
ସକ୍ରିୟ ମୌସୁମୀ ବାୟୁ ପ୍ରବାହ ଯୋଗୁଁ ଗତ କିଛି ଦିନ ହେଲା ରାଜ୍ୟରେ ବର୍ଷା ଲାଗି ରହିଥିଲା । ଏବେ କିନ୍ତୁ ରାଜ୍ୟରେ ବର୍ଷା ପରିମାଣ କମିବ ବୋଲି ସୂଚନା ମିଳିଛି ।

ଆସନ୍ତାକାଲି ମୟୂରଭଞ୍ଜ,ବାଲେଶ୍ୱର, ସୁନ୍ଦରଗଡ଼,ଝାରସୁଗୁଡ଼ା,କେନ୍ଦୁଝର ଆଦି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷିବ । ଏହି ବର୍ଷା ପରେ ରାଜ୍ୟରେ ପ୍ରାୟତଃ ପାଗ ଶୁଖିଲା ରହିବ । ଏ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଧୀରେ ଧୀରେ ମୌସୁମୀ ବାୟୁ ଦୁର୍ବଳ ହୋଇଯିବା ସହ ବର୍ଷା ପରିମାଣ ହ୍ରାସ ପାଇବ । ତେଣୁ ରାଜ୍ୟରେ ପାଗ ଖରାଟିଆ ରହିବା ସହ ଦିନ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ଜଣାପଡ଼ିଛି ।

ଜୁଲାଇ ୩ ଯାଏ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଲଘୁଚାପ ପ୍ରଭାବରେ ଏଯାଏ ଭଲ ବର୍ଷା ହୋଇଥିବା ବେଳେ ଏବେ ଲଘୁଚାପ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଓ ଉତ୍ତର ଭାରତରେ ପ୍ରବଳ ବର୍ଷା କରାଇବ ବୋଲି ସମ୍ଭାବନା ରହିଛି । ମୌସୁମୀ ପ୍ରଭାବରେ ଓଡ଼ିଶାରେ ବିଶେଷ ବର୍ଷା ହେବ ନାହିଁ । ଜୁଲାଇ ୩ ତାରିଖ ଯାଏ ରାଜ୍ୟରେ ମୌସୁମୀ ସକ୍ରିୟ ରହିବ ନାହିଁ । ସପ୍ତାହକ ମଧ୍ୟରେ ମାତ୍ର ୨୦ରୁ ୨୫ ମିମି ବର୍ଷା ହେବା ନେଇ ଆଶା ରହିଛି । ୨୯ ତାରିଖରୁ ତାପମାତ୍ରା ବଢ଼ିବାକୁ ଥିବାବେଳେ ପାଗ ଆଂଶିକ ମେଘୁଆ ଓ ଖରାଟିଆ ରହିବ । ଜୁଲାଇ ଦ୍ୱିତୀୟ ସପ୍ତାହରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ମୌସୁମୀ ପୁଣି ସକ୍ରିୟ ହୋଇଯିବ ।