ବାହାନଗା ରେଲ ଦୁର୍ଘଟଣା: ଡିଏନଏ ରିପୋର୍ଟ ଆଧାରରେ ହେବ ମୃତଦେହ ହସ୍ତାନ୍ତର

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ପରିଚୟ ମିଳିନଥିବା ବ୍ୟକ୍ତିମାନଙ୍କ ଡିଏନଏ ଟେଷ୍ଟ ରିପୋର୍ଟ ଭିତରୁ ପ୍ରଥମ ପର୍ଯ୍ୟାୟରେ ୨୯ ରିପୋର୍ଟ ଭୁବନେଶ୍ୱର ଏମସକୁ ଆସିଛି। ମୋଟ ୭୮ଟି ସାମ୍ପୁଲ ପଠାଯାଇଥିଲା।। ରିପୋର୍ଟ ଆସିବା ପରେ ସେମାନଙ୍କ ସମ୍ପର୍କୀୟଙ୍କୁ ଏମସକୁ ଡକାଯାଇଥିଲା। ଆଜି ସକାଳେ ସେହି ସମ୍ପର୍କୀୟମାନେ ଭୁବନେଶ୍ୱର ଏମସରେ ପହଞ୍ଚିଛନ୍ତି।
ଦୁର୍ଘଟଣା ପରେ ଚିହ୍ନଟ ହୋଇ ନ ଥିବା ମୃତଦେହ ସବୁକୁ ଭୁବନେଶ୍ୱର ଏମସରେ ସଂରକ୍ଷିତ ରଖାଯାଇଛି। ୨୯ ରିପୋର୍ଟ ପ୍ରଥମ ପର୍ଯ୍ୟାୟରେ ଆସିବା ପରେ ଆଜି ସେମାନଙ୍କ ପରିଜନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଏଥିପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯଦି କୌଣସି ବ୍ୟକ୍ତି ମୃତଦେହ ନ ନେଇ ଭୁବନେଶ୍ବରରେ ହିଁ ଶବ ସତ୍କାର କରିବାକୁ ଚାହିଁବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ତେବେ ଚିହ୍ନଟ ୨୯ ମୃତଦେହ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାର ଥିବା ସୂଚନା ରହିଛି। ମୋଟ ୮୧ଟି ମୃତଦେହ ଚିହ୍ନଟ ନ ହୋଇ ଏମସରେ ରହିଥିଲା। ସେଥିମଧ୍ୟରୁ ୭୮ଟି ମୃତଦେହର ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଅବଶିଷ୍ଟ ମୃତ ଦେହର ସାମ୍ପୁଲପଠାଯିବ ଟେଷ୍ଟ ପାଇଁ ବୋଲି ସୂଚନା ମିଳିଛି।

ବାହାନଗା ଟ୍ରେନ ଦୁର୍ଘଟଣାରେ ଚିହ୍ନଟ ହୋଇ ନଥିବା ମୃତଦେହ ମଧ୍ୟରୁ କେତେକର ଏକାଧିକ ଦାବିଦାର ଥିଲେ। ଏଥିପାଇଁ ମୃତକ ଓ ଦାବିଦାରଙ୍କ ଡିଏନଏ ଟେଷ୍ଟ ପାଇଁ ନିଆଯାଇଥିଲା ନିଷ୍ପତ୍ତି। ମୃତକ ଓ ଦାବିଦାରଙ୍କ କେଶ, ଦାନ୍ତ, ହାଡ଼, ନଖ,ମାଂସ ନମୂନା ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଫୋରେନ୍ସିକ ସାଇନ୍ସ ଲ୍ୟାବକୁ ପଠାଯାଇଥିଲା। ସେଥିମଧ୍ୟରୁ ୨୯ ଜଣଙ୍କ ଡିଏନଏ ରିପୋର୍ଟ ଭୁବନେଶ୍ୱର ଏମସକୁ ଆସିଛି। ମାତ୍ର କିଛି ଶବର ହାଡ଼,ମାଂସ, ଦାନ୍ତ ଆଦି ନଷ୍ଟ ହୋଇଥିବାରୁ ସେମାନଙ୍କର ଡିଏନଏ ମେଳ କରିବାରେ ସମସ୍ୟା ଉପୁଜୁଥିବା କୁହାଯାଇଛି । ତେଣୁ ଡିଏନଏ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି ବୋଲି ଭୁବନେଶ୍ୱର ଏମସ ହସ୍ପିଟାଲ ପକ୍ଷରୁ ପ୍ରକାଶ।

ସୂଚନା ଯୋଗ୍ୟ, ଜୁନ୍ ୨ତାରିଖରେ ବାହାନଗାଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୮୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସାରା ବିଶ୍ବରେ ଖେଳାଇଦେଇଥିଲା ଚହଳ। ଏହାକୁ ନେଇ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ। କିନ୍ତୁ ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ ବାହାନଗାରେ କ୍ୟାମ୍ପ କରି ରହି ଟ୍ରେନ ଲାଇନ ମରାମତି କାମର ପ୍ରତ୍ୟକ୍ଷ ତତ୍ୱାବଧାନ କରିଥିଲେ।

Leave a Reply

Your email address will not be published. Required fields are marked *