ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଙ୍ଗନୱାଡ଼ି ଦିଦି

ନାହିଁ ନାହିଁରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର । ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଙ୍ଗନୱାଡ଼ି ଦିଦି । ଅଙ୍ଗନୱାଡ଼ି ଦିଦିଙ୍କ ମନମାନିରେ ଚାଲିଛି କୁନି କୁନି ପିଲାଙ୍କ ଭବିଷ୍ୟତ । ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଭିଭାବକ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭାଟପଡା ଗ୍ରାମ ପଞ୍ଚାୟତ ଅଧିନ ଉଗ୍ରତରା ଗ୍ରାମରୁ ।

ଅଭିଯୋଗ ଅନୁସାରେ ରଘୁନାଥ ଜିୟୁ ପାଟଣାରେ ଥିବା ଅଙ୍ଗନୱାଡ଼ିରେ ସବୁପ୍ରକାରର ସୁବିଧା ରହିଛି । ହେଲେ ଉଗ୍ରତରାରେ ଥିବା ଅଙ୍ଗନୱାଡ଼ିରେ ଭଙ୍ଗା କବାଟ, କାନ୍ଥ ଫଟା, ଛାତ ବିପଦ ସଙ୍କୁଳ ଅବସ୍ଥାରେ । ଅଙ୍ଗନୱାଡ଼ି କେନ୍ଦ୍ରରେ ନା ଅଛି ଇଲେକ୍ଟ୍ରିକର ସୁବିଧା ନା ପିଇବା ପାଣିର ସୁବିଧା । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପିଲେ । ରଘୁନାଥ ଜିୟୁ ପାଟଣାରେ ଥିବା ଅଙ୍ଗନୱାଡ଼ିରେ ସବୁପ୍ରକାରର ସୁବିଧା ଥିବା ସତ୍ତ୍ୱେ ମଧ୍ୟ ଦିଦି ସେଠାରେ ପିଲାଙ୍କୁ ପଢାଉ ନାହାନ୍ତି । ଯାହା ଫଳରେ ନିଜ ଗାଁ ରଘୁନାଥ ଜିୟୁ ପାଟଣା ଛାଡ଼ି ସେମାନଙ୍କୁ ଉଗ୍ରତରା ଆସିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ।

ଅଭିଭାବକମାନେ ଅଭିଯୋଗ କରିଛନ୍ତି, ଅଙ୍ଗନବାଡ଼ିରେ ଛୋଟ ଛୁଆଙ୍କ ପାଇଁ ଆସୁଥିବା ସାମଗ୍ରୀ ବାଟମାରଣା ହେଉଛି। ୫ ଜଣକ ପାଇଁ ଖାଦ୍ୟ ରନ୍ଧା ହେଉଥିବାବେଳେ ୧୫ ଜଣକ ନା ରେଜିଷ୍ଟ୍ରାରରେ ପଡୁଛି । ଏହି ବିଷୟରେ ଗ୍ରାମର ୱାର୍ଡ ମେମ୍ବରଙ୍କ ଠାରୁ ସରପଞ୍ଚଙ୍କ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।

ସେପଟେ, ସିଡିପିଓ କହିଛନ୍ତି ଅତି ଶିଘ୍ର ଏହାର ସମାଧାନ କରାଯିବ ଏବଂ ନୂତନ ଅଙ୍ଗନୱାଡ଼ି ଗଠନ କରାଯିବ । ଯାହାଫଳରେ, କୁନି କୁନି ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ।