପେସ କ୍ରାପ୍ଟ ସମ୍ପୂର୍ଣ୍ଣ ଅଟୋମାଟିକ ହୋଇଥିବା ବେଳେ ଏଥିରେ ଲଗାଯାଇଛି ଶହ ଶହ ସେନ୍ସର, ଯାହା ଯାନର ଅବତରଣ ଓ ଅନ୍ୟାନ୍ୟ କାର୍ଯ୍ୟରେ କରିବ ସହଯୋଗ । ଏଥିରେ ଏପରି ଯନ୍ତ୍ର ସବୁ ସଂଯୋଗ ହୋଇଛି ଯାହା ଆଲୋକ ଓ ଖଣିଜ ତାପ ଆଧାରରେ ଚନ୍ଦ୍ର ପୃଷ୍ଠର ଅଧ୍ୟୟନ କରିବ। ତେଣୁ ଲ୍ୟାଣ୍ଡରରେ ଚନ୍ଦ୍ର ପୃଷ୍ଠ ଥର୍ମୋଫିଜିକାଲ ଏକ୍ସପେରିମେଣ୍ଟ ଲାଗାଯାଇଛି। ଏହା ଚନ୍ଦ୍ର ପୃଷ୍ଠରେ ଥର୍ମଲ କଣ୍ଡକ୍ଟିଭିଟି ଓ ତାପମାତ୍ରାର କରିବ ଅଧ୍ୟୟନ। ସେହିପରି ଚନ୍ଦ୍ରାୟନ୩ ଯାନରେ ଲାଗିଥିବା ଲୁନାର ସିସ୍ମିକ ଆକ୍ଟିଭିଟି ସେଠା  ଭୂପୃଷ୍ଠର ଭୂକମ୍ପ ସମ୍ବନ୍ଧିତ ସୂଚନା ସଂଗ୍ରହ କରିବ। ଲ୍ୟାଣ୍ଡରେ ଲାଗିଥିବା ଲେଙ୍ଗମୁର ପ୍ରୋବ ଚନ୍ଦ୍ର ଉପରେ ପ୍ଲାଜମାର  ଘନତା ଓ  ତାର ଅନ୍ତରକୁ ଯାଞ୍ଚ କରିବ। ଏହା ବ୍ୟତୀତ ନାସା ଏଥିରେ ପ୍ୟାସିଭ ଲେଜର ରେଟ୍ରୋରିଫ୍ଳେକ୍ଟର ଲଗାଇଛି, ଯାହା ଚନ୍ଦ୍ର ପୃଷ୍ଠ ଉପରେ ଲେଜର ଜରିଆରେ ରେଞ୍ଜିଂ ଷ୍ଟଡି କରିବ। ସେହିପରି ରୋବରରେ ଥିବା ଆଲ୍ଫା ପାର୍ଟିକଲ ଏକ୍ସ- ରେ ସ୍ପେକ୍ଟ୍ରୋମିଟର ଓ ଲେଜର ପ୍ରବର୍ତ୍ତିତ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ ଅବତରଣ ସ୍ଥଳରେ ଖଣିଜ, ମାଟି ଓ ସେଠାକାର ରାସାୟନ ମିଶ୍ରଣର ଅଧ୍ୟୟନ କରିବ।

    ଚନ୍ଦ୍ରାୟଣ୨ର ଲ୍ୟାଣ୍ଡର ପରି ଏଥିରେ ୫ ଟି ଥ୍ରୋଟଲ ଇଞ୍ଜିନ ବଦଳରେ ଲାଗିଛି ୪ଟି । ଏହା ବ୍ୟତୀତ ଲ୍ୟାଣ୍ଡରରେ ଲେଜର ଡାପ୍ଲୋର  ଭେଲୋସିମିଟର ଲଗାଯାଇଥିବା ରହିଛି ସୂଚନା । ଏହା ଦ୍ୱାରା ଲ୍ୟାଣ୍ଡିଂ ସହଜ ହେବ। ଗୋଟିଏ ଲ୍ୟାଣ୍ଡର, ଗୋଟିଏ ରୋଭର ଓ ଗୋଟିଏ ପ୍ରପୁଲସନ ମଡ୍ୟୁଲକୁ ନେଇ ଚନ୍ଦ୍ରାୟଣ ୩ର ଗଠନ। ଏହାର ଓଜନ ୩,୯୦୦ କିଲୋ ହୋଇଥିବା ବେଳେ ପ୍ରପୁଲସନ ମଡ୍ୟୁଲର ଓଜନ ରହିଛି ୨,୧୪୮ କିଲୋ। ଏହା ଲ୍ୟାଣ୍ଡର ଓ ରୋଭରକୁ ୧୦୦ କିଲୋମିଟରର ଚନ୍ଦ୍ର କକ୍ଷକୁ ନେଇଯିବ। ତେବେ ଚନ୍ଦ୍ରାୟନ ୨ ସଦୃଶ  ରୋଭର ରହିଛି ଚନ୍ଦ୍ରାୟନ୩ରେ । ଏହାର ଓଜନ ୨୬ କେଜି। ଚନ୍ଦ୍ରାୟନ୩ର ଯନ୍ତ୍ରାଂଶର ପ୍ରପୁଲସନ ମଡ୍ୟୁଲ ୭୫୮ ୱାଟ ବିଜୁଳି ଉତ୍ପାଦନ କରୁଥିବା ବେଳେ ଲ୍ୟାଡର ମଡ୍ୟୁଲ ୭୩୮ ଓ ରୋଭର ୫୦ ୱାଟ ଉତ୍ପନ୍ନ କରିବ। ଚନ୍ଦ୍ରାୟନ ୩ ଲଞ୍ଚିଂର ସମସ୍ତ ପ୍ରସ୍ତୁତି ସରିଛି।

