
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ଶୁକ୍ରବାର କୋଲକାତାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦଳର ଇସ୍ତାହାର ପ୍ରକାଶ କରିଛନ୍ତି। ଏହା ପୂର୍ବରୁ, ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ମମତା ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ନିର୍ବାଚନ ପରେ ଏନଆରସି ଏବଂ ଜନଗଣନା ନାମରେ ଲୋକଙ୍କ ନାଗରିକତା ଛଡ଼ାଇ ନେବାକୁ ଯୋଜନା କରୁଛି ।

ଗଣମାଧ୍ୟମ ସୂଚନା ଅନୁଯାୟୀ, ମମତା କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ଡ଼ିଲିମିଟେସନ ପାଇଁ କେନ୍ଦ୍ର ଏବଂ ନିର୍ବାଚନ କମିଶନ ମିଳିତ ଭାବରେ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ଯୋଜନା କରୁଛନ୍ତି। ମମତା ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଅନୌପଚାରିକ ରାଷ୍ଟ୍ରପତି ଶାସନ ଭଳି ଏକ ପରିବେଶ ସୃଷ୍ଟି ହୋଇଛି, କାରଣ ବିଜେପି ଅନୁଭବ କରୁଛି ଯେ ଆଗାମୀ ବିଧାନସଭା ନିର୍ବାଚନରେ ସେ ପରାଜୟର ସମ୍ମୁଖୀନ ହେବାକୁ ଯାଉଛି ।

ଏପଟେ , ତୃଣମୂଳ କଂଗ୍ରେସ (ଟିଏମସି) ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ସମର୍ଥନରେ 18 ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମମତା ଏବଂ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ନାମ ରହିଛି।



















