ଏସଆଇ ବାବୁ ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ

ଭିଜିଲାନ୍ସ କବଜାରେ କୁଜଙ୍ଗ ଥାନା ସବ ଇନ୍ସପେକ୍ଟର। ଏକ ମାମଲାର ରଫାଦଫା କରିବାକୁ ଏସଆଇ ବିବେକାନନ୍ଦ ସାହୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରି ନେଇଛି ଦୁର୍ନୀତି ନିବାରଣ ସଂସ୍ଥା। ସୂଚନା ମୁତାବକ, ଗତ ମେ ୧୪ ତାରିଖରେ ବାଗୋଇ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ପଟରୁ ଥାନାରେ ଏତଲା ଦିଆଯାଇଥିଲା। ବିବେକାନନ୍ଦ ସାହୁ ଗୋଟିଏ ପଟର କେସ ରୁଜୁ କରିଥିଲେ ମଧ୍ୟ ଅନ୍ୟ ପକ୍ଷରେ ଥିବା ସରୋଜ କୁମାର ସ୍ବାଇଁଙ୍କ ଏତଲା ଗ୍ରହଣ କରିନଥିଲେ। ସରୋଜ ଏ ସମ୍ପର୍କରେ ପୋଷ୍ଟାଲା ମାଧ୍ୟମରେ ଏସପିଙ୍କୁ ଜଣାଇଥିଲେ । ଏଥିରେ ମଧ୍ୟ ସରୋଜଙ୍କୁ କୌଣସି ସୁଫଳ ମିଳି ନ ଥିଲା। ତେଣୁ ସରୋଜ ଗିରଫଦାରୀ ଭୟରେ କୋର୍ଟରୁ ଆଗୁଆ ବେଲ ନେଇଥିଲେ। ତଥାପି ଏସଆଇ ବିବେକାନନ୍ଦ ତାଙ୍କୁ ବିଭିନ୍ନ ଉପାୟରେ ଫସାଇବାକୁ ଧମକାଉଥିଲେ ଓ କେଶରୁ ମୁକୁଳେଇବା ପାଇଁ ସରୋଜଙ୍କଠାରୁ ୮ ହଜାର ଟଙ୍କା ଦାବି କରିଥିଲେ । ବିବେକାନନ୍ଦଙ୍କ ଚାପରେ ଅତିଷ୍ଠ ହୋଇ ସରୋଜ ଏସମ୍ପର୍କରେ ଜଗତସିଂହପୁର ଭିଜିଲାନ୍ସ ବିଭାଗରେ ଗୁହାରୀ କରିବାକୁ ବାଧ୍ୟ ହୋଇଥିଲେ। ଯାହାକୁ ନେଇ ଭିଜିଲାନ୍ସ ଜାଲ ବିଛାଇଥିଲା ବିବେକାନନ୍ଦଙ୍କୁ ଧରିବାକୁ। ବିବେକାନନ୍ଦ ଭିଜିଲାନ୍ସରୁ ବର୍ତ୍ତିବାକୁ ସିଧାସଳଖ ସରୋଜଙ୍କଠାରୁ ଟଙ୍କା ନ ନେଇ, ମଧ୍ୟସ୍ଥିଙ୍କ ମାଧ୍ୟମରେ ୮ ହଜାର ଟଙ୍କା ପଠାଇବାକୁ କହିଥିଲେ। ସେହି ଅନୁଯାୟୀ ମଧ୍ୟସ୍ଥି ଟଙ୍କା ଦେଇଥିଲେ ବିବେକାନନ୍ଦଙ୍କୁ। ହେଲେ ଏସବୁ ବିଷୟରେ ଅବଗତ ଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ପୂର୍ବରୁ ସେଠାରେ ଛକିଥିଲେ ଓ ଏସଆଇ ବିବେକାନନ୍ଦଙ୍କୁ ଟଙ୍କା ଧରୁଥିବା ବେଳେ କାବୁ କରି ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି ଜଗତସିଂହପୁର ନେଇଯାଇଛି । ଥାନା ଭିତରେ ଥିବା ଏସଆଇଙ୍କ କ୍ଵାଟରର ଯାଞ୍ଚ ମଧ୍ୟ କରିଛି। ଏଠାରେ କହି ରଖୁଛୁ କି, ପୂର୍ବରୁ ନାଉଗାଁ ଥାନାରେ ଥିବା ବେଳେ ଏହି ପୋଲିସ ବାବୁଙ୍କ ମଦ ପିଇବା ଭିଡିଓ ଭାଇରାଲ ହୋଇ ସେ ବେଶ ଚର୍ଚ୍ଚାରେ ଥିଲେ।

Leave a Reply

Your email address will not be published. Required fields are marked *