ବିଜେଡି ନେତାଙ୍କୁ ଆକ୍ରମଣ: ପୋଲିସର ନିଷ୍କ୍ରିୟତା ବିରୋଧରେ ଆଦର୍ଶ ଥାନା ଘେରାଉ

ପାରାଦ୍ଵୀପ ପୌରପରିଷଦର ଉପାଧ୍ୟକ୍ଷା ଛବିଲତା ରାଉତ ଓ ତାଙ୍କ ସ୍ୱାମୀ ନଗେନ୍ଦ୍ର ରାଉତଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଓ ପୋଲିସ ନିଷ୍କ୍ରିୟତାର ଘୋର ବିରୋଧ କରିଛି ପାରାଦ୍ୱୀପ ବିଜେଡି। ଅଗଷ୍ଟ ୧୪ ତାରିଖରେ ଛବିଲତା ଓ ନଗେନ୍ଦ୍ରଙ୍କ ଉପରେ କିଛି ଅସାମାଜିକ ଯୁବକଙ୍କ ଆକ୍ରମଣ କରିବା ସହିତ ସେମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏହି ଘଟଣାରେ ଗୁରୁତର ହୋଇଥିବା ଉପାଧ୍ୟକ୍ଷାଙ୍କ ସ୍ୱାମୀ ଏବେବି କଟକରେ ଚିକିତ୍ସିତ ହେଉଛନ୍ତି; କିନ୍ତୁ ଆକ୍ରମଣକାରୀ ଯୁବକମାନେ ଖୁଲମଖୁଲା ବୁଲୁଥିବାବେଳେ, ପୋଲିସ ସେମାନଙ୍କୁ ଗିରଫ କରୁନାହିଁ।

ଘଟଣାର ବିରୋଧ କରି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ନେତୃତ୍ବରେ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାନେତ୍ରୀ ମୋନିଦିପା ସାର୍ଖେଲ, ବିଜେଡି ନେତା କୈଳାସ ସାହୁ , ବିଜେଡି ଜିଲ୍ଲା ଉପସଭାପତି ଜ୍ୟୋତିକାନ୍ତ ପରିଡା, ଅରିନ୍ଦମ ସାର୍ଖେଲ ପ୍ରମୁଖ ବହୁ ବିଜେଡି କର୍ମୀ ଏକ ବିଶାଳ ରାଲିରେ ପାରାଦ୍ୱୀପ ମାର୍କେଟ ପରିକ୍ରମା କରିବା ସହିତ ଆଦର୍ଶ ଥାନା ଘେରାଉ କରିଥିଲେ। ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବୀ କରିଛି।

ତେବେ, ବିଜେଡି ପକ୍ଷରୁ କରାଯାଇଥିବା ଏହି ଥାନା ଘେରାଉରେ ପୌରାଧ୍ୟକ୍ଷ ତଥା ପାରାଦ୍ଵୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କୁ ଦେଖିବାକୁ ମିଳି ନଥିଲା। ଯାହାକୁ ନେଇ ପ୍ରଶ୍ନ କରିବାରୁ , ସମ୍ବିତ ରାଉତରାୟ କହିଛନ୍ତି ଯେ ବର୍ତ୍ତମାନ ବିଜେଡିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି ଏବଂ ଦୁଇଦିନ ମାଧ୍ୟରେ ଦଳର ୧୫ ଜଣିଆ କମିଟି ଏକ ବୈଠକ କରିବା ପରେ ନୂତନ କମିଟି ତିଆରି ହେବ ।

ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ପ୍ରକାଶ କରିଛନ୍ତି ଯେ ୨୪ ବର୍ଷ ହେଲା ଯେଉଁ ପୋଲିସ ଯେକୌଣସି ଘଟଣାରେ ସଙ୍ଗେ ସଙ୍ଗେ ଆକ୍ସନ ନେଉଥିଲା, ଆଜି ସେହି ପୋଲିସ ନିଷ୍କ୍ରିୟ ହୋଇଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଷୁଡି ପଡ଼ିଥିବାରୁ ବାଧ୍ୟ ହୋଇ ଥାନା ଘେରାଉ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *