ନ୍ୟୁଜ ସଂଗ୍ରହ କରି ଫେରିବା ବାଟରେ ଅଜଣା ଗାଡି ଧକ୍କାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ବଉଳିଗଡ଼ ପଞ୍ଚାୟତ ଅଞ୍ଚଳରେ ନ୍ୟୁଜ କରି ଫେରିବା ବାଟରେ ଅଜଣା ଗାଡି ଧକ୍କାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ସାମ୍ବାଦିକ ଜଣକ ହେଲେ ବଅଁରପାଳ ସମ୍ବାଦ ପ୍ରତିନିଧି ତଥା ବ୍ଲକ୍ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ନାୟକ।

ରାଜେଶ ଆଜି ସକାଳେ ନ୍ୟୁଜ ସଂଗ୍ରହ ପାଇଁ ବଅଁରପାଳ ଆସି ଘରକୁ ଫେରିବା ସମୟରେ ବଉଳିଗଡ଼ ପଞ୍ଚାୟତ ବ୍ରିଜ ଉପରେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୁରୁତର ଆହତ ରାଜେଶଙ୍କୁ ସ୍ଥାନୀୟ ଲୋକେ ଓ ପରିବାର ସଦସ୍ୟ ବଅଁରପାଳ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ, ରାଜେଶଙ୍କ ଅବସ୍ତା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଯୁବ ସାମ୍ବାଦିକ ରାଜେଶ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ବଅଁରପାଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ବ୍ୟଥିତ ହୋଇ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ଜିଲ୍ଲାର ସମସ୍ତ ସାମ୍ବାଦିକ ପ୍ରତିନିଧିଗଣ ତାଙ୍କର ଶେଷ ଦର୍ଶନ କରିବାପାଇଁ ବଅଁରପାଳ ଡାକ୍ତରଖାନାରେ ପହଂଚିଥିଲେ ।

— ବଅଁରପାଳରୁ ଅଜିତ ଭୋଇଙ୍କ ରିପୋର୍ଟ, Suchanatv24x7

Leave a Reply

Your email address will not be published. Required fields are marked *