    ଇସ୍ରୋ ତନ୍ନ ତନ୍ନ କରି ସମସ୍ତ ଉପକରଣରର ଯାଞ୍ଚ କରି ସେଥିରେ ସଫଳ ହୋଇଛି। ତେଣୁ ଏହାକୁ ଆଗାମୀ ୧୩ ତାରିଖରେ ଲଞ୍ଚ କରିବାକୁ ଘୋଷଣା କରାଯାଇଛି। ଇସ୍ରୋ ମୁତାବକ ଚନ୍ଦ୍ରାୟନ ୩ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟା ସ୍ଥିତ ସତୀଶ ଧବନ ମହାକାଶ କେନ୍ଦ୍ରରୁ  ଲଞ୍ଚ କରାଯିବ। ଏହାକୁ  ପ୍ରକ୍ଷେପଣ ଯାନ ମାର୍କ-3 ଜରିଆରେ ପଠାଯିବ। ବିଶେଷକରି ବେସାମରିକ ବିମାନ ଚଳାଚଳ ଏବଂ ସାମରିକ ଆବଶ୍ୟକତାଗୁଡ଼ିକରେ ପୋଜିସନାଲ୍, ନେଭିଗେସନ୍ ଏବଂ ଟାଇମିଂ ସମ୍ବନ୍ଧିତ ସମସ୍ତ ଆବଶ୍ୟକତା ପୂରଣ କରିବାକୁ ଇସ୍ରୋ ଚନ୍ଦ୍ରାୟଣ୩ର ନାଭିକ ସିଷ୍ଟମକୁ ବିକଶିତ କରିଛି | ପୂର୍ବରୁ ମଧ୍ୟ ଭାରତୀୟ ଆଞ୍ଚଳିକ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ବେଶ ଖ୍ୟାତି ରଚନା କରିଛି। ଏବେ ଏହି ମିଶନ ମାଧ୍ୟମରେ ନାଭିକ ସିଷ୍ଟମକୁ ଆହୁରି ବିକଶିତ କରି ଇସ୍ରୋ ଭାରତର ଜ୍ଞାନ କୌଶଳକୁ ବିଶ୍ୱ ଆଗରେ ରଖି ଇତିହାସ ରଚିବାକୁ ରଖିଛି ଲକ୍ଷ୍ୟ। 
  • ଯାଜପୁର: ଧୁମଧାମରେ ବାହୁଡ଼ା ଯାତ୍ରା ପାଳିତ, ଆନନ୍ଦର ସହ ରଥ ଟାଣିଲେ ଭକ୍ତ

    ଯାଜପୁର: ଧୁମଧାମରେ ବାହୁଡ଼ା ଯାତ୍ରା ପାଳିତ, ଆନନ୍ଦର ସହ ରଥ ଟାଣିଲେ ଭକ୍ତ

    ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ବାହୁଡ଼ା ଯାତ୍ରା ଶେଷ ହୋଇଛି । ଲକ୍ଷଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସମାଗମ ହୋଇଥିଲା । ସେହିପରି ଯାଜପୁର ଜିଲ୍ଲାରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥିଲା । ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତର କୁଟୁରିଆ ଗାଁରେ ଥିବା ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି ।

