Anirudh Kavya Maran Marriage : ସାତ ଜନ୍ମର ସାଥୀ ହେଲେ ଅନିରୁଦ୍ଧ-କାବ୍ୟା, ଗ୍ରୀସ୍‌ରେ ହେଲା ହାଇପ୍ରୋଫାଇଲ୍ ବିବାହ, ଚର୍ଚ୍ଚାରେ ରଜନୀକାନ୍ତଙ୍କ ଡ୍ୟାନ୍ସ !

ସାତ ଜନ୍ମର ସାଥୀ ହେଲେ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଓ ସନରାଇଜର୍ସ ହାଇଦ୍ରାବାଦର ସହମାଲିକା କାବ୍ୟା ମାରନ। ଗ୍ରୀସ୍‌ର ସୁନ୍ଦର ପରିବେଶ ମଧ୍ୟରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଛି ଦୁହିଁଙ୍କ ରାଜକୀୟ ବିବାହ। ନଭେମ୍ବର ୧୧ ତାରିଖରେ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଏହି ହାଇପ୍ରୋଫାଇଲ୍ ବିବାହ ଉତ୍ସବରେ ସାମିଲ ହୋଇଥିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। ତାଙ୍କ ସହ ପତ୍ନୀ ଲତା ରଜନୀକାନ୍ତ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ ଏବଂ ଉଦୟନିଧି ଷ୍ଟାଲିନ ମଧ୍ୟ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ।

ତେବେ ସବୁଠାରୁ ଅଧିକ ଚର୍ଚ୍ଚା ସାଉଁଟିଛି ରଜନୀକାନ୍ତଙ୍କ ଡ୍ୟାନ୍ସ। ବିବାହ ଉତ୍ସବରେ ନିଜ ଫିଲ୍ମ ‘ଭେଟ୍ଟାୟନ୍’ର ଲୋକପ୍ରିୟ ଗୀତ ‘ମନସିଲାୟୋ’ରେ ଝୁମିଥିଲେ ଥଲାଇଭା। ତାଙ୍କ ଡ୍ୟାନ୍ସ ଦେଖି ଉପସ୍ଥିତ ଅତିଥିମାନେ ଉତ୍ସାହିତ ହୋଇପଡ଼ିଥିଲେ। ଏହି ଭିଡିଓକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି।

ବିବାହରେ କାବ୍ୟା ମାରନଙ୍କ ଆକର୍ଷଣୀୟ ଲେହେଙ୍ଗା ଓ ଅନିରୁଦ୍ଧଙ୍କ ପାରମ୍ପରିକ ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଉଭୟଙ୍କ ରୋମାଣ୍ଟିକ୍ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ, କାବ୍ୟା ମାରନ ହେଉଛନ୍ତି ସନ୍ ଗ୍ରୁପ୍ ଅଧ୍ୟକ୍ଷ କଳାନିଧି ମାରନଙ୍କ ଝିଅ। ଅନ୍ୟପଟେ ଅନିରୁଦ୍ଧ ଦକ୍ଷିଣ ଭାରତୀୟ ସିନେମାର ଜଣେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ।

ଗ୍ରୀସ୍‌ରେ ବିବାହ ପରେ ଆସନ୍ତା ନଭେମ୍ବର ୨୧ ତାରିଖରେ ଚେନ୍ନାଇରେ ଏକ ଭବ୍ୟ ରିସେପ୍ସନ୍ ଆୟୋଜନ ହେବାର ଯୋଜନା ରହିଛି। ଏଥିରେ ସିନେମା, ରାଜନୀତି ଓ ବ୍ୟବସାୟ ଜଗତର ଅନେକ ପ୍ରମୁଖ ବ୍ୟକ୍ତି ଯୋଗଦେବାର ସମ୍ଭାବନା ରହିଛି