
ପୁଣି ସାମ୍ନାକୁ ଆସିଲା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା । ଗତକାଲି ଏୟାର ଇଣ୍ଡିଆର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ସମସ୍ତ ଯାତ୍ରୀ ଏବଂ କ୍ରୁ ସମ୍ପର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି ।
ସୂଚନାନୁଯାୟୀ, ହଂକଂରୁ ଦିଲ୍ଲୀ ବିମାନ ବନ୍ଦରରରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ଅବତରଣ କରିବା ସମୟରେ ସହାୟକ ପାୱାର ୟୁନିଟରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ମାତ୍ରେ ସିଷ୍ଟମ ଡିଜାଇନ୍ ଅନୁସାରେ APU ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଇଥିଲା । ଦୁର୍ଘଟଣା କାରଣରୁ ବିମାନଟିର କ୍ଷତି ହୋଇଛି । କିନ୍ତୁ ଏଥିରେ କାହାର କ୍ଷୟକ୍ଷତି ଘଟିନାହିଁ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।
ଏହାରି ମଧ୍ୟରେ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହା ସହିତ ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଏହି ଦୁର୍ଘଟଣା ଯୋଗୁଁ ବିମାନଟିର କ୍ଷତି ହୋଇଛି । କିନ୍ତୁ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିମାନଟିକୁ ବର୍ତ୍ତମାନ ପାଇଁ ଗ୍ରାଉଣ୍ଡେଡ୍ କରାଯାଇଛି ଏବଂ ଏହି ଘଟଣାର ତଦନ୍ତ ପାଇଁ ନିୟାମକ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ।
ଅନ୍ୟପଟେ ଏୟାର ଇଣ୍ଡିଆର ଅନେକ ବିମାନର ତ୍ରୁଟି ଯୋଗୁଁ କିଛି ଦିନ ହେବ ବିମାନ ଉଡ଼ାଣରେ ବାଧାପ୍ରାପ୍ତ ହୋଇଛି । ଏଥିରେ ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ବିମାନ ମଧ୍ୟ ଅନ୍ତର୍ଭୁକ୍ତ । ଗୋଟିଏ ଦିନ ପୂର୍ବରୁ କୋଚିରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇ ବିମାନବନ୍ଦରରେ ରନୱେରେ ବାହାରି ଯାଇଥିଲା । ଯାହା ପରେ ବିମାନକୁ ତଦନ୍ତ ପାଇଁ ଅଟକାଯାଇଥିଲା । ଜଣେ ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି ଯେ ବିମାନକୁ ସୁରକ୍ଷିତ ଭାବରେ ଟ୍ୟାକ୍ସି କରାଯାଇଛି ।