    କୁଟୁରିଆ ଗାଁ ଜଗନ୍ନାଥ ମନ୍ଦିର ପରିସରରେ ଘଣ୍ଟ ଓ ହୁଳହୁଳିର ଶବ୍ଦ । ବାହୁଡ଼ା ଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ଜମିଥିଲା । ପୂଜକ ଗଦାଧର ମିଶ୍ରଙ୍କ ତତ୍ତ୍ୱାବଧାନରେ ଭୋରୁ ଭୋରୁ ଆରମ୍ଭ ହୋଇଥିଲା ତିନି ଠାକୁରଙ୍କ ନୀତିକାନ୍ତି । ପୂଜକମାନେ ଠିକ୍ ସମୟରେ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ । ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରି ରଥାରୁଢ଼ କରାଯାଇଥିଲା । ଏହାପରେ ମନ୍ଦିର ଅଭିମୁଖେ ରଥ ଟାଣିଥିଲେ ଶ୍ରଦ୍ଧାଳୁ ।

    ସ୍ଥାନୀୟ ସରପଞ୍ଚ, ମନ୍ଦିର କମିଟି ସଭାପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ । ବାହୁଡ଼ା ଯାତ୍ରାରେ ଦୂରଦୂରାନ୍ତରରୁ ଭକ୍ତଙ୍କ ସୁଅ ଛୁଟିଥିଲା । ମହାପ୍ରଭୁଙ୍କ ଟିକିଏ ଆଶୀର୍ବାଦ ପାଇବା ପାଇଁ ବ୍ୟଗ୍ର ହୋଇଥିଲେ ଶ୍ରଦ୍ଧାଳୁ । ସମଗ୍ର ଅଞ୍ଚଳରେ ଘଣ୍ଟଘଣ୍ଟା, ହୁଳହୁଳି, ବାଜା ଶବ୍ଦରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସେପଟେ, ପ୍ରବଳ ଭିଡ଼କୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।

  • ବାହୁଡ଼ା’ରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଦଳାଚକଟା ପରିସ୍ଥିତି, ଏକାଧିକ ଗୁରୁତର

    ବାହୁଡ଼ା’ରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଦଳାଚକଟା ପରିସ୍ଥିତି, ଏକାଧିକ ଗୁରୁତର

    ବାହୁଡ଼ାଯାତ୍ରାରେ ରଥଟଣାବେଳେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ତାଳଧ୍ବଜ ରଥ ଦଉଡ଼ି ଛିଣ୍ଡି ଜଣେ ଭୋଇ ସେବକଙ୍କ ସମେତ ୮ ଜଣ ଗୁରୁତର ହୋଇଛନ୍ତି । ଗତ କିଛି ବର୍ଷ ଧରି କୌଣସି ରଥର ଦଉଡ଼ି ଛିଣ୍ଡି ନଥିବା ବେଳେ ଏବର୍ଷ ଏହି ଦଉଡ଼ି ଛିଣ୍ଡିଯାଇଥିଲା । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଳଧ୍ୱଜ ରଥ ଦଉଡ଼ିକୁ ଭୋଇ ସେବାୟତମାନେ ତାଣରେ ବାନ୍ଧିଥିଲେ ।

    ମାତ୍ର ତାଳଧ୍ୱଜ ରଥ ମାର୍କେଟ ଛକରେ ପହଞ୍ଚିବା ପରେ ଏହି ରଥ ଦଉଡ଼ିଟି ତାଣରୁ ଖସିଯାଇଥିଲା । ରଥ ଦଉଡ଼ି ଧରିଥିବା ଭୋଇ ସେବାୟତ ନକୁଳ ଭୋଇଙ୍କ ସମେତ ଆଉ କିଛି ଭକ୍ତ ତଳେ ପଡ଼ି ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ନକୁଳ ଗୁରୁତର ଆହତ ହୋଇଥିଲେ । ଏହାପୂର୍ବରୁ ବଳଗଣ୍ଡି ଛକରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଯାଇଥିଲା । ଏଥିରେ ୬ ଜଣ ମଧ୍ୟ ଗୁରୁତର ଆହତ ହୋଇଥିଲେ । ସଦର ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା ।

    ରଥଟଣା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମ୍ମୁଖରେ ଦଳାଚକଟା ପରିସ୍ଥିତି ଦେଖିବାକୁ ମିଳିଥିଲା । ଝାରସୁଗୁଡ଼ାର ସସ୍ମିତା ନାମକ ଜଣେ ଯୁବତୀ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସସ୍ମିତାଙ୍କ ସମ୍ମୁଖରେ ଥିବା ଜଣେ ଭକ୍ତ ପଡ଼ିଯିବାରୁ ସେ ମଧ୍ୟ ତାଙ୍କ ଉପରେ ଝୁଣ୍ଟି ବଡ଼ଦାଣ୍ଡରେ ପଡ଼ି ଯାଇଥିଲେ । ଫଳରେ ରଥ ଟାଣୁଥିବା ଭକ୍ତମାନେ ତାଙ୍କୁ ଦଳିଚକଟି ଆଗକୁ ମାଡ଼ି ଯାଇଥିଲେ । ସସ୍ମିତାଙ୍କ ମୁହଁ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ।

    ବାହୁଡ଼ାଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ଥିବାରୁ ତାମଜାନ ଆସି କୁମ୍ଭକାର ନିଯୋଗ ସମ୍ମୁଖରେ ରଖାଯାଇଥିଲା । ଗଜପତିଙ୍କୁ ତାମଜାନରେ ବସାଇ ତିନି ରଥ ନିକଟକୁ ନିଆଯାଉଥିବା ବେଳେ ତାମଜାନର ରୂପା ଚକ୍ର ବାଜି ଶ୍ରୀନହର ସେବାୟତ ରଜନୀକାନ୍ତ ପରିଡ଼ା ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ଫାଟି ଯାଇଥିବାରୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

    ଚଳିତଥର ବାହୁଡ଼ାଯାତ୍ରାରେ ଏଭଳି ଅଘଟଣକୁ ନେଇ ଭକ୍ତଙ୍କ ମନରେ ସାମାନ୍ୟ ଅସନ୍ତୋଷ ଦେଖାଦେଇଥିଲା । ଆଜି ମହାପ୍ରଭୁଙ୍କ ସୁନବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଛି ।

  • ଝାରପଡ଼ା: ଗୁଳିକାଣ୍ଡ ଘଟଣାରେ ୨ ଗିରଫ, ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଟିମ୍ ଗଠନ

    ଝାରପଡ଼ା: ଗୁଳିକାଣ୍ଡ ଘଟଣାରେ ୨ ଗିରଫ, ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଟିମ୍ ଗଠନ

    ଭୁବନେଶ୍ୱର ଝାରପଡ଼ା ଗୁଳିକାଣ୍ଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଟକ ଅଭିଯୁକ୍ତମାନଙ୍କୁ ପଚରାଉଚୁରା କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ବୋଲି ପ୍ରେସମିଟରେ କହିଛନ୍ତି ଡିସିପି ।

    ପୋଲିସର ସୂଚନା ଅନୁସାରେ ସାମାନ୍ୟ ବଚସାରୁ ରାଜଧାନୀର ଝାରପଡ଼ାରେ ଗୁଳିକାଣ୍ଡ ଘଟିଥିଲା । ଗତକାଲି ଝାରପଡ଼ା ଜଗନ୍ନାଥନଗର ଲେନ୍ ୱାନ ପ୍ରଜାପତି ମଣ୍ଡପରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ସେଠାରେ ଭୋଜି ଖାଇ ରିଙ୍କୁ ଜେନା ଏକ କାରରେ ଫେରୁଥିଲେ । ଅନ୍ୟ ଏକ କାରରେ ଥିଲେ ପ୍ରଭାତ ମାର୍ଥା ନାମକ ଯୁବକ । ଗାଡ଼ି ସାଇଡ୍ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

    ଯୁକ୍ତିତର୍କ ପରେ ପ୍ରଭାତ ଏବଂ ତାଙ୍କର ଅନ୍ୟ ୩ ସହଯୋଗୀ ଗୁଳିମାଡ଼ କରିଥିଲେ । ୨ଟି ବନ୍ଧୁକରୁ ୧୨ ରାଉଣ୍ଡ ଫାୟାରିଂ ପରେ ଗୁରୁତର ହୋଇଥିଲେ ରିଙ୍କୁ ଏବଂ ତାଙ୍କ ବାପା ଶିଖର ଜେନା । ଶିଖରଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ପୁଅ ରିଙ୍କୁଙ୍କ ଡାହାଣ ଗୋଡ଼ରେ ଲାଗିଥିଲା ଆଘାତ । ଚିକିତ୍ସା ପାଇଁ ବାପାପୁଅ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

    ଘଟଣାରେ ପୋଲିସ ରାଜା ସାହୁ ଓ ଦିବାକର କଳସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦିବାକର ସେନାରୁ ଅବସର ନେଇ ପ୍ରଭାତର ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଥିବା କହିଛି ପୋଲିସ । ହେଲେ ଚମ୍ପଟ ମାରିଥିଲେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ଓ ଅନ୍ୟ ଜଣେ ସହଯୋଗୀ ।

    ସେମାନଙ୍କୁ ଧରିବା ପାଇଁ ଜଣେ ଏସିପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି । ଏଥିସହ ଘଟଣାସ୍ଥଳରୁ ୨ଟି ବନ୍ଧୁକ ଓ ୯ଟି ଖୋକା ଜବତ କରାଯାଇଥିବା କହିଛନ୍ତି ଡିସିପି ।