ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡୁଆ ବଢୁଛି । ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ସନ୍ଦେହ ଘେରକୁ ଆସିଥିବା ଲାକ୍ରାଙ୍କ ପାଇଁ ଆଉ ଟିକେ ଟେନସନ ବଢିଛି । କାହିଁକି ନା ଏବେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ହୋଇଥିବାରୁ କ୍ରାଇମବ୍ରାଞ୍ଚର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ । ଜଣେ ଡିଆଇଜି ପାହ୍ୟାର ଅଧିକାରୀଙ୍କୁ ଏହି ଦାୟିତ୍ୱ ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି । ପୂର୍ବରୁ ତଦନ୍ତ କରୁଥିବା କମିଶନରେଟ ପୋଲିସ, ତଦନ୍ତର ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ମାନଜିତ ଟେଟେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ହାଇକୋର୍ଟରେ ମାମଲା ରୁଜ୍ଜୁ କରିଛନ୍ତି ମୃତ ଆନନ୍ଦ ଟପ୍ପୋଙ୍କ ବାପା । ୨୦୨୨ ଫେବ୍ରୁଆରୀ ୨୮ ତାରିଖ ଦିନ ପ୍ରାୟ ୧୨ଟାରେ ଭୁବନେଶ୍ୱର ଇନଫୋସିଟି ଥାନା ଇନ୍ଫୋସିଟିର ଆୟୁଷ ରେଡିୟମ୍ ଫ୍ଲାଟ୍ ନମ୍ବର ୪୦୧ରେ ବେକରେ ଲୁଗା ବାନ୍ଧି ଆନନ୍ଦ ଆତ୍ମହତ୍ୟା କରିଥିଲେ । ଏ ନେଇ ବୀରେନ୍ଦ୍ର, ମୃତକଙ୍କ ବାପାଙ୍କୁ ଫୋନ୍ ମାଧ୍ୟମରେ ସୂଚନା ଦେଇଥିଲେ । ମୃତକଙ୍କ ବେକରେ ୨ଟି ଦାଗ ରହିଥିଲା। ସେ ୧୦ ଦିନ